ଦିଗପହଣ୍ଡ,୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଅଧୀନସ୍ଥ ୨୫ ଟି ପଞ୍ଚାୟତରେ ଦେଖାଦେଇଛି ଭତ୍ତା ସମସ୍ୟା। ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୭ ହଜାରରୁ ଊଦ୍ଧର୍ବ ଦିବ୍ୟାଙ୍ଗ, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀଙ୍କୁ ଗତ ୩ ମାସ ହେଲା ଭତ୍ତା ଟଙ୍କା ମିଳିନାହିଁ। ଏହାର ପ୍ରତିବାଦରେ ମଙ୍ଗଳବାର ଦିନ ଗଞ୍ଜାମ ଜିଲା ସରପଞ୍ଚ ସଂଘର ସଭାପତି ତଥା କଇଠଖଣ୍ଡି ପଞ୍ଚାୟତର ସରପଞ୍ଚ ମନୋରଞ୍ଜନ ଗୌଡ଼ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି।
ବ୍ଲକର ପ୍ରାୟ ୭,୧୩୫ ଜଣ ହିତାଧିକାରୀ ଭତ୍ତା ଟଙ୍କା ପାଇଁ ନିଜ ନିଜ ପଞ୍ଚାୟତ କିମ୍ବା ଦୂରଦୂରାନ୍ତରେ ଥିବା ବ୍ୟାଙ୍କ ଶାଖାଗୁଡ଼ିକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି। ଗତ ୩ ମାସ ହେଲା ବ୍ୟାଙ୍କ ଖାତାରେ ଟଙ୍କା ଜମା ହେଉ ନାହିଁ। ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗମାନେ ଅଟୋ କିମ୍ବା ବସ ଯୋଗେ ବ୍ଳକ, ପଞ୍ଚାୟତ ଓ ବ୍ୟାଙ୍କ କାର୍ଯ୍ୟାଳୟକୁ ଯାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଳକ ପ୍ରଶାସନ, ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧିମାନେ ଏ ନେଇ କୌଣସି ସଠିକ ସୂଚନା ଦେଉ ନ ଥିବା ଅଭିଯୋଗ ହୋଇଛି।
ସରପଞ୍ଚ ମନୋରଞ୍ଜନ ଗୌଡ଼ଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, “କଇଠଖଣ୍ଡି ପଞ୍ଚାୟତର ୪୭୬ ଜଣ ହିତାଧିକାରୀ ଭତ୍ତା ନ ପାଇ ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରିବା ପରେ ମୁଁ ବାଧ୍ୟ ହୋଇ ଧାରଣାରେ ବସିଛି। ପ୍ରଶାସନ ଯଦି ଶୀଘ୍ର ପଦକ୍ଷେପ ନ ନିଏ, ତେବେ ଏହି ଆନ୍ଦୋଳନ ଜାରି ରହିବ।” ସେ ବ୍ଲକର ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଭତ୍ତାରୁ ବଞ୍ଚିତ ହିତାଧିକାରୀଙ୍କୁ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।
ଏହି ସମସ୍ୟା ବାବଦରେ ବ୍ଲକର ଅତିରିକ୍ତ ବିଡିଓ ଉମେଶ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, “ଏହା ସମଗ୍ର ରାଜ୍ୟର ସମସ୍ୟା। କିଛି ବୈଷୟିକ ତୃଟି ଯୋଗୁ କେନ୍ଦ୍ରୀୟ ପାଣ୍ଠି ଉଠାଣରେ ଅସୁବିଧା ସୃଷ୍ଟି ହୋଇଛି। ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଯିବ।”
ସେହିଭଳି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଶ୍ମି ପ୍ରକାଶନୀ ଜାନି କହିଛନ୍ତି ଯେ, “ବ୍ଲକ ଅଧୀନର ସମୁଦାୟ ୭,୧୩୫ ହିତାଧିକାରୀଙ୍କୁ ସିଧାସଳଖ ଅନଲାଇନ ଜରିଆରେ ବ୍ୟାଙ୍କ ଜମାଖାତାକୁ ପ୍ରତି ମାସରେ ଭତ୍ତା ପଠାଯାଏ। ବର୍ତ୍ତମାନର ସମସ୍ୟା ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି।”
ଏଭଳିସ୍ଥିତିରେ ପ୍ରଶାସନ କେତେ ଶୀଘ୍ର ଏହି ବୈଷୟିକ ତ୍ରୁଟି ସଧାରି ଗରିବ ଓ ଅସହାୟ ହିତାଧିକାରୀଙ୍କ ଖାତାକୁ ଭତ୍ତା ଟଙ୍କା ପଠାଉଛି ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଛି।
Dharitri – Odisha’s No.1 Odia Daily