କାଠମାଣ୍ଡୁ,୧୧ା୯: ନେପାଳର ମାଧେଶ ପ୍ରଦେଶ ଅଧୀନ ରାମେଛାପ ଜିଲା ଜେଲରେ ଗୁରୁବାର ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ୩ ଅନ୍ତେବାସୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୩ଜଣ ଆହତ ହୋଇଛନ୍ତି। ନେପାଳରେ ସରକାର ବିରୋଧୀ ହିଂସାତ୍ମକ ବିକ୍ଷୋଭ ଆରମ୍ଭ ହେବା ଦିନରୁ ଇତିମଧ୍ୟରେ ବିଭିନ୍ନ ଜେଲରୁ ୧୫,୦୦୦ରୁ ଊର୍ଦ୍ଧ୍ୱ ବନ୍ଦୀ ଖସି ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଗୁରୁବାର ବନ୍ଦୀମାନେ ସିଲିଣ୍ଡର ବିସ୍ଫୋରଣ ଘଟାଇ ଜେଲରୁ ବାହାରି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ସହ ସଂଘର୍ଷ ଘଟିଥିଲା। ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ସୁରକ୍ଷା ବଳ ଗୁଳି ଚଳାଇବାରୁ ୩ଜଣଙ୍କ ମୃତ୍ୟୁ ଘଟିଲା ବୋଲି ପୋଲିସ ସୂତ୍ରରୁ କୁହାଯାଇଛି। ଆହତମାନଙ୍କୁ ରାମେଛାପ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


