Categories: ଖେଳ

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଙ୍ଗନୁଇ,୩୦।୧୧: ସ୍ଥାନୀୟ ବେ ଓଭାଲ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ୭୨ ରନରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୨-୦ରେ ଅଗ୍ରଣୀ ହେବା ସହ ନ୍ୟୁଜିଲାଣ୍ଡ ଆଗୁଆ ସିରିଜ ହାତେଇ ନେଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଗ୍ଲେନ ଫିଲିପ୍ସଙ୍କ ଧୂଆଁଧାର ଶତକ (୧୦୮ ରନ, ୫୧ ବଲ, ୧୦ ଚୌକା, ୮ ଛକା) ସହାୟତାରେ ୩ ଉଇକେଟ ହରାଇ ୨୩୮ ରନର ବୃହତ୍‌ ସ୍କୋର ଛିଡା କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୯ ଉଇକେଟ ହରାଇ ୧୬୬ ରନରେ ସୀମିତ ରହିଥିଲା। ଫିଲିପ୍ସ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୩୯ ରନ ଟାର୍ଗେଟ୍‌ ପିଛା କରିଥିବା ଓ୍ବେଷ୍ଟଇଣ୍ଡିଜ ତରଫରୁ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର ହାସଲ କରିପାର ନ ଥିଲେ। ଦଳ ତରଫରୁ ଆନ୍ଦ୍ରେ ଫ୍ଲେଚର ୨୦, ସିମରନ ହେଟମେୟର ୨୫, କାଏଲ ମେୟର୍ସ ୨୦, ଅଧିନାୟକ କିରନ ପୋଲାର୍ଡ ୨୮, ଫାବିଆନ ଆଲେନ ୧୫, କିମୋ ପଲ ଅପରାଜିତ ୨୬ ରନ ସଂଗ୍ରହ କରିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡର କାଏଲ ଜେମିସନ ଓ ମିଚେଲ ସାଣ୍ଟନର ୨ଟି ଲେଖାଏ, ଟିମ ସୌଦି, ଲୋକି ଫର୍ଗୁସନ, ଆଇଏସ୍‌ ସୋଧୀ ଓ ଜେମ୍ସ ନିଶାମ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ତରଫରୁ ଫିଲିପ୍ସଙ୍କ ଶତକକୁ ବାଦ୍‌ ଦେଲେ ଡେଭୋନ କନ୍‌ଓ୍ବେ ଅପରାଜିତ ୬୫ (୩୭ ବଲ, ୪ ଚୌକା, ୪ ଛକା), ମାର୍ଟିନ ଗୁପ୍ଟିଲ ୩୪ ଓ ଟିମ ସିଫର୍ଟ ୧୮ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ୍‌ ତରଫରୁ ଓସେନ ଥୋମାସ, ଫାବିଆନ ଆଲେନ ଓ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ନ୍ୟୁଜିଲାଣ୍ଡ ୨୦ ଓଭରରେ ୨୩୮/୩ (ଫିଲିପ୍ସ- ୧୦୮, କନଓ୍ବେ- ୬୫, ଗୁପ୍ଟିଲ- ୩୪, ଥୋମାସ- ୧/୪୪, ଆଲେନ- ୧/୩୫, ପୋଲାର୍ଡ- ୧/୩୩)।
ଓ୍ବେଷ୍ଟଇଣ୍ଡିଜ ୨୦ ଓଭରରେ ୧୬୬/୯(ପୋଲାର୍ଡ- ୨୮, ହେଟମେୟର- ୨୫, କିମୋ ପଲ- ୨୬*, ଫ୍ଲେଚର- ୨୦, ମେୟର୍ସ- ୨୦, ଜେମିସନ- ୨/୧୫, ସାଣ୍ଟନର- ୨/୪୧)।

Share