ଦୁର୍ଗାପୂଜାରେ ହେବକି ବାତ୍ୟା? ବଡ଼ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୨।୧୦(ବନ୍ଦନା ସେଠୀ): ଥାଇଲାଣ୍ଡ ଉପସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଓ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟଜନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ସେହିପରି ସେଭଳି ବଡ଼ ବର୍ଷାଜନିତ ବିପର୍ଯ୍ୟୟର ମଧ୍ୟ ସମ୍ଭାବନା ନାହିଁ। ସମ୍ଭାବ୍ୟ ଲଘୁଚାପ ପାଇଁ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହାପରେ ଆଉ ଏକ ସିଷ୍ଟମ୍‌ ସୃଷ୍ଟି ହେବାକୁ ଥିବାରୁ ପୁଣି ୧୬ରୁ ୧୮ ମଧ୍ୟରେ ଓଡ଼ିଶାର ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଡ. ସାହୁ ସୂଚନା ଦେଇଛନ୍ତି। ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଓ ଉତ୍ତର-ପୂର୍ବ ମୌସୁମୀର ସକ୍ରିୟତା ମଧ୍ୟରେ ଏକ ନୂଆ ପାଣିପାଗ ପ୍ରଣାଳୀ ସୃଷ୍ଟି ହେବାକୁ ଯାଉଛି।

ସାମୁଦ୍ରିକ ଓ ବାୟୁ ମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଧ୍ୟରେ ସୀମିତ ରହିପାରେ। ସେହିପରି ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଦିନ କିମ୍ବା ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ନ ଥିବା ସୂଚନା ଦିଆଯାଇଛି। ତେଣୁ ଦୁର୍ଗାପୂଜାରେ ବାତ୍ୟା କିମ୍ବା ବଡ଼ ବର୍ଷା ସମ୍ଭାବନା ନ ଥିବା ସ୍ପଷ୍ଟ ହୋଇଛି।
ରବିବାର ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ରାଜ୍ୟର ୧୧ଟି ସହରର ତାପମାତ୍ରା ୩୪ ଡିଗ୍ରୀ ଓ ତା’ ଉପରକୁ ରେକର୍ଡ ହୋଇଥିଲା। ୩୫.୪ ଡିଗ୍ରୀ ସହିତ ତାଳଚେର ସର୍ବାଧିକ ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେହିପରି ପାରଳାଖେମୁଣ୍ଡିରେ ୩୫.୨ ଡିଗ୍ରୀ, ଢେଙ୍କାନାଳ ୩୪.୮, ପୁରୀ ଓ ମାଲକାନଗିରି ୩୪.୬, ଖୋର୍ଦ୍ଧା ୩୪.୫, ବରଗଡ଼ ୩୪.୨, ଭୁବନେଶ୍ୱର ୩୪.୧, ବଲାଙ୍ଗୀର ଓ ନୟାଗଡ଼ରେ ତାପମାତ୍ରା ୩୪ ଡଗ୍ରୀ ଛୁଇଁଥିଲା।

 

Dharitri – Odisha’s No.1 Odia Daily

Share