କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ ଗବେଷକ ଡେମିସ୍‌ ହାସାବିସ୍‌ ଓ ଆମେରିକୀୟ ଗବେଷକ ଜନ୍‌ ଜମ୍ପର ବହୁରାଷ୍ଟ୍ରୀୟ କମ୍ପାନୀ ‘ଗୁଗଲ୍‌’ର ଏକ ସଂସ୍ଥାନ ‘ଡିପ୍‌ ମାଇଣ୍ଡ’ରେ କାର୍ଯ୍ୟରତ। ହାସାବିସ୍‌ ଓ ଜନ୍‌ ଜମ୍ପର ପିଏଚ୍‌.ଡି. ଡିଗ୍ରୀ ଲାଭ ପରେ ଅଧ୍ୟାପକ ଭାବେ ବା ପାରମ୍ପରିକ ଗବେଷଣାଗାରରେ ଚାକିରି ନ କରି ବହୁରାଷ୍ଟ୍ରୀୟ କମ୍ପାନୀରେ ମୋଟା ଅଙ୍କର ଦରମାରେ ଯୋଗଦିଅନ୍ତି।

ବିଦେଶର ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ନିଜର ଗବେଷଣା ବ୍ୟବସ୍ଥା ଥାଏ। ହାସାବିସ୍‌ ଓ ଜମ୍ପର ‘ଗୁଗଲ୍‌’ କମ୍ପାନୀର ଡିପ୍‌ ମାଇଣ୍ଡରେ ବୈଜ୍ଞାନିକ ଭାବେ କାମ କରି ‘ଆଲ୍‌ଫା ଫୋଲ୍‌ଡ’ ନାମକ କୃତ୍ରିମ ବୁଦ୍ଧିମତ୍ତା ମଡେଲ ବିକଶିତ କରିଛନ୍ତି, ଯାହା ପୁଷ୍ଟିସାରର ସଂରଚନା ଆକଳନ ପାଇଁ ସକ୍ଷମ। ଆମେ ଜାଣୁ ପୁଷ୍ଟିସାର ଜୀବଜନ୍ତୁମାନଙ୍କ ମାଂସପେଶୀ, ଶିଙ୍ଗ, ପର, ହରମୋନ୍‌, ଜୈବତ୍ୱରକ ଗଠନର ମୌଳିକ ଉପାଦାନ। ହାସାବିସ୍‌ ଓ ଜମ୍ପର ପୁଷ୍ଟିସାର ଅଣୁର ସଂରଚନା ଆକଳନ ପାଇଁ ଉଦ୍ଦିଷ୍ଟ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.) ମଡେଲ୍‌ ବିକଶିତ କରିଥିବା ଯୋଗୁ ଓ ପ୍ରାଧ୍ୟାପକ ବେକର, ମଡେଲିଂ ଦ୍ୱାରା ଆକଳନ କରାଯାଇଥିବା ନୂଆ ପୁଷ୍ଟିସାର ସବୁ ମଧ୍ୟରୁ ଅନେକ ବିରଳ ପୁଷ୍ଟିସାର ଅଣୁ ସଂଶ୍ଳେଷିତ କରିବାରେ କୃତକାର୍ଯ୍ୟ ହୋଇଥିବା କାରଣରୁ ୨୦୨୪ ସାଲରେ ରସାୟନ ବିଜ୍ଞାନ ପାଇଁ ନୋବେଲ୍‌ ପୁରସ୍କାର ଲାଭ କରିବେ ବୋଲି ସ୍ବିଡେନ୍‌ସ୍ଥିତ ନୋବେଲ୍‌ ସମିତି ଘୋଷଣା କରିଛି।

ଆମେ ଜାଣୁ ପ୍ରକୃତିରେ କୋଡ଼ିଏଟି ଆମିନୋ ଏସିଡ୍‌ ଦୃଶ୍ୟମାନ ହୁଏ। ଏଇ ଆମିନୋ ଏସିଡ୍‌ଗୁଡ଼ିକ ‘ପେପ୍‌ଟାଇଡ୍‌’ ନାମକ ରାସାୟନିକ ବନ୍ଧ ଦ୍ୱାରା ପରସ୍ପର ସହିତ ସଂଯୁକ୍ତ ହୋଇ ପୁଷ୍ଟିସାର ଅଣୁ ସଂଶ୍ଳେଷିତ କରନ୍ତି। ଗୋଟିଏ ଆମିନୋ ଏସିଡ୍‌ର ଅଙ୍କାରକ ଅଣୁ ଓ ଆଉ ଗୋଟିଏ ଆମିନୋ ଏସିଡ୍‌ର ଯବକ୍ଷାରଜାନ ଅଣୁ ପରସ୍ପର ସହ ସହସଂଯୋଜ୍ୟ ବନ୍ଧ ଦ୍ୱାରା ଯୋଡ଼ି ହେଲେ ଏଇ ରାସାୟନିକ ବନ୍ଧକୁ ‘ପେପ୍‌ଟାଇଡ୍‌’ ବନ୍ଧ କୁହାଯାଏ। କାର୍ବୋକ୍ସିଲିକ୍‌ ଅମ୍ଳ ଓ ଆଲ୍‌କୋହଲ, ଅମ୍ଳ ଉତ୍‌ପ୍ରେରକର ଉପସ୍ଥିତିରେ ଇଷ୍ଟର ଅଣୁକୁ ରୂପାନ୍ତରିତ ହୁଅନ୍ତି ବୋଲି ଯୁଗାନ୍ତକାରୀ ଆବିଷ୍କାର କରିଥିବାରୁ ୧୯୦୨ ସାଲରେ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାରରେ ସମ୍ମାନିତ ହୋଇଥିବା ଜର୍ମାନ ରସାୟନବିତ୍‌ ହରମାନ୍‌ ଏମିଲ୍‌ ଲୁଇ ଫିସର, ପୁଷ୍ଟିସାର ଅଣୁ ‘ପେପ୍‌ଟାଇଡ୍‌’ ବନ୍ଧ ଦ୍ୱାରା ଯୋଡ଼ି ହୋଇ ଗଠିତ ହୋଇଛି ବୋଲି ଆବିଷ୍କାର କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ରସାୟନବିତ୍‌ ଖ୍ରୀଷ୍ଟିଆନ୍‌ ଆଫିନ୍‌ସେନ୍‌, ଆମିନୋଏସିଡ୍‌ଗୁଡ଼ିକ ପରସ୍ପର ସହ ପେପ୍‌ଟାଇଡ୍‌ ବନ୍ଧଦ୍ୱାରା ସଂଯୁକ୍ତ ହୋଇ ଜୈବତ୍ୱରକ (ଏନ୍‌ଜାଇମ୍‌) ସୃଷ୍ଟି କରନ୍ତି ବୋଲି ଆବିଷ୍କାର କରି ୧୯୭୨ ସାଲରେ ନୋବେଲ୍‌ ପୁରସ୍କାର ଲାଭ କରିଥିଲେ।

ପୁଷ୍ଟିସାର ଅଣୁର ସଂରଚନା ତ୍ରିବିମୀୟ ବୋଲି ୧୯୬୨ ସାଲରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ରସାୟନବିତ୍‌ ମାକ୍ସ ଫଡିନାଣ୍ଡ ପେରୁଜ୍‌ ଓ କାଓଡରି କେନ୍ଦ୍ରେଉ ପ୍ରଥମେ କହିଥିଲେ। ଆମିନୋ ଏସିଡ୍‌ର ଅନୁକ୍ରମ ବହୁବିଧ। ତେଣୁ ପୁଷ୍ଟିସାର ଅଣୁର ବହୁଳତା ଓ ବିବିଧତା ଅପର୍ଯ୍ୟାପ୍ତ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏଇ ୨୦ଟି ଆମିନୋଏସିଡ୍‌ର ଭିନ୍ନ ଭିନ୍ନ ଅନୁକ୍ରମ ପ୍ରାୟ ୨୦ କୋଟି ପ୍ରକାରର ପୁଷ୍ଟିସାର ଅଣୁଗଠନ ପାଇଁ ସକ୍ଷମ ବୋଲି ବୈଜ୍ଞାନିକମାନେ ଜାଣିସାରିଲେଣି।

ଡେମିସ୍‌ ହାସାବିସ୍‌ଙ୍କ ନେତୃତ୍ୱରେ ୨୦୧୮ରେ ଗୁଗଲ୍‌ କମ୍ପାନୀ ‘ଡିପ୍‌ମାଇଣ୍ଡ’ ନାମକ ଛାମୁଆ କମ୍ପାନୀ ପ୍ରତିଷ୍ଠା କରି କୃତ୍ରିମ ବୁଦ୍ଧିମତ୍ତା ବିଷୟକ ଗବେଷଣା କରିବା ପାଇଁ ଏହାକୁ ପ୍ରୋତ୍ସାହିତ କଲା। ଡିପ୍‌ମାଇଣ୍ଡ୍‌ ଟିମ୍‌ କମ୍ପ୍ୟୁଟର ପ୍ରୋଗ୍ରାମ ବଳରେ କୃତ୍ରିମ ସ୍ନାୟବିକ ଜାଲି ପ୍ରସ୍ତୁତ କଲେ କୃତ୍ରିମ ବୁଦ୍ଧିମତ୍ତାର ସଫଳ ପ୍ରୟୋଗରେ। ଏହାର ନାଁ ଦିଆଗଲା ‘ଆଲ୍‌ଫା ଫୋଲ୍‌ଡ’।

ଏଇ ‘ଆଲ୍‌ଫା ଫୋଲ୍‌ଡ’ ମଡେଲ୍‌ ଦ୍ୱାରା ଆମିନୋଏସିଡ୍‌ର ବିଭିନ୍ନ ଅନୁକ୍ରମ ଆଧାରରେ ସମ୍ଭାବ୍ୟ ପୁଷ୍ଟିସାର ଅଣୁର ସଂରଚନା ଆକଳନ କରିହେଉଛି ଓ ବର୍ତ୍ତମାନ ସୁଦ୍ଧା କୋଟି କୋଟି ପୁଷ୍ଟିସାର ଅଣୁର ସଂରଚନା ଆକଳନ କରାଯାଇପାରିଛି। ଏଇ ଯୁଗାନ୍ତକାରୀ ଆବିଷ୍କାର ପାଇଁ ଏ ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିବେ କର୍ପୋରେଟ୍‌ କମ୍ପାନୀର କର୍ମଚାରୀ ଓ ବୈଜ୍ଞାନିକ ଡେମିସ୍‌ ହାସାବିସ୍‌ ଓ ଜନ୍‌ ଜମ୍ପର। ସେମାନଙ୍କ ମଧ୍ୟରେ ପୁରସ୍କାର ରାଶିର ଅର୍ଦ୍ଧେକ ପ୍ରାୟ ସାଢ଼େ ଚାରିକୋଟି ଟଙ୍କାକୁ ସମାନ ଭାବରେ ବାଣ୍ଟିଦେବ ନୋବେଲ୍‌ ଫାଉଣ୍ଡେଶନ୍‌।

ଡେଭିଡ୍‌ ବେକର ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବାବେଳେ ତାଙ୍କ ପଢ଼ା ବିଷୟ ଥିଲା ଦର୍ଶନ ଓ ସାମାଜିକ ବିଜ୍ଞାନ। ଏଇ ସମୟରେ ‘ମୋଲେକୁଲାର ବାୟୋଲୋଜି ଅଫ୍‌ ଦ ସେଲ୍‌’ ନାମକ ପୁସ୍ତକ ସଂସ୍ପର୍ଶରେ ଆସି ତାଙ୍କ ଜୀବନର ଗତିପଥ ବଦଳିଗଲା। ସେ ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରେ ଜୈବ ରସାୟନ ବିଜ୍ଞାନ ବିଷୟରେ ଉଚ୍ଚତର ଗବେଷଣା କଲେ। ପୁଷ୍ଟିସାର ଅଣୁ କିପରି ମୋଡ଼ି ହୋଇ ତ୍ରିବିମୀୟ ସଂରଚନାରେ ପରିଣତ ହୋଇଛି, ଏଇ ସମୟରେ ସେ ତାକୁ ଗବେଷଣା ଗାରରେ ହୃଦୟଙ୍ଗମ କଲେ। ପୁଷ୍ଟିସାର ଅଣୁ କେଉଁ ଆମିନୋଏସିଡ୍‌ ଅନୁକ୍ରମରେ ଗଠିତ, ତାହା ଆକଳନ କରିବା ତାଙ୍କ ଗବେଷଣାର ଲକ୍ଷ୍ୟ ହେଲା।

ଡି ନୋଭା ନାମକ ପୁଷ୍ଟିସାର ଅଣୁ ସଂରଚନା ଆକଳନକାରୀ କମ୍ପ୍ୟୁଟର ମଡେଲ ଦ୍ୱାରା ଡେଭିଡ୍‌ ବେକର ଓ ତାଙ୍କ ଟିମ୍‌ ଟପ୍‌ ସେଭେନ୍‌ ନାମକ ପୁଷ୍ଟିସାର ଅଣୁ ଗବେଷଣାଗାରରେ ସଂଶ୍ଳେଷିତ କରିଛନ୍ତି ବୋଲି ୨୦୦୩ରେ ପ୍ରକାଶିତ ଗବେଷଣାତ୍ମକ ନିବନ୍ଧରୁ ଜଣାପଡ଼ିଲା। ବିରଳ ପୁଷ୍ଟିସାର ନିର୍ମାତା ଭାବେ ଡେଭିଡ୍‌ ବେକରଙ୍କ ଖ୍ୟାତି ଦିଗବିଦିଗ ଖେଳିଗଲା। ବେକରଙ୍କ କୌଶଳ ବ୍ୟବହାର ପୂର୍ବକ ଅନେକ ନୂଆ ପୁଷ୍ଟିସାର ଅଣୁ ଗବେଷଣାଗାରରେ ସଂଶ୍ଳେଷିତ ହୋଇପାରିଛି ଓ କୃତ୍ରିମ ଉପାୟରେ ପୁଷ୍ଟିସାର ଅଣୁ ସଂଶ୍ଳେଷିତ କରିବା ପଦ୍ଧତି ଡି’ନୋଭା ଡିଜାଇନ୍‌ ନାମରେ ଲୋକପ୍ରିୟ। ବେକରଙ୍କ ପଦ୍ଧତିରେ ସୃଷ୍ଟ ପୁଷ୍ଟିସାର ଅଣୁଗୁଡ଼ିକୁ ନେଇ ସୂକ୍ଷ୍ମ ସେନ୍‌ସର, ଇନ୍‌ଫ୍ଲୁଏଞ୍ଜା ଟିକା, ଆଣବିକ ରୋଟର, ଜୈବ ନାନୋ ପଦାର୍ଥ ପ୍ରଭୃତି ଗଢ଼ା ଯାଇପାରିଛି।

କରୋନା ଟିକା ପ୍ରସ୍ତୁତିରେ ମଧ୍ୟ ବେକରଙ୍କ ପଦ୍ଧତି ଉପାଦେୟ ସାବ୍ୟସ୍ତ ହୋଇଛି। କୃତ୍ରିମ ପୁଷ୍ଟିସାର ଅଣୁ ଗଠନ କରିବାରେ ସକ୍ଷମ ହୋଇ ଡେଭିଡ୍‌ ବେକର ଔଷଧ ବିଜ୍ଞାନଠାରୁ ଆରମ୍ଭକରି ପଦାର୍ଥ ବିଜ୍ଞାନ ପର୍ଯ୍ୟନ୍ତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ କ୍ଷେତ୍ରରେ ଅଭିନବ ପ୍ରୟୋଗ ସବୁକୁ ସଫଳତାର ସୂର୍ଯ୍ୟ ଦେଖାଇଛନ୍ତି। ଆଣ୍ଟିବଡିଠାରୁ ଆରମ୍ଭ କରି ହରମୋନ୍‌, ମାଂସପେଶୀ ଟିସୁଠାରୁ ଆରମ୍ଭ କରି ସ୍ନାୟୁକୋଷସବୁକୁ ଜାତିଜାତିକା ପୁଷ୍ଟିସାରରୁ ଗଠିତ ହୋଇଥିବା କାରଣରୁ, ଅପେକ୍ଷିତ କୃତ୍ରିମ ପୁଷ୍ଟିସାରଗୁଡ଼ିକୁ ବିଜ୍ଞାନାଗାରରେ ସଂଶ୍ଳେଷିତ କରିପାରିବା ସମ୍ଭବ ହୋଇପାରିଥିବା ଯୁଗାନ୍ତକାରୀ ଆବିଷ୍କାର ନିଶ୍ଚୟ। ତେଣୁ ଏବର୍ଷ ଡେଭିଡ୍‌ ବେକର ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିବା ସଂଗେ ସଂଗେ ପ୍ରାୟ ସାଢ଼େ ଚାରିକୋଟି ଟଙ୍କାର ପୁରସ୍କାର ରାଶି ଲାଭ କରିବେ। ବେକର, ହାସାବିସ୍‌ ଓ ଜମ୍ପର କେବଳ ବୈଜ୍ଞାନିକ ଶବ୍ଦର ସଂଜ୍ଞାକୁ ବଦଳାଇ ନାହାନ୍ତି ବରଂ ବିଜ୍ଞାନକୁ ଏକ ନୂଆ ଦିଗ ଓ ଦିଗନ୍ତ ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇ.ଆଇ.ଟି.), ଯୋଧପୁର
ମୋ: ୬୩୭୦୩୩୫୧୫୦


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri