କେବଳ ଚେରାପୁଞ୍ଜି ନୁହେଁ

ପିଲାଦିନେ ପଢ଼ିଥିଲୁ ପୃଥିବୀର ସର୍ବାଧିକ ବର୍ଷା ହେଉଥିବା ଅଞ୍ଚଳ ମେଘାଳୟର ଚେରାପୁଞ୍ଜି। ଏବେ ମନେ ହେଉଛି ସେହି ଅଞ୍ଚଳ ବ୍ୟାପିବାରେ ଲାଗିଛି। ଅସରାଏ ବର୍ଷାରେ ସହର ଉବୁଟୁବୁ ହୋଇଯାଉଛି ଏବଂ ଏହା ଲୋକଙ୍କ ଜୀବନ, ଜୀବିକା ଓ ସହରର ଭିତ୍ତିଭୂମିକୁ ଘୋର ପ୍ରଭାବିତ କରୁଛି। ଭୁବନେଶ୍ୱରରେ ସମସ୍ତେ ଭାବୁଥିଲେ ଇସ୍କନ ମନ୍ଦିର ସାମ୍ନା ହେଉଛି ବୁଡ଼ି ଅଞ୍ଚଳ। ଏବେ ବର୍ଷାହେଲେ ରସୁଲଗଡ଼ଠାରୁ ଖଣ୍ଡଗିିରି ପର୍ଯ୍ୟନ୍ତ ସବୁଆଡ଼େ ଜଳମୟ ହୋଇଯାଉଛି ଏବଂ ସଡ଼କ ବ୍ୟବହାରକାରୀଙ୍କ ଜୀବନ ବିପଦପୂର୍ଣ୍ଣ ହେଉଛି। କେଉଁଠି ଗାତ ତ ଅନ୍ୟ କେଉଁଠି ଖୋଲା ନାଳରେ ପଡ଼ିଗଲେ ବଞ୍ଚିବାର କୌଣସି ଆଶା ରହୁନାହିଁ। ଦେଶର ସହରଗୁଡ଼ିକର ମଧ୍ୟ ପରିସ୍ଥିତି ସେହିଭଳି। ପାଖାପାଖି ଦୁଇ ଦଶନ୍ଧି ହେଲା ପ୍ରାୟ ପ୍ରତିବର୍ଷ ଦେଶ ଓ ବିଦେଶରେ ସହର ବନ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବିଶ୍ୱର ଅତ୍ୟାଧୁନିକ ସହର ବେଜିଂ, ସିଙ୍ଗାପୁର ଓ ଲଣ୍ଡନଠାରୁ ଆରମ୍ଭକରି ଭାରତର ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ଦିଲ୍ଲୀ ଆଦି ପ୍ରମୁଖ ସହର ବନ୍ୟାରୁ ବାଦ୍‌ ପଡ଼ିନାହାନ୍ତି। ଏପରି କି ୨୦୦୫ରେ ମୁମ୍ବାଇ ବନ୍ୟାରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ଯାହା ଅନେକଙ୍କର ମନେଥିବ। ଏବେ ଦୁଇଦିନ ହେବ ଭାରତର ଟେକ୍‌ ସହର ବେଙ୍ଗାଲୁରୁ ବର୍ଷାରେ ଉବୁଟୁବୁ। ଅନେକ ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି। ବହୁ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବା ସହ ପାନୀୟ ଜଳଯୋଗାଣରେ ବ୍ୟାଘାତ ଘଟିଛି। ଜଣେ ମହିଳାଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଭାରତର ପାଣିପାଗ ବିଭାଗ(ଆଇଏମ୍‌ଡି) ସୂଚନା ଅନୁଯାୟୀ, ବେଙ୍ଗାଲୁରୁରେ ୧୩୧.୬ ମିଲିମିଟର ବର୍ଷା ହୋଇ ୮ ବର୍ଷର ରେକର୍ଡ ଭାଙ୍ଗିଛି। ରେକର୍ଡ ପରିମାଣର ବର୍ଷା ଭାରତର ପ୍ରମୁଖ ସହରଗୁଡ଼ିକରେ ବନ୍ୟାର କାରଣ ହେଉଛି । ଅତ୍ୟଧିକ ବର୍ଷା ସାଙ୍ଗକୁ ଦୁର୍ବଳ ଜଳ ନିଷ୍କାସନ ବା ଡ୍ରେନେଜ୍‌ ବ୍ୟବସ୍ଥା, ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳ ଓ ଖୋଲା ସ୍ଥାନ ଜବରଦଖଲ ଏବଂ ପୁରାତନ ନାଳୀ ସଙ୍କୁଚିତ ହେବା ଯୋଗୁ ବର୍ଷା ଜଳ ସହର ମଧ୍ୟରୁ ନିଷ୍କାସିତ ହୋଇପାରୁନାହିଁ। ଏଥିସହିତ ସହରାଞ୍ଚଳଗୁଡ଼ିକରେ ସବୁଠାରେ ପିଚୁ ଓ ସିମେଣ୍ଟ କଂକ୍ରିଟ ପଡ଼ିଯିବାରୁ ଠୋପାଏ ଜଳ ମଧ୍ୟ ମାଟି ଭେଦିପାରୁନାହିଁ। ଫଳରେ ଏସବୁ କାରଣରୁ ସ୍ଥିତି ଅଣାୟତ୍ତ ହୋଇଯାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଗତବର୍ଷ ଅକ୍ଟୋବରରେ ବେଙ୍ଗାଲୁରୁରେ ଚିହ୍ନଟ ୨,୬୦୦ରୁ ଊର୍ଦ୍ଧ୍ୱ ଜଳାଶୟ ନିକଟରୁ ୭୧୪ ଜବରଦଖଲକୁ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଳିକା(ବିବିଏମ୍‌ପି) ହଟାଇ ନ ଥିବା ସିଏଜି ରିପୋର୍ଟରେ ପ୍ରକାଶ ପାଇଥିଲା; ଯାହାକୁ ଏବକାର ବନ୍ୟାର ଏକ ପ୍ରମୁଖ କାରଣ ବୋଲି କୁହାଯାଇପାରେ। ସମସ୍ୟା ସୁଧାରିବାରେ ପରିଚାଳନାଗତ ତ୍ରୁଟି ରହୁଥିବାରୁ ଏହି ବନ୍ୟାକୁ ମନୁଷ୍ୟକୃତ ବିପର୍ଯ୍ୟୟ କହିଲେ ଭୁଲ୍‌ ହେବ ନାହିଁ। ଏଭଳି ସ୍ଥିତି ମଧ୍ୟ ଆମ ସ୍ମାର୍ଟସିଟି ଭୁବନେଶ୍ୱର, ଧବଳ ନଗର କଟକ ଓ ଶଙ୍ଖକ୍ଷେତ୍ର ପୁରୀରେ ଅନୁଭବ କରୁଛୁ।
ସହର ବନ୍ୟା ପଛରେ ଥିବା ପରିବେଶଗତ କାରଣକୁ ଏଡ଼ାଇଯିବା ମହଙ୍ଗା ହେଉଛି। ଜଳବାୟୁ ଅନିୟମିତତା ଯୋଗୁ ଦୁଇ ଦଶନ୍ଧି ହେବ ଏହି ସମସ୍ୟା ଆହୁରି ବଢ଼ିଛି। ଇଣ୍ଟରଗଭର୍ନମେଣ୍ଟାଲ ପ୍ୟାନେଲ ଅନ୍‌ କ୍ଲାଇମେଟ ଚେଞ୍ଜ୍‌ ବା ଆନ୍ତଃସରକାରୀ ଜଳବାୟୁ ପରିବର୍ତ୍ତନ ପ୍ୟାନେଲ(ଆଇପିସିସି)ର ରିପୋର୍ଟ ବିଶ୍ୱ ତଥା ଭାରତର ସହରଗୁଡ଼ିକରେ ଜଳବାୟୁର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ବହୁବାର ସୂଚାଇ ଦେଇଛି। ଦୁର୍ଭାଗ୍ୟର କଥା, ଏହାକୁ ଲକ୍ଷ୍ୟକରି ଏବକାର ସ୍ମାର୍ଟସିଟି ପ୍ରୋଜେକ୍ଟର ପ୍ରଯୁକ୍ତିଗତ ପଦକ୍ଷେପ ଅନୁକୂଳ ସ୍ଥିତି ସୃଷ୍ଟି କରିପାରିନାହିଁ । ଏହାବାଦ୍‌ ୨୦୧୮ରେ ବେଲ୍‌ଜିୟମର ବ୍ରସେଲ୍ସସ୍ଥିତ ସେଣ୍ଟର ଫର୍‌ ରିସର୍ଚ୍ଚ ଅନ୍‌ ଦି ଏପିଡେମିଓଲୋଜି ଅଫ୍‌ ଡିଜାଷ୍ଟର୍ସ ଦ୍ୱାରା ପ୍ରକାଶିତ ରିପୋର୍ଟ ଦର୍ଶାଇଥିତ୍ଲା ଯେ, ଭାରତର ୫୫ ପ୍ରତିଶତରୁ ଊର୍ଦ୍ଧ୍ୱ ସ୍ମାର୍ଟସିଟି ବନ୍ୟାପ୍ରବଣ। ଏସବୁ ସତ୍ତ୍ୱେ ଆମ ସ୍ମାର୍ଟସିଟି ପ୍ରୋଜେକ୍ଟ ଏହାକୁ ଗୁରୁତ୍ୱର ସହ ନେଉ ନ ଥିବା ସ୍ପଷ୍ଟ ହେଉଛି। ଏବେ ଆମେ ଏତେ ସ୍ମାର୍ଟ ହୋଇଗଲୁଣି ଯେ, ଆମର ସ୍ମାର୍ଟନେସ୍‌କୁ ‘କେଉଁଠି ଥୋଇବା’ ହୋଇଗଲାଣି ମୁଖ୍ୟ ପ୍ରଶ୍ନ। ଭୁବନେଶ୍ୱରର ଉଦାହରଣ ଦେଖିଲେ ୧୯ ସେପ୍ଟେମ୍ବର ୨୦୨୧ରେ ଜଣେ ଛାତ୍ରର ମୃତ୍ୟୁ ପରେ ରାଜ୍ୟ ସରକାର କେବଳ ଡ୍ରେନେଜ ପୁନରୁଦ୍ଧାର ପାଇଁ ୧,୦୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା କୁହାଯାଇଥିଲା। ସେହି ଅର୍ଥ ଚଳୁ ହୋଇଯାଇଥିବା ଭଳି ଏବକାର ବର୍ଷାରୁ ଜଣାପଡ଼ୁଛି। ଏକ ଆକଳନ ଅନୁଯାୟୀ ୨୦୫୦ ସୁଦ୍ଧା ଭାରତରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ଲୋକ ରହିବେ । ଏଣୁ ସହରରେ ଘର, ରାସ୍ତା, ଡାକ୍ତରଖାନା ଏବଂ ଅନ୍ୟ ଭିତ୍ତିଭୂମି ପାଇଁ ଯୋଜନା କରିବାବେଳେ ସେହିସବୁ ଅଞ୍ଚଳର ଜଳ ବିଜ୍ଞାନର ଅନୁଧ୍ୟାନ ଅପରିହାର୍ଯ୍ୟ। ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବ ହ୍ରାସ କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତିଗତ ପଦକ୍ଷେପ ଲୋଡ଼ା। ଆର୍ଜେଣ୍ଟିନାର ବ୍ୟୁନୋସ ଆରିଜ୍‌ ଏବଂ ଆମେରିକାର କେତେକ ସହରରେ ଡ୍ରେନ୍‌ରେ ଥିବା ସେନ୍‌ସର ଯେଭଳି ଡ୍ରେନ୍‌ର ସ୍ଥିତି ସମ୍ପର୍କରେ ଅବଗତ କରିପାରୁଛି ଠିକ୍‌ ସେହିଭଳି ପଦକ୍ଷେପ କିଛିଟା ବିପଦ ଟାଳି ପାରିବ। ଏହା ସତ୍ୟ ଯେ, ସହଜ ବୈଷୟିକ ଜ୍ଞାନ ବ୍ୟବହାର କରି ଭୁବନେଶ୍ୱର ଏବଂ ବେଙ୍ଗାଲୁରୁ ଭଳି ସହରରେ ବର୍ଷାଜନିତ ଅସ୍ବାଭାବିକ ସ୍ଥିତିରୁ ଜନସାଧାରଣ ବଞ୍ଚିପାରିବେ। କିନ୍ତୁ ସେଥିପାଇଁ ସରକାରୀ ଉଦ୍ୟମ ଲୋଡ଼ା ହେବା ସହିତ ଲୋକଙ୍କ ସହଯୋଗ ମଧ୍ୟ ଆବଶ୍ୟକ। ଏଥିସହିତ ଏକ ବୃହତ୍‌ ଦୃଷ୍ଟିକୋଣରୁ ଦେଖିଲେ ଜଳବାୟୁ ପରିବର୍ତ୍ତନ ପାଇଁ ସମସ୍ତେ ଖୁବ୍‌ ଶୀଘ୍ର ସଚେତନ ହେବାକୁ ବାଧ୍ୟ। ଏହି ସମସ୍ୟାକୁ ଅଣଦେଖା କରିବା କିମ୍ବା ଅଚିହ୍ନା ବାରିଲେ କ୍ଷତି ଆମର ବ୍ୟକ୍ତିଗତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri