ମ୍ୟାଲେରିଆ ଚିହ୍ନିବାକୁ ନୂଆ ଉପାୟ

କାନବେରା, ୧୨।୧୨ : ବିଶ୍ୱବ୍ୟାପୀ ପ୍ରତିବର୍ଷ ମ୍ୟାଲେରିଆରେ ଅନେକ ହଜାର ଲୋକ ପ୍ରାଣ ହରାଉଛନ୍ତି। ବହୁ ସମୟରେ ଉପଯୁକ୍ତ ନିଦାନ ଅଭାବ ଯୋଗୁ ସଂକ୍ରମିତ ବ୍ୟକ୍ତି ପ୍ରକୃତ ଚିକିତ୍ସାରୁ ବଞ୍ଚତ୍ତ ହୋଇଥାନ୍ତି। ଏହି ଅସୁବିଧା ଦୂର କରିବା ପାଇଁ ଅଷ୍ଟ୍ରେଲୀୟ ବୈଜ୍ଞାନିକମାନେ ମ୍ୟାଲେରିଆ ଚିହ୍ନଟର ଏକ ନୂଆ ଉପାୟ ବାହାର କରିଛନ୍ତି। ପିଏନ୍‌ଏଏସ୍‌ ନେକ୍ସସ୍‌ରେ ପ୍ରକାଶିତ ଗବେଷଣା ମୂଳକ ନିବନ୍ଧ ଅନୁଯାୟୀ ୟୁକ୍ୟୁଜ୍‌ ସ୍କୁଲ ଅଫ୍‌ ବାୟୋଲୋଜିକାଲ ସାଇନ୍ସର ଗବେଷକଙ୍କ ଦ୍ୱାରା ଉଦ୍ଭାବିତ ମ୍ୟାଲେରିଆ ଡାଇଗ୍ନୋଷ୍ଟିକ୍‌ ଟେକ୍ନୋଲୋଜିରେ ଜଣଙ୍କୁ ଭୂତାଣୁ ସଂକ୍ରମିତ କରିଚି କି ନାହିଁ ତାହା ଛୁଞ୍ଚି ବ୍ୟବହାର ନ କରି ଜାଣିହେବ।

ମ୍ୟାଲେରିଆ ଟେଷ୍ଟ ପାଇଁ ରକ୍ତର ନମୁନା ନେବାକୁ ପଡ଼ିଥାଏ। କିନ୍ତୁ ଏହି ବୈଜ୍ଞାନିକମାନେ ବ୍ୟବହାର କରୁଥିବା ଉପକରଣରୁ ଏକ ଇନ୍‌ଫ୍ରାରେଡ୍‌ ଲାଇଟ୍‌ ବାହାରୁଚି, ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କ କାନ ବା ଅଙ୍ଗୁଳିରେ ପଡ଼ିବାରୁ ୫ରୁ ୧୦ ସେକେଣ୍ଡ ମଧ୍ୟରେ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଲକ୍ଷଣ ଧରି ନେଉଛି। ସେହି ତଥ୍ୟକୁ କମ୍ପ୍ୟୁଟର ଆଲୋରିଥିମ୍‌ରେ ବ୍ୟବହାର କରି ମ୍ୟାଲେରିଆରେ ସଂକ୍ରମିତ କି ନୁହନ୍ତି ସ୍ପଷ୍ଟ ହେଉଛି। ଏହି ଟେକ୍ନୋଲୋଜି ସାରା ବିଶ୍ୱରେ ମ୍ୟାଲେରିଆ ନିରୋଧୀ ଅଭିଯାନକୁ ବଳ ଯୋଗାଇବ ବୋଲି ଅନ୍ତର୍ଜାତୀୟ ଟିମ୍‌ର ନେତୃତ୍ୱ ନେଉଥିବା ଡା. ମେଗି ଲର୍ଡ କହିଛନ୍ତି।

ସ୍ବାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ୨୦୨୦ରେ ୨୪୧ ନିୟୁତ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା ଏହି ଭୂତାଣୁ। ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଉପସାହାରୀୟ ଆଫ୍ରିକାର, ଯେଉଁଠି ୯୦% ମୃତ୍ୟୁ ୫ ବର୍ଷରୁ କମ୍‌ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଲକ୍ଷଣବିହୀନ ଲୋକେ ନିର୍ଦ୍ୱନ୍ଦ୍ୱରେ ଅନ୍ୟମାନଙ୍କ ସହ ମିଳାମିଶା କରୁଥିବାରୁ ଏହି ରୋଗର ନିରାକରଣ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ନୂଆ ଟେକ୍ନୋଲଜି ଜରିଆରେ ସହଜ ଓ ସୁବିଧାରେ ସଂକ୍ରମିତମାନେ ବାରି ହୋଇଯିବେ।

Share