କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା କରିଛନ୍ତି। ସେହିପରି ୮୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ଜଣାପଡ଼ିଛି।
ହଠାତ୍ ଆସିଥିବା ବନ୍ୟା ପରେ ନେପାଳରେ ଶହ ଶହ ପର୍ଯ୍ୟଟକ ମଧ୍ୟ ନିଖୋଜ ହୋଇଥିବା ସୂଚନା ମିଳିଛି। ନେପାଳର ବୈଦେଶିକ ମନ୍ତ୍ରୀଙ୍କ ଦାବି ଅନୁସାରେ, ଭାରତର ପ୍ରାୟ ୩୦୦ ଜଣ ଲୋକ ନିଖୋଜ ଅଛନ୍ତି। ନିଖୋଜ ଭାରତୀୟଙ୍କ ମଧ୍ୟରେ କୈଳାସ ମାନସରୋବର ଯାତ୍ରାକୁ ଯାଇଥିବା ଅନେକ ଶ୍ରଦ୍ଧାଳୁ ମଧ୍ୟ ଅଛନ୍ତି। ଏହା ବ୍ୟତୀତ ନେପାଳର ବିଭିନ୍ନ ଅଞ୍ଚଳରେ ଶହ ଶହ ଭାରତୀୟ ଫସି ରହିଥିବା ଜଣାପଡ଼ିଛି।
ଭାରତୀୟ ଦୂତାବାସ ଏବଂ ବିଭିନ୍ନ ରାଜ୍ୟ ସରକାର ନିଜ ନାଗରିକଙ୍କ ସୂଚନା ସଂଗ୍ରହ କରିବା ସହ ପରିବାରଗୁଡ଼ିକୁ ସହାୟତା ପାଇଁ ହେଲ୍ପଲାଇନ ଜାରି କରିଛନ୍ତି। ତାମିଲନାଡୁରୁ ନେପାଳ ଯାଇଥିବା ୫୭ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୩୭ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ଅନ୍ୟ ୨୦ ଜଣଙ୍କ ସହ ଯୋଗାଯୋଗ ସ୍ଥାପିତ ହୋଇଛି। କୋଲକାତାରୁ ନେପାଳ ଯାଇଥିବା ୩୨ ଜଣଙ୍କ ଏକ ଦଳ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି। ଏହି ଦଳ ଅଗଷ୍ଟ ୨୧ରେ ଯାତ୍ରା ଆରମ୍ଭ କରି ପରଦିନ ନେପାଳରେ ପହଞ୍ଚିଥିଲା। ବୁଧବାର ସକାଳେ ଏହି ଦଳ ତିବ୍ବତ ଯିବା ପାଇଁ ରସୁୱାଗାଢ଼ି ଇମିଗ୍ରେସନ କାର୍ଯ୍ୟାଳୟରେ ଥିବା ସମୟରେ ହଠାତ୍ ବନ୍ୟା ଆସିଥିଲା। ଏହା ପରଠାରୁ ଦଳର କୌଣସି ସଦସ୍ୟଙ୍କ ସହ ଯୋଗାଯୋଗ ହୋଇନାହିଁ।
ଲୋକମାନଙ୍କ ସହାୟତା ପାଇଁ ପଶ୍ଚିମବଙ୍ଗ ପୋଲିସ ମୁଖ୍ୟାଳୟ ପକ୍ଷରୁ ହେଲ୍ପଲାଇନ ଜାରି କରାଯାଇଛି। କୃଷକ ନେତା ରାକେଶ ଟିକାୟତ ମଧ୍ୟ ନିଜ ସାଥୀମାନଙ୍କ ସହ ନେପାଳର ପୋଖରାରେ ଫସି ରହିଥିଲେ। ସେ କହିଛନ୍ତି ଯେ ସଡ଼କ ମାର୍ଗରେ ଫେରିବା ସମ୍ଭବ ନୁହେଁ। ତେଣୁ ସେମାନେ ବିମାନ ଯୋଗେ କାଠମାଣ୍ଡୁ ଏବଂ ସେଠାରୁ ଦିଲ୍ଲୀ ଫେରିବେ। ତାଙ୍କ କହିବା ଅନୁସାରେ, ନେପାଳରେ ତାଙ୍କ ଗାଡ଼ି ଛାଡ଼ି ଆସିବାକୁ ପଡ଼ିବ। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି ଯେ ନେପାଳରେ ଭୟଙ୍କର ଫ୍ଲାଶ ଫ୍ଲଡ ମଧ୍ୟରେ ବେଙ୍ଗାଲୁରୁର ୫ ଜଣ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ବିଷୟରେ ସୂଚନା ସଂଗ୍ରହ କରି ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ସରକାର ପ୍ରୟାସ କରୁଛି। ମହାରାଷ୍ଟ୍ରର ୭ ଜଣ ପର୍ଯ୍ୟଟକ ମଧ୍ୟ ନେପାଳରେ ଫସିଥିବା ସୂଚନା ସାମ୍ନାକୁ ଆସିଛି। ଏଥିମଧ୍ୟରୁ ମୁମ୍ବାଇ ଓ ପୁଣେର ୪ ଜଣଙ୍କ ସହ ଯୋଗାଯୋଗ ହୋଇସାରିଥିବା ବେଳେ, ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ମନ୍ତ୍ରାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛନ୍ତି।
ଅନ୍ୟପକ୍ଷରେ, କେରଳର ୩୬ ଜଣ ପର୍ଯ୍ୟଟକଙ୍କ ଏକ ଦଳ ସୁରକ୍ଷିତ ଥିବା ଜଣାପଡ଼ିଛି ଏବଂ ସେମାନେ ବନ୍ୟା ପ୍ରଭାବିତ ଅଞ୍ଚଳଠାରୁ ଦୂରରେ ଅଛନ୍ତି। କେରଳ ସରକାର ନୋର୍କା-ରୁଟ୍ସ (NORKA-ROOTS) ମାଧ୍ୟମରେ ଏକ ହେଲ୍ପଡେସ୍କ ଆରମ୍ଭ କରିଛନ୍ତି।
ସେହିପରି ସିକ୍କିମ, ଓଡ଼ିଶା, ଉତ୍ତରାଖଣ୍ଡ ଓ ଛତିଶଗଡ଼ ସରକାର ମଧ୍ୟ ନେପାଳରେ ଥିବା ନିଜ ନାଗରିକମାନଙ୍କ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।

