ନୂଆ ଦିଗ

କୃଷି ଆଇନଠାରୁ ଦୃଷ୍ଟି ଘୁଞ୍ଚାଇବାକୁ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଖବର ସାହାଯ୍ୟ କଲା। ତା’ ପୂର୍ବରୁ ଅର୍ଥନୀତିରେ ଦୁରବସ୍ଥା ସହ ଚାଇନାର ଆକ୍ରମଣକୁ ଦକ୍ଷତାର ସହ ସାମ୍ନା କରିବାରେ ବିଫଳହୋଇଥିବା ସରକାରକୁ ସିନେମା ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଖବର ସେହିଭଳି ଦୃଷ୍ଟି ହଟାଇବାରେ ସହାୟକ ହୋଇଥିଲା। କ୍ଷମତାସୀନ ଦଳର ଗୋଟିଏ ପରେ ଗୋଟିଏ ବିଫଳତାକୁ ସାମ୍ନା କରିବା ସକାଶେ ବିଭିନ୍ନ ଛୋଟକାଟିଆ ଘଟଣାକୁ ଗୁରୁତ୍ୱ ଦିଆଯାଇ ବିଭ୍ରାଟ କରାଯାଇଥିବା ବେଳେ ମହାରାଷ୍ଟ୍ରର ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବେ ନେଇଥିବା ଏକ ଅଭିନବ ପଦକ୍ଷେପକୁ ଗଣମାଧ୍ୟମ ଉଚିତ ଧ୍ୟାନ ଦେଇନାହିଁ। ୫ ଅକ୍ଟୋବର, ୨୦୨୦ରେ ଦଳ ଭିତରେ ଏକ ସ୍ବାଧୀନ ଶାଖା ଭାବେ ଲେସ୍‌ବିଆନ୍‌, ଗେ, ବାଇସେକ୍ସୁଆଲ, ଟ୍ରାନ୍ସଜେଣ୍ଡର (ଏଲ୍‌ଜିବିଟି) ଗଠନ କରି କିନ୍ନରମାନଙ୍କ ଲାଗି କାର୍ଯ୍ୟ କରିବ ବୋଲି ଏନ୍‌ସିପି ପକ୍ଷରୁ କୁହାଯାଇଛି। ଏନ୍‌ସିପି ଲୋକ ସଭା ଏମ୍‌ପି ସୁପ୍ରିୟା ସୁଲେ କହିଛନ୍ତି ଯେ, ଏଲ୍‌ଜିବିଟି ବର୍ଗ ସମାନ ଅଧିକାର ପାଇବା ପାର୍ଟି ଅନୁଭବ କରିବା ପରେ ଏଭଳି ସେଲ୍‌ ଗଢ଼ିବାକୁ ଚିନ୍ତା କଲା। ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଏହି ଦଳ ତା’ର ନିର୍ବାଚନ ଇସ୍ତାହାରରେ ଏଲ୍‌ଜିବିଟି ସେଲ୍‌ ଗଢ଼ିବା ବିଷୟ ଉଲ୍ଲେଖ କରିଥିଲା। ଉକ୍ତ ବର୍ଗକୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଥିବାରୁ ଏନ୍‌ସିପିର ଉଦ୍ୟମ ସ୍ବାଗତଯୋଗ୍ୟ।
ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ, ସମାନତା ଓ ସମାନ ସୁଯୋଗ ଦିଆଯିବାର ବ୍ୟବସ୍ଥା ରଖାଯାଇଛି। କାହାରିଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ସେହିପରି ଗଣତନ୍ତ୍ରରେ ଧର୍ମ, ଜାତି, ଲିଙ୍ଗ ଓ ଭାଷା ନିର୍ବିଶେଷରେ ସବୁ ନାଗରିକ ସମାନ ବୋଲି କୁହାଯାଇଥିଲେ ମଧ୍ୟ ବାସ୍ତବରେ ତାହା ପ୍ରତିଫଳିତ ହୋଇପାରୁ ନାହିଁ। ରାଜନୈତିକ ଦଳଗୁଡ଼ିକ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଚିନ୍ତାରେ ବୁଡ଼ିଯାଇ ବିଭାଜନ ଓ ବିଭେଦର ରାଜନୀତି କରୁଛନ୍ତି। ଧର୍ମାନ୍ଧତା, ରାଜନୀତିରେ ଅପରାଧୀକରଣ, ବିଭିନ୍ନ ପ୍ରକାରର ଅସହିଷ୍ଣୁତାକୁ ପାଥେୟ କରି ନିର୍ବାଚନ ଲଢ଼ାଯାଉଛି। ନିର୍ବାଚନ ଇସ୍ତାହାରରେ ସବୁ ଦଳ ଲୋକଙ୍କୁ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବେକାରଙ୍କୁ କାମ ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ କରିଥାଆନ୍ତି। କିନ୍ତୁ ତାହା ବାସ୍ତବରେ ପରିଣତ ହୋଇପାରି ନ ଥାଏ। କାରଣ ନିର୍ବାଚନ ପରେ ସେମାନଙ୍କ ଚେହେରା ବଦଳିଯାଏ। ଏଭଳି ସ୍ଥଳେ ଏନ୍‌ସିପି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ପ୍ରସଙ୍ଗକୁ ଉଠାଇବା ସହ ତାହାର ସମାଧାନ ଦିଗରେ ସେଲ୍‌ ଗଠନ କରିବାକୁ ଯେଉଁ ପ୍ରୟାସ କରିଛି ତାହା ଅନ୍ୟ ରାଜନୈତିକ ଦଳକୁ ଚିନ୍ତା କରିବାକୁ ସୁଯୋଗ ଦେଲା ବୋଲି କୁହାଯାଇପାରିବ। ଏହି ସେଲ୍‌ର କାର୍ଯ୍ୟଧାରା କିଭଳି ରହିବ ଓ କିନ୍ନର ଗୋଷ୍ଠୀ କେତେ ମାତ୍ରାରେ ଉପକୃତ ହେବେ ଭବିଷ୍ୟତରେ ଜଣାପଡ଼ିବ। ତେବେ ଗୋଟେ ସାମାଜିକ ପ୍ରସଙ୍ଗକୁ ଆଖିରେ ରଖି ହେଉଥିବା ଉଦ୍ୟମ ସଂସ୍କାର ଆସିବାର ପ୍ରଥମ ପାହାଚ ବୋଲି କୁହାଯାଇପାରେ।
ଆଜିର ଜାତୀୟ ସ୍ତରର ରାଜନୈତିକ ଦୃଶ୍ୟପଟକୁ ଅନିଶା କଲେ ନେତାମାନେ ଦଳୀୟ ସ୍ବାର୍ଥକୁ ଦେଖି କେଉଁଭଳି ପଦକ୍ଷେପ ନିଆଯିବ ସେହି ଚିନ୍ତା କରୁଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ହେଲେ ତାହାକୁ ଦେଖି ସମସ୍ତେ ଖୁସି ହୋଇପାରନ୍ତି। କିନ୍ତୁ ତାହା ଦ୍ୱାରା ଦେଶ ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟା ଦୂର ହୋଇପାରିବ ନାହିଁ କି ବେକାର ଯୁବତୀଯୁବକଙ୍କ ହାତକୁ କାମ ମିଳିବ ନାହିଁ। ସେହିପରି ବିଭିନ୍ନ ସମୟରେ ସାମାନ୍ୟ ବିଷୟକୁ ବଡ଼ ଆକାର କରାଯାଇ ସୃଷ୍ଟି କରାଯାଉଥିବା ଦଙ୍ଗାରୁ କୌଣସି ଦଳ କ୍ଷଣିକ ଫାଇଦା ପାଇଯାଇପାରେ। ହେଲେ ଏଥିରେ ଅନେକ ଅସହାୟ ଓ ନିରୀହ ଲୋକ ବଳିପଡ଼ିଥାଆନ୍ତି। ଉତ୍ତରପ୍ରଦେଶର ହାଥ୍‌ରସ ଗଣବଳାତ୍କାରୀଙ୍କୁ ଶାସକଙ୍କ ଜାଣତରେ ପ୍ରଶାସନିକ ସୁରକ୍ଷା ଦିଆଯିବା ନିନ୍ଦନୀୟ। ଅନ୍ୟପକ୍ଷରେ ସେହି ଘଟଣାରୁ ରାଜନୈତିକ ଫାଇଦା ନେବା ପାଇଁ ବିରୋଧୀ ଚିନ୍ତା କରୁଥିଲେ ତାହା ମଧ୍ୟ ଗ୍ରହଣୀୟ ନୁହେଁ। ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଓ ଅମାନୁଷିକ ଅତ୍ୟାଚାରକୁ ରୋକାଯିବା ପାଇଁ ସବୁ ଦଳରେ ରଣକୌଶଳ ସ୍ଥିର କରାଯିବା ଦରକାର। ଏହିଭଳି ମୌଳିକ ସମସ୍ୟାର ସମାଧାନ କଥା ଚିନ୍ତା କରୁ ନ ଥିବା ପ୍ରତିଟି ରାଜନୈତିକ ଦଳ ଘଟଣା ଘଟିଯିବା ପରେ ଆହା ଚୁ ଚୁ କରିବାର କୌଣସି ମାନେ ନ ଥାଏ।
କୋଭିଡ୍‌-୧୯ ଯୋଗୁ ସମଗ୍ର ବିଶ୍ୱ ଏବେ ଆର୍ଥିକ, ସାମାଜିକ, ସ୍ବାସ୍ଥ୍ୟଗତ ଓ ଆବେଗିକ ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ ଦେଶଗୁଡ଼ିକ ନିଜର ଭୂରାଜନୈତିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କଲେଣି। ଭାରତରେ ସେଭଳି ନ୍ୟୁ ନର୍ମାଲ ଆସିବା ଦରକାର। କାରଣ ଏଠାକାର ସବୁ ଧର୍ମାବଲମ୍ବୀ ଚାହାନ୍ତି ଉତ୍ତମ ଶିକ୍ଷା, ନିଯୁକ୍ତି, ଉନ୍ନତ ସ୍ବାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ, ଖଣ୍ଡିଏ ଘର ଏବଂ ବିକଶିତ ହେବା ପାଇଁ ଆବଶ୍ୟକ ଉପାଦାନ। ସମସ୍ତଙ୍କ ଦରକାର ସୁରକ୍ଷା ଓ ସମାନ ସୁଯୋଗ। ବ୍ୟକ୍ତିଗତ ସ୍ବାଧୀନତା ଉପଭୋଗ ପ୍ରତ୍ୟେକ ନାଗରିକଙ୍କ ଧ୍ୟେୟ ହେବା କଥା। ବାସ୍ତବରେ ଏସବୁ ଲୋକଙ୍କୁ ମିଳିପାରୁ ନାହିଁ ଏଇଥିପାଇଁ ଯେ ଶାସନ ଓ ପ୍ରଶାସନିକ ସ୍ତରରେ ଥିବା ବ୍ୟକ୍ତିମାନେ ତୃଣମୂଳ ସ୍ତରର ଲୋକ ଓ ସେମାନଙ୍କ ସମସ୍ୟା ସହ ଯୋଡ଼ି ହେଉ ନାହାନ୍ତି। ସେଥିସକାଶେ ଗୋଟେ ପରିବର୍ତ୍ତନ ଆସିପାରୁ ନାହିଁ। ତେଣୁ ସମାଜର ପ୍ରକୃତ ପ୍ରସଙ୍ଗ ଯାହା ଲୋକଙ୍କୁ ପ୍ରଭାବିତ କରୁଛି ତାହାକୁ ଗୁରୁତ୍ୱ ଦେବା ଆଜିର ରାଜନୈତିକ ବାତାବରଣରେ ନ୍ୟୁ ନର୍ମାଲ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri