ଜଙ୍ଗଲ ସମ୍ପଦରେ ନବମ

ବୈଶ୍ୱିକ ପରିବେଶଜନିତ ସମସ୍ୟାରାଜିର ଗାମ୍ଭିର୍ଯ୍ୟ ଦୃଷ୍ଟିରୁ ସମ୍ପ୍ରତି ଯେତେବେଳେ ଜଙ୍ଗଲ ସମ୍ପଦର ସଂରକ୍ଷଣ ଏବଂ ବୃକ୍ଷରୋପଣ ମାଧ୍ୟମରେ ସବୁଜିମାର ପ୍ରସାରଣ ବିଶ୍ୱ ସମ୍ପ୍ରଦାୟର ଈପ୍ସିତ ଲକ୍ଷ୍ୟ ପାଲଟିଛି, ସେତେବେଳେ ଆମ ରାଷ୍ଟ୍ର ନିମନ୍ତେ ଏକ ଯଥାର୍ଥ ଖୁସିର ଖବର ଉପଲବ୍ଧ ହୋଇଛି I
ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ)ର ସଦ୍ୟତମ ରିପୋର୍ଟ ‘ଗ୍ଲୋବାଲ ଫରେଷ୍ଟ ରିସୋର୍ସ ଆସେସ୍‌ମେଣ୍ଟ ୨୦୨୫’ ଅନୁଯାୟୀ ଭାରତର ଜଙ୍ଗଲାଞ୍ଚଳର ଆୟତନ ବିଶ୍ୱ ସ୍ତରରେ ନବମ ସ୍ଥାନକୁ ଉନ୍ନୀତ ହୋଇଛି, ଯାହା ପୂର୍ବରୁ ଦଶମ ସ୍ଥାନରେ ଥିଲା I ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏଥି ସହିତ, ଏହି ସମୟ ମଧ୍ୟରେ ବାର୍ଷିକ ନେଟ ଜଙ୍ଗଲ କ୍ଷେତ୍ର ବୃଦ୍ଧି ଦୃଷ୍ଟିରୁ ଭାରତ ତୃତୀୟ ବୃହତ୍ତମ ଦେଶ ଭାବରେ ତା’ର ସ୍ଥାନ ବଜାୟ ରଖିଛି। ଜଙ୍ଗଲ ଦ୍ୱାରା ବାୟୁମଣ୍ଡଳରୁ ବାର୍ଷିକ ଯେତିକି ପରିମାଣର ଅଙ୍ଗାରକାମ୍ଳ ଅପସାରିତ ହେଉଛି, ସେ ଦୃଷ୍ଟିରୁ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନର ଅଧିକାରୀ ହୋଇଛି। ଏଫ୍‌ଏଓ ଆକଳନ ପ୍ରକାଶ କରିଛି, ସମ୍ପ୍ରତି ବିଶ୍ୱସ୍ତରରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ହେଉଛି ପ୍ରାୟ ୪୧୪ କୋଟି ହେକ୍ଟର, ଯାହା ପୃଥିବୀ ସ୍ଥଳଭାଗର ପ୍ରାୟ ୩୨ ପ୍ରତିଶତ । ଏଥିରୁ ଭାରତର ଜଙ୍ଗଲ କ୍ଷେତ୍ର ହେଉଛି ପ୍ରାୟ ୭୨.୭ ନିୟୁତ ହେକ୍ଟର, ଯାହା ବିଶ୍ୱ ଜଙ୍ଗଲାଞ୍ଚଳର ୨% I ଚଳିତବର୍ଷ ଦଶମ ସ୍ଥାନରୁ ନବମ ସ୍ଥାନକୁ ଉନ୍ନୀତ ହେବା ଆମ ରାଷ୍ଟ୍ରରେ ଜଙ୍ଗଲ ଜମିର ପରିମାଣାତ୍ମକ ଅଭିବୃଦ୍ଧି ଏବଂ ପରିଚ଼ାଳନା ଓ ବନୀକରଣ ପ୍ରୟାସର ସ୍ବୀକୃତିକୁ ପ୍ରତିଫଳିତ କରେ I
ଜଙ୍ଗଲ ଆଚ୍ଛାଦନର ପ୍ରସାରଣ ଜଳବାୟୁ ପରିବର୍ତ୍ତନର ହ୍ରାସନ, ଜୈବବିବିଧତା ସଂରକ୍ଷଣ ଏବଂ ପରିସଂସ୍ଥୀୟ ସେବା ପ୍ରଦାନ ନିମନ୍ତେ ମହତ୍ତ୍ୱପୂର୍ଣ୍ଣ। ଏହା ଅଙ୍ଗାରକ ସଂରକ୍ଷଣ (କାର୍ବନ ସିକ୍ୱେଷ୍ଟ୍ରେସନ), ଜଳଛାୟା ଅଞ୍ଚଳର ସୁରକ୍ଷା, ବନ୍ୟପ୍ରାଣୀଙ୍କୁ ବାସସ୍ଥଳୀ ପ୍ରଦାନ ଏବଂ ମାନବଜାତିର ଆବଶ୍ୟକତା ପୂରଣରେ ଉତ୍ତମ ଭୂମିକା ନିର୍ବାହ କରେ I ଜଙ୍ଗଲ କ୍ଷେତ୍ରଫଳ ଅନୁଯାୟୀ ବିଶ୍ୱର ଶ୍ରେଷ୍ଠ ଦଶଟି ରାଷ୍ଟ୍ରରେ ଅନ୍ତର୍ଭୁକ୍ତ ହେବା ଭାରତକୁ ପ୍ରାକୃତିକ ପୁଞ୍ଜିର ବିପୁଳ ଭଣ୍ଡାରରେ ଆଶୀର୍ବାଦପ୍ରାପ୍ତ ରାଷ୍ଟ୍ରମାନଙ୍କର ଏକ ଅପେକ୍ଷାକୃତ ଉଚ୍ଚ ଗୋଷ୍ଠୀରେ ସ୍ଥାନିତ କରିଛି। ସମ୍ପ୍ରତି ବିଶ୍ୱରେ ଜଙ୍ଗଲ ଅବକ୍ଷୟ ଏକ ପ୍ରମୁଖ ଚ୍ୟାଲେଞ୍ଜ ପାଲଟିଛି। ଏହି ପରିପ୍ରେକ୍ଷୀରେ ବାର୍ଷିକ ନେଟ ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଭାରତର ତୃତୀୟ ସ୍ଥାନ ଅଧିକାର କେବଳ ବିଶାଳ ଜଙ୍ଗଲ ବଜାୟ ରଖିବାରେ ନୁହେଁ, ବରଂ ସେସବୁର ବୃଦ୍ଧି ଘଟାଇବାରେ ଗତିଶୀଳତାର ଏକ ସକାରାତ୍ମକ ସଙ୍କେତ ପ୍ରଦାନ କରେ। ଆତ୍ମତୃପ୍ତିର ବିଷୟ ହେଉଛି ଯେ ସମ୍ପ୍ରତି ବିଶ୍ୱ ଜଙ୍ଗଲକ୍ଷୟ ହାରରେ ହ୍ରାସ ଘଟିଛି, ଯାହା ୧୯୯୦ରୁ ୨୦୦୦ ମଧ୍ୟରେ ପ୍ରତିବର୍ଷ ୧୭.୬ ନିୟୁତ ହେକ୍ଟର ଥିଲାବେଳେ ୨୦୧୫ରୁ ୨୦୨୫ ମଧ୍ୟରେ ଏହା ବାର୍ଷିକ ୧୦.୯ ନିୟୁତ ହେକ୍ଟରକୁ ହ୍ରାସ ପାଇଛି।
ଏହି ସଫଳତାରେ ଅବଦାନ ରଖିଥିବା ଭାରତର ଅନେକ ନୀତିଗତ ନିଷ୍ପତ୍ତି ତଥା ସମ୍ପ୍ରଦାୟ-ଭିତ୍ତିକ ପଦକ୍ଷେପକୁ ବ୍ୟାପକ ଭାବରେ ପ୍ରଶଂସା କରାଯାଏ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ୍ତର ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ବନୀକରଣ ଅଭିଯାନ କାର୍ଯ୍ୟକାରୀ ହେଉଛି, ଯାହା ଜନସଚ଼େତନତା ସୃଷ୍ଟି ଏବଂ ଅଂଶଗ୍ରହଣରେ ବୃଦ୍ଧି ଘଟାଇଛି। ପାରମ୍ପରିକ ଜଙ୍ଗଲ ବାହାରେ ବନ ଏବଂ ବୃକ୍ଷ ଆଚ୍ଛାଦନକୁ ପ୍ରୋତ୍ସାହନ ଦିଆଯାଉଛି; ଯାହାର ଦୃଷ୍ଟାନ୍ତ ହେଉଛି କୃଷି ବନୀକରଣ, ସାମାଜିକ ବନୀକରଣ, ସବୁଜ ଭାରତ ମିଶନ ଏବଂ ଅନ୍ୟାନ୍ୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ପରି ଯୋଜନା ଅଧୀନରେ ବୃକ୍ଷରୋପଣ ଅଭିଯାନ। କାର୍ଯ୍ୟକାରୀ ହେଉଥିବା ‘କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚ଼ାଳନା ଏବଂ ଯୋଜନା ପ୍ରାଧିକରଣ’ (କାମ୍ପା) ଢାଞ୍ଚା ଭଳି ସାଂଗଠନିକ ପଦ୍ଧତି ନିଶ୍ଚିତ କରେ ଯେ ଯେତେବେଳେ ଜଙ୍ଗଲ ଜମି ବିକାଶମୂଳକ କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଏ, ସେତେବେଳେ କ୍ଷତିପୂରଣ ବନୀକରଣ ବାଧ୍ୟତାମୂଳକ । ରିମୋଟ ସେନ୍ସିଂ, ଜିଆଇଏସ୍‌ ପରି ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ତଦାରଖ ଦ୍ୱାରା ଜଙ୍ଗଲ ଆଚ୍ଛାଦନର ଅଗ୍ରଗତି ଓ ଗୁଣବତ୍ତାକୁ ଉତ୍ତମ ଭାବରେ ଆକଳନ କରିବା ନିମନ୍ତେ ଭାରତୀୟ ବନ ସର୍ବେକ୍ଷଣ (ଏଫ୍‌ଏସ୍‌ଆଇ) ଏବଂ ଜାତୀୟ ବନ ପର୍ଯ୍ୟବେକ୍ଷଣ ପଦ୍ଧତି (ଏନ୍‌ଏଫ୍‌ଏମ୍‌ଏସ୍‌) ଭଳି ସଂସ୍ଥାମାନେ ଏବେ କାର୍ଯ୍ୟରତ।
ଏପରି ସମସ୍ତ ସକାରାତ୍ମକ ଖବର ସତ୍ତ୍ୱେ, କିଛି ସତର୍କତା ଓ ଆହ୍ବାନକୁ ଦୃଷ୍ଟିରେ ରଖି ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାକୁ ପଡି଼ବ I ଯଦିଓ ଏସିଆରେ ଭାରତ ପରି କେତେକ ଅବଦାନକାରୀ ରାଷ୍ଟ୍ରରେ ଜଙ୍ଗଲ ଅଞ୍ଚଳ ବୃଦ୍ଧି ଘଟିଛି, ତେବେ ବିଶ୍ୱ ଜଙ୍ଗଲ ଅବକ୍ଷୟ ଏବେ ବି ଚିନ୍ତାଜନକ ସ୍ତରରେ ରହିଛି I ଏହା ମଧ୍ୟ ବିଚ଼ାରଯୋଗ୍ୟ ଯେ ଜଙ୍ଗଲ ଆୟତନରେ ବୃଦ୍ଧି ସର୍ବଦା ଜଙ୍ଗଲର ଗୁଣବତ୍ତାରେ ଉନ୍ନତି ସାଧନ ସହ ସଂଘଟିତ ହେଉନାହିଁ I ଏହି ପରିପ୍ରେକ୍ଷୀରେ, ଜଙ୍ଗଲର ଅବକ୍ଷୟ, ବନ୍ୟପ୍ରାଣୀ ଶିକାର, ବାହ୍ୟ ଜୀବଜାତିଙ୍କ ପ୍ରବେଶ, ଜଙ୍ଗଲ ବିଖଣ୍ଡୀକରଣ ଏବଂ କୀଟପତଙ୍ଗ ଆକ୍ରମଣ, ନିଆଁ କିମ୍ବା ଜଳବାୟୁ ଚାପ ଯୋଗୁ ମୃତ୍ୟୁହାରରେ ବୃଦ୍ଧି ଭଳି ସମସ୍ୟା ମଧ୍ୟ କ୍ଷତିକାରକ ଭୂମିକା ନିର୍ବାହ କରନ୍ତି। ଅନ୍ୟ ପକ୍ଷରେ, ଦୀର୍ଘକାଳୀନ ସ୍ଥାୟିତ୍ୱ ନିମନ୍ତେ ବୃକ୍ଷରୋପଣ ଦ୍ୱାରା ସୃଷ୍ଟ ଜଙ୍ଗଲ କିମ୍ବା ପୁନରୁଦ୍ଧାର ହୋଇଥିବା ଜଙ୍ଗଲାଞ୍ଚଳଗୁଡ଼ିକ ପରିବେଶୀୟ ଦୃଷ୍ଟିକୋଣରୁ ସୁଦୃଢ଼, ଜୈବବିବିଧତାରେ ପରିପୂର୍ଣ୍ଣ ଏବଂ ସୁପରିଚ଼ାଳିତ ହେବାକୁ ନିଶ୍ଚିତ କରାଯିବା ପ୍ରୟୋଜନୀୟ। ଭାରତର ବିପୁଳ ଜନସଂଖ୍ୟା ତଥା କୃଷି, ଭିତ୍ତିଭୂମି ଏବଂ ସହରାଞ୍ଚଳ ବିକାଶ କ୍ଷେତ୍ରରୁ ସୃଷ୍ଟ ପ୍ରତିଯୋଗିତାମୂଳକ ଭୂମି-ବ୍ୟବହାର ଚାପକୁ ଦୃଷ୍ଟିରେ ରଖି, ଜଙ୍ଗଲ ଆଚ୍ଛାଦନକୁ ଆହୁରି ବୃଦ୍ଧି କରିବା ନିମନ୍ତେ ନିରନ୍ତର ରାଜନୈତିକ ଇଚ୍ଛାଶକ୍ତି, ପାଣ୍ଠିର ଉପଯୋଗ, ସମ୍ପ୍ରଦାୟର ସହଯୋଗିତା ଏବଂ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ଅପରିହାର୍ଯ୍ୟ।
ଜଙ୍ଗଲ ସମ୍ପଦର ସଂରକ୍ଷଣ ଜଳବାୟୁ, ଜୈବବିବିଧତା ଏବଂ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଗୁରୁତ୍ୱ ବହନ କରେ I ଜଙ୍ଗଲ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗାରକ ଭଣ୍ଡାର ହୋଇଥିବାରୁ ଭାରତର ଜଙ୍ଗଲ କ୍ଷେତ୍ରର ଅଭିବୃଦ୍ଧି ପ୍ୟାରିସ ଚୁକ୍ତିନାମା (୨୦୧୫) ଅନୁଯାୟୀ, ବିଶେଷତଃ ଅଙ୍ଗାରକାମ୍ଳ ଶୋଷଣ ନିମନ୍ତେ ଦେଶର ଜାତୀୟ ନିର୍ଦ୍ଧାରିତ ଅବଦାନ ଦୃଷ୍ଟିରୁ, ଏହାର ପ୍ରତିବଦ୍ଧତା ପୂରଣ କରିବାକୁ ସମର୍ଥନ କରେ। ଭାରତ ମଧ୍ୟ ଅତିରିକ୍ତ ଅଙ୍ଗାରକ ଭଣ୍ଡାର ହାସଲ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରିଛି। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜିି) ହାସଲ ଦୃଷ୍ଟିରୁ, ଜଙ୍ଗଲ କ୍ଷେତ୍ରରେ ପ୍ରଗତି ଏସ୍‌ଡିଜି-୧୫ (ଭୂମି ଉପରେ ଜୀବନ) ସହିତ ସମନ୍ବୟ ଏବଂ ଏସ୍‌ଡିଜି -୧୩ (ଜଳବାୟୁ କାର୍ଯ୍ୟକ୍ରମ)ରେ ମଧ୍ୟ ଯୋଗଦାନ ରଖେ। ଏଫ୍‌ଏଓ ରିପୋର୍ଟ ପ୍ରକାଶ କରିଛି ଯେ ଏହାର ତଥ୍ୟ ଏପରି ବିଶ୍ୱସ୍ତରୀୟ ଲକ୍ଷ୍ୟ ନିରୀକ୍ଷଣ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ।
ବିଶ୍ୱ ସୂଚ଼ୀରେ ନବମ ସ୍ଥାନକୁ ଉନ୍ନୀତ ହେବା ଭାରତ ପାଇଁ ଅନ୍ତିମ ବିନ୍ଦୁ ନୁହେଁ। ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆଗକୁ ଧ୍ୟାନ ଦେବା ପ୍ରୟୋଜନୀୟ I
ଜଙ୍ଗଲର ଗୁଣବତ୍ତାରେ ବୃଦ୍ଧି ଏବଂ ଅପରିପକ୍ୱ ଜଙ୍ଗଲଗୁଡ଼ିକୁ ସମୃଦ୍ଧ ପରିସଂସ୍ଥାରେ ପରିଣତ କରିବାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। ସମ୍ପ୍ରଦାୟମାନଙ୍କର ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ଲୋକ, ବିଶେଷକରି ଆଦିବାସୀମାନେ ବନୀକରଣ କାର୍ଯ୍ୟକ୍ରମରୁ ଯେପରି ଉପକୃତ ହେବେ ତାହା ନିଶ୍ଚିତ ହେବା ବାଞ୍ଛନୀୟ। ବନୀକରଣରେ ଜଳବାୟୁ ସ୍ଥିରତାକୁ ଏକୀକୃତ କରିବା ସହ ଅଗ୍ନି-ବିପଦ, କୀଟପତଙ୍ଗ, ବାହ୍ୟ ଜୀବଜାତି, ପରିବର୍ତ୍ତିତ ବୃଷ୍ଟିପାତ ଓ ତାପମାତ୍ରା ଢାଞ୍ଚା ନିମନ୍ତେ ଉପଯୁକ୍ତ ପରିଚ଼ାଳନା ପଦ୍ଧତି କାର୍ଯ୍ୟକାରୀ ହେବା ପ୍ରୟୋଜନୀୟ।
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ:୯୪୩୭୦୭୬୧୦୦

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌: ଓଡ଼ିଶାର କ୍ଲିନ ସୁଇପ୍‌

ଭୁବନେଶ୍ୱର,୧ା୨(ଅନାଦି କର): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଅସ୍ମିତା ଜାତୀୟ ରଗ୍‌ବୀ ଲିଗ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ସବ୍‌-ଜୁନିୟର ବାଳିକା(୧୫ ବର୍ଷରୁ କମ୍‌), ଜୁନିୟର ବାଳିକା…

ପରିବା ବଜାରରେ ବିବାହିତା ମହିଳାଙ୍କ ମୃତଦେହ, ଟ୍ରଲି ବ୍ୟାଗ….

ପାଟନା,୧।୨: ରବିବାର ରୋହତାସ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଦେହରି ନଗର ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ପନିପରିବା ବଜାର…

ବଜେଟକୁ ନେଇ ଲୋକେ କ’ଣ କହୁଛନ୍ତି, ଜାଣନ୍ତୁ…

ଦିଗପହଣ୍ଡି,୧।୨(ଅଶେଷ ନାଥ ମିଶ୍ର): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆଣିଥିବା ବଜେଟକୁ ନେଇ ଦିଗପହଣ୍ଡି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ପ୍ରତିକ୍ରିୟା…

ପୂର୍ବତନ ଏମ୍‌ପି ସୁଶୀଳା ତିରିଆଙ୍କ ପରଲୋକ

ବାରିପଦା,୧।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜର ପୂର୍ବତନ ଏମ୍‌ପି ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିଆଙ୍କର ରବିବାର ପରଲୋକ ଘଟିଛି। ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିବା…

ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା

ଭୁବନେଶ୍ବର,୧।୨: ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ । ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ୨୦୨୪ ମସିହାରେ…

କେନ୍ଦ୍ର ବଜେଟକୁ ନେଇ ଗର୍ଜିଲେ ଏମପି ସପ୍ତଗିରି, ପର୍ଯ୍ୟଟନ ବିକାଶରେ ଦେଓମାଳିର ସ୍ଥାନ…

ରାୟଗଡ଼ା,୧।୨(ଆଶିଷ ରଞ୍ଜନ ପଣ୍ଡା): ରବିବାର ଉପସ୍ଥାପନ ହୋଇଥିବା କେନ୍ଦ୍ରୀୟ ବଜେଟ୍ ଓଡ଼ିଶାର ଆଦିବାସୀଙ୍କୁ ଉପେକ୍ଷା କରାଯାଇଛି ବୋଲି ଟାର୍ଗେଟ କହିଛନ୍ତି ଏମପି ସପ୍ତଗିରି ଉଲାକା। କେନ୍ଦ୍ରୀୟ ବଜେଟ୍…

ହଳଦିଆପଦର ସଡ଼କ ଦୁର୍ଘଟଣା, ମୃତକଙ୍କ ପରିବାରକୁ ଭେଟିଲେ ପରିବହନ ମନ୍ତ୍ରୀ

ଦିଗପହଣ୍ଡି,୧|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ ନିକଟରେ ଶନିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା…

PCBର ଅଜବ ନିଷ୍ପତ୍ତି: T20 ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୧ା୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) 2026ଟି-20 ବିଶ୍ୱକପ ସମ୍ପର୍କରେ ଏକ ଅଜବ ନିଷ୍ପତ୍ତି ନେଇଛି। ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ପାକିସ୍ତାନ ଦଳ ଭାରତ ସହିତ ଖେଳିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri