ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲ ପରିସରରେ ଶୁକ୍ରବାର ଅପରାହ୍ନରେ ‘ନିଦାନ କେନ୍ଦ୍ର (ସେବା) ଉଦ୍ଘାଟିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହାକୁ ଉଦ୍ଘାଟନ କରି କହିଛନ୍ତି, ଏହି ନିଦାନ କେନ୍ଦ୍ରରେ ମାଗଣାରେ ୩୨ରୁ ଅଧିକ ପ୍ରକାରର ବିଭିନ୍ନ ରକ୍ତ ଓ ପାଥୋଲୋଜିକାଲ ପରୀକ୍ଷା କରାଯାଇ ରିପୋର୍ଟ ପ୍ରଦାନ କରାଯିବ । ପୂର୍ବରୁ କେବଳ ଏଲୋପ୍ୟାଥି ହସ୍ପିଟାଲଗୁଡିକରେ ନିଦାନ ସେବା କାର୍ଯ୍ୟକାରୀ କରାଯାଉଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନରେ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ରାଜ୍ୟର ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲଗୁଡିକରେ ନିଦାନ ସେବାକୁ ଏବେ ମାଗଣାରେ ଆୟୁର୍ବେଦିକ ହସ୍ପିଟାଲରୁ କାର୍ଯ୍ୟକାରୀ କରାଯାଇଛି। ଲୋକମାନେ ମଧ୍ୟ ରକ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ପାଥୋଲିଜିକାଲ
ରିପୋର୍ଟ ପାଇପାରିବେ। ଏହାଦାରା ଚିକିତ୍ସା ସେବା ଆହୁରି ପ୍ରଭାବଶାଳୀ ହେବ। ସରକାର ସବୁବେଳେ ସମସ୍ତ ଡାକ୍ତର, ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଉନ୍ନତି କଥା ଚିନ୍ତା କରୁଛନ୍ତି। ସେମାନଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ତେବେ ସେମାନେ ହେଳା ନ କରି ଲୋକଙ୍କୁ ସେବା ଯୋଗାଇବା ଦିଗରେ ଗୁରୁତ୍ୱ ଦିଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ଏହି କଲେଜର ସୁବର୍ଣ୍ଣ ଜୟନ୍ତୀ ପାଇଁ ଆଲୁମିନି ଆସୋସିଏଶନ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିଥିବାରୁ ସେ ଦିଗରେ ଆଲୁମିନି ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସରକାରୀ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ମନୋଜ କୁମାର ସାହୁ, ତା. ସୀମାଦ୍ରୀ ଭୂଷଣ ନାୟକ, ପ୍ରଫେସର ସରିତା ମହନ୍ତ, ପ୍ରଫେସର ଶିବବ୍ରତ ବେହେରା, ଡା. ବୁଦ୍ଧଦେବ ମିଶ୍ର, ତା. ଅମ୍ବୁଜ କୁମାର ବିଶ୍ୱାଳ, ଆଲୁମ୍ନି ଆସୋସିଏଶନ ସଭାପତି ଡା. ବାସୁଦେବ ପତି, ଡା. ବିପିନ ବିହାରୀ ମିଶ୍ର, ଭାଜପା ନେତା ଗୋପାଲଜୀ ପାଣିଗ୍ରାହୀ, କଲେଜର ପିଢି ଏବଂ ସ୍ନାତକ ଶ୍ରେଣୀ ଡାକ୍ତରୀ ଛାତ୍ରୀଛାତ୍ର, ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।


