କୋଟିଆ ସୀମାନ୍ତରେ ଓଡ଼ିଶା ପ୍ରଶାସନର ନୋଟିସ୍ ନିନ୍ଦନୀୟ: ଆନ୍ଧ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାରେ ତୀବ୍ର ପ୍ରତିକ୍ରିୟା

ପଟ୍ଟାଙ୍ଗି,୨୬।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଓଡ଼ିଶା ପ୍ରଶାସନର ପଦକ୍ଷେପକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ ଦୋରା। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜାରି କରି ଦୋରା କୋଟିଆ ସୀମାନ୍ତ ଗ୍ରାମରେ ଜାରି ହୋଇଥିବା ନୋଟିସ୍ ଓ ଗିରଫଦାରୀ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ଭିଡିଓ ବାର୍ତ୍ତାରେ ପିଡିକା ରାଜନ୍ ଦୋରା କହିଛନ୍ତି ଯେ କୋଟିଆ ପଞ୍ଚାୟତର ପ୍ରକୃତ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ। ତାହା ନକରି ପଞ୍ଚାୟତର ସୀମାନ୍ତ ଗ୍ରାମରେ ବସବାସ କରୁଥିବା ନିରୀହ ଆଦିବାସୀ ଓ ଗ୍ରାମବାସୀଙ୍କ ଉପରେ କାହିଁକି ଜୁଲୁମ୍ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶା ପ୍ରଶାସନ ପକ୍ଷରୁ ୧୧ ଜଣଙ୍କ ନାମରେ ନୋଟିସ୍ ଜାରି କରାଯିବା ସହ ୨ ଜଣଙ୍କୁ ଗିରଫ କରାଯିବା ମାନବାଧିକାରର ଖୋଲାଖୋଲି ଉଲ୍ଲଂଘନ ବୋଲି ସେ ଅଭିଯୋଗ କରିଛନ୍ତି।

ସୀମା ବିବାଦ ନାମରେ ନିରୀହ ଆଦିବାସୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଉଲ୍ଲେଖ କରି  ଦୋରା କହିଛନ୍ତି ଯେ ଆଦିବାସୀଙ୍କ ମାନବାଧିକାର ସୁରକ୍ଷା କରିବା ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାୟିତ୍ୱ। ଏଣୁ ଏହି ଘଟଣାରେ ଆନ୍ଧ୍ରର ଆଦିବାସୀ କଲ୍ୟାଣ ବିଭାଗ, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରତିକ୍ରିୟା ଦେବା ସହ ଗିରଫ ଆଦିବାସୀମାନଙ୍କୁ ଆର୍ଥିକ ସହାୟତା ଓ ଆଇନଗତ ସହଯୋଗ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଶ୍ରୀ ଦୋରାଙ୍କ ଏହି ଭିଡିଓ ଭାଇରାଲ୍ ହେବା ପରେ କୋଟିଆ ପ୍ରସଙ୍ଗରେ ବିବାଦ ବଢ଼ିବା ସହ ସୀମାନ୍ତ ବାସିନ୍ଦାଙ୍କ ମନୋବଳ ଦୃଢ଼ କରିବା ପାଇଁ ଆନ୍ଧ୍ରର ବିରୋଧୀ ଦଳ ଓ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ କୋଟିଆ ଥାନାରେ ଗତ ୨୩ ତାରିଖରେ ରୁଜୁ ହୋଇଥିବା ଏକ ମାମଲାକୁ ନେଇ ଓଡ଼ିଶା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ନୋଟିସ୍‌ରେ ଆସନ୍ତା ୨୭ ତାରିଖ ସୁଦ୍ଧା ଉପ-ବିଭାଗୀୟ ମାଜିଷ୍ଟ୍ରେଟ (ଏସ୍‌ଡିଏମ୍)ଙ୍କ ନିକଟରେ ହାଜର ହୋଇ ଜଣକା ପିଛା ଦେଢ଼ ଲକ୍ଷ ଟଙ୍କାର ବଣ୍ଡ ପ୍ରଦାନ ସହ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି। ଏହି ନୋଟିସ୍‌କୁ ନେଇ ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଓ ଚାପା ଉତ୍ତେଜନା ଦେଖାଦେଇଛି।

Dharitri – Odisha’s No.1 Odia Daily

Share