ପୀଡ଼ିତଙ୍କ ପାଇଁ ନୁହଁ

ଆଭ୍ୟନ୍ତରୀଣ ନିରାପତ୍ତାକୁ ସୁଦୃଢ଼ କରିବା ସହିତ ଗରିବ ଓ ଅସହାୟ ନାଗରିକଙ୍କୁ ସୁରକ୍ଷା ଦେବା ଭାରତୀୟ ପୋଲିସର ପ୍ରମୁଖ କାର୍ଯ୍ୟ। ସେମାନେ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିବା ସକାଶେ ପ୍ରଶିକ୍ଷିତ ହେବା ଦରକାର। ହେଲେ ସେମାନଙ୍କୁ ଏକ ଭିନ୍ନ ରାସ୍ତା ଦେଖାଇବାର ପ୍ରୟାସ ଆରମ୍ଭ ହେଲାଣି। ନିକଟରେ ହାଇଦ୍ରାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀରେ ୭୩ତମ ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଅଫିସରଙ୍କ ପାସିଂ ଆଉଟ୍‌ ପରେଡ୍‌ରେ ଉଦ୍‌ବୋଧନ ଦେଇ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ଦେଇଥିବା ମନ୍ତବ୍ୟ ଆଲୋଚନାର ବିଷୟ ପାଲଟିଛି। ସେ ପୋଲିସ ଅଫିସରମାନଙ୍କୁ ପରାମର୍ଶ ଦେଲାବେଳେ ସିଭିଲ୍‌ ସୋସାଇଟି ବା ଭଦ୍ର ସମାଜକୁ ଅତି ନୂ୍ୟନ କରି ଦେଖାଇଛନ୍ତି। ଦେଶ ପାଇଁ ଏହି ସମାଜ କିଭଳି ବାସ୍ତବ ବିପଦ ଭାବେ ଉଭା ହୋଇଛି, ଡୋଭାଲ ତାହା ନୂତନ ଭାବେ ନିଯୁକ୍ତ ପୋଲିସ ଅଫିସରମାନଙ୍କୁ କହିଛନ୍ତି। ଗୋଟିଏପଟେ ସେ ରାଷ୍ଟ୍ରର ସୁରକ୍ଷା କଥା କହୁଥିବା ବେଳେ ଅନ୍ୟପଟେ ଦେଶ ଭିତରେ ଥିବା ସଭ୍ୟ ସମାଜକୁ ସନ୍ଦେହ ଚକ୍ଷୁରେ ଦେଖୁଥିବାରୁ ତାହା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦୁର୍ବଳ କଲାଭଳି ମନେହେଉଛି। ଏନ୍‌ଏସ୍‌ଏ ଭଳି ପଦବୀରେ ଅବସ୍ଥାପିତ ବ୍ୟକ୍ତି ଯୁବ ପୋଲିସ ଅଫିସରଙ୍କୁ ନିଜ କାର୍ଯ୍ୟରେ ଦକ୍ଷତା ପ୍ରମାଣ କରିବା ଦିଗରେ ଉତ୍ସାହିତ କରିବା ଉଚିତ। ଭାରତରେ ଅନେକ ଥର ପୋଲିସ ସଂସ୍କାର ବିଷୟରେ ଆଲୋଚନା କରାଯିବା ସମୟରେ କେବଳ ଆଧୁନିକ ଅସ୍ତ୍ରଶସ୍ତ୍ର, ଗାଡ଼ି ଏବଂ ପୋଲିସ କର୍ମଚାରୀଙ୍କ ଆନୁଷଙ୍ଗିକ ସୁବିଧାସୁଯୋଗକୁ ଗୁରୁତ୍ୱ ଦିଆଯାଉଛି। ଏଗୁଡ଼ିକ ନିଶ୍ଚିତ ଭାବେ ବିରାଟ ସମସ୍ୟା। କିନ୍ତୁ ତା’ଠାରୁ କାହିଁ ଅଧିକ ବଡ଼ ସମସ୍ୟା ହେଉଛି ପୋଲିସ ଅଫିସର ଓ କର୍ମଚାରୀଙ୍କ ସାମାଜିକ ଆଭିମୁଖ୍ୟ।
ଡୋଭାଲଙ୍କ ମନ୍ତବ୍ୟକୁ ତର୍ଜମା କରାଗଲେ ସେ ପୋଲିସ ଅଧିକାରୀମାନଙ୍କୁ ଅନ୍ଧ ଦେଶଭକ୍ତି ଆଡ଼କୁ ନେଇଯାଉଥିବା ଭଳି ମନେହେଉଛି। ସେ କହିଛନ୍ତି ଯେ, ପୋଲିସ ହେଉଛି କେବଳ ଭାରତ ପାଇଁ ଓ ଭାରତ ହେଉଛି ପୋଲିସର। ଅନ୍ୟସବୁ ପରିଚୟ ଭାରତୀୟତା ଭିତରେ ବୁଡ଼ିଯାଉଛି। ଦେଖିବାକୁ ଗଲେ ପୋଲିସ ଏକ ବ୍ୟବସ୍ଥା, ଯାହା ଆଇନଶୃଙ୍ଖଳା ରକ୍ଷା ଦିଗରେ କାର୍ଯ୍ୟ କରେ। ଏହାଦ୍ୱାରା ବିଶୃଙ୍ଖଳିତ ଲୋକଙ୍କୁ ଏକ ବ୍ୟବସ୍ଥିତ ସଭ୍ୟ ସମାଜ ମିଳିଥାଏ। ଏବେ ସେହି ବ୍ୟବସ୍ଥିତ ସଭ୍ୟସମାଜଠାରୁ ବିପଦ ସୃଷ୍ଟି ହେଉଛି ବୋଲି ଡୋଭାଲ କହୁଛନ୍ତି। ବୁଝିବା ଦରକାର ଯେ ସଭ୍ୟ ସମାଜ କେବଳ କେତେକ ସାମାଜିକ କର୍ମୀ, ବେସରକାରୀ ସଂସ୍ଥା ଓ ସ୍ବେଚ୍ଛାସେବୀ ସଙ୍ଗଠନ ଭିତରେ ସୀମିତ ନୁହେଁ। ଏହାର ସଂଜ୍ଞା ବ୍ୟାପକ। ପ୍ରତ୍ୟେକ ଶିକ୍ଷିତ ସଚେତନ ନାଗରିକ ସଭ୍ୟ ସମାଜର ସଦସ୍ୟ। ଶିକ୍ଷକ, ଡାକ୍ତର, ଇଞ୍ଜିନିୟର, ଓକିଲଙ୍କ ସମେତ ଗଣମାଧ୍ୟମ ଏବଂ ବ୍ୟବସାୟିକ ଓ ଅଣବ୍ୟବସାୟିକ ସଂସ୍ଥାଗୁଡ଼ିକ ସିଭିଲ ସୋସାଇଟିର ଅଂଶ ହୋଇଥିବାରୁ ବଞ୍ଚି ରହିପାରୁଛନ୍ତି। ସମ୍ପୂର୍ଣ୍ଣ ଅରାଜକତା ମୁଣ୍ଡ ଟେକିଲେ ପ୍ରଥମେ ଶିକ୍ଷିତ ନାଗରିକର ସ୍ବାଧୀନତା ସହିତ ଜୀବନ ମଧ୍ୟ ବିପଦରେ ପଡ଼ିଥାଏ। ସେହି ସ୍ଥିତି ସୃଷ୍ଟି କରାଇ ନ ଦେବା ପାଇଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପୋଲିସ ଏବଂ କଚେରିର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଆଧୁନିକ ସମାଜର ମୌଳିକ ପ୍ରତୀକ। ଯେଉଁ ସମାଜରେ ପୋଲିସ ଓ ନ୍ୟାୟ ବ୍ୟବସ୍ଥା କାର୍ଯ୍ୟ ନ କରେ ସେଠାରେ ଅରାଜକତା ସୃଷ୍ଟି ହୁଏ। ସେଥିପାଇଁ ପୋଲିସର ନିରପେକ୍ଷତା ଓ ପୀଡ଼ିତଙ୍କ ପ୍ରତି ସହାନୁଭୂତି ରହିବା ନିତାନ୍ତ ଆବଶ୍ୟକ। ପୋଲିସ ଯଦି ଦେଶପ୍ରେମ ନାମରେ ବାଛବିଚାର ଆରମ୍ଭ କରେ ଏବଂ ନିଜର କର୍ତ୍ତବ୍ୟ ଦ୍ୱାରା ଅରାଜକତାକୁ ମୁଣ୍ଡ ଟେକିବାକୁ ଦିଏ, ତେବେ ସଭ୍ୟସମାଜ ପ୍ରତି ଘୋର ବିପଦ ଘନେଇ ଆସିବ।
୫୨ ବର୍ଷ ତଳେ ପୋଲିସ ଏକାଡେମୀରେ ପ୍ରଶିକ୍ଷଣ ନେଇଥିବା ଡୋଭାଲଙ୍କ ଭଳି ଜଣେ ବରିଷ୍ଠ ପଦାଧିକାରୀ ପୋଲିସ ଅଫିସରମାନଙ୍କୁ ଏହିଭଳି ଭାବେ ଉପଦେଶ ଦେବା ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି କେତେ ଚିନ୍ତିତ ଅଛନ୍ତି ବୁଝାପଡ଼ିଯାଉଛି। ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଆଇନକୁ କିଣି ନେବାରେ କିପରି ସଫଳ ହୋଇଛନ୍ତି ତାହା କିଛି ବର୍ଷ ହେବ ଦେଖାଯାଉଛି । ଭାରତର ସାଧାରଣ ନାଗରିକଙ୍କ ମନରେ ପୋଲିସ ପାଇଁ ସମର୍ଥନ ପରିବର୍ତ୍ତେ ଭୟ ଓ ଘୃଣା ରହିଛି। ଏ ଦେଶରେ ଆଜି ମଧ୍ୟ ପୋଲିସର ଔପନିବେଶିକ ମାନସିକତା ସବୁ କାର୍ଯ୍ୟରେ ଦେଖାଯାଉଛି। ନାମରେ ଭାରତୀୟ ପୋଲିସ, କିନ୍ତୁ କାମରେ ଏହି ବଳ ସାଧାରଣ ଲୋକଙ୍କୁ ଦମନ ସହିତ ହଇରାଣ କରିଥାଏ। ବିଶେଷକରି ଗରିବ ଓ ଅସହାୟ ପୀଡ଼ିତଙ୍କ ପ୍ରତି ପୋଲିସ କଦାପି ତତ୍ପରତା ଦେଖାଉନାହିଁ।
ଭାତହାଣ୍ଡିରୁ ଗୋଟିଏ ଚିପିଲା ଭଳି ଉତ୍ତରପ୍ରଦେଶକୁ ନିଆଯାଇପାରେ। ସେଠାରେ ଦଳିତ ମହିଳାଙ୍କ ଉପରେ ଅତ୍ୟାଚାରଠାରୁ ଆରମ୍ଭକରି ସେହି ରାଜ୍ୟର ଲଖିମ୍‌ପୁର ଖେରି ଅଞ୍ଚଳରେ ବିକ୍ଷୋଭକାରୀ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯିବା ପରେ ମଧ୍ୟ କାହାରିକୁ ଦୀର୍ଘକାଳ ଯାଏ ଗିରଫ କରା ନ ଯିବା ଘଟଣା ପୋଲିସର ମୂକଦର୍ଶକ ଭୂମିକାକୁ ସମସ୍ତେ ଦେଖିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଶାସକ ଦଳର ନେତାମାନେ ପୋଲିସକୁ ଦଳୀୟ ସ୍ବାର୍ଥରେ ବ୍ୟବହାର କରିଚାଲିଛନ୍ତି। ଯେଉଁମାନେ ସାଧାରଣରେ ପୋଲିସର କାର୍ଯ୍ୟକୁ ନିନ୍ଦା କରୁଛନ୍ତି ସେମାନେ ଅତ୍ୟାଚାରର ଶିକାର ହେଉଛନ୍ତି। ତେବେ ବାକ୍‌ ସ୍ବାଧୀନତା ବଜାୟ ରଖିବା ସହିତ ଅତ୍ୟାଚାରିତ ବର୍ଗଙ୍କ ଉତ୍ଥାନ ପାଇଁ ଯେଉଁ ଭଦ୍ର ସମାଜ ଉଦ୍ୟମ କରିଚାଲିଛନ୍ତି, ତା’ର ସଦସ୍ୟମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ କରାଯାଉଛି। ତେବେ ଯେତେବେଳେ ସିଭିଲ ସୋସାଇଟିର ପଲା ଭାରି ପଡ଼ୁଛି, ସେତେବେଳେ ସରକାର ଅଡ଼ୁଆରେ ପଡ଼ିଯାଉଛନ୍ତି। ଏହାଦ୍ୱାରା ଶାସକ ବର୍ଗ ଅନେକାଂଶରେ ନିନ୍ଦିତ ହେଉଥିବାରୁ ଭଦ୍ର ସମାଜ ଦେଶ ପାଇଁ ବିପଦ ବୋଲି ଡୋଭାଲ ପୋଲିସ ମହଲରେ ଧାରଣା ସୃଷ୍ଟି କରୁଛନ୍ତି।
ଆଜିର ସ୍ଥିତି ଦେଖିଲେ ପୋଲିସ ଅନାବଶ୍ୟକ ସ୍ଥଳେ ବଳ ପ୍ରୟୋଗ କଲେ ତାହା ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଦରକାର ଥିଲା ବୋଲି କୁହାଯାଉଛି। କିନ୍ତୁ ଭଦ୍ର ସମାଜ ସରକାରୀ ବ୍ୟବସ୍ଥାରେ ଦେଖାଦେଉଥିବା ତ୍ରୁଟିକୁ ଦର୍ଶାଇଲେ ତାହାକୁ ଶତ୍ରୁ ଭାବେ ବିବେଚନା କରାଯାଉଛି। ସିଭିଲ୍‌ ସୋସାଇଟି ଦେଶର ସ୍ବାର୍ଥରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ବୋଲି କୁହାଯାଇ ମନ୍ତ୍ରଣା ଦିଆଯାଉଥିବାରୁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଅଧିକ ବିପଦ ଦେଖାଦେଉଛି। ଯେତେବେଳେ ବ୍ୟବସ୍ଥା ଓ ପୋଲିସ ଦେଶର ନାଗରିକଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବ, ସେତେବେଳେ ବାସ୍ତବ ଶତ୍ରୁଙ୍କ ପ୍ରତି ଅନ୍ଧ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri