ନବ ନିରକ୍ଷର

ଡ. ସୁବାସ ଚନ୍ଦ୍ର ପାତ୍ର

ସାମନ୍ତବାଦର ବିଲୋପ ତଥା ଉଦାରବାଦ ଓ ଜଗତୀକରଣର ପ୍ରଭାବରେ ସମାଜରେ କିଛି ନବ୍ୟ ଧନୀ (ନଭ୍ୟୁାରିଶ୍‌) ଆବିର୍ଭାବ ହେଲାପରି, ବିଡ଼ମ୍ବନା କ୍ରମେ, ଯାବତୀୟ ଶିକ୍ଷା, ଦୀକ୍ଷା ଓ ଆଧୁନିକତାର ପ୍ରସାର ଯୋଗୁ ଓ ପ୍ରଭାବ ସତ୍ତ୍ୱେ ସମାଜରେ ଏବେ ଏକ ନବ୍ୟ ନିରକ୍ଷର (ନିଓ ଇଲିଟରେଟ) ଗୋଷ୍ଠୀ ଦୃଶ୍ୟମାନ ହେଉଛନ୍ତି। ଅବଶ୍ୟ ସେମାନେ ଗୋଟିଏ ପଥରରେ ଗଢ଼ା ନୁହନ୍ତି ବରଂ ସେମାନେ ବିଭିନ୍ନ ଶ୍ରେଣୀ, ଉପଶ୍ରେଣୀଭୁକ୍ତ। ଦିନ ଥିଲା ଭାରତରେ ସାକ୍ଷରତା ଅବା ନିରକ୍ଷରତା ଥିଲା ଏକ ଆପେକ୍ଷିକ ବିଷୟ। ଅନେକ ଆଖିକୁ ଯେତିକି ନିରକ୍ଷର ଦେଖାଯାଉଥିଲେ କାନକୁ ସେତିକି ନିରକ୍ଷର ଶୁଭୁ ନ ଥିଲେ। ଅର୍ଥାତ୍‌ ସେମାନେ କିଛି ଲେଖୁଥିବା ବା ପଢୁଥିବା କେହି ଦେଖି ନ ଥିଲେ ମଧ୍ୟ ସେମାନେ କଥା କହିଲା ବେଳେ ଯଥେଷ୍ଟ ସାକ୍ଷର ଜଣାପଡୁଥିଲେ। ଆଖି-ପାଠ ଦୁର୍ବଳ ଥିବାରୁ କାନ-ପାଠ ବେଶ୍‌ ସବଳ ହୋଇପାରିଥିଲା, ଠିକ୍‌ ମଣିଷର ଶରୀରର ଗୋଟିଏ ଅଙ୍ଗ ଦୁର୍ବଳ ହେଲେ ଆଉ ଅଂଶଟି ସବଳ ହେଲାପରି। ସାମାଜିକ ବ୍ୟବସ୍ଥା, ବେପାର ବଣିଜ, ଗାର୍ହସ୍ଥ୍ୟ ଜୀବନ, ଆମର ଯାବତୀୟ ପୁରାଣ, ଲୋକକଥା ସମୂହକୁ ସେମାନେ ଏତେ ଦକ୍ଷତାର ସହ ନିଜ ଢଙ୍ଗରେ ବୁଝି ନେଇଥିଲେ ଯେ ପାଟି ଫିଟାଇଲେ ସେମାନେ ସାକ୍ଷର ହିଁ ସାକ୍ଷର, ଶିକ୍ଷିତ ହିଁ ଶିକ୍ଷିତ ଭଳି ଜଣାପଡୁଥିଲେ। ଏବେ କିନ୍ତୁ ସ୍ଥିତି ଓଲଟା। ଏବେ କିଛି ଲୋକ ଆଖିକୁ ବା ପ୍ରମାଣପତ୍ରକୁ ସାକ୍ଷୀ ରଖି ଯେତିକି ସାକ୍ଷର ଜଣାପଡୁଛନ୍ତି ସେମାନେ, କାନକୁ ସେତିକି ପ୍ରମାଣ ଦେଇପାରୁ ନାହାନ୍ତି। ଏବେ ସେ ଗୋଷ୍ଠୀ ସମୂହ ଉପରେ ଆଖି ପକାଇବା। ଏମାନଙ୍କ ଭିତରୁ ପ୍ରଥମ ଗୋଷ୍ଠୀକୁ ଯଦି ପ୍ରାୟ-ନିରକ୍ଷର ବୋଲି କୁହାଯାଏ, ଶେଷ ଗୋଷ୍ଠୀକୁ କୁହାଯିବ ହାଇଟେକ-ନିରକ୍ଷର, ମଝିରେ ଅବଶ୍ୟ ଆସିବେ ଅଳ୍ପଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ମିଶ୍ରିତ ଗୋଷ୍ଠୀ। ସର୍ବ ପ୍ରଥମ ଶ୍ରେଣୀ ହେଲେ ସ୍କୁଲ ଡ୍ରପ୍‌ ଆଉଟ, ଯେଉଁମାନେ ବହୁ ପ୍ରାରମ୍ଭରୁ ପାଠ ଛାଡ଼ି ଦେଇଛନ୍ତି। ସବୁ ହଜି ଗଲାଣି, ଖାଲି ନାମ ଦସ୍ତଖତ ପାଇଁ ଯେତିକି ଅକ୍ଷର ଦରକାର ସେତିକି ମହଜୁଦ ଅଛି। ଏମାନେ ଆମ ସହାନୁଭୂତିର ପାତ୍ର, ଆମ ବ୍ୟବସ୍ଥା ବିରୋଧରେ ପ୍ରଶ୍ନବାଚୀ। ଦ୍ୱିତୀୟ ଗୋଷ୍ଠୀ ଚଳନ୍ତି ଛାତ୍ରୀଛାତ୍ର କିନ୍ତୁ ସେମାନେ ଯେଉଁ ଶ୍ରେଣୀରେ ଅଛନ୍ତି ସେ ଶ୍ରେଣୀର ଦକ୍ଷତା ସେମାନଙ୍କର ନାହିଁ। ଅତିକମରେ ତିନୋଟି ଚାରୋଟି ପାହାଚ ତଳେ ଅଛନ୍ତି। ସେମାନେ ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉପହାସିତ କରିବା ପାଇଁ ଗଢ଼ା ହୋଇଛନ୍ତି। ପ୍ରସଙ୍ଗ କ୍ରମେ ମନେପଡ଼େ ବିଶିଷ୍ଟ ଶିକ୍ଷାବିତ୍‌ ଡ. ମନ୍ମଥ କୁଣ୍ଡୁଙ୍କ ଏ ସମ୍ପର୍କରେ ନିଜ ଅନୁଭୂତି। ଡ. କୁଣ୍ଡୁ ଜଣେ ମହାବିଦ୍ୟାଳୟ ଅବା ବିଶ୍ୱବିଦ୍ୟାଳୟ ସ୍ତରୀୟ ଶିକ୍ଷକ ହୋଇଥିଲେ ବି ସେ ଦୀର୍ଘ ୪୦ ବର୍ଷ ହେଲା ପ୍ରଥମ ଶ୍ରେଣୀରୁ ପିଏଚ୍‌.ଡି. ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଖୁସିରେ ଶିକ୍ଷାଦାନ ତଥା ଦିଗ୍‌ଦର୍ଶନ ଦେଇ ଆସୁଛନ୍ତି। ଏହା ସେ କରୁଛନ୍ତି ସମଗ୍ର ଶିକ୍ଷାବ୍ୟବସ୍ଥାକୁ ମୂଳରୁ ଚୂଳଯାଏ ବୁଝିବା ପାଇଁ। ତାଙ୍କର ଏହି ଗୁଣ ଯୋଗୁ ଗାଁକୁ ଗଲେ ବିଭିନ୍ନ କିସମର ଛାତ୍ରୀଛାତ୍ର ତାଙ୍କ ନିକଟରେ ପାଠ ପଢ଼ିବା ପାଇଁ ହାଜର ହୋଇଯାନ୍ତି। ନିକଟ ଅତୀତରେ ନିଜ ଗାଁର ଏକ ଅନୁଭୂତି ବଖାଣୁ ଥିଲେ ଡ. କୁଣ୍ଡୁ। ପଞ୍ଚମ/ ସପ୍ତମ ଶ୍ରେଣୀର ପିଲାମାନଙ୍କୁ ନିଜ ପସନ୍ଦର ଏକ ବିଷୟ ଯଥା ‘ମୋ ବାପା’, ‘ମୋ ସ୍କୁଲ’, ‘ମୋ ଘର’ ଇତ୍ୟାଦିକୁ ନେଇ ପରିଚ୍ଛେଦଟି ଲେଖିବାକୁ କୁହାଗଲା। ସେଥିରୁ ଜଣେ ଦି’ ଜଣ ଯାହା ଲେଖିଲେ ତାହା କିଛି ଅକ୍ଷରର ସମାହାର ଥିଲା। ଶବ୍ଦ ଶବ୍ଦ ମଧ୍ୟରେ ବ୍ୟବଧାନ ନ ଥିଲା। ଡ. କୁଣ୍ଡୁ ସେମାନଙ୍କୁ ପଚାରିବାରୁ ଏହା ସେମାନଙ୍କ ପ୍ରଥମ ଅନୁଭୂତି ବୋଲି ସେମାନେ କହିଲେ। କଥାଟି ସରଳ କରିବାକୁ ଯାଇ ସେ କହିଲେ, ”ଧର, ତୋ ନାମ ପଦ୍ମଲୋଚନ କମିଳା। ଏ ସବୁକୁ ଏକା ସାଙ୍ଗରେ ମିଶେଇ ଯଦି ମୁଁ ଏହି ପ୍ରକାର ଉଚ୍ଚାରଣ କରେ, ତୁ ବୁଝି ପାରିବୁ?“ ସତକୁ ସତ ସେ କରିକି ଦେଖାଇଲେ, ପିଲାଟି ଭାରି ଆନନ୍ଦିତ ହେଲା। କହିଲା, ”ଆମକୁ ଏତେ କଥା କେହି କହିନାହାନ୍ତି।“ ଏ ହେଉଛି ଦ୍ୱିତୀୟ ନବ ନିରକ୍ଷର ଗୋଷ୍ଠୀର ସୃଷ୍ଟିର ରହସ୍ୟ।
ତୃତୀୟ ଗୋଷ୍ଠୀ ହେଲେ ସେମାନେ ଯେଉଁମାନେ ସ୍କୁଲ କଲେଜରେ ଯାହା ପଢ଼ିଥିଲେ ପ୍ରାୟ ସବୁ ଭୁଲି ଯାଇଛନ୍ତି, ଏପରି କି ସ୍କୁଲରେ ବୋଲା ଯାଇଥିବା ପ୍ରାର୍ଥନା, ଜାତୀୟ ସଙ୍ଗୀତ, ରାଜ୍ୟ ତଥା ଦେଶମାନଙ୍କର ରାଜଧାନୀ, ଭାରତ ତଥା ଓଡି଼ଶାର ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀମାନଙ୍କର ନାମ ଇତ୍ୟାଦି। ଶିକ୍ଷାଲାଭ ଯେହେତୁ ଏକ ଆଗ୍ରହାନ୍ବିତ କଳା, ଅଭ୍ୟାସ ତଥା ଆଗ୍ରହ ଅଭାବରୁ ସବୁ ବିସର୍ଜିତ ହୋଇଯାଇଛି ଆଗମନର ଅଳ୍ପ କେଇଦିନ ପରେ। ତା’ଛଡ଼ା ଅସଦ୍‌ ଉପାୟ ଅବଲମ୍ବନ ପ୍ରବଣତାର ଭୂମିକା ମଧ୍ୟ କିଛି କମ ନୁହେଁ। ତେବେ ସେମାନଙ୍କୁ ସମ୍ପୂର୍ଣ୍ଣ ଦୋଷ ଦେଇ ଲାଭ ନାହିଁ। ସ୍ବାଧୀନତା ଦିବସ ଉପଲକ୍ଷେ ଅବା ମାତୃଭାଷା ଦିବସ ପାଳନ ଅବସରରେ କେତେକ ଘରୋଇ ଟିଭି ଚ୍ୟାନେଲ ଜାତୀୟ ସଙ୍ଗୀତ ଗାଇବାକୁ ଅବା ଓଡ଼ିଆ ବର୍ଣ୍ଣମାଳାକୁ କହିବାକୁ ଆମ ଓଡି଼ଶାର କିଛି ମାନ୍ୟବର ବିଧାୟକ ଅବା ପୂର୍ବତନ ବିଧାୟକଙ୍କୁ ଅନୁରୋଧ କଲାରୁ ସେମାନେ ଯେଉଁ ପ୍ରଦର୍ଶନ କରିଥିଲେ ସେ ତୁଳନାରେ ଆମ ଛାତ୍ରୀଛାତ୍ର ଭଲ ଅବସ୍ଥାରେ ଅଛନ୍ତି। ଚିଠି ଲେଖିବା, ଚିଠିଟିଏ ପଢ଼ିଦେବା, ସରକାରୀ ଚିଠିଟି ପଢ଼ି ତା’ ବ୍ୟାଖ୍ୟା କରିଦେବା, ସରକାରଙ୍କ ଏକ ଦପ୍ତରକୁ ଏକ ଦରଖାସ୍ତ ଲେଖିବା, ଭାଗବତ ପଢ଼ିବା ବା ଗପବହି ପଢ଼ିବା ଯଦି ସାକ୍ଷରତାର ଏକ ଚିରାଚରିତ ମାପକାଠି ବୋଲି ବିଚାର କରାଯାଏ ଯାହା କାଳେ ଫକୀରମୋହନଙ୍କ ‘ରେବତୀ’ର ପାଠପଢ଼ାର କାରଣ ଥିଲା, ସେ ଦୃଷ୍ଟିରୁ ଦେଖିଲେ ଆନୁଷ୍ଠାନିକ ସାକ୍ଷରତାର ପ୍ରମାଣପତ୍ର ହାସଲ କରିଥିବା ଅନେକ ଯୁବତୀଯୁବକ ପ୍ରତୀକାତ୍ମକ ଭାବେ ନିରକ୍ଷର ବିବେଚିତ ହେବେ। ତେବେ ଏ ସମସ୍ତଙ୍କୁ ପଛରେ ପକାଇଦେବେ ଆଜିର ଉଚ୍ଚଶିକ୍ଷିତ ବିଶେଷତଃ ଇଂଲିଶ ମାଧ୍ୟମରୁ ଆସି କାରିଗରି ବିଦ୍ୟା ହାସଲ କରିଥିବା ଯୁବଗୋଷ୍ଠୀ। ସେମାନେ ତାଙ୍କ ବିଦ୍ୟାରେ ବେଶ୍‌ କିଛିଟା ପାରଦର୍ଶୀ। କିନ୍ତୁ ସାଙ୍କେତିକ ଭାବରେ ଓଡ଼ିଶାର ଭୂଗୋଳ, ଇତିହାସ, ସଂସ୍କାର, ସଂସ୍କୃତି, ପର୍ବପର୍ବାଣି ଓ କୃଷି ଇତ୍ୟାଦିର ‘ବର୍ଣ୍ଣମାଳା’ ବାବଦରେ ସେମାନେ ଯଥେଷ୍ଟ ଅନ୍ଧାରରେ। ଓଡି଼ଶାର ଜିଲା ସମୂହ, ନଦନଦୀ, ହ୍ରଦ, ଗିରିବନ ବିଷୟରେ ସେମାନେ ‘ଗୁଗଲ’କୁ ‘ଆନ୍ଦୋଳିତ’ କରିପାରନ୍ତି। କହିବାକୁ ଲାଜ ଲାଗେ ପ୍ରାପ୍ତ ବୟସ୍କ ହୋଇ ମଧ୍ୟ ଏମାନଙ୍କ ମଧ୍ୟରୁ ଅନେକେ ନିଜ ଆଖପାଖରେ ଦେଖୁଥିବା ଗୃହପାଳିତ ପଶୁ ଯେମିତି କୁକୁଡ଼ା, ଛେଳି, ମେଣ୍ଢା, ଗୋରୁମାନଙ୍କ ଲିଙ୍ଗ ପରିଚିତି ବିଷୟରେ ଠିକ ଜ୍ଞାନ ଥିବା ଜଣାପଡ଼ନ୍ତି ନାହିଁ। ପ୍ରତିଦିନ ଖାଇଥିବା ଶସ୍ୟ, ପନି ପରିବା, ଫଳ, ଫୁଲ ଗଛଗୁଡ଼ିକୁ କିପରି- ସେଥିରୁ କେଉଁଟା ମାଟି ତଳେ, କେଉଁଟା ମାଟି ଉପରେ, କେଉଁଟା ଲତାରେ, କେଉଁଟା ଗଛରେ ଫଳେ ସେତକ ବି ଜାଣି ନାହାନ୍ତି। ତେବେ ଏହାକୁ ଏକ ଅଜ୍ଞତା ନ ଭାବି ଏକ ‘ଦୁର୍ଘଟଣା’ ଭାବି ହେବ ଏବଂ ଏ ପ୍ରକାର ଜ୍ଞାନ ନ ଥିଲେ ଯେ ନ ଚଳିବ ସେ କଥା ବି ନୁହେଁ, ଯାହା ସେମାନେ କେବିସି (କୌନ ବନେଗା- କରୋଡ଼ପତି)ରେ ଦେଖିଥିଲେ। ପ୍ରତିଯୋଗୀଙ୍କୁ ପ୍ରଶ୍ନଟିଏ ଥିଲା- ଏହି ଉଦ୍ଭିଦମାନଙ୍କ ମଧ୍ୟରୁ କେଉଁଟି କଣ୍ଟକିତ? ବିକଳ୍ପଗୁଡ଼ିକ ଥିଲା କଦଳୀ, ଲେମ୍ବୁ, ନଡ଼ିଆ ଓ ପିଜୁଳି। ଶିକ୍ଷିତା ପ୍ରତିଯୋଗୀ ଜଣକ ପ୍ରଥମେ କଦଳୀ, ତା’ପରେ ନଡ଼ିଆ ତା’ପରେ ପିଜୁଳି ଇତ୍ୟାଦି କହି ନିଶ୍ଚିତ ନ ହେବାରୁ ‘ଜୀବନରେଖା’ ହିସାବରେ ନିଜ ବାନ୍ଧବୀଙ୍କୁ ଫୋନ କରିଥିଲେ ଏବଂ ତାଙ୍କଠୁ ‘ଲେମ୍ବୁ’ ପାଇଲେ, ଉତ୍ତର ଦେଲେ। ପରବର୍ତ୍ତୀ ପ୍ରଶ୍ନଗୁଡ଼ିକ ଏପଟ ସେପଟ ଉତ୍ତର ଦେଇ ୧୨ ଲକ୍ଷ ଜିତିକରି ଗଲେ। ତେଣୁ ଏପ୍ରକାର ଜ୍ଞାନାଭାବକୁ ନିରକ୍ଷରତାର ସୂଚକ ବୋଲି କାହିିଁକି ବିଚାର କରାଯିବ?
ପ୍ରକୃତରେ ପରିସ୍ଥିତି ଭାରି ଦୁଃଖଦାୟକ। ପୂର୍ବରୁ ନିରକ୍ଷର ଲୋକ ଭିନ୍ନ ଭାବରେ ସାକ୍ଷରତା ପ୍ରତିପାଦନ କରୁଥିଲେ ବ୍ୟବସ୍ଥା, ଅଭାବ, ଅସୁବିଧାର ଶିକାର ହୋଇ ବି। ଏବେ ସବୁକିଛି ଆମ ସପକ୍ଷରେ ଥାଇ ମଧ୍ୟ ସାକ୍ଷରଟିଏ ଏକ ନୂତନ ନିରକ୍ଷତାର ପ୍ରମାଣପତ୍ର ପାଲଟୁଛି। ଏଥିରେ ପ୍ରଦର୍ଶନକାରୀଙ୍କ ସମ୍ପୂର୍ଣ୍ଣ ଦୋଷ ନାହିଁ, ବରଂ ଅଧିକ ଦୋଷ ରହିଛି ଉଦାସୀନ ବ୍ୟବସ୍ଥା, ଦାୟିତ୍ୱହୀନ ଅଭିଭାବକ ଓ ଏକ ନିରାସକ୍ତ ସମାଜର।

ପୂର୍ବତନ କଲେଜ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର, ମୋ:୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri