ବିଶ୍ୱରେ ସରକାରୀ ସଂସ୍ଥା ବା ବ୍ୟବସ୍ଥାଗୁଡ଼ିକ ଏବେ ସଙ୍କଟରେ। ସେଗୁଡ଼ିକ ପ୍ରତି ବିଶ୍ୱାସ କମିବାରେ ଲାଗିଛି। ପାଣ୍ଠି ହ୍ରାସ ଓ ଭୂରାଜନୈତିକ ବିଭାଜନ ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ପୂର୍ବାପେକ୍ଷା ଦୁର୍ବଳ ହେଉଥିବା ଦେଖାଯାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରଶାସନ ବିଶ୍ୱର ଅତି ଧନୀ ଏଲନ ମସ୍କ ମିଳିତ ଭାବେ କାମ କରି ୟୁଏସ୍ଏଆଇଡି ହ୍ରାସ କରିବା ସହ ଶିକ୍ଷା ବିଭାଗକୁ ହଟାଇ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହା ଏକ ଖରାପ ଯୋଜନା ଏବଂ ଏହାର ବିପରିତ ପ୍ରଭାବ ପଡ଼ିପାରେ। କିନ୍ତୁ ସେମାନେ ଆମକୁ ମନେପକାଇ ଦେଉଛନ୍ତି ଯେ, ଅର୍ଦ୍ଧଶତାବ୍ଦୀ ପୂର୍ବର ସରକାରୀ ସଂସ୍ଥା ବା ନୀତିଗୁଡ଼ିକ ଏବେ ସେମିତି ରହିବାର କୌଣସି କାରଣ ନାହିଁ। କିନ୍ତୁ ବିଶ୍ୱରେ ଏବେକାର ସଂସ୍ଥାଗୁଡ଼ିକର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପର ଅଭାବ ଦେଖାଯାଉଛି।
ମାନବତା ସମ୍ମୁଖରେ ଅନେକ ଆହ୍ବାନ ରହିଛି। ସେଗୁଡ଼ିକ ମଧ୍ୟରୁ କେତେକକୁ ଯଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ପ୍ରସ୍ତୁତ ଏବଂ ମାନସିକ ସ୍ବାସ୍ଥ୍ୟର ସମାଧାନ କରିବା ଠାରୁ ଆରମ୍ଭ କରି ସବୁଜ ଶକ୍ତିକୁ ପରିବର୍ତ୍ତନ ହେବାର ପରିଚାଳନା ଓ ଶିଳ୍ପନୀତି ପର୍ଯ୍ୟନ୍ତ, ବିନା ସଂସ୍ଥାରେ ଭଲ ଭାବେ ନିୟନ୍ତ୍ରଣ କରାଯାଇପାରେ। କିନ୍ତୁ ଏବେ ମନ୍ତ୍ରଣାଳୟ, ଏଜେନ୍ସି, କମିଶନ, ସରକାରୀ ସେବା ଏବଂ ନିୟାମକଗୁଡ଼ିକ ବହୁ ସମୟରେ ଏହି ସବୁ ଆବଶ୍ୟକତାକୁ ପୂରଣ କରିବାରେ ଦୁର୍ବଳ ଥିବା ଦେଖାଯାଏ। ଏଣୁ ବିକଳ୍ପ ସୃଷ୍ଟି ହେବା ଉଚିତ। ସରକାର ଆଇନ ଲାଗୁ କରିବା, ପିଲାଙ୍କୁ ଶିକ୍ଷାଦେବା, ଟିକସ ସଂଗ୍ରହ କରିବା କିମ୍ବା ସୁରକ୍ଷା ଯୋଗାଇବା ଭଳି କାର୍ଯ୍ୟ ପାଇଁ ସଂସ୍ଥାଗୁଡ଼ିକ ଉପରେ ନିର୍ଭରଶୀଳ। ଅନେକ ସମୟରେ ସେମାନେ ନୂଆ କାମ ଯଥା କାର୍ବନ ଡାଇଅକ୍ସାଇଡ ନିର୍ଗମନ ହ୍ରାସ କରିବା କିମ୍ବା ଯୋଜନାବଦ୍ଧ ଅପରାଧ ବିରୋଧରେ ଲଢ଼ିବା ପାଇଁ ମଧ୍ୟ ନୂଆ ସଂସ୍ଥା ସୃଷ୍ଟି କରୁଛନ୍ତି। ସଂସ୍ଥାକୁ ପାଣ୍ଠି ଯୋଗାଣ ହ୍ରାସ ଓ ସେଗୁଡ଼ିର କ୍ଷତି କରାଯାଉଥିବାବେଳେ ସଂସ୍କାରକମାନେ ସେଗୁଡ଼ିକର ଦକ୍ଷତା ବୃଦ୍ଧି କରିବା ସହ ସେସବୁ ପ୍ରତି ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଅଧିକ ନୂଆ ସାଧନ ଓ ପ୍ରଯୁକ୍ତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେବା ଉଚିତ। କିନ୍ତୁ ୨୦-୩୦ ବର୍ଷ ପୂର୍ବ ତୁଳନାରେ ଏବେ ସଂସ୍ଥା ଗଠନ କରିବା ସମ୍ପୂର୍ଣ୍ଣ ଭିନ୍ନ। ଅଲଫାବେଟ, ବାଇଟ୍ଡାନ୍ସ, ଆମାଜନ ଏବଂ ଆଲିବାବା ଭଳି ବିଶ୍ୱସ୍ତରୀୟ ବ୍ୟବସାୟିକ ସଂସ୍ଥାଗୁଡ଼ିକ ମୌଳିକ ରୂପରେ ଏକ ନୂଆ ବିଜ୍ନେସ ମଡେଲ ଆରମ୍ଭ କରିଛନ୍ତି ଓ ଅର୍ଥ ବ୍ୟବସ୍ଥାଗୁଡ଼ିକରେ ଅପ୍ରତ୍ୟାଶିତ ବୃଦ୍ଧି କରିଛନ୍ତି। ପାଖାପାଖି ୩୦ ବର୍ଷ ପୂର୍ବେ କେହି ଚିନ୍ତା କରିଥିବେ କି, କୌଣସି ଟ୍ୟାକ୍ସିର ମାଲିକ ନ ହୋଇ ଉବର କିମ୍ବା ଗ୍ରାବ ଭଳି କମ୍ପାନୀଗୁଡ଼ିକ ଟ୍ୟାକ୍ସି ସେବା ଯୋଗାଇ ଦେବେ। ଏହି ସମୟରେ ସିଭିଲ ସୋସାଇଟି ମଧ୍ୟ ଓ୍ବିକିପିଡ଼ିଆ, ଉଷାହିଦି (ଡେଟା କ୍ରାଉଡ ସୋର୍ସିଂ) ଏବଂ ବୁର୍ଚଜୋର୍ଗ (ହୋମ୍ କେୟାର) ଭଳି ଏକ ନୂଆ ମଡେଲ ବିକାଶ କରିଛି। ଏହାବ୍ୟତୀତ ସରକାରୀ – ବେସରକାରୀ ଭାଗୀଦାରିରେ ଅନେକ ନୂଆ ବ୍ୟବସ୍ଥା ସହ ଅନେକ ହଜାର ବି- କର୍ପ୍ସ (ବ୍ରାଜିଲରେ ନେଚୁରା ଭଳି) ଅଛି, ଯାହାକୁ ସାମାଜିକ ଓ ପରିବେଶଗତ ନୀତିଗୁଡ଼ିକ ମାର୍ଗଦର୍ଶନ କରୁଛନ୍ତି।
ଏହା ବ୍ୟତୀତ ସରକାରୀ କ୍ଷେତ୍ର ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରାଯାଇସାରିଛି। ୨୦୦୯ରେ ଭାରତର ଆଧାର ଯୋଜନା ଆରମ୍ଭ ହେବା ପରଠାରୁ ଏହା ୧୦୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ବାୟୋମେଟ୍ରିକ ଆଇଡି ଓ ବ୍ୟାପକ ବିତ୍ତୀୟ ସେବା ଯୋଗାଇଦେବାରେ ସାହାଯ୍ୟ କରିଛି। ବିଗତ ଦଶନ୍ଧିରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନୀତି ‘ଅଧିକ ଶାସନ ଓ କମ୍ ସରକାର’ ଲାଗୁ କରି ଆସିଥିବାବେଳେ ୨୦୧୧ରେ ଚାଇନା ପ୍ରଥମେ ସାଇବର ସ୍ପେସ୍ ଆଡ୍ମିନିଷ୍ଟ୍ରେସନ ସୃଷ୍ଟି କରିଥିଲା ଏବଂ ଏହାର ଗଭର୍ନମେଣ୍ଟ ଗାଇଡାନ୍ସ ଫଣ୍ଡ୍ ୨୦୦୨ରୁ ନୂଆ ପ୍ରଯୁକ୍ତି ପାଇଁ ଅନେକ ଟ୍ରିଲିୟନ ଡଲାର ଯୋଗାଡ଼ କରିପାରିଛି। କିନ୍ତୁ ବିଶ୍ୱର ଅଧିକାଂଶ ଦେଶରେ ସରକାରୀ ସଂସ୍ଥାଗୁଡ଼ିକର କ୍ୱେଚିତ ପରିବର୍ତ୍ତନ କରାଯାଇଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଏକ ଶତାବ୍ଦୀ ପୂର୍ବରୁ ଯେମିତି ଥିଲେ ଏବେ ମଧ୍ୟ ସେମିତି ଚାଲିଛି ଏବଂ ବହୁ ସମୟରେ ଏସବୁ ଉତ୍ତରଦାୟୀ ହେଉ ନ ଥିବା ଦେଖାଯାଏ। ଏବେ ଯେତେବେଳେ ନୂଆ ସଂସ୍ଥା ସୃଷ୍ଟି କରାଯାଉଛି ସେଗୁଡ଼ିକ ସାଧାରଣତଃ ବରିଷ୍ଠ ରାଜନେତା କିମ୍ବା ସିଭିଲ ସର୍ଭାଣ୍ଟଙ୍କ କମିଟି ଦ୍ୱାରା ଗଠନ କରାଯାଉଛି ଏବଂ ଏଗୁଡ଼ିକ ଅନ୍ୟମାନଙ୍କଠାରୁ ଭିନ୍ନ ରହୁଛି। ଏସବୁରେ ପଦାନୁକ୍ରମିକ ବ୍ୟବସ୍ଥା ରହିବା ସହ ଅପରିବର୍ତ୍ତନୀୟ ରହୁଛି।
ଏଆଇ ଆରମ୍ଭ ହେବା ପରଠାରୁ ୨୦ ବର୍ଷ ହେଲା ଏହାକୁ ବ୍ୟାପକ ଭାବେ ସରକାରୀ ସେବା (ଆଇନ ଗଠନ ଓ ସ୍ବାସ୍ଥ୍ୟସେବା ସମେତ)ଗୁଡ଼ିକରେ ଏବଂ ଅନେକ ଘରୋଇ (କ୍ରେଡିଟ ସ୍କୋରିଂ ଓ ସର୍ଚ୍ଚ ଇଞ୍ଜିନ)ରେ ବ୍ୟବହାର କରାଯାଉଛି ।
କିନ୍ତୁ ଏବେ ବିଶ୍ୱରେ ସରକାରୀ ସେବାରେ ଅଧିକ ସଫଳତା ହାସଲ କରିବାଠାରୁ ଆରମ୍ଭ କରି ନିର୍ଯାତନା ହ୍ରାସ କରିବାରେ ନିୟାମକର ସୁପରିଚାଳନା ପାଇଁ ଅନେକ ସଂସ୍ଥା ସୃଷ୍ଟି କରିବା ଆରମ୍ଭ ହୋଇଛି। ଟେକ୍ନୋଲୋଜି ସହିତ ଜଡ଼ିତ ସୁଯୋଗ ଓ ବିପଦ ସମ୍ପର୍କିତ ବୈଶ୍ୱିକ ଜ୍ଞାନ ଏକତ୍ରିତ କରିବା ଲାଗି ଆନ୍ତର୍ଜାତିକ ସଂସ୍ଥାସବୁ ଗଠନ କରାଯାଉଛି। ମାଇକ୍ରୋସଫ୍ଟର ମୁଖ୍ୟ ଅର୍ଥନୀତିଜ୍ଞ ମାଇକେଲ ସ୍କଓ୍ବାର୍ଜ ୨୦୨୩ରେ କହିଥିଲେ ଯେ, ଆମେ ଏଆଇ କ୍ଷେତ୍ରରେ ଘଟୁଥିବା କ୍ଷତିକୁ ଅନୁଧ୍ୟାନ ନ କରିବା ପର୍ଯ୍ୟନ୍ତ ଏହାକୁ ସଞ୍ଚାଳିତ କରିବା ଉଚିତ ନୁହେଁ। ଦେଖିବାକୁ ଗଲେ ଏହିସବୁ ଯୁକ୍ତି ସ୍ପଷ୍ଟ ଭାବେ ଘରୋଇ ସ୍ବାର୍ଥ ପାଇଁ ଉପଯୋଗୀ। କିନ୍ତୁ ସରକାରୀ ସଂସ୍ଥାଗୁଡ଼ିକର କାମ ହେଉଛି ଲୋକଙ୍କ ସ୍ବାର୍ଥ । ୨୦୨୪ ଅର୍ଥନୀତି ନୋବେଲ ବିଜେତା ଅର୍ଥନୀତିଜ୍ଞ ଡାରୋନ ଆକେମୋଗ୍ଲୁ ଓ ଅନ୍ୟମାନଙ୍କ ମତରେ, କାହିଁକି କେତେକ ଦେଶ ଅତ୍ୟଧିକ ସମୃଦ୍ଧି ଲାଭ କରୁଛନ୍ତି ତାହା ସଂସ୍ଥାଗୁଡ଼ିକ ହିଁ ନିଶ୍ଚିତ କରନ୍ତି। ତଥାପି ସିଙ୍ଗାପୋରରେ ସେଣ୍ଟ୍ରାଲ ପ୍ରୋଭିଡେଣ୍ଟ ଫଣ୍ଡ୍ ଏବଂ ଟିମାସେକ, ବ୍ରାଜିଲର ସାମାଜିକ ବିକାଶ ମନ୍ତ୍ରଣାଳୟ, ଆମେରିକାର ଡିଫେନ୍ସ ଆଡ୍ଭାନ୍ସଡ୍ ରିସର୍ଚ୍ଚ ପ୍ରୋଜେକ୍ଟ ଏଜେନ୍ସି (ଡିଏଆର୍ପିଏ) ଏବଂ ଦକ୍ଷିଣ ଆଫ୍ରିକାର ଡେଭଲପ୍ମେଣ୍ଟ ବ୍ୟାଙ୍କର ସଫଳତା ପ୍ରଶଂସନୀୟ। ଏବେକାର ସମୟରେ ଏଭଳି ସମାନ ପ୍ରକାର ସଂସ୍ଥା ଗଠନ କରିବାର ଆବଶ୍ୟକତା ରହିଛି।
ତେବେ ସହଜ ଓ ସରଳରେ ଚାଲିବା ଭଳି ତଥା ବିଶ୍ୱାସଯୋଗ୍ୟ ସଂସ୍ଥା ଗଠନ ପାଇଁ କ’ଣ କରିବାକୁ ହେବ? ଅଧିକାଂଶ ଏଆଇ, ଡେଟା ଏବଂ ସାମଗ୍ରିକ ବୁଦ୍ଧିମତ୍ତା (ଯାହା ଜଳବାୟୁ ବିଜ୍ଞାନ କ୍ଷେତ୍ରରେ ଆଇପିସିସି କରୁଛି) ପ୍ରସ୍ତୁତ କରିବା ଲାଗି ସବୁଠୁ ଭଲ ଡିଜାଇନ କ’ଣ ହେବ? ଆମେ ଇକାରୁସର ସଫଳତା ସୃଷ୍ଟିି କରିପାରିବା କି, ଯାହା ପୃଥିବୀରେ ପ୍ରାଣୀଙ୍କ ସଂଖ୍ୟା ଓ ସ୍ଥିତିକୁ ଜାଣିବାରେ ଆମକୁ ସାହାଯ୍ୟ କରିବା ପାଇଁ ପ୍ରାଣୀ ଇଣ୍ଟରନେଟ ଗଠନ କରିବାରେ ସାଟେଲାଇଟ ଟେକ୍ନୋଲୋଜି ବ୍ୟବହାର କରୁଛି। ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଭଳି ବୈଶ୍ୱିକ ସଂସ୍ଥାଗୁଡ଼ିକ ଏହିସବୁ ପ୍ରଶ୍ନ ଉପରେ ଗୁରୁତ୍ୱ ଦେଇଛନ୍ତି। ମାର୍ଚ୍ଚ ଶେଷ ବେଳକୁ ହେବାକୁ ଥିବା ଏହାର ଇସ୍ତାନବୁଲ ଇନୋଭେସନ ଡେ‘ଜ୍ ସମ୍ମିଳନୀରେ ବିଶେଷକରି ସଂସ୍ଥାଗୁଡ଼ିକ କିଭଳି ଭଲ ଭାବରେ କାମ କରିବେ ତାହାର ନୂଆ ପଦ୍ଧତିି ଆରମ୍ଭ କରିଥିବା ଆବିଷ୍କାରକଙ୍କୁ ସାମ୍ନାକୁ ଆଣିବ। ଏହ ଆବିଷ୍କାରକମାନେ ସୂକ୍ଷ୍ମ ପଦ୍ଧତିସବୁ ଡିଜାଇନ କରୁଛନ୍ତି, ଯାହା ସଙ୍କଟ ସମୟରେ ଦ୍ରୁତଗତିରେ କାମ କରିପାରିବ।
ତେବେ ମିଥ୍ୟା ତଥ୍ୟ ଓ ନିର୍ବାଚନ ବାଧାରୁ ସୁରକ୍ଷା, ସହରରେ ସବୁଜ ଶକ୍ତିକୁ ପରିବର୍ତ୍ତନ ସକାଶେ ପାଣ୍ଠି ଯୋଗାଡ଼, ଆଦିବାସୀଙ୍କୁ ସଶକ୍ତ କରିବା, ବିପର୍ଯ୍ୟୟ ଓ ଅନିଶ୍ଚିତ ସମୟରେ ଶ୍ରମ ବଜାରକୁ ଆଗକୁ ବଢ଼ାଇବାରେ ଯୁବକଙ୍କୁ ସାହାଯ୍ୟ କରିବା ସକାଶେ ନୂଆ ସଂସ୍ଥାସବୁ ଗଠନ ଜାରି ରହିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏଥିରେ ଥିବା ଆହ୍ବାନଗୁଡ଼ିକ ସମ୍ପର୍କରେ ୨୦୨୩ରେ ଭଲ ଭାବେ ଦର୍ଶାଇଥିଲେ। ସେ କହିଥିଲେ, ସଂସ୍ଥାଗୁଡ଼ିକ ନିଜକୁ ବିଶ୍ୱସ୍ତରରେ ଠିକ୍ ଭାବେ ପ୍ରତିପାଦିତ କରି ନ ପାରିଲେ ଆମେ ସମସ୍ୟାକୁ ପ୍ରଭାବୀ ଢଙ୍ଗରେ ସମାଧାନ କରିପାରିବା ନାହିଁ। ସମସ୍ୟା ସମାଧନ ହେବା ପରିବର୍ତ୍ତେ ବିପଦ ଅଧିକ ବଢ଼ିଯିବ। ସଂସ୍ଥାଗୁଡ଼ିକୁ ଆମେ ଘର ଭଳି ଗଢୁ। କିନ୍ତୁ ସେସବୁ ସୂକ୍ଷ୍ମଭାବରେ ଆମକୁ ପ୍ରଭାବିତ କରିଥାନ୍ତି। ତେବେ ତାହାକୁ ଆମେ କିଭଳି ପରିଚାଳନା କରିବା? ଆମେ ଏକ ଭଙ୍ଗାଗଢ଼ା, ବ୍ୟାଘାତପୂର୍ଣ୍ଣ ତଥା ଅବ୍ୟବସ୍ଥିତ ଯୁଗରେ ରହିଥାଇପାରୁ, କିନ୍ତୁ ଇତିହାସ ସୂଚାଇ ଦେଉଛି ଯେ, ଏଭଳି ପରିବେଶ ପୁନର୍ଗଠନ ଓ ପୁନଃ ଉଦ୍ଭାବନକୁ କ୍ରମଶଃ ବାଟ ଦେଖାଇଛି। ତେବେ ସେହି ସମୟ ଆସିବା ପୂର୍ବରୁ ଆମକୁ ଉତ୍ତମ ବିକଳ୍ପ ଅନୁସନ୍ଧାନ କରିବାକୁ ହେବ।
ଜେଫ୍ ମୁଲଗାନ
ପ୍ରଫେସର, ୟୁନିଭର୍ସିଟି କଲେଜ, ଲଣ୍ଡନ


