ସମ୍ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଏଚ୍.ୱାନ୍.ବି ଭିସା ଦେୟ ବୃଦ୍ଧି କରିଛି। ଅଚାନକ ଏହି ଦେୟ ଦେଢ଼ ହଜାର ଆମେରିକୀୟ ଡଲାରରୁ ଏକ ଲକ୍ଷ ଆମେରିକୀୟ ଡଲାରକୁ ବୃଦ୍ଧି କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅନେକେ ଏହାକୁ ଭାରତୀୟ ସୂଚନା ପ୍ରଯୁକ୍ତି ବୃତ୍ତିଜୀବୀ ଓ କମ୍ପାନୀମାନଙ୍କ ପାଇଁ ବିପରୀତ ଭାବେ ଦେଖୁଛନ୍ତି। କିନ୍ତୁ ବାସ୍ତବରେ ଏହା ବିପଦ ନୁହେଁ ବରଂ ଭାରତ ପାଇଁ ନୂତନ ସୁଯୋଗ। ଏପରିକି ଏହି ଦେୟ ବୃଦ୍ଧି ପାଇଁ ଭାରତର ବିରୋଧୀ ଦଳଗୁଡିକ କେନ୍ଦ୍ର ସରକାରଙ୍କ ବିଫଳ ବିଦେଶ ନୀତି ଦାୟୀ ବୋଲି କହୁଛନ୍ତି।
ଏଚ୍.ୱାନ୍.ବି ଭିଜା କ’ଣ? ଏଚ୍.ୱାନ୍.ବି ଭିଜା ହେଉଛି ଯୁକ୍ତରାଷ୍ଟ୍ର ସରକାରଙ୍କ ଅଣ-ପ୍ରବାସୀ ଭିଜା କାର୍ଯ୍ୟକ୍ରମ, ଯାହା ମାଧ୍ୟମରେ ଆମେରିକୀୟ କମ୍ପାନୀମାନେ ବିଦେଶୀ ଦକ୍ଷ ପେସାଜୀବୀଙ୍କୁ ନିଯୁକ୍ତ କରନ୍ତି। ବିଶେଷତଃ ସୂଚନା ପ୍ରଯୁକ୍ତି କ୍ଷେତ୍ର, ପ୍ରଯୁକ୍ତିବିଦ୍ୟା କ୍ଷେତ୍ର, ଅଟୋମୋଟିଭ ଶିଳ୍ପ, ଆର୍ଥିକ ପରାମର୍ଶ, ଚିକିତ୍ସା ସେବା କ୍ଷେତ୍ର ଭଳି କ୍ଷେତ୍ରରେ ଏହାର ବ୍ୟବହାର ଅଧିକ ହୁଏ। ଏହି ଭିଜାଧାରୀମାନେ ସାଧାରଣତଃ ତିନି ବର୍ଷ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ରରେ ରହି କାମ କରିପାରନ୍ତି, ଯାହାକୁ ପରେ ସର୍ବାଧିକ ୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଆମେରିକାର ଶ୍ରମ ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ଭିଜାଧାରୀଙ୍କ ବାର୍ଷିକ ସର୍ବନିମ୍ନ ବେତନ ଷାଠିଏ ହଜାର ଆମେରିକୀୟ ଡଲାର ରହିଛି। ନିକଟ ଅତୀତରେ ଏହାକୁ ଦେଢ଼ଲକ୍ଷ ଡଲାରକୁ ବୃଦ୍ଧି କରିବାକୁ ଯୋଜନା ହେଉଛି। ଏହି ଭିଜାର ଅନ୍ୟ ସୁବିଧାଗୁଡିକ ଯେପରିକି ଗ୍ରୀନକାର୍ଡ ଆବେଦନ, ଜୀବନସାଥୀଙ୍କୁ ଆମେରିକାରେ କାର୍ଯ୍ୟ କରିବାକୁ ଅନୁମତି ଇତ୍ୟାଦି ଏହାକୁ ଅଧିକ ଲୋକପ୍ରିୟ କରିଥିଲା। ଏହା ପ୍ରକୃତରେ ଅସ୍ଥାୟୀ ରୂପେ କୁଶଳୀ କର୍ମଚାରୀଙ୍କୁ ବିଦେଶରୁ ଆଣି ଉଚ୍ଚ କୁଶଳୀ କ୍ଷେତ୍ରଗୁଡିକରେ ଆମେରିକୀୟ ବୃତ୍ତିଜୀବୀଙ୍କୁ ସାହାଯ୍ୟ କରିବା ପାଇଁ ସୃଷ୍ଟି କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନୀଗୁଡିକ ନିଜ ଲାଭ ପାଇଁ କମ୍ ଦରମାରେ ଅର୍ଦ୍ଧକୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି କରି ଆମେରିକୀୟ କୁଶଳୀ କର୍ମଚାରୀଙ୍କର ବିକଳ୍ପ ରୂପେ ବ୍ୟବହାର କରୁଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଲା। ଫଳ ସ୍ବରୂପ ପ୍ରବାସୀଙ୍କ ବିରୋଧରେ ଏକ ବାତାବରଣ ସୃଷ୍ଟି ହୋଇ କଠୋର ନିୟମ ଆଣିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି ହେଲା।
ବିଷୟଟିକୁ ଆଲୋଚନା କଲେ ସ୍ପଷ୍ଟ ହୁଏ ଯେ ଏହା ଆମ ପାଇଁ ବାଧା ନୁହେଁ, ବରଂ ସୁଯୋଗର ଦ୍ୱାର ଖୋଲିଦେଇଛି। ଡଲାର-ଟଙ୍କାର ଉଚ୍ଚ ବିନିମୟ ମୂଲ୍ୟ ହିଁ ବିଦେଶୀ କମ୍ପାନୀଗୁଡିକ ଭାରତୀୟ ପ୍ରତିଭାଙ୍କୁ ଅଗ୍ରାଧିକାର ଦେବାର ପ୍ରକୃତ କାରଣ। ଏହି ଉଚ୍ଚ ବିନିମୟ ମୂଲ୍ୟ ଲୋଭରେ ଭାରତରୁ ଅନ୍ୟ ଦେଶକୁ ଚାଲିଯାଉଥିବା କୁଶଳୀମାନେ ପରୋକ୍ଷରେ ଅନ୍ୟ ଦେଶର ଆର୍ଥିକ, ସାମାଜିକ ତଥା ଉଦ୍ୟୋଗ ବିକାଶର କାରଣ ହେଉଛନ୍ତି। ଯଦି ବର୍ଦ୍ଧିତ ଭିଜା ଦେୟ ପାଇଁ ବିଦେଶୀ କମ୍ପାନୀମାନେ ଭାରତୀୟଙ୍କୁ ନିଯୁକ୍ତି ଦେବାକୁ ଅସମର୍ଥ ହେବେ, ତେବେ ପରୋକ୍ଷରେ ସେମାନେ ତାଙ୍କ କାମକୁ ଭାରତକୁ ଆଉଟସୋର୍ସିଂ କରିବାକୁ ବାଧ୍ୟ ହେବେ। କାରଣ ସୂଚନା ପ୍ରଯୁକ୍ତି ବିଦ୍ୟା ତଥା ଅନ୍ୟ ଟେକ୍ନୋଲୋଜି କ୍ଷେତ୍ରରେ ଭାରତୀୟ ପ୍ରତିଭାଙ୍କର କର୍ତ୍ତୃତ୍ୱ ବଜାୟ ରହିଛି। ବିଦେଶୀ କମ୍ପାନୀମାନଙ୍କ ପାଇଁ ଏହାର ବିକଳ୍ପ ନାହିଁ। ଭିଜା ଦେୟ ବଢ଼ିବାରୁ ଯୁକ୍ତରାଷ୍ଟ୍ର କମ୍ପାନୀମାନେ ପ୍ରଫେସନାଲକୁ ନେଇଯିବା ପରିବର୍ତ୍ତେ ଭାରତକୁ କାମ ଆଉଟସୋର୍ସ କରିବାକୁ ପସନ୍ଦ କରିବେ। ଏହା ସୂଚନା ପ୍ରଯୁକ୍ତି ସେବାକୁ ନେଇ ଭାରତର ପ୍ରଭାବକୁ ଆହୁରି ବିଶବ୍ୟାପୀ କରାଇବ। ଆଉଟସୋର୍ସିଂ ବଢ଼ିଲେ, ସେହି ପ୍ରତିଭା ଦେଶରେ ରହି ଭାରତର ଅର୍ଥନୀତିକୁ ଶକ୍ତିଶାଳୀ କରିପାରିବ। କୋଭିଡ-୧୯ ପରେ ରିମୋଟ ୱାର୍କ (ଘରୁ କାମ କରିବା ) ଏକ ସାଧାରଣ କଥାରେ ପରିଣତ ହୋଇଛି। ଭିଜାଦେୟ ବୃଦ୍ଧି ଏହାକୁ ଅଧିକ ଗତିଶୀଳ କରିବ ତଥା ଆଞ୍ଚଳିକ ବିକାଶ ପାଇଁ ବାଟ ଖୋଲିଦେବ। ଭାରତୀୟ ସହର ଏପରିକି ଗ୍ରାମାଞ୍ଚଳ ଗୁଡିକରେ ରହି ପ୍ରଫେସନାଲମାନେ ସିଲିକନ ଭ୍ୟାଲି ପାଇଁ କାମ କରିପାରିବେ। ଭାରତୀୟ ଷ୍ଟାର୍ଟଅପଗୁଡିକ ପାଇଁ ସୁବର୍ଣ୍ଣ ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଆଇ, ତଥ୍ୟ ବିଜ୍ଞାନ, ବ୍ଲକଚେନ, ଫିନଟେକ, ସାଇବର ନିରାପତ୍ତା ଭଳି ଉଦୀୟମାନ କ୍ଷେତ୍ରରେ ଭାରତୀୟ ଷ୍ଟାର୍ଟଅପ୍ଗୁଡିକ ବିଶ୍ୱସ୍ତରୀୟ କ୍ଲାଇଣ୍ଟ ପାଇବାର ସୁଯୋଗ ମିଳିବ। ଏହା ନୂତନ ଉଦ୍ୟମୀମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ଆଣିପାରେ।
ସୁଯୋଗକୁ ଚରିତାର୍ଥ କରିବା ପାଇଁ ଆମକୁ ଦକ୍ଷତା ବିକାଶ, ଛୋଟ ସହର ତଥା ଗ୍ରାମାଞ୍ଚଳ ଗୁଡିକରେ ସୂଚନା ପ୍ରଯୁକ୍ତି ଭିତ୍ତିଭୂମି ଉପଲବ୍ଧ କରାଇବା, ନବସୃଜନ ଷ୍ଟାର୍ଟଅପ ଅନୁକୂଳ ନୀତି ଓ ସରକାରୀ ପ୍ରୋତ୍ସାହନକୁ ପ୍ରାଥମିକତା ଦେବା ଆବଶ୍ୟକ। ଆମ ଉଚ୍ଚ କୁଶଳୀ ଯୁବପ୍ରତିଭା ଭାରତର ସବୁଠାରୁ ବଡ଼ ଶକ୍ତି। ଆତ୍ମନିର୍ଭର ଭାରତର ସ୍ଲୋଗାନକୁ ବାସ୍ତବତାର ରୂପ ଦେବା ପାଇଁ ଏହା କୃଷ୍ଟ ସମୟ। କୁଶଳୀ ଭାରତୀୟମାନେ ଏକ କୁଶଳ ତଥା ଆତ୍ମନିର୍ଭର ଭାରତ ନିର୍ମାଣରେ ଭାଗୀଦାରି ହେବା ଗୌରବର କଥା ନୁହେଁ କି ?
ବିଦେଶରେ ଭାରତୀୟମାନଙ୍କ ପ୍ରତି ଉଦ୍ଦେଶ୍ୟମୂଳକ ଭାବେ ଈର୍ଷା ଓ ହିଂସା ପ୍ରଦର୍ଶନର ଖବର ବ୍ୟାପକ ହେଉଛି। ମୋ ମତରେ ନିଜ ଦେଶରେ ରହି ନିଜକୁ ତଥା ନିଜ ପିଲାଙ୍କୁ ବିଶ୍ୱର ସର୍ବୋତ୍ତମ ସଂସ୍କୃତି ଭାରତୀୟ ସଂସ୍କୃତିରେ ଗଢିତୋଳିବା ଶ୍ରେୟସ୍କର ନୁହେଁ କି ? ଅଧିକ ଅର୍ଥ ଉପାର୍ଜନ ଲୋଭରେ ନିଜ ଦେଶ, ପରିବାର ଓ ସଂସ୍କୃତିର ପ୍ରତିକୂଳରେ ଯାଇ ନିଜକୁ ତଥା ନିଜର ଆଗାମୀ ପିଢ଼ିକୁ ଏକ ଅନିଶ୍ଚିତ ଦୁନିଆରେ ପ୍ରତିଷ୍ଠିତ କରାଇବାର ଆକାଂକ୍ଷା କେତେ ବୁଦ୍ଧିମତ୍ତା ତାହା ପୁନଃ ବିଶ୍ଳେଷଣ କରିବା ଉଚିତ ଯେତେବେଳେ ଆମ ଦେଶ ଭାରତ ନୂତନ ସୁଯୋଗର ଭୂମି ଭାବେ ଉଦୀୟମାନ ହୋଇ ସାରା ବିଶ୍ୱରୁ ଉଦ୍ୟୋଗପତିଙ୍କୁ ଭାରତରେ ନିବେଶ କରାଇବା ପାଇଁ ପ୍ରବର୍ତ୍ତାଇ ପାରୁଛି ସେତେବେଳେ ଅନ୍ୟ ଦେଶରେ ପ୍ରବାସୀ ବା ତୃତୀୟଶ୍ରେଣୀ ନାଗରିକ ହୋଇ ପ୍ରତି ମୁହୂର୍ତ୍ତରେ ଭୟ ଓ ଅନିଶ୍ଚିତତାକୁ ଆଲିଙ୍ଗନ କରିବାର ଆବଶ୍ୟକତା କ’ଣ? ତେଣୁ ମୁଁ ଆଉ ଥରେ କହିବି ଭିସା ଶୁଳ୍କ ବୃଦ୍ଧି ଭାରତୀୟ ଉଦ୍ୟୋଗ କ୍ଷେତ୍ର ପାଇଁ ବିପଦ ନୁହେଁ। ବରଂ ଏହା ଆମ ନିଜସ୍ବ ପ୍ରତିଭାକୁ ନୂତନ ସୁଯୋଗ ଦେଇ ବିଶ୍ୱକୁ ନେତୃତ୍ୱ ଦେବାର ରାସ୍ତା ଖୋଲିଛି।
ଡ. ଷ୍ଟାଲିନ ମିଶ୍ର
ସୂଚନା ପ୍ରଯୁକ୍ତିବିତ୍, ସିଙ୍ଗାପୁର
ମୋ:୯୩୪୩୯୩୫୩୪୧


