ନାହିଁ ଆବେଗ ନା ଅଛି ଆକର୍ଷଣ

ଠିକ୍‌ ଧର୍ମାନ୍ତର ଗ୍ରହଣ କରିବା ପରେ ଆହାର, ବେଶଭୂଷା, ଭଜନକୀର୍ତ୍ତନ ଇତ୍ୟାଦି ବଦଳେଇ ଦେଇଥାଏ ବ୍ୟକ୍ତିବିଶେଷ। ଆଜିର ସମସ୍ୟା ଠିକ୍‌ ସେହିଭଳି ଶିକ୍ଷା ସମାପନ ପରେ ପାସୋର ପଡୁଛି ମନରୁ ପଲ୍ଲୀଭୂମି, ଯାହାର ଶାକ ତଣ୍ଡୁଳରେ ପୁଷ୍ଟ ହୋଇଥିଲା ଶରୀର, ଯାହାର ଛାତି ଉପରେ ଥରକୁ ଥର କଚାଡ଼ି ହୋଇ ପଡ଼ି ଚାଲିବା ଶିଖାଇଥିଲା ଶୈଶବର ବିଗତ ଦିନ। ତାହାରି ସହ ସମ୍ପର୍କ ରଜୁ ଧୀରେ ଧୀରେ ଦୁର୍ବଳ ହୋଇ ଛିନ୍ନ ପ୍ରାୟ। ଏହା ଆଜି କୌଣସି ଜଣେ ବ୍ୟକ୍ତିର ସମସ୍ୟା ନୁହେଁ, ସମଗ୍ର ଶିକ୍ଷିତ ସମାଜର ସମସ୍ୟା।
ଶିକ୍ଷାଲାଭ ସମୟରେ ମନରେ ଅନେକ ଆଶା ଥିଲା ଯେ, ମୋ ଜନ୍ମଭୂମି ମୋ ଗାଁ ପାଇଁ ଅନେକ କିଛି କରିବି, କେବଳ ଅପେକ୍ଷା ମୁଁ ରୋଜଗାରକ୍ଷମ ହୋଇଯାଏ, ହେଲେ ଯେତେବେଳେ ରୋଜଗାର କରେ ମୁଁ ସେତେବେଳକୁ ମୋ ବ୍ୟକ୍ତିଗତ ଜୀବନର ଦାୟିତ୍ୱ ବୋଧତା ଓ ଧନ ଅର୍ଜନର ଲୋଭ ଏତେ କଲବଲ କରିପକାଏ ଯେ ମୁଁ ଭାବିପାରେନି ଗାଁ ଭୂଇଁର ଉନ୍ନତି କଥା। ଘଟି ସାରିଥାଏ ମୋର ପୁନର୍ଜନ୍ମ। ମାଳ ମାଳ ଗଛଲତା ଜଙ୍ଗଲିଆ ପରିବେଶ ନଈ ନାଳ ବଦଳରେ ମୁଁ ଦେଖେ ଉଚ୍ଚ ଉଚ୍ଚ ପ୍ରାସାଦ, ପକ୍କା ସଡ଼କ ଆଉ ଅତ୍ୟାଧୁନିକ ଆସବାବପତ୍ର ସହ ମୋ ଆଭିଜାତ୍ୟପୂର୍ଣ୍ଣ ସହରୀ ଜୀବନ।
ଥରେ ଜଣେ ସ୍କୁଲ ପଢ଼ିବା ବେଳର ବନ୍ଧୁଙ୍କ ସହ ଅକସ୍ମାତ ଦେଖାହେଲା, ସେ ପୁଣି ରେଳ ଷ୍ଟେଶନରେ। ବନ୍ଧୁ ଜଣକୁ ଅନେକ ଦିନ ପରେ ପାଇ ପାଖକୁ ଦୌଡ଼ି ଯାଇ ଆଲିଙ୍ଗନ କରି ପକାଇଲି। ଓହୋ! କି ଆତ୍ମଶାନ୍ତି। ମନେପଡିଗଲା ତା’ ସହ ସ୍କୁଲ ପଛପାଖ ବଣରୁ ପତ୍ର ସଂଗ୍ରହ କରି ଠୁଙ୍ଗା ତିଆରି କରିବା କଥା। ବଡ଼ ହେଲେ ୟାକୁ ନେଇ ଢେର୍‌ ପଇସା କମେଇବାର ଯୋଉ ସ୍ବପ୍ନ ଆଉ ମିଛ ଗପ। ଆଖିରୁ ବୋହି ଆସିବା ପୂର୍ବରୁ ଆବେଗ ଗୁଡାକ ଲୁହ ହୋଇ ଅଟକାଇ ଦେଲେ ଅତି ପରିଚିତ ବନ୍ଧୁ ମୋର। ଏତେ ଭଲ ପଢ଼ୁଥିଲୁ ସେଇ ଗାଁରେ ରହି ବେକାର ହୋଇଗଲି ବୋଲି ମନ୍ତବ୍ୟ ଦେଇ ଗୁଞ୍ଜିଦେଲେ ପାଞ୍ଚଶହ ଟଙ୍କିଆ ନୋଟ ଦୁଇଖଣ୍ଡ।
ତାଙ୍କ ଆବେଗ ଓ ମୋ ପ୍ରତି ଥିବା ଭଲପାଇବା ପରିବର୍ତ୍ତିତ ହୋଇଥିଲା ପ୍ରଦର୍ଶିତ ଦୟାରେ।
ସେଦିନ ଅତି ପ୍ରିୟ ବନ୍ଧୁ ପବିତ୍ର ବନ୍ଧୁମିଳନ ଉତ୍ସବରେ ଯୋଗ ଦେବାପାଇଁ ଆସି କାର୍ଯ୍ୟକ୍ରମ ସାରିଦେଇ ଚାଲିଗଲା। ପରିବାର ସହ ଆସିଲୁ ନାହିଁ ପଚାରିବାରୁ କହି ପକାଇଲା ବିନା ଦ୍ବିଧାରେ, ମୋ ପିଲାମାନେ କେଇଘଣ୍ଟା ଏ ଗାଉଁଲି ଜାଗାରେ ଚଳିବା ମୁସ୍କିଲ। ବିଦାରି ହୋଇଗଲା ଛାତି। ତେବେ ପବିତ୍ର ଆଜି ଉଚ୍ଚ ପାହ୍ୟା ଅଫିସର୍‌ କ’ଣ ଏ ଗାଉଁଲି ପରିବେଶରେ ଶିକ୍ଷା ଲାଭ କରି ହୋଇ ନ ଥିଲା? ପ୍ରଶ୍ନଟି ମନରେ ଉଙ୍କି ମାରି ମନ ଭିତରେ ହିଁ ମିଳେଇ ଗଲା।
ପାଶ୍ଚାତ୍ୟ ସଭ୍ୟତା, ପାଶ୍ଚାତ୍ୟ ଶିକ୍ଷା ଆମକୁ ଶିଖେଇ ସାରିଛି ଯେ, ଆଭିଜାତ୍ୟପୂର୍ଣ୍ଣ ଜୀବନ ବିତାଇବାକୁ ହେବ ଆମକୁ। ଯିଏ ଯେତେ ବେଶି ଊର୍ଦ୍ଧ୍ୱମୁଖୀ ହୋଇ ସମୟର ଚବିଶ ଘଣ୍ଟିଆ ବିନିଯୋଗ କରି ଟଙ୍କା ପ୍ରତିପତ୍ତି ସାଉଁଟି ପାରିଲା, ସେ ସେତିକି ଆଗରେ। ଏସବୁ ଠିକ ହେଲେ ଏଥିପାଇଁ ଯେ, ଶୈଶବର ଅଫେରା ଅଭୁଲା ଦିନ ଗ୍ରାମ୍ୟ ପରିବେଶକୁ ଅଣଦେଖା କରିବା ଅନିବାର୍ଯ୍ୟ ଏକଥା ଭାବିବା ସମ୍ପୂର୍ଣ୍ଣ ଭୁଲ୍‌।
ସେଦିନ ପଡ଼ୋଶୀ ବିଶୁ ଦାଦା ନିଜ ସଦ୍ୟାବିଧବା ଝିଅର ଦୁଃଖ ଜଣାଇଥିଲେ ସହରରୁ ଗାଁକୁ କେଇଘଣ୍ଟା ବୁଲିବା ଉଦ୍ଦେଶ୍ୟରେ ଆସିଥିବା ବିଭୁପ୍ରସାଦ ବାବୁଙ୍କୁ।
ଆଶା ଓ ବିଶ୍ବାସ ଥିଲା ଝିଅର ପିଲାଦିନର ସାଙ୍ଗ ବିଭୁପ୍ରସାଦ ବାବୁ ଛୋଟମୋଟ କିଛି ଗୋଟାଏ ବ୍ୟବସ୍ଥା କରିଦେବେ, ହେଲେ ଶୁଣୁଶୁଣୁ କହିପକେଇଲେ ବିଭୁବାବୁ ଯେ, ତାଙ୍କ ବ୍ୟସ୍ତତା ପୂର୍ଣ୍ଣ ଜୀବନରେ କେତେ କାହା ସମସ୍ୟା ବୁଝିବେ ତଥାପି ସେ ଚେଷ୍ଟା କରିବେ। ପ୍ରଥମେ କୋଟିନିଧି ପାଇବା ଭଳି ବିଶୁ ଦାଦା କହି ପକାଇଥିଲେ ”ବାପା ବିଭୁ! ମୋ ବାପା ମୋ ପାଇଁ କିଛି ଗୋଟାଏ ବ୍ୟବସ୍ଥା କରିବ ବୋଲି ମୁଁ ଜାଣିଛି“। ହେଲେ କଥା ଶେଷରେ ଡ. ବିଭୁପ୍ରସାଦଙ୍କୁ ଆଜ୍ଞା ବାବୁ ସମ୍ବୋଧନ କରି ମୁହଁ ଶୁଖାଇ ପଛକୁ ଘୁଞ୍ଚିଗଲେ ବିଶୁଦାଦା। ମୁଁ ବାରି ସାରିଥିଲି ଆପଣାପଣ ବାପା ବିଭୁ ଓ ଡ. ବିଭୁପ୍ରସାଦ ସମ୍ବୋଧନ ଭିତରେ ଥିବା ଫରକକୁ।
ସହରୀ ଧୂଆଁରେ ଅସ୍ପଷ୍ଟ ଜୀବନ ଯାତ୍ରାରେ କେବଳ ଆଭିଜାତ୍ୟ ଓ ଟଙ୍କାର ପ୍ରଲୋଭନ। ଆକର୍ଷଣ କରୁନି ପଲ୍ଲୀଶୋଭା, ଗ୍ରାମୀଣ ଜୀବନ, ପକ୍ବ ଧାନ କିଆରିର ମନକିଣା ବାସ୍ନା କି’ ବାରମାସର ତେର ପର୍ବ। ପାଠ ପଢ଼ିବା ବେଳେ କେବଳ ବାପା ମାଆ କାହିଁକି ପାଖ ପଡ଼ୋଶୀ ସମସ୍ତେ ଉଦାହରଣ ଦେଉଥାନ୍ତି ଆମ ଅମୁକ ବଡ ହେଲେ ବଡ଼ ଚାକିରି କରି ଆମ ଗାଁର ନାଁ ରଖିବ। ନିଶ୍ଚେ ଅନେକ କିଛି ପରିବର୍ତ୍ତନ କରିବ ଆମ ପରିବେଶରେ। ଭାଗ୍ୟ ବଦଳିବ ଆମ ଗାଁର। ହେଲେ ସମୟ ଆସିଲା ବେଳକୁ ସ୍ବପ୍ନ ମରିଯାଏ ଅମୁକ ବାବୁଙ୍କ ପାଦ ଗାଁ ମାଟିରେ ପଡ଼ି ପାରେନି। ଯେଉଁ ଗ୍ରାମବାସୀମାନେ ଦିନେ ସ୍ବପ୍ନ ଦେଖୁଥିଲେ ସେମାନେ ଆଉ ଅମୁକ ବାବୁଙ୍କୁ ଆଖି ପୂରେଇ ଦେଖିବାର ସୌଭାଗ୍ୟ ହରାଇଥାନ୍ତି। ସବୁ ମାୟା ମମତା ବନ୍ଧନ ମଧୁର ସମ୍ପର୍କକୁ ଛିନ୍ନ କରି ସବୁଦିନ ପାଇଁ ଗାଁ ପରିବେଶକୁ ତ୍ୟାଗ କରିଥାନ୍ତି। ସେଇଠି ଭାଙ୍ଗି ଦେଇ ଚାଲିଆସନ୍ତି ବସୁଧୈବ କୁଟୁମ୍ବକମ୍‌ ଭାବନା। ପଛରେ ପକାଇ ଚାଲିଆସନ୍ତି ଏକ ପରିବାରର ପରମ୍ପରା।
ଆମ୍ଭେମାନେ ଅତ୍ୟାଧୁନିକ ଯୁଗର ମାନବ। ସହରୀକରଣ, ବ୍ୟବସାୟ ମନୋବୃତ୍ତି, ଅର୍ଥନୈତିକ ସମୃଦ୍ଧି ନିହାତି ଆବଶ୍ୟକ। ତଥାପି ସମସ୍ତ ବାହାନା ବ୍ୟସ୍ତତାର ପ୍ରବଞ୍ଚନାକୁ ଏଡ଼ାଇ ଦେଇ ଭଲ ଉଚ୍ଚଶିକ୍ଷିତ ଗ୍ରାମବାସୀ ହେବାପାଇଁ ଚେଷ୍ଟାକରିବା। ଭାରତୀୟ ଅର୍ଥନୈତିକ ସମୃଦ୍ଧି ପାଇଁ ପାଶ୍ଚାତ୍ୟ ଶିକ୍ଷାପଦ୍ଧତିକୁ ଆପଣେଇବାକୁ ପଡ଼ିବ। ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ହୋଇ ଜୀବନଧାରଣର ମାନ ବୃଦ୍ଧି ସହ ମହାନୁଭବତାର ପରିଧିକୁ ଗାଁରୁ ସହର ପର୍ଯ୍ୟନ୍ତ ବିସୃତ କରିବା ନିହାତି ଆବଶ୍ୟକ।
ଶିକ୍ଷୟିତ୍ରୀ, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଙ୍କରାନ୍ତିପୁର, ଢେଙ୍କାନାଳ
ମୋ-୮୨୪୯୬୮୬୦୯୩


Enter your email to get our daily news in your inbox.

All Right Reserved By Dharitri.Com

ରାଜନୈତିକ ଅସହିଷ୍ଣୁତା ଓ ପୋଲିସରାଜ୍‌

ଶାସକ ଦଳର ଛତ୍ରଛାୟାରେ ରହିଲେ ପୋଲିସ ଡର ନାହିଁ। ସମ୍ପୃକ୍ତ ପୋଲିସକୁ ଘୁସ୍‌ ଦେବାର ପଇସା ଥିଲେ କୋର୍ଟ କଚେରିକୁ ଡର ନାହିଁ – ଏ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ବି ଗିରିପଥ ଅତିକ୍ରମ କରିପାରେ। ଗଭୀର ଅଧ୍ୟବସାୟ ଓ ଆତ୍ମବିଶ୍ୱାସ ବଳରେ କୌଣସି ବ୍ୟକ୍ତି ନିଶ୍ଚୟ ସଫଳ ହୋଇପାରନ୍ତି। ଉତ୍ତରପ୍ରଦେଶ...

ଏଇ ଭାରତରେ

ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନୀଷା। ୮ ଜଣ ଅସହାୟ ପିଲାଙ୍କର ଯତ୍ନ ନେଉଛନ୍ତି। ସେମାନଙ୍କୁ ପଢ଼ାଉଛନ୍ତି। ମନୀଷା...

ଏଇ ଭାରତରେ

କର୍ନାଟକର ଦିବ୍ୟା ସେଟ୍ଟୀ ଓ ବିଷ୍ଣୁ ବର୍ଦ୍ଧନଙ୍କ ପରବେଶ ଚିନ୍ତା ବେଶ୍‌ ପ୍ରେରଣାଦାୟକ। ପ୍ରତି ମାସରେ ଏହି ଦମ୍ପତି ଅନେକ ଟନ୍‌ ବର୍ଜ୍ୟ ରିସାଇକ୍ଲିଂ କରୁଛନ୍ତି।...

କିଛି ଶିଖିଲୁ ନାହିଁ

ଭାରତରେ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୨ ମାର୍ଚ୍ଚ ୨୦୨୦ରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଘୋଷଣା କରିଥିଲେ। ସେହିଦିନ ପ୍ରଧାନମନ୍ତ୍ରୀ ଇତିହାସ ସୃଷ୍ଟି...

ଏକ ସମାନ୍ତରାଳ ଜିଏସ୍‌ଟି

ଆମ ଦେଶରେ ପ୍ରତ୍ୟେକ ରାଜନୈତିକ ଦଳ ନିର୍ବାଚନ ଦୃଷ୍ଟିକୋଣରୁ କୃଷକମାନଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି। ରାଜନୈତିକ ଦଳ ଏମାନଙ୍କର ବିରୋଧୀ ମଧ୍ୟ ହେବାକୁ ଚାହାନ୍ତିନି। ଏମାନଙ୍କୁ...

ଏଇ ଭାରତରେ

ଲଦାଖର କାର୍‌ଗିଲ ଜିଲା ଅନ୍ତର୍ଗତ କରିଥ ଗାଁର ସରକାରୀ ଉଚ୍ଚପ୍ରାଥମିକ ସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ମହମ୍ମଦ ଅଲୀଙ୍କ ଶିକ୍ଷାପଦ୍ଧତି ଏବେ ଚର୍ଚ୍ଚାରେ। ଅଲୀ ୨୦୧୬ରେ ସ୍କୁଲର...

ଏଇ ଭାରତରେ

ନିଜର ମାର୍କେଟିଂ ରଣନୀତିରେ ଜଣେ କୃଷକ ୩୨ଟି ଦେଶର ଲୋକଙ୍କୁ ଆକର୍ଷିତ କରିବା କିଛି କମ୍‌ କଥା ନୁହେଁ। ତାଙ୍କର ଏଭଳି ମାର୍କେଟିଂ ରଣନୀତିକୁ ସହଜରେ...

Advertisement
Archives

Model This Week