କେବଳ ହିନ୍ଦୀ ନୁହେଁ

ଶିଶୁଟିଏ ଜନ୍ମ ହେବା ପରେ ତାକୁ ଯେଉଁ ଭାଷାରେ ଅଭ୍ୟସ୍ତ କରାଯାଇଥାଏ, ସେହି ଅନୁଯାୟୀ ସେ ପାରଙ୍ଗମ ହୋଇଥାଏ। ମାତୃଭାଷା ଆଧାରରେ ସେ ସଂସ୍କୃତିଗତ ପରିଚୟ ଲାଭ କରେ। ଭାରତରେ ବିଭିନ୍ନ ମାତୃଭାଷା ଓ ଉପଭାଷା ଥିବାବେଳେ କେବଳ ହିନ୍ଦୀର ପ୍ରଚାର ଓ ପ୍ରସାର ଲାଗି କେନ୍ଦ୍ରୀୟ ସ୍ତରରେ ଉଦ୍ୟମ ହେଉଥିବାରୁ ତାହା ବିରୋଧରେ ସ୍ବର ଉଠିଲାଣି। ନିକଟରେ ହିନ୍ଦୀ ଭାଷାକୁ ନେଇ ସ୍ବର ଉଠାଇଛନ୍ତି କେରଳର ସିପିଆଇ(ଏମ୍‌) ସାଂସଦ ଜନ୍‌ ବ୍ରିଟ୍ଟାସ। କେନ୍ଦ୍ର ସରକାର ଦକ୍ଷିଣ ଭାରତୀୟ ସାଂସଦମାନଙ୍କୁ ଇଂଲିଶରେ ପତ୍ର ଲେଖୁଥିବାବେଳେ ଗୃହରେ ହିନ୍ଦୀରେ ଉତ୍ତର ରଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବ୍ରିଟ୍ଟାସ ଆହୁରି କହିଛନ୍ତି ଯେ, ସରକାରୀ ପକ୍ଷର ଅଧିକାଂଶ ସଦସ୍ୟ ସେମାନଙ୍କ ଭାଷଣରେ ହିନ୍ଦୀ ଭାଷାକୁ ଅଧିକରୁ ଅଧିକ ବ୍ୟବହାର କରୁଥିବାରୁ ଦକ୍ଷିଣ ଭାରତୀୟ ଏବଂ ଅଣ ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରୁ ଆସିଥିବା ସଦସ୍ୟମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ସଂସଦରେ ହିନ୍ଦୀକୁ ପ୍ରକୃତ ଭାଷା କରିବାକୁ ଉଦ୍ୟମ ହେଉଥିବା କହି ବ୍ରିଟ୍ଟାସ କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ପାର୍ଲାମେଣ୍ଟ ନୁହେଁ, ଏହା ବାହାରେ ମଧ୍ୟ ହିନ୍ଦୀକୁ ସମସ୍ତଙ୍କ ଉପରେ ଲଦିଦେବା ପାଇଁ ସୁଚିନ୍ତିତ ଉଦ୍ୟମ କରାଯାଉଥିବା ସେ ସୂଚିତ କରିଛନ୍ତି।
ବିଭିନ୍ନ ରାଜ୍ୟର ମାତୃଭାଷା ହିନ୍ଦୀ ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି। ଓଡ଼ିଶାର ଉଦାହରଣ ନେଲେ ଏହା ସ୍ପଷ୍ଟ ହେବ। ଏବେ ରାଜ୍ୟରେ ଓଡ଼ିଆ ଭଳି ଶାସ୍ତ୍ରୀୟ ଭାଷା ଓ କେତେକ ଉପଭାଷାକୁ ଅନେକାଂଶରେ ଅଣଦେଖା କରାଯାଇ ହିନ୍ଦୀକୁ ପ୍ରୋତ୍ସାହିତ କରାଯାଉଛି। ଉତ୍ତର ଭାରତର ବୋଲବମ୍‌, ଧନତେରସ, ସିନ୍ଦୂର ଖେଳ ଓ ଛଟ୍‌ପୂଜା ଭଳି ପର୍ବକୁ ଓଡ଼ିଶାରେ ପ୍ରବେଶ କରାଇ ଦିଆଯାଇ ଯେଭଳି ସ୍ଥାନୀୟ ସଂସ୍କୃତିର ଗୁରୁତ୍ୱକୁ ହ୍ରାସ କରିଦିଆଯାଉଛି, ଅନୁରୂପ ଭାବେ ହିନ୍ଦୀ ଭାଷାର ବହୁଳ ବ୍ୟବହାର ଦ୍ୱାରା ଶାସ୍ତ୍ରୀୟ ଭାଷା ଓଡ଼ିଆ ବହୁ ଆହ୍ବାନର ସମ୍ମୁଖୀନ ହେଲାଣି। ଏବେ ଆଞ୍ଚଳିକ ଭାଷାଗୁଡ଼ିକୁ ଅଣଦେଖା କରାଯାଇ ‘ଏକ ଦେଶ ଏକ ଭାଷା’ ଆଳରେ ଯେଉଁ ପ୍ରକାର ଉଦ୍ୟମ ହେଉଛି ତାହା ଭାରତର ଅଖଣ୍ଡତାକୁ ପ୍ରଶ୍ନରେ ପକାଇପାରେ। ମନେରଖିବା ଉଚିତ ଯେ, ଉତ୍ତର ଭାରତୀୟଙ୍କ ଦ୍ୱାରା ପ୍ରଚଳିତ ହିନ୍ଦୀଭାଷା ଦେଶର ବିଭିନ୍ନ ଆଞ୍ଚଳିକ ଭାଷା ଭଳି ଗୋଟିଏ। ତେବେ କେନ୍ଦ୍ରୀୟ ନେତାମାନେ କାହିଁକିି ହିନ୍ଦୀକୁ ପ୍ରୋତ୍ସାହନ ଦେଉଛନ୍ତି ତାହା ବୁଝିବା କଷ୍ଟକର ନୁହେଁ। ସେମାନେ ଯେଉଁ ରାଜ୍ୟରୁ ଆସିଛନ୍ତି ସେଠାରେ ବ୍ୟବହାର ହେଉଥିବା ଭାଷା ଏବଂ ହିନ୍ଦୀ ମଧ୍ୟରେ ତଫାତ୍‌ ନାହିଁ; ଯାହାଫଳରେ ସେହି ସବୁ ନେତାମାନଙ୍କ ପାଇଁ ହିନ୍ଦୀରେ ଗର୍ଜିକରି ଭାଷଣ ଦେଇ ନିର୍ବାଚନ ପ୍ରଚାର କରାଇବା କାର୍ଯ୍ୟ ସହଜ ହୋଇପାରୁଛି। ମୁଷ୍ଟିମେୟ ଲୋକଙ୍କର ବ୍ୟକ୍ତିଗତ ରାଜନୈତିକ ସୁବିଧା ପାଇଁ ଦେଶର ଅନେକ ଐତିହାସିକ ଭାଷାକୁ ଧ୍ୱଂସ କରିଦେବାର କୌଣସି ଦ୍ୱିଧା ଦେଖାଯାଉ ନାହିଁ। ବାସ୍ତବରେ ଯିଏ ଭାରତପ୍ରେମୀ ହୋଇଥିବ ସେଭଳି ବ୍ୟକ୍ତି ଭାରତର କୋଣ ଅନୁକୋଣରେ ପ୍ରଚଳିତ ଭାଷା, ସଂସ୍କୃତି, ପର୍ବ ଏବଂ ଧାର୍ମିକ ରୀତିନୀତିକୁ ପ୍ରୋତ୍ସାହନ ଦେବାକୁ ଆଗେଇ ଆସିବ। ଉଦାହରଣ ସ୍ବରୂପ ଓଡ଼ିଶାରେ ବ୍ୟବହୃତ ହେଉଥିବା ଉପକୂଳ ଓଡ଼ିଆ, ପଶ୍ଚିମ ଓଡ଼ିଶାର ଭିନ୍ନ ପ୍ରକାର ଓଡ଼ିଆ, କୁଇ ଏବଂ ସାନ୍ତାଳି ଭଳି ଅନେକ ପୁରାତନ ଭାଷା ରହିଛି, ଯେଉଁଗୁଡ଼ିକ ପ୍ରୋତ୍ସାହନ ବିନା କ୍ରମଶଃ ପୃଥିବୀରୁ ଲୋପ୍‌ ପାଇଯିବ। ଓଡ଼ିଆ ଲିପିକୁ ଦେଖିଲେ ଅଦ୍ୱିତୀୟତା ସ୍ପଷ୍ଟ ବାରି ହୋଇଯାଏ। ଯେହେତୁ ଓଡ଼ିଆ ଲିପି ସେଥିରୁ ଆସିନାହିଁ ସେହେତୁ ଲିପିର ମୁଣ୍ଡ ଉପରେ ଗାର ରହେନାହିଁ। ଏହିଭଳି ସୂକ୍ଷ୍ମ ଅଦୃଶ୍ୟ ସୌନ୍ଦର୍ଯ୍ୟକୁ ଖୋଦ୍‌ ଓଡ଼ିଆ ଲୋକମାନେ ସ୍ବୀକାର କରିବାକୁ ଅପ୍ରସ୍ତୁତ। ଅନ୍ୟପଟେ ଓଡ଼ିଶାର ଦକ୍ଷିଣରେ ଥିବା ତେଲୁଗୁ ଏବଂ ଉତ୍ତରରେ ଥିବା ବଙ୍ଗଳା ଭାଷାଗୁଡ଼ିକର ବିଶେଷତାକୁ ସେଠାକାର ଜନସାଧାରଣ ବଞ୍ଚେଇ ରଖିପାରିଛନ୍ତି। ପୂର୍ବରୁ କିଛି ବାହାସ୍ଫୋଟ ମାରୁଥିବା ଓଡ଼ିଆ ଦାବି କରୁଥିଲେ ଯେ ତାଙ୍କର ଉଦ୍ୟମ ଯୋଗୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇପାରିଥିଲା। ସେହି ଦାବିକୁ ଆଜିର ସରକାର ସମ୍ପୂର୍ଣ୍ଣ ଭାବେ ହାସ୍ୟାସ୍ପଦ ପରିସ୍ଥିତିରେ ପକାଇ ଦେଇଛନ୍ତି। ପୁନର୍ବାର ରାଜନୀତିକ ଲାଭ ପାଇଁ ମରାଠୀ, ବଙ୍ଗଳା, ଆସାମୀଜ୍‌ ଭଳି ପାଞ୍ଚୋଟି ଭାଷାକୁ ଅକ୍ଟୋବର ୨୦୨୪ ପ୍ରଥମ ସପ୍ତାହରେ କ୍ଲାସିକାଲ୍‌ ମାନ୍ୟତା ଦେଇଛନ୍ତି। ସେହିସବୁ ଭାଷା ବ୍ୟବହୃତ ହେଉଥିବା ରାଜ୍ୟରେ ଏଭଳି ମାନ୍ୟତା ପାଇଁ କୌଣସି ଦାବି କିମ୍ବା ଆନ୍ଦୋଳନ ହୋଇଥିବାର କେହି ଶୁଣି ନ ଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପଛର କାରଣ ବୁଝିବା ଅତ୍ୟନ୍ତ ସହଜ। ସେହିସବୁ ରାଜ୍ୟରେ ନିର୍ବାଚନ ଫଳାଫଳକୁ ଆଖିଆଗରେ ରଖି ଭାଷା ସମ୍ପୃକ୍ତ ନିଷ୍ପତ୍ତି ନିଆଯାଉଛି। ଏଭଳି ଅଦୂରଦର୍ଶୀ ପଦକ୍ଷେପ ସେହିସବୁ ଭାଷାକୁ କେତେ ଲାଭ ଦେବ ତାହା ଏବେ ଆକଳନ କରିବା କଷ୍ଟକର। ଅନ୍ୟପଟେ ପୂର୍ବରୁ ଏହି ମାନ୍ୟତା ପାଇଥିବା ଭାଷା ଯଥା- ତାମିଲ, ତେଲୁଗୁ, କନ୍ନଡ, ମାଲାୟାଲମ ଏବଂ ଓଡ଼ିଆ ପ୍ରତି କୌଣସି ଧ୍ୟାନ ଦିଆଯାଉ ନାହିଁ କିମ୍ବା ତାହାର ପ୍ରସାର ପ୍ରଚାର ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଅର୍ଥ ଖର୍ଚ୍ଚ କରାଯାଉ ନାହିଁ। ଯାହା ଆସୁଛି ତାହା ସମୁଦ୍ରଙ୍କୁ ଶଙ୍ଖେ କୁହାଯାଇପାରେ। ଏହା କହିଲା ବେଳକୁ ତୁଳନାତ୍ମକ ଦୃଷ୍ଟିରେ ହିନ୍ଦୀ ପାଇଁ କେନ୍ଦ୍ର ବଜେଟ ଖର୍ଚ୍ଚକୁ ଦୃଷ୍ଟିରେ ରଖିବା ଦରକାର।
ଭାରତର ସୌନ୍ଦର୍ଯ୍ୟ ତା’ର ‘ବିବିଧତା ମଧ୍ୟରେ ଏକତା’ରେ ଥାଏ। କିନ୍ତୁ ଏଠାରେ ହିନ୍ଦୀ ଭାଷାକୁ ପ୍ରାଧାନ୍ୟ ଦିଆଯାଇ ଅନ୍ୟସବୁ ଭାଷା ଉପରେ କୁଠାରାଘାତ କରାଯାଉଛି, ଯାହାକି ସଂଘୀୟ ଚିନ୍ତାଧାରାର ବିରୋଧାଭାସ ବୋଲି କୁହାଯାଇପାରେ। ଯଦି ଭାରତୀୟ ସମ୍ବିଧାନକୁ ଦେଖାଯାଏ, ଏହାର ଜନ୍ମଲଗ୍ନରେ କୁହାଯାଇଥିଲା ଯେ ଦେଶରେ କୌଣସି ଗୋଟିଏ ଜାତୀୟ ଭାଷା ରହିବ ନାହିଁ। ସେଥିପାଇଁ ୧୪ଟି ସରକାରୀ ଭାଷାକୁ ମାନ୍ୟତା ଦିଆଯାଇଥିଲା, ଯାହା ଏବେ ୨୨ରେ ପହଞ୍ଚତ୍ଛି। ହିନ୍ଦୀ ଓ ଇଂଲିଶକୁ କେନ୍ଦ୍ର ସରକାର ତଥା ପ୍ରଶାସନିକ ବ୍ୟବସ୍ଥାରେ ସରକାରୀ ଭାଷାର ମାନ୍ୟତା ଦିଆଯାଇଥିଲା। ହେଲେ ସମୟ କ୍ରମେ ହିନ୍ଦୀକୁ କେବଳ ପ୍ରମୁଖ ପ୍ରଭାବୀ ଭାଷା କରିବା ପାଇଁ ପ୍ରଚେଷ୍ଟା କରାଯାଇଥିଲା। କିନ୍ତୁ ତାହାକୁ ବିଶେଷକରି ଦକ୍ଷିଣ ଭାରତରେ ଘୋର ବିରୋଧ କରାଯିବାରୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ନିଷ୍ପତ୍ତି ବଦଳାଇଥିଲେ। ଏବେ ହିନ୍ଦୀ ଭାଷାକୁ ଯେଉଁଭଳି ଭାବେ ପ୍ରଚାର ପ୍ରସାର କରାଯାଉଛି ତାହା ଜାତୀୟ ଏକତାକୁ କ୍ଷୁଣ୍ଣ କରିବା ସହିତ ଭାରତର ସୌନ୍ଦର୍ଯ୍ୟକୁ ବିକୃତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri