ନିରପେକ୍ଷତା ଆଶା ବୃଥା

ଭାରତୀୟ ନ୍ୟାୟପାଳିକା ଉଚ୍ଚମାନ ବଜାୟ ରଖିଚାଲିଛି ଓ ଏହା ଉପରେ ଲୋକଙ୍କ ବିଶ୍ୱାସ ରହିଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ସମ୍ବିଧାନ ଦିବସର ସମାପନ ଉତ୍ସବରେ ୨୭ ନଭେମ୍ବରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଆହୁରି କହିଛନ୍ତି, ବିଚାରପତିଙ୍କୁ ବିଚାରପତି ଚୟନ କରିବା ଲାଗି ଥିବା କଲେଜିୟମ୍‌ ବ୍ୟବସ୍ଥା ପରିବର୍ତ୍ତେ ଚୟନ ପ୍ରକ୍ରିୟାରେ ସଂସ୍କାର ଅଣାଯିବା ଆବଶ୍ୟକ। ସର୍ବଭାରତୀୟ ପରୀକ୍ଷା ମାଧ୍ୟମରେ ତୃଣମୂଳ ସ୍ତରର ବିଚାରପତିଙ୍କୁ ନିଯୁକ୍ତ କରାଯିବା ଦରକାର ବୋଲି ରାଷ୍ଟ୍ରପତି କହିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନ୍‌ଜେଏସି)କୁ ସୁପ୍ରିମକୋର୍ଟ ୬ ବର୍ଷ ତଳେ ବାତିଲ କରିଦେଇଥିଲେ। ଏବେ ରାଷ୍ଟ୍ରପତି କଲେଜିୟମ୍‌ ବ୍ୟବସ୍ଥା ବଦଳରେ ଏନ୍‌ଜେଏସି ଦ୍ୱାରା ନ୍ୟାୟପାଳିକାରେ ସ୍ବାଧୀନତା ଅଧିକ ରହିବ ବୋଲି ଯେଉଁ ବାଟ ଦେଖାଇଛନ୍ତି, ତାହା କେତେଦୂର ଗ୍ରହଣୀୟ ହେବ କହିହେଉ ନାହିଁ। କାରଣ ଖୋଦ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜେ କୌଣସି ପରୀକ୍ଷାର ସମ୍ମୁଖୀନ ହୋଇ ନ ଥିବା ସତ୍ତ୍ୱେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଆସୀନ ହୋଇପାରିଛନ୍ତି। ରାମନାଥ କୋବିନ୍ଦଙ୍କ ଇତିହାସ ଦେଖିଲେ ଦେଶର ସାମୂହିକ ଉନ୍ନତି ପାଇଁ ତାଙ୍କର କୌଣସ ଅବଦାନ ଥିବାର ଦୃଷ୍ଟାନ୍ତ ମିଳିବ ନାହିଁ। କେବଳ ଏକ ରାଜନୈତିକ ଓ ଧାର୍ମିକ ବିଶ୍ୱାସ ପୋଷଣ କରୁଥିବା ହେତୁ ତାଙ୍କୁ ଏହି ପଦବୀ ମିଳିପାରିଥିଲା। ସେଥିପାଇଁ ତାଙ୍କର ନୈତିକ ଅଧିକାର ଏଭଳି ମନ୍ତବ୍ୟ ଦେବା ପଛରେ ଅଛି ବୋଲି ବିଶ୍ୱାସ ହେଉନାହିଁ।
ଏହା ସତ୍ୟ ଯେ, ଭାରତରେ ଏକ ନିର୍ଦ୍ଦିଷ୍ଟ ନ୍ୟାୟିକ ଗୋଷ୍ଠୀ ସମ୍ପୂର୍ଣ୍ଣ ନ୍ୟାୟପାଳିକାକୁ ନିଜ ହାତକୁ ନେଇଯିବାରେ ସକ୍ଷମ ହୋଇ ସାରିଛନ୍ତି। ନିକଟ ଅତୀତର ଘଟଣାବଳୀ ଉପରେ ଦୃଷ୍ଟି ପକାଇଲେ ତାହା ସ୍ପଷ୍ଟ ବୁଝିହେଉଛି। ଏନ୍‌ଜେଏସି ଏକ ପ୍ରସ୍ତାବିତ ସଂସ୍ଥା, ଯାହାର ବିଚାରପତି, ନ୍ୟାୟିକ ଅଧିକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓକିଲଙ୍କ ନିଯୁକ୍ତି ଓ ବଦଳି ଉପରେ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି। ଏହି କମିଶନ ପ୍ରତିଷ୍ଠା ଲାଗି ସମ୍ବିଧାନର ୯୯ତମ ସଂଶୋଧନ ଅଣାଯାଇଥିଲା। ୧୩ ଅଗଷ୍ଟ ୨୦୧୪ରେ ଏ ସଂକ୍ରାନ୍ତ ସଂଶୋଧନ ଆଇନ ଲୋକ ସଭାରେ ଓ ୧୪ ଅଗଷ୍ଟରେ ରାଜ୍ୟ ସଭାରେ ଗୃହୀତ ହୋଇଥିଲା। ଫଳରେ ଆଶା କରାଯାଉଥିଲା ବିଚାରପତିଙ୍କ ଦ୍ୱାରା ବିଚାରପତି ଚୟନ ନ ହୋଇ ଏନ୍‌ଜେଏସି ମାଧ୍ୟମରେ ନିଯୁକ୍ତ ହେବେ। ଏପରି କି ଏନ୍‌ଜେଏସି ବିଲ୍‌ ଓ ସମ୍ବିଧାନ ସଂଶୋଧନ ବିଲ୍‌ ୧୬ଟି ରାଜ୍ୟର ବିଧାନସଭା ଦ୍ୱାରା ଅନୁମୋଦିତ ହୋଇଥିଲା। ଶେଷରେ ରାଷ୍ଟ୍ରପତି ସେଥିରେ ମୋହର ମାରିଥିଲେ। ଫଳରେ ୧୩ ଏପ୍ରିଲ ୨୦୧୫ରେ ଏନ୍‌ଜେଏସି ଆଇନ ଓ ସମ୍ବିଧାନ ସଂଶୋଧନ ଆଇନ କାର୍ଯ୍ୟକ୍ଷମ ହେଲା ବୋଲି କୁହାଯାଇଥିଲା। ହେଲେ ୧୬ ଅକ୍ଟୋବର ୨୦୧୫ରେ ୫ ଜଣିଆ ସାମ୍ବିଧାନିକ ପୀଠ ଏନ୍‌ଜେଏସିକୁ ରଦ୍ଦ କରିଦେଇ କଲେଜିୟମ୍‌ ବ୍ୟବସ୍ଥା ଜାରି ରହିବ ବୋଲି ରାୟ ଶୁଣାଇଥିଲେ। ଏଥିରେ ୪ ଜଣ ବିଚାରପତି କଲେଜିୟମ୍‌ ବ୍ୟବସ୍ଥାକୁ ସମର୍ଥନ କରିଥିଲେ। ତେବେ ସବୁକିଛି ସଂଖ୍ୟା ଖେଳରେ ଜିତିବା ହୋଇଯାଉଥିବାରୁ ଏନ୍‌ଜେଏସି ଅତୀତ ହୋଇ ପୁରୁଣା ପାଛିଆରେ ପଡ଼ିରହିଛି।
ଉପରଠାଉରିଆ ଭାବେ ଦେଖିଲେ ଏନ୍‌ଜେଏସି ଏକ ଉତ୍ତମ ବ୍ୟବସ୍ଥା, ଯାହାଦ୍ୱାରା ନ୍ୟାୟପାଳିକାରେ ସଂସ୍କାର ଅଣାଯାଇ ପାରିଥାଆନ୍ତା। କିନ୍ତୁ ଭାରତରେ ଏକ ବିରାଟ ସମସ୍ୟା ଏହିଭଳି କାର୍ଯ୍ୟକୁ ଭଣ୍ଡୁର କରିଦେଇଥାଏ। ଯେକୌଣସି ମହିଳା, ପଛୁଆବର୍ଗ, ସଂଖ୍ୟାଲଘୁ ଭଳି ମାନଦଣ୍ଡକୁ ଅତି ସହଜରେ ସରକାରୀ ଦଳ ପୂରଣ କରିଦେଇଥାଏ। ସେଭଳି ବ୍ୟକ୍ତିଙ୍କୁ ବସାଇ ସରକାରରେ ଥିବା ନେତାମାନେ ନିଜ ପସନ୍ଦର ନ୍ୟାୟାଧୀଶମାନଙ୍କୁ ନିଯୁକ୍ତି ଓ ପଦୋନ୍ନତି ଦେଇପାରିବେ। କାରଣ ଏହି ଦେଶରେ କ୍ୱଚିତ ଲୋକଙ୍କର ସ୍ବାଧୀନ ଚିନ୍ତାଧାରା ଦେଖାଦିଏ। ଯେଉଁମାନେ ସ୍ବାଧୀନ ଚିନ୍ତାଧାରାର ପରିଚୟ ଦିଅନ୍ତି, ସେମାନେ ଦେଶଦ୍ରୋହୀର ଆଖ୍ୟା ଲାଭ କରନ୍ତି। ସେଥିପାଇଁ ଏନ୍‌ଜେଏସି ଭଳି ବ୍ୟବସ୍ଥାରେ କେବଳ ସରକାରଙ୍କୁ ସମର୍ଥନ କରୁଥିବା ଦେଶପ୍ରେମୀମାନେ ସିଲେକ୍‌ଶନ ବୋର୍ଡରେ ସ୍ଥାନ ପାଇଯାଇପାରିବେ। ଅପରପକ୍ଷରେ ଚୟନରେ ତ୍ରୁଟି ଘଟିଲେ ମଧ୍ୟ ବିବେଚିତ ବ୍ୟକ୍ତି ତା’ର ସୁଧାର କରେ ନାହିଁ। ଉଦାହରଣ ସ୍ବରୂପ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କେତେକ ବିଚାରପତିଙ୍କୁ ନିଜ ଇଚ୍ଛାରେ ବାଛି ପଦୋନ୍ନତି ଦେଇଥିଲେ। ନିର୍ବାଚନରେ ପରାଜୟ ଘଟିବା ପରେ ପ୍ରକାଶିତ ଫଳାଫଳ ବିରୋଧରେ ଟ୍ରମ୍ପ୍‌ ଯେଉଁ ମାମଲା ଦାୟର କଲେ ସେଥିରେ ତାଙ୍କ ଦ୍ୱାରା ଲାଭବାନ୍‌ ହୋଇଥିବା ବିଚାରପତିମାନେ ଶୁଣାଣିରୁ ଓହରିଗଲେ। ତାହା ଦ୍ୱାରା ସେହି ବିଚାରପତିମାନେ ନିଜର ଓ ଆମେରିକାର ବିଚାର ବିଭାଗର ସମ୍ମାନକୁ ରକ୍ଷା କରିପାରିଲେ। ଭାରତରେ ବଡ଼ ଆସନରେ ବସିଥିବା ବ୍ୟକ୍ତିଙ୍କଠାରୁ ନିରପେକ୍ଷତା ଆଶା କରିବା ବୃଥା। ସେଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନୀତିବାଣୀକୁ ଯୁକ୍ତିଯୁକ୍ତ ବୋଲି କୁହାଯାଇପାରିବ ନାହିଁ। ତାଙ୍କର ଏହି ବାର୍ତ୍ତାରୁ ଏକ ଷଡ଼ଯନ୍ତ୍ରର ଆଭାସ ମିଳୁଛି। ହୁଏତ ରାଷ୍ଟ୍ରପତିଙ୍କ ମାଧ୍ୟମରେ ପୁନର୍ବାର ନ୍ୟାୟପାଳିକାରେ ରାଜନୈତିକ ହସ୍ତକ୍ଷେପ ଚିନ୍ତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri