ବେଡ୍‌ ନାହିଁ

ଶୈଳେନ୍ଦ୍ର ଦ୍ୱିବେଦୀ

 

ପ୍ରାୟ ଅଢ଼େଇ ବର୍ଷ ତଳେ ଜଣେ ପରିଚିତ ଅଟୋ ଡ୍ରାଇଭର ପ୍ରାବନ୍ଧିକକୁ ଯେତେବେଳେ ଜଣେଇଥିଲେ ଯେ ସେ ଗରିବ, ବି.ପି.ଏଲ. ପରିବାରଭୁକ୍ତ ଏବଂ ସେଥିପାଇଁ ସରକାରଙ୍କ ତରଫରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବୀମା କାର୍ଡ ପାଇଥିଲେ ହେଁ ତାଙ୍କ ବୃଦ୍ଧା ମା’ଙ୍କ କ୍ୟାନ୍‌ସର ଚିକିତ୍ସା ପାଇଁ ରାଜଧାନୀର କୌଣସି ଘରୋଇ ହସ୍ପିଟାଲ ରାଜି ହେଉନାହାନ୍ତି, ସେତେବେଳେ ସ୍ବାଭାବିକ ଭାବରେ କଷ୍ଟ ହୋଇଥିଲା। ବୀମା କାର୍ଡର ଫଟୋ ନେଇ କେତୋଟି ଘରୋଇ ହସ୍ପିଟାଲ (ଯେଉଁମାନେ ସରକାରଙ୍କ ସ୍ବାସ୍ଥ୍ୟ ବୀମା ସହିତ ଅନୁବନ୍ଧିତ ଥିଲେ) ସହିତ ଯୋଗାଯୋଗ କରିବା ପରେ ଜାଣିଲି ଯେ କ୍ୟାନ୍‌ସର ପରି ଦୀର୍ଘ ଏବଂ ବ୍ୟୟବହୁଳ ଚିକିତ୍ସା ପାଇଁ ସେମାନେ ପ୍ରସ୍ତୁତ ନୁହନ୍ତି। ତେବେ ସିଧାସିଧା ଚିକିତ୍ସା ପାଇଁ ମନା ନ କରି ‘ବେଡ୍‌ ନାହିଁ’ ବୋଲି କହୁଛନ୍ତି ସେମାନେ। ଅବଶ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଗୋଟିଏ ଘରୋଇ ହସ୍ପିଟାଲରେ ବୃଦ୍ଧାଙ୍କୁ ଭର୍ତ୍ତି କରାଗଲା, କିନ୍ତୁ ଦୂର ଗାଁଗୁଡ଼ିକରେ ଏମିତି କାର୍ଡ ପାଇଥିବା ଗରିବ ଲୋକେ କେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ସେକଥା ଭାବି ଦୁଃଖ ଲାଗିଲା। ସେତେବେଳେ ‘ସ୍ବାସ୍ଥ୍ୟ ମିତ୍ର’ମାନେ ଅବଶ୍ୟ ନ ଥିଲେ ଏବଂ ଅନୁବନ୍ଧିତ ଘରୋଇ ହସ୍ପିଟାଲଗୁଡ଼ିକର ମୁଖ୍ୟ ଅଭିଯୋଗ ଥିଲା ଯେ ଚିକିତ୍ସା ବାବଦ ଖର୍ଚ୍ଚ ବୀମା କମ୍ପାନୀଙ୍କଠୁ ପାଇବା ପାଇଁ ଦୀର୍ଘ ସମୟ ଲାଗିଯାଉଛି।
ପାଠକେ, ଏହି ପ୍ରବନ୍ଧ ଲେଖିବା ବେଳକୁ ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାରକୁ ସ୍ବାସ୍ଥ୍ୟ ବୀମା କାର୍ଡ ମିଳିଛି। ସ୍ଥିତିରେ ସୁଧାର ଆସିଛି, ତଥାପି ସାଧାରଣ ଲୋକ ପାଇଁ ଆମ ସ୍ବାସ୍ଥ୍ୟ ସେବା ସନ୍ତୋଷଜନକ ହୋଇପାରିନାହିଁ। ୪ ବର୍ଷ ତଳେ ମୁମ୍ବାଇ ସ୍ଥିତ ‘ଇଣ୍ଟରନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଫର୍‌ ପପୁଲେଶନ ସାଇନ୍ସେସ’ ତରଫରୁ କରାଯାଇଥିବା ଏକ ସର୍ଭେ ଦର୍ଶାଇଥିଲା ଯେ ରାଜ୍ୟ ସହରାଞ୍ଚଳର ମାତ୍ର ୧୮ ପ୍ରତିଶତ ମହିଳା ଓ ୨୫ ପ୍ରତିଶତ ପୁରୁଷଙ୍କ ପାଖରେ ସ୍ବାସ୍ଥ୍ୟ ବୀମା ସୁବିଧା ଥିବାବେଳେ ଗ୍ରାମାଞ୍ଚଳରେ ମହିଳାଙ୍କ କ୍ଷେତ୍ରରେ ଏହା ୪୦ ପ୍ରତିଶତ ଏବଂ ପୁରୁଷଙ୍କ କ୍ଷେତ୍ରରେ ୫୧ ପ୍ରତିଶତ। ତେବେ ସ୍ବାସ୍ଥ୍ୟ ବୀମା କେବଳ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୀମିତ ନ ରହି ସମ୍ପ୍ରସାରିତ ଥିଲା ଇ.ଏସ୍‌.ଆଇ., ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା ପରି ପରିସରକୁ। ଗତବର୍ଷ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଗୋଟିଏ ଜନସ୍ବାର୍ଥ ମାମଲାର ଶୁଣାଣି ଅବସରରେ ପରାମର୍ଶ ଦେଇଥିଲେ- ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ସରକାର ଗମ୍ଭୀର ଭାବରେ ଚିନ୍ତା କରନ୍ତୁ। କୋର୍ଟ ଜାଣିବାକୁ ପାଇଥିଲେ ଯେ ଗ୍ରାମାଞ୍ଚଳ ପିଏଚ୍‌ସିଗୁଡ଼ିକରେ ଡାକ୍ତରମାନେ ଉପସ୍ଥିତ ନୁହନ୍ତି। ପାରା ମେଡିକାଲ ଷ୍ଟାଫ୍‌ କମ୍‌ ଏବଂ ଗରିବମାନେ ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ପାଉନାହାନ୍ତି। ସରକାରୀ ଡାକ୍ତରଖାନାରେ ମେଡିକାଲ ଅଫିସର ପଦବୀ ୪୩ ପ୍ରତିଶତ ଖାଲି, ୪୪ ପ୍ରତିଶତ ବିଶେଷଜ୍ଞ ନାହାନ୍ତି। ଦୟନୀୟ ଅବସ୍ଥାରେ ରାଜ୍ୟରେ ଏତେ ସରକାରୀ ମେଡିକାଲ କଲେଜ ରହିଥିଲେ ହେଁ ଗରିବ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଘରୋଇ ଡାକ୍ତରଖାନା ଯିବାପାଇଁ ବାଧ୍ୟ ହେଉଛନ୍ତି। ପର୍ଯ୍ୟବେକ୍ଷକମାନେ କହିଥିଲେ, ରାଜ୍ୟର ସର୍ବ ପୁରାତନ ମେଡିକାଲ କଲେଜ (ଏସ୍‌ସିବି) ଏମ୍ସ ପ୍ଲସ୍‌ ମାନ୍ୟତା ପାଇବା ପାଇଁ ଭିତ୍ତିଭୂମି ମଜଭୁତ କରୁଥିଲା ବେଳେ ଗ୍ରାମାଞ୍ଚଳରେ ଏବଂ ପଛୁଆ ଜିଲାଗୁଡ଼ିକରେ ପରିସ୍ଥିତି ଗମ୍ଭୀର।
୪ ମାସ ତଳେ ରାଜ୍ୟର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପ୍ରକାଶିତ ଏକ ଅଧ୍ୟୟନ (ଟେଲର ଆଣ୍ଡ ଫ୍ରାନ୍ସିସ – ହେଲ୍‌ଥ ସିଷ୍ଟମ୍‌ସ ଆଣ୍ଡ ରିଫର୍ମ / ୧୯ା୧୦ା୨୦୨୨) ଦର୍ଶାଇଛି, ଅନ୍ୟାନ୍ୟ ଭାରତୀୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ସ୍ବାସ୍ଥ୍ୟ ସେବାରେ ସରକାରୀ ଖର୍ଚ୍ଚ କମ୍‌। ଏହା ମୁଣ୍ଡ ପିଛା ବାର୍ଷିକ ୨୯୪୯ ଟଙ୍କା। ରିପୋର୍ଟ ଆଧାରରେ ଜଣକ ସ୍ବାସ୍ଥ୍ୟ ସେବାପାଇଁ ହେଉଥିବା ଖର୍ଚ୍ଚର ୭୬ ପ୍ରତିଶତ ଜଣେ ଭରଣା କରୁଥାଏ ନିଜ ପକେଟ୍‌ରୁ। ରାଜ୍ୟ ସରକାର ୨୦୧୫ରୁ ‘ନିରାମୟ’, ୨୦୧୮ରୁ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ନିଦାନ’ କାର୍ଯ୍ୟକ୍ରମ ହାତକୁ ତ ନେଇଛନ୍ତି ତେବେ ଲକ୍ଷ୍ୟଣୀୟ ସୁଧାର ଦୃଶ୍ୟମାନ ନୁହେଁ। ଓଡ଼ିଶାରେ ଶିଶୁ ମୃତ୍ୟୁ ହାର ଓ ମାତୃ ମୃତ୍ୟୁ ହାର ହ୍ରାସ ଉତ୍ସାହଜନକ ନୁହେଁ, ସର୍ବଭାରତୀୟ ସ୍ଥିତି ତୁଳନାରେ। ଆହୁରି ଚିନ୍ତାଜନକ ହେଉଛି ରାଜ୍ୟରେ ରକ୍ତହୀନତା, ମ୍ୟାଲେରିଆ ଓ ଯକ୍ଷ୍ମା। ସାମାଜିକ-ଅର୍ଥନୈତିକ ସ୍ଥିତିକୁ ନେଇ ଗ୍ରାମାଞ୍ଚଳ, ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଆୟୁ ସମ୍ଭାବନା / ଜୀବନ ପ୍ରତ୍ୟାଶା କମ୍‌। ଓଡ଼ିଶାରେ ୨୪ ପ୍ରତିଶତ ପରିବାର ଦୀର୍ଘକାଳୀନ ସ୍ବାସ୍ଥ୍ୟ ସେବା ଖର୍ଚ୍ଚ ମେଣ୍ଟାଇବାକୁ ଯାଇ ଅତି ଦରିଦ୍ର ହେଉଛନ୍ତି। ଜଣାପଡିଛି, ସର୍ବାଧିକ ଖର୍ଚ୍ଚ ହେଉଛି ଔଷଧ କିଣାରେ। ସରକାରଙ୍କ ‘ନିରାମୟ’ ସେବା ସତ୍ତ୍ୱେ ୮୬ ପ୍ରତିଶତ ରୋଗୀ ବାହାରୁ ଔଷଧ କିଣନ୍ତି। ସର୍ଭେ ଆଧାରରେ ୫୬ ପ୍ରତିଶତ ସରକାରୀ ସ୍ବାସ୍ଥ୍ୟ ସେବାକୁ ନେଇ ଅସନ୍ତୁଷ୍ଟ ରହିଥିବା ବେଳେ ୯୧ ପ୍ରତିଶତଙ୍କ ମତ ଥିଲା ଯେ ସରକାର ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ। ତେବେ ଅଧିକାଂଶ ଗୋଟିଏ ଦୃଷ୍ଟିରୁ ସନ୍ତୁଷ୍ଟ ଥିଲେ – ସେମାନଙ୍କ ହାତ ପାଆନ୍ତାରେ ସ୍ବାସ୍ଥ୍ୟ ସେବା ମିଳୁଛି। ଅତି ବେଶିରେ ସବ୍‌ ସେଣ୍ଟର / ପି.ଏଚ. ସି. / ସି.ଏଚ.ସି.ରେ ପହଞ୍ଚିବା ପାଇଁ ମାତ୍ର ୩୦ ମିନିଟ ଲାଗୁଛି।
ରିପୋର୍ଟ ଦର୍ଶାଇଛି, ଜାତୀୟ ତାଲିକାରେ ଚିହ୍ନିତ ଅତ୍ୟାବଶ୍ୟକ ଔଷଧ ଗ୍ରାମାଞ୍ଚଳରେ ଖୁବ୍‌ ବେଶିରେ ୪୦ ପ୍ରତିଶତ ମିଳୁଛି ଏବଂ ଚିକିତ୍ସା ପାଇଁ ଯଦି ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡୁଛି ତେବେ ଘରୋଇ ଚିକିତ୍ସାଳୟକୁ ପସନ୍ଦ କରାଯାଉଛି। ଜଣାପଡିଛି, ସରକାରୀ ହେଉ ନଚେତ ବେସରକାରୀ ୫୮ ପ୍ରତିଶତ କ୍ଷେତ୍ରରେ ଡାକ୍ତରମାନେ ରୋଗ ନିରୂପଣ ଠିକ୍‌ କରୁନାହାନ୍ତି ଏବଂ ଅଧିକାଂଶ କ୍ଷେତ୍ରରେ ଅନାବଶ୍ୟକ ତଥା ବ୍ୟୟବହୁଳ ପରୀକ୍ଷା ନିରୀକ୍ଷା ରୋଗୀକୁ କ୍ଷତିଗ୍ରସ୍ତ କରୁଛି। ଥରେ ଜଣେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହୋଇ ଘରକୁ ଫେରିଲେ ସ୍ବାସ୍ଥ୍ୟ ସେବାକୁ ନେଇ ତା’ର ଅନୁଭୂତି କ’ଣ, ସେ ଖୁସି ନା ନାହିଁ ସେ ବାବଦରେ କୌଣସି ଖବର/ତଥ୍ୟ/ମତ ରେକର୍ଡ କରାଯାଏ ନାହିଁ। ତେବେ ସର୍ଭେରୁ ଜଣାପଡିଛି, ଗରିବ ଲୋକେ ବିଶେଷ କରି ଜନଜାତିମାନେ କ୍ୱଚିତ ଭଲସେବା ପାଆନ୍ତି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତରଟିଏ ରୋଗୀ ଦେଖିବା ପାଇଁ ବିତାଉଥିବା ସମୟ ହାରାହାରି ୯ ମିନିଟ। ମୋଟାମୋଟି ନିଷ୍କର୍ଷ ହେଲା ଏମିତି ସ୍ଥିତିରେ ୫୫ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି ଘରୋଇ ସ୍ବାସ୍ଥ୍ୟ ସେବାକୁ। ଏହା ବାଦ୍‌ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବହିରାଗତ ରୋଗୀ ଚିକିତ୍ସା ପାଇଁ ସହାୟକ ନୁହେଁ। ପାଠକେ, ଜାତୀୟ ପରିବାର କଲ୍ୟାଣ ସର୍ଭେ (ଏନ୍‌ଏଚ୍‌ଏଫ୍‌ଏସ୍‌) ଅନୁସାରେ ଏବେ ବି ରାଜ୍ୟର ସରକାରୀ ଚିକିତ୍ସାଳୟରେ ମୁଣ୍ଡ ପିଛା ଘରୋଇ ଖର୍ଚ୍ଚ ୪୧୩୯ ଟଙ୍କା ଏବଂ ପ୍ରତି ୧୦୦୦ ଜନ୍ମରେ ଶିଶୁ ମୃତ୍ୟୁ ହାର (୧-୫ ବର୍ଷ) ୪୧.୧ପ୍ରତିଶତ l ଆପଣ ଚିନ୍ତା କରିପାରନ୍ତି l
ମୋ:୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri