ଦିଗପହଣ୍ଡି, ୨୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ପାଳୁଖୋଳା ଗାଁ ନିକଟସ୍ଥ ୩୨୬ ନମ୍ବର ଜାତୀୟ ରାଜପଥରେ ବୁଧବାର ସକାଳୁ ପାହାଡ଼ି ଝରଣା ପାଣି ମାଡ଼ିଆସିବାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ନିକଟସ୍ଥ ଧାଙ୍ଗୁଡ଼ି ପାହାଡ଼ରୁ ବାହାରିଥିବା ଝରଣା ପାଣି ରାସ୍ତା ଉପରେ ପ୍ରାୟ ୨ ଫୁଟ୍ ଉଚ୍ଚରେ ପ୍ରବାହିତ ହେବା ଫଳରେ ଯାତାୟାତ ଠପ୍ ହୋଇଯାଇଥିଲା।
ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ଦେଇ ଗଜପତି, ରାୟଗଡ଼ା, କନ୍ଧମାଳ, ଜୟପୁର, କୋରାପୁଟ, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମଧ୍ୟପ୍ରଦେଶକୁ ଗାଡ଼ି ଚଳାଚଳ କରୁଥିବାରୁ, ରାସ୍ତା ଅବରୋଧ ଯୋଗୁଁ ଶହ ଶହ ଗାଡ଼ି ଅଟକି ରହି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଖବର ପାଇ ବ୍ରହ୍ମପୁର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ (NHAI) କାର୍ଯ୍ୟାଳୟର ଯନ୍ତ୍ରୀ ବୃନ୍ଦ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଏବଂ ପାଟପୁର ଥାନା ପୋଲିସ କର୍ମଚାରୀ ଅପରାହ୍ନରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ହିଟାଚି/ଜେସିବି ମେସିନ୍ ଲଗାଇ ରାସ୍ତା କଡ଼ରେ ନାଳ ଖୋଳାଯିବା ପରେ ଜମି ରହିଥିବା ପାଣି ନିଷ୍କାସିତ ହୋଇଥିଲା।
ସେହିପରି ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ରାସ୍ତାକଡ଼ରେ ପାହାଡ଼ ଧସିବା ସହ ନାଳରେ ପ୍ରବଳ ପାଣି ଆସିବାରୁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଏହାଯୋଗୁ ସ୍ଥାନୀୟ ଅଞ୍ଚଳରେ ଚଳପ୍ରଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଉପସ୍ଥିତ ରହି ବର୍ଷାଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି।