Categories: ଖେଳ

ଇନିଂସ ବିଜୟର ନିକଟତର ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୪ା୧୨ (ଏପି)-ସ୍ଥାନୀୟ ରିଜର୍ଭ ବେସିନଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଇନିଂସ ବିଜୟ ନିକଟତର ହୋଇଛି। ରବିବାର ଥିଲା ମ୍ୟାଚର ତୃତୀୟ ଦିବସ। ଫଲୋଅନ ହେବା ପରେ ଭ୍ରମଣକାରୀ ଦଳ ତୃତୀୟ ଦିବସ ଖେଳ ଶେଷବେଳକୁ ଏହାର ଦ୍ୱିତୀୟ ଇନିଂସରେ ୬ଉଇକେଟ ବିନିମୟରେ ୨୪୪ ରନ କରିଛି। ବ୍ୟାଡ୍‌ଲାଇଟ୍‌ ଯୋଗୁ ରବିବାର ଖେଳ ଆଗୁଆ ଶେଷ ହୋଇଥିଲା। ପ୍ରଥମ ଇନିଂସରେ ୩୨୯ ରନ ପଛୁଆ ରହି ଫଲୋଅନ୍‌ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଘରୋଇ ଦଳଠାରୁ ଆହୁରି ୮୫ରନ ପଛରେ ରହିଛି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ୬୦ ରନ କରି ଅପରାଜିତ ରହିଛନ୍ତି। ଜାସନ ଏବଂ ଜୋସୁଆ ଡା’ସିଲ୍‌ଭା ୭ମ ଉଇକେଟରେ ଅପରାଜିତ ୭୪ରନ ଯୋଗ କରି ନ୍ୟୁଜିଲାଣ୍ଡ ବିଜୟରେ ବିଳମ୍ବ ଘଟାଇଛନ୍ତି। ସକାଳେ ଓ୍ବେଷ୍ଟଇଣ୍ଡିଜ ଏହାର ପ୍ରଥମ ଇନିଂସ ଅସମାପ୍ତ ସ୍କୋର ୧୨୪/୮ରୁ ଖେଳ ଆରମ୍ଭ କରିଥିଲା। ଆଉ ମାତ୍ର ୪ ରନ ଯୋଗ କରି ୧୩୧ରନରେ ଅଲ୍‌ ଆଉଟ ସହ ଫଲୋଅନ ହୋଇଯାଇଥିଲା। ସିରିଜରେ ଓ୍ବେଷ୍ଟଇଣ୍ଡିଜର ଟପ୍‌ଅର୍ଡର ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ଭ୍ରମଣକାରୀ ଦଳ ୪ଟି ଇନିଂସରେ ଏପର୍ଯ୍ୟନ୍ତ ୨୫୦ ଅତିକ୍ରମ କରିପାରି ନାହିଁ। ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡର ୫୧୯/୭ ସ୍କୋର ଜବାବରେ ସେମାନେ ୧୩୮ ଓ ୨୪୭ ରନ କରିପାରିଥିଲେ। ଦ୍ୱିତୀୟ ଟେଷ୍ଟରେ ବିଜୟ ଲାଭ କଲେ ନ୍ୟୁଜିଲାଣ୍ଡ ଟେଷ୍ଟ ଚାମ୍ପିୟନଶିପ୍‌ରେ ଇଂଲଣ୍ଡ ଉପରେ ତୃତୀୟ ସ୍ଥାନ ଦଖଲ କରିନେବ। ପୁନଶ୍ଚ ପ୍ରଥମ ଥର ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧ ନମ୍ବର ସ୍ଥାନ ଅଧିକାର କରିନେଇପାରେ। ସିରିଜରେ ସଫଳତା ପଛରେ କାଇଲ ଜେମିସନ, ଟିମ୍‌ ସୌଦି, ଟ୍ରେଣ୍ଟ ବୋଲ୍ଟ ଓ ନିଲ୍‌ ଓ୍ବାଗନରଙ୍କୁ ନେଇ ନ୍ୟୁଜିଲାଣ୍ଡର ପେସ୍‌ ବାହାନୀର ବିଶେଷ ଭୂମିକା ରହିଛି।
ସଂକ୍ଷିପ୍ତ ସ୍କୋର
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ: ୪୬୦
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ: ୧୩୧
ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଇନିଂସ: ୨୪୪/୬ (ଜନ୍‌ କ୍ୟାମ୍ପବେଲ୍‌-୬୮, ଜାସନ ହୋଲ୍‌ଡର-୬୦*, ଟ୍ରେଣ୍ଟ ବୋଲ୍ଟ-୩/୭୫, କାଇଲ ଜେମିସନ-୨/୪୩)।

Share