ଏନ୍‌ଏମ୍‌ସି, ନାକ୍‌ ଓ ଏନ୍‌ଟିଏ

କଟରେ ଜାତୀୟ ମେଡିକାଲ କମିଶନ (ଏନ୍‌ଏମ୍‌ସି), କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର କିଛି ଅଧିକାରୀ ଓ କେତେକ ଘରୋଇ ମେଡିକାଲ କଲେଜ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦୁର୍ନୀତିଜନିତ ଏଫ୍‌ଆଇଆର୍‌ ଦାଏର କରିଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଉପରୋକ୍ତ ସଂସ୍ଥାର ଅଧିକାରୀଗଣ ମିଳିତ ଭାବେ ଦୁର୍ନୀତି ଉପାୟ ଅବଲମ୍ବନ କରି କିଛି ଘରୋଇ ମେଡିକାଲ କଲେଜକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ଧାରା ୬୧(୨) ଓ ଦୁର୍ନୀତି ନିବାରଣ ଆଇନର ଏକାଧିକ ଧାରାରେ ଏହି ମାମଲା ଦାଏର ହୋଇଛି। ଦେଶର ମେଡିକାଲ କଲେଜ ସ୍ବୀକୃତି ବା ପୂର୍ବ ସ୍ବୀକୃତି ନବୀକରଣ ଏନ୍‌ଏମ୍‌ସି ଅନୁମୋଦନରେ ହୋଇଥାଏ। ଏହାର ନାମ ପୂର୍ବରୁ ମେଡିକାଲ କାଉନ୍‌ସିଲ ଅଫ ଇଣ୍ଡିଆ ବା ଏମ୍‌ସିଆଇ ଥିଲା। ଭାରତୀୟ ଜନତା ପାର୍ଟି ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରେ ଏହି ନାମ ପରିବର୍ତ୍ତନ ହୋଇଛି। ଏହା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ସ୍ବୟଂଶାସିତ ସଂସ୍ଥା। ଦେଶର ମେଡିକାଲ କଲେଜଗୁଡ଼ିକ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଓ ବିଭିନ୍ନ ସର୍ତ୍ତାବଳୀ ପାଳନ କରୁଛନ୍ତି କି ନାହିଁ ତାହା ତଦାରଖ କରି ବାର୍ଷିକ ଭିତ୍ତିରେ କଲେଜର ସ୍ବୀକୃତି ନବୀକରଣ, ନୂଆ କଲେଜକୁ ସ୍ବୀକୃତି ପ୍ରଦାନ ଅଥବା ନାମଲେଖା ଆସନ ସଂଖ୍ୟା ହ୍ରାସ ପାଇଁ ଏହି ସଂସ୍ଥା ନିଷ୍ପତ୍ତି ନେଇଥାଏ। ଏଥିପାଇଁ ସଂସ୍ଥା ପକ୍ଷରୁ ନିୟୋଜିତ ଏକ ବିଶେଷଜ୍ଞ ପର୍ଯ୍ୟବେକ୍ଷକ ଦଳ ବିଭିନ୍ନ କଲେଜ ଗସ୍ତ କରି ରିପୋର୍ଟ ପ୍ରଦାନ କରିଥାନ୍ତି। ବିଶେଷଜ୍ଞ ଦଳ ସଦସ୍ୟଙ୍କ ନାମ, ପଦବୀ ଓ ତଦାରଖ ସମୟ ଏକ ଗୋପନୀୟ ବ୍ୟବସ୍ଥା। କିନ୍ତୁ ଏନ୍‌ଏମ୍‌ସି ଓ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର କେତେକ ଅଧିକାରୀ ଏହି ଗୋପନୀୟ ସୂଚନା ଆଗୁଆ ସମ୍ପୃକ୍ତ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥାନ୍ତି। ଫଳରେ କଲେଜ କର୍ତ୍ତୃପକ୍ଷ ବିଭିନ୍ନ ସର୍ତ୍ତାବଳୀ ପୂରଣ ପାଇଁ ‘ଭୂତ’ ବା ଅସ୍ଥାୟୀ ବ୍ୟବସ୍ଥା ଗ୍ରହଣ କରିଥାନ୍ତି। କାରଣ ଏହି କଲେଜଗୁଡ଼ିକର ଆବଶ୍ୟକ ଭିତ୍ତିଭୂମି ନ ଥାଏ। ଏହି ବ୍ୟବସ୍ଥାରେ ପ୍ରଚୁର ମାତ୍ରାରେ ଲାଞ୍ଚ କାରବାର ହୋଇଥାଏ। ପରିଶେଷରେ କଲେଜ ସ୍ବୀକୃତି ପାଇଥାଏ ବା ଆସନ ସଂଖ୍ୟା ନବୀକରଣ ହୋଇଥାଏ। ଏହାଦ୍ୱାରା ମେଡିକାଲ କଲେଜ ଶିକ୍ଷା ବ୍ୟବସ୍ଥାରେ ନିମ୍ନ ମାନର ଡାକ୍ତର ସୃଷ୍ଟି ହେବା ନିଶ୍ଚିତ। ଏହି ଘଟଣାରେ ୟୁଜିସିର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍‌ସ (ଟିସ୍‌)ର କୁଳପତିଙ୍କ ବିରୋଧରେ ମାମଲା ଦାଏର ହୋଇଛି। ୨୦୨୫-୨୬ ଶିକ୍ଷାବର୍ଷରେ ଏହି ଦୁର୍ନୀତିରେ ପ୍ରାୟ ୧୦୦୦ କୋଟି ଟଙ୍କା ଲାଞ୍ଚ କାରବାର ହୋଇଛି । ସିବିଆଇ ମାମଲା ପରେ ବିଭିନ୍ନ କଲେଜକୁ ସ୍ବୀକୃତି ପ୍ରଦାନ, ନବୀକରଣ ବା ଆସନ ସଂଖ୍ୟା ବୃଦ୍ଧି ବା ହ୍ରାସ କାର୍ଯ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏନ୍‌ଏମ୍‌ସିରେ କେହି ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି।
ଏବେ ଦେଖିବା ନାକ୍‌ ବିଷୟ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଅଧୀନସ୍ଥ ଏହି ସଂସ୍ଥା ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ପାଳନ ଭିତ୍ତିରେ ଦେଶର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନକୁ ମାନ୍ୟତା ପ୍ରଦାନ କରିଥାନ୍ତି। ସର୍ତ୍ତାବଳୀ ଅନୁପାଳନ ଭିତ୍ତିରେ କାହାକୁ ଉଚ୍ଚ ଗ୍ରେଡ୍‌ ତ କାହାକୁ ନିମ୍ନ ଗ୍ରେଡ୍‌ ପ୍ରଦାନ କରାଯାଇଥାଏ। ଏହି ଗ୍ରେଡ୍‌ ଭିତ୍ତିରେ ମହାବିଦ୍ୟାଳୟ ମାନ୍ୟତା ବୃଦ୍ଧି ବା ହ୍ରାସ ପାଇଥାଏ ଏବଂ ଛାତ୍ରୀଛାତ୍ର ସେହି ଅନୁଯାୟୀ ଶିକ୍ଷାନୁଷ୍ଠାନ ପସନ୍ଦ କରିଥାନ୍ତି। ନାକ୍‌ ମାନ୍ୟତା ପାଇଁ ମଧ୍ୟ ବିଶେଷଜ୍ଞ କମିଟି ବିଭିନ୍ନ ମହାବିଦ୍ୟାଳୟ ଗସ୍ତ କରିଥାନ୍ତି। ତେବେ ଗତ ଫେବୃୟାରୀ ମାସରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରଠାରେ ଥିବା ଏକ ମହାବିଦ୍ୟାଳୟକୁ ଅନୁକମ୍ପା ପ୍ରଦର୍ଶନ ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ସିବିଆଇ ଦ୍ୱାରା ୭ ଜଣ ବିଶେଷଜ୍ଞ କମିଟି ସଦସ୍ୟ ଗିରଫ ହେଲେ। ଏମାନଙ୍କ ମଧ୍ୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ପାହ୍ୟାର ସଦସ୍ୟ ମଧ୍ୟ ରହିଛନ୍ତି। ଏହି ଘଟଣା ପରେ ନାକ୍‌ ଏହାର ୧୨୦୦ ବିଶେଷଜ୍ଞ କମିଟି ସଦସ୍ୟଙ୍କୁ ବିଦା କରିଛି। ନୂଆ ପଦ୍ଧତିରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନେଇଛି ।
ଦେଶରେ ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ବା ବୃତ୍ତିଗତ ଶିକ୍ଷା ମାନବୃଦ୍ଧି ପାଇଁ ଗଠନ କରାଯାଇଥିବା ଉପରୋକ୍ତ ସଂସ୍ଥାର ବିଶେଷଜ୍ଞ ସଦସ୍ୟ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଲୋଭିତ ହୋଇ ଯେଉଁ ରିପୋର୍ଟ ପ୍ରଦାନ କରୁଛନ୍ତି ତାହା ଦେଶର ଭବିଷ୍ୟତକୁ ତଳିତଳାନ୍ତ କରୁଛି। ମାନ୍ୟତା କମିଟିରେ ଉଚ୍ଚଶିକ୍ଷିତ ବ୍ୟକ୍ତିବିଶେଷ ସାମିଲ ଥାଇ ଓ ଅତୀତରେ ମୋଟା ଅଙ୍କର ସରକାରୀ ଦରମା ନେଇ ବିଶେଷଜ୍ଞ ପଦବୀକୁ ଉନ୍ନୀତ ହୋଇଥିବା ସତ୍ତ୍ୱେ ଲୋଭର ମୋହ ସମ୍ବରଣ କରିପାରୁ ନାହାନ୍ତି। ଏହି ବ୍ୟକ୍ତିବିଶେଷ ଦେଶପ୍ରେମୀ ନା ଦେଶଦ୍ରୋହୀ ଭାବେ ବିବେଚିତ ହେବେ ? ଏହା ପଛରେ ରାଜନୈତିକ ପୃଷ୍ଠପୋଷକତା ରହିଥିବା ମଧ୍ୟ ଅନୁମେୟ।
ଏବେ ଦେଖିବା ଦେଶର ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ଦୁର୍ନୀତି। ଅତୀତରେ ସ୍ନାତକ ମେଡିକାଲ ଇଞ୍ଜିନିୟରିଂ ଶିକ୍ଷା ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ପରିଚାଳନା କରୁଥିଲା ସିବିଏସ୍‌ସି । ଭାଜପା ସରକାର ଆସିବା ପରେ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସୀ (ଏନ୍‌ଟିଏ) ନାମରେ ଏକ ନୂଆ ସଂସ୍ଥା ଗଠନ କରି ଉଭୟ ପରୀକ୍ଷା ଦାୟିତ୍ୱ ଏହି ସଂସ୍ଥା ଉପରେ ନ୍ୟସ୍ତ କଲେ। କୁହାଗଲା ନୂଆ ଢାଞ୍ଚା ତଥା ସ୍ବଚ୍ଛ ପଦ୍ଧତିରେ ଏହି ସଂସ୍ଥା ପରୀକ୍ଷା ପରିଚାଳନା କରିବ। ଦେଖାଗଲା ଯେ, ୨୦୨୪ ମସିହାରେ ନିଟ୍‌-ୟୁଜି ପ୍ରଶ୍ନପତ୍ର ପ୍ରଘଟ ହେଲା। ଦେଶବ୍ୟାପୀ ଏନ୍‌ଟିଏ ନିନ୍ଦିତ ହେଲା। ଏହି ଘଟଣାରେ ସିବିଆଇ ୪୦ ଜଣଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ୨୦୨୪ ଶିକ୍ଷାବର୍ଷରେ ୨୪ ଲକ୍ଷ ବିଦ୍ୟାର୍ଥୀ ନିଟ୍‌-ୟୁଜି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩.୫ ଲକ୍ଷ ପରୀକ୍ଷାର୍ଥୀ ଅଧିକ ନମ୍ବର ରଖିଥିବା ଜଣାପଡ଼ିଲା। ଫଳରେ ପରୀକ୍ଷା ବାତିଲ କରି ପୁନଃପରୀକ୍ଷା ପାଇଁ ଦାବି ଉଠିଲା। ମାମଲା ଶୀର୍ଷ ଅଦାଲତକୁ ଗଲା। କେତେକ କେନ୍ଦ୍ରରେ ପୁନଃ ପରୀକ୍ଷା କରାଗଲା। ସେହିବର୍ଷ ୟୁଜିସି-ନେଟ୍‌ ପରୀକ୍ଷା ପ୍ରଶ୍ନପତ୍ର ମଧ୍ୟ ପ୍ରଘଟ ହେଲା। ଫଳରେ ପରୀକ୍ଷା ବାତିଲ କରାଗଲା। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏନ୍‌ଟିଏ ନିର୍ଦ୍ଦେଶକ ସୁବୋଧ କୁମାର ସିଂହଙ୍କୁ ପଦବୀରୁ ହଟାଇବାକୁ ସରକାର ବାଧ୍ୟ ହେଲେ। ଏନ୍‌ଟିଏ କାର୍ଯ୍ୟଧାରା ଅନୁଧ୍ୟାନ କରି ଆବଶ୍ୟକ ସଂସ୍କାର ସୁପାରିସ କରିବାକୁ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର କେ. ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ୭ ଜଣିଆ କମିଟି ଗଠନ କରାଗଲା। ଏବେ ଏକ କେନ୍ଦ୍ରୀଭୂତ ଭାରତୀୟ ଉଚ୍ଚ ଶିକ୍ଷା କମିଶନ (ଏଚ୍‌ଇସିଆଇ) ଗଠନ କରିବାକୁ ଯାଉଛନ୍ତି।
ଦେଖାଯାଉଛି ନାକ୍‌ ଓ ଏନ୍‌ଏମ୍‌ସି ବିଶେଷଜ୍ଞ ମନୋନୟନ ରାଜନୈତିକ ଦୃଷ୍ଟିକୋଣରୁ ହେଉଛି। ଏଥିପାଇଁ ଲାଞ୍ଚ କାରବାର ମଧ୍ୟ ହେଉଛି। ଫଳରେ ଏହି ବିଶେଷଜ୍ଞମାନେ ପରବର୍ତ୍ତୀ ସମୟରେ ଦୁର୍ନୀତି ଉପାୟ ଅବଲମ୍ବନ କରି ନିକୃଷ୍ଟ ଶିକ୍ଷାନୁଷ୍ଠାନକୁ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନର ମାନ୍ୟତା ଦେଇ ବିପୁଳ ଅର୍ଥ ରୋଜଗାର କରୁଛନ୍ତି। ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି, ଆଇଆଇଏମ୍‌ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତାକୁ ଗ୍ରହଣ କରିନାହାନ୍ତି। ଏହାଦ୍ୱାରା କ’ଣ ସଂପୃକ୍ତ ଶିକ୍ଷାନୁଷ୍ଠାନ ମାନରେ ଅବନ୍ନତି ଘଟିଯାଇଛି ? ଏଣୁ ନାକ୍‌ ମାନ୍ୟତା ସଂପ୍ରତି ପ୍ରହସନରେ ପରିଣତ ହୋଇଛି। ନାକ୍‌ ଓ ଏନ୍‌ଏମ୍‌ସି ସ୍ବୀକୃତି ଆଳରେ ଯେଉଁ ଦୁର୍ନୀତି ହେଉଛି ତାହାର ନିରାକରଣ ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ। ସେହିପରି ସମସ୍ତ ପରୀକ୍ଷାକୁ ଏକକ ପରିଚାଳନା କରିବାକୁ ଯେଉଁ ପଦକ୍ଷେପ ନିଆଯାଇଛି ତାହା ବିଫଳ ହୋଇଥିବା ଏନ୍‌ଟିଏ ଅବ୍ୟବସ୍ଥାରୁ ଜଣାପଡ଼ିଛି। ଯେତେଦିନ ପର୍ଯ୍ୟନ୍ତ ପ୍ରତିଯୋଗିତା ପରୀକ୍ଷା ବିକେନ୍ଦ୍ରୀକୃତ ଥିଲା ସେଥିରେ ଅନିୟମିତତା କମ୍‌ ରହିଥିଲା। କେନ୍ଦ୍ରୀଭୂତ ବ୍ୟବସ୍ଥାରେ ଅସ୍ବଚ୍ଛତା ବୃଦ୍ଧି ପାଇଛି। ଏନ୍‌ଟିଏର ଆବଶ୍ୟକ ଭିତ୍ତିଭୂମି ନାହିଁ। ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ସଂସ୍ଥା ଆଉଟସୋର୍ସିଂ କରୁଛି। ସଂପୃକ୍ତ ସଂସ୍ଥାର ମଧ୍ୟ ପ୍ରଯୁକ୍ତି ଭିତ୍ତିଭୂମି ନାହିଁ। ଫଳରେ ଗୋପନୀୟତା ପ୍ରସଙ୍ଗରେ ଏହା ନିୟନ୍ତ୍ରଣ ହରାଉଛି। ଏଣୁ ସମସ୍ତ ପରୀକ୍ଷା ଏନ୍‌ଟିଏ ଦ୍ୱାରା ପରିଚାଳନା କରା ନ ଯାଇ ଏହାର ବିକେନ୍ଦ୍ରୀକରଣ କରାଯିବା ଆବଶ୍ୟକ।

ସୌଭାଗ୍ୟ ସୁନ୍ଦରରାୟ
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri