ନିଜର ବୋଲି ନ ଥିବେ କେହି

ରାକେଶ ପଣ୍ଡା

 

ପ୍ରାଚୀନ କାଳରୁ ଲୋକେ ଯୌଥ ପରିବାରରେ ଗୋଟିଏ ଛାତ ତଳେ ରହି ଆସୁଥିଲେ, ଯେଉଁଥିରେ ଜଣେ ଗୁରୁଜନ ପରିବାରର ମୁଖିଆ ହୋଇଥା’ନ୍ତି। ଉକ୍ତ ପରିବାର ଏକ ନୀତି, ନିୟମ ଏବଂ ଆଦର୍ଶ ସହ ଚାଲିଥାଏ। ଏକାଠି ରହିବା ଦ୍ୱାରା ପ୍ରତ୍ୟେକ ସଦସ୍ୟଙ୍କ ମାନସିକ, ଆର୍ଥିକ ଏବଂ ଶାରୀରିକ ସହଯୋଗ ପରସ୍ପର ପ୍ରତି ଅତି ନିବିଡ଼ ଭାବରେ ରହିଥାଏ। ପରିବାରର ପ୍ରତ୍ୟେକ ସଦସ୍ୟ ଘର ଖର୍ଚ୍ଚ ବହନରେ ସହାୟତା କରିଥା’ନ୍ତି ଏବଂ ଜଣଙ୍କ ଉପରେ ଆର୍ଥିକ ଭାର ବା ବୋଝ ପଡ଼ି ନ ଥାଏ। କୌଣସି ଏକ ଅସୁବିଧାକୁ ସମସ୍ତେ ଏକାଠି ହୋଇ ସାମ୍ନା କରନ୍ତି ଏବଂ ମିଳିମିଶି ତା’ର ସମାଧାନର ରାସ୍ତା ବାହାର କରିଥା’ନ୍ତି। ଜଣଙ୍କର ଉପସ୍ଥିତି ଆଉ ଜଣଙ୍କୁ ଏକ ସାହାରା ପରି କାମ ଦେଇଥାଏ। ଗୁରୁଜନମାନଙ୍କଠାରୁ ପିଲାମାନଙ୍କୁ ପ୍ରାଥମିକ ଶିକ୍ଷା ଏବଂ ଉଚିତ୍‌ ସଂସ୍କାର ମଧ୍ୟ ପ୍ରାପ୍ତି ହୁଏ। ସଦସ୍ୟଙ୍କର ବୃଦ୍ଧାବସ୍ଥା ତଥା ଅନ୍ତିମ ସମୟ ଉପଯୁକ୍ତ ସେବା ଶୁଶ୍ରୂଷା, ଶାନ୍ତି ଏବଂ ଖୁସିରେ କଟିଥାଏ।
କିଛି ଦିନ ତଳେ ଜଣେ ବାଲ୍ୟବନ୍ଧୁଙ୍କ ଘରେ ଉପସ୍ଥିତ ଥିବା ସମୟରେ ତାଙ୍କର ଧର୍ମପତ୍ନୀ ରୋଷେଇ ଘର ମଧ୍ୟରୁ ଡାକ ଛାଡିଲେ, ପୁଅକୁ ଟିକେ ନିଅ। ସେ ବହୁତ ହଇରାଣ କରୁଛି। ତାହା ଶୁଣି ବନ୍ଧୁ ଜଣଙ୍କ ସେଠାକୁ ଧାଇଁଗଲେ। ପୁଅକୁ ସାଙ୍ଗରେ ଧରି ଆଣି ଚାପୁଡାଟାଏ ତା’ ଗାଲରେ କଷିଦେଲେ। ସେ ଭେଁ ଭେଁ ହୋଇ କାନ୍ଦିବାରୁ ଉଚ୍ଚ ସରରେ ତାକୁ ଗାଳି କରିବାକୁ ଲାଗିଲେ। ତାହା ଦେଖି ମୁଁ ତାଙ୍କୁ କହିଲି, ଛୋଟ ପିଲାଟାକୁ ଗାଳି କିମ୍ବା ମାଡ଼ ନ ଦେଇ ଭଲରେ ବୁଝେଇ କୁହ। ସେ କହିଲେ, ଓଃ.. ତୁମେ ଜମା ଜାଣିନ ଏ ପିଲା ଏତେ ଦୁଷ୍ଟ ଯେ, ପ୍ରତିଟି ସମୟରେ ମୁଣ୍ଡ ଖରାପ କରିଦେଉଛି। ମୁଁ କହିଲି, ମଉସା, ମାଉସୀଙ୍କୁ ଟିକେ କହୁନ ତାକୁ କିଛି ସମୟ ରଖିବେ। ତାହା ଶୁଣି ବନ୍ଧୁ ଜଣଙ୍କ କହିଲେ, ମୁଁ ଏବେ ଅଲଗା ରହୁଛି। ବାପା ଚାହୁଁଥିଲେ, ମୋ’ ବଡ଼ଭାଇ ଏବଂ ଦାଦା, ଖୁଡ଼ୀଙ୍କ ସହ ମିଶି ଏକାଠି ରହିବାକୁ। ହେଲେ ଏତେ ବଡ଼ ପରିବାରରେ ମୋତେ ଅଣନିଃଶ୍ୱାସ ଲାଗିଲା। ସେଥିପାଇଁ ମୁଁ ଅଲଗା ହୋଇଗଲି। ମୁଁ କହିଲି, ସାମାନ୍ୟ ଗୋଟିଏ ଛୋଟ ପିଲାକୁ ତୁମେ ଆଜି ସମ୍ଭାଳିବାକୁ ଅକ୍ଷମ। ତେବେ ଚିନ୍ତା କର, ପାଞ୍ଚ ଜଣ ଭାଇ ଭଉଣୀଙ୍କୁ ତୁମର ବାପା, ମା’ କେମିତି ଲାଳନପାଳନ କରିଥିବେ? ତାହା କେବଳ ସମ୍ଭବ ହୋଇପାରିଥିଲା ଗୋଟିଏ ଛାତ ତଳେ ଏକାଠି ରହୁଥିବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଅବଦାନ ଯୋଗୁ।
ତେବେ ଆଜିର ଆଧୁନିକ ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜୀବନଶୈଳୀକୁ ନେଇ ଆଗକୁ ବଢ଼ିବାକୁ ଚାହାନ୍ତି। ଅପରପକ୍ଷରେ ପରିବାର ନିମନ୍ତେ ରହିଥିବା ଆର୍ଥିକ, ଶାରୀରିକ ଏବଂ ମାନସିକ ଦାୟିତ୍ୱ ମଧ୍ୟରୁ ନିଜକୁ ଦୂରେଇନେବା ଲାଗି ସେମାନେ ନିଜର ପରିବାର ସଦସ୍ୟ ଏମିତିକି ମାତାପିତାଙ୍କ ସହ ରହିବାକୁ ମଧ୍ୟ କୁଣ୍ଠାବୋଧ କରୁଛନ୍ତି। ବିଶେଷକରି ଆଜିର ଯୁବବର୍ଗ ବ୍ୟକ୍ତିଗତ ସ୍ବାର୍ଥ, ଉନ୍ନତି ଏବଂ ଲାଭକୁ ଦୃଷ୍ଟିରେ ରଖି ତଥା ସେଗୁଡ଼ିକୁ ପ୍ରାଥମିକତା ଦେଇ ନିଜ ପରିବାରଠାରୁ ଦୂରେଇ ଯାଉଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଏହିପରି ଅନେକ ଘଟଣା ନଜରକୁ ଆସେ ଯେ, ସମାଜରେ ବୃଦ୍ଧ ମା’ବାପାମାନେ ନିଜର ପ୍ରତିଷ୍ଠିତ ପୁଅ ଏବଂ ଝିଅମାନଙ୍କ ଦ୍ୱାରା ଅବହେଳିତ ତଥା ବିତାଡ଼ିତ ହୋଇ ବୃଦ୍ଧାଶ୍ରମରେ ସମୟ କାଟୁଛନ୍ତି। ଯଦ୍ଦ୍ବାରା ସାମୟିକ ଖୁସି ପାଇଁ ଆଜିର ଝିଅ ପୁଅମାନେ ଅଜାଣତରେ ଏକ ଖରାପ ଉଦାହରଣ ନିଜର ପିଲା ମାନଙ୍କ ପାଇଁ ମଧ୍ୟ ସୃଷ୍ଟି କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ଉକ୍ତ ଚିନ୍ତାଧାରା ଓ କାର୍ଯ୍ୟକଳାପରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ନ ଆସିଲେ ତାହା ହୁଏତ ଆସନ୍ତା ଦିବସଗୁଡ଼ିକରେ ପରିବାରର ଆଗାମୀ ପିଢ଼ି ନିମନ୍ତେ ଏକ ଖରାପ ଉଦାହରଣ ସାଜିବ। ତାହା ଦ୍ୱାରା ସେମାନେ ନିଜର ଚିନ୍ତାଧାରାକୁ ଧର୍ମପତ୍ନୀ ଓ ଜନ୍ମିତ ଝିଅପୁଅଙ୍କ ନିକଟରେ କେନ୍ଦ୍ରୀଭୂତ କରି ରଖିବେ ଏବଂ ପିତା, ମାତା, ଭାଇ, ଭଉଣୀ ଓ ପରିବାରର ଅନ୍ୟ ସଦସ୍ୟଙ୍କଠାରୁ ଅଲଗା ହୋଇ ରହିବାକୁ ପସନ୍ଦ କରିବେ। ଧୀରେ ଧୀରେ ଗୋଟିଏ ଛାତ ତଳେ ରହିବାର ଯେଉଁ ଖୁସି, ଆନନ୍ଦ, ସହଭାଗିତା, ତ୍ୟାଗ ଓ ସୁରକ୍ଷା ସମୟର ଦିଗ୍‌ବଳୟ ମଧ୍ୟରେ ବିଲୀନ ହୋଇଯିବେ। ଦିନ ଆସିବ, ଜଣେ ବ୍ୟକ୍ତି ନିକଟରେ ନିଜର ବୋଲି ମଣିଷ କେହି ନ ଥିବେ!
ବନ୍ଦାଳୋ, ଟାଙ୍ଗୀ, କଟକ
ମୋ: ୯୩୩୭୮୯୭୬୫୦


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri