Categories: ଖେଳ

ନିକୋଲ୍ସଙ୍କ ଅପରାଜିତ ଶତକ

ଓ୍ବେଲିଂଟନ, ୧୨ା୧୨ (ଏପି)-ସ୍ଥାନୀୟ ବେସିନ ରିଜର୍ଭଠାରେ ଶୁକ୍ରବାରଠାରୁ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ଉଇକେଟ ବିନିମୟରେ ୨୯୪ରନ କରିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ହେନରୀ ନିକୋଲ୍ସ ୧୧୭ରନ କରି ଅପରାଜିତ ରହିଛନ୍ତି। କିକୋଲ୍ସଙ୍କର ଏହା ହେଉଛି ୬ଷ୍ଠ ଟେଷ୍ଟ ଶତକ। ବେସିନ ରିଜର୍ଭ ଗ୍ରାଉଣ୍ଡରେ ଏହା ୧୦୦ତମ ଶତକ। ନ୍ୟୁଜିଲାଣ୍ଡର ରାଜଧାନୀ ସହରରେ ବର୍ଷା ଯୋଗୁ ବହୁ ଦିନ ଧରି ପିଚ୍‌କୁ ଘୋଡାଇ ରଖାଯାଇଥିଲା। କଭର କାଢ଼ିନେବା ପରେ ପିଚ୍‌ ଘାସୁଆ ଓ କଠିନ ଥିଲା। ଫଳରେ ଟସ୍‌ ହାରିବା ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ହେବ, ଏହା ସହଜ ହେବ ନାହିଁ ବୋଲି ତାହା ସ୍ପଷ୍ଟ ଥିଲା। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ଟସ୍‌ ଜିତିବା ପରେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଶାନନ ଗାବ୍ରିଏଲଙ୍କ ନେତୃତ୍ୱରେ ଭ୍ରମଣକାରୀ ଦଳର ବୋଲିଂ ଆକ୍ରମଣ ଜୋରଦାର ଥିଲା। ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ସେମାନେ ୩ ଉଇକେଟ ଖସାଇ ଦେଇଥିଲେ। ଏହି ୩ଜଣ ବ୍ୟାଟ୍ସମ୍ୟାନ ହେଲେ ଟମ୍‌ ବ୍ଲଣ୍ଡେଲ (୧୪), ଟମ୍‌ ଲଥାମ (୨୭) ଓ ରସ୍‌ ଟେଲର (୯)। ତେବେ ନିକୋଲ୍ସ ତାଙ୍କ ଅପରାଜିତ ଇନିଂସ ଅବସରରେ ଓ୍ବିଲ୍‌ ୟଙ୍ଗ (୪୩)ଙ୍କ ସହ ୭୦, ବି.ଜେ. ଓ୍ବାଟଲିଂଙ୍କ ସହ ୫୫ ଏବଂ ଡେରିଲ ମିଚେଲ (୪୨) ଙ୍କ ସହ ୮୩ରନ ଯୋଗ କରିଥିଲେ। ପ୍ରଥମ ଦିବସ ଖେଳ ଶେଷ ବେଳକୁ ତାଙ୍କ ସହ କାଇଲ ଜେମିସନ ୧ ରନ କରି ଅପରାଜିତ ରହିଛନ୍ତି। ଭ୍ରମଣକାରୀ ଦଳ ପକ୍ଷରୁ ସବୁଠାରୁ ସଫଳ ବୋଲର ଶାନନ ଗାବ୍ରିଏଲ୩, ଚେମର ହୋଲ୍‌ଡର ୨ ଏବଂ ଅଲଜାରି ଯୋଶେଫ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚକୁ ନ୍ୟୁଜିଲାଣ୍ଡ ଏକ ଇନିଂସ ୧୩୪ ରନରେ ଜିତିନେଇଥିଲା।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୨୯୪/୬ (ହେନ୍‌ରୀ ନିକୋଲ୍ସ-୧୧୭*, ଓ୍ବିଲ୍‌ ୟଙ୍ଗ୍‌-୪୩, ଡେରିଲ୍‌ ମିଚେଲ-୪୨, ବି.ଜେ. ଓ୍ବାଟଲିଂ-୩୦, ଶାନନ ଗାବ୍ରିଏଲ୍‌-୩/୫୭, ଚେମର ହୋଲ୍ଡର-୨/୬୫)।

Share