କାଠମାଣ୍ଡୁ, ୨୭ା୮: ତିବ୍ବତ-ରସୁୱାଗଢ଼ି ସୀମାରୁ ୨୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ଅସ୍ଥିର ପାହାଡ଼ ଧସିବା ଏବଂ ସୀମାନ୍ତରେ ଥିବା ଲେନ୍ଦେ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ନେପାଳର ଭୁତକୋଶୀ ଓ ତ୍ରିଶୂଳୀ ନଦୀରେ ଏକ ଭୟଙ୍କର ଆକସ୍ମିକ ବନ୍ୟା ସୃଷ୍ଟି ହୋଇଛି। ବୁଧବାର ସକାଳ ପ୍ରାୟ ୯ଟାରେ ସୃଷ୍ଟ ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୯୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୦୫ ଜଣ ଭାରତୀୟ ନାଗରିକଙ୍କ ସମେତ ପ୍ରାୟ ୫୦୦ ଜଣ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଚିତାୱାନ୍ରୁ ୧୮, ଧାଡିଙ୍ଗ୍ରୁ ୧୬, ନୁୱାକୋଟ୍ରୁ ୧୧ ଏବଂ ରସୁୱା ଜିଲାରୁ ଜଣଙ୍କର ମୃତଦେହ ଜବତ କରାଯାଇଛି।
ନେପାଳ ପର୍ଯ୍ୟଟନ ବୋର୍ଡ (ଏନ୍ଟିବି) ଅନୁଯାୟୀ ମୋଟ ୩୮୪ ଜଣ ପର୍ଯ୍ୟଟକ (୨୯୧ ଜଣ ବିଦେଶୀ ଓ ୯୩ ଜଣ ନେପାଳୀ) ନିଖୋଜ ଅଛନ୍ତି। ଏଥିରେ କୈଳାସ ମାନସରୋବର ଯାତ୍ରା ପାଇଁ ଯାଇଥିବା ୧୦୫ ଜଣ ଭାରତୀୟ (ସମ୍ରାଟ ଟୁର୍ସ ଅନୁଯାୟୀ ୫୯ ଜଣ ମାନସରୋବର ତୀର୍ଥଯାତ୍ରୀ) ଏବଂ ୩୭ ଜଣ ଏନଆର୍ଆଇ ସାମିଲ ଅଛନ୍ତି। ଏହାଛଡ଼ା ଆମେରିକା, ବ୍ରିଟେନ, ମାଲେସିଆ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ନେଦରଲ୍ୟାଣ୍ଡସର ପର୍ଯ୍ୟଟକ ମଧ୍ୟ ନିଖୋଜ ଅଛନ୍ତି। ସେହିପରି ୪୪ ଜଣ ନେପାଳ ସେନା ଯବାନ ଏବଂ ୪ ଜଣ ସଶସ୍ତ୍ର ପୋଲିସ ବଳ ଙ୍କ ସମେତ ମୋଟ ୮୦ ଜଣ ସୁରକ୍ଷାକର୍ମୀ ନିଖୋଜ ହୋଇଯାଇଛନ୍ତି।
ଆକସ୍ମିକ ବନ୍ୟାରେ ନୁୱାକୋଟ୍ର ବେତ୍ରାବତୀରୁ ରସୁୱାଗଢ଼ି ସୀମାକୁ ସଂଯୋଗ କରୁଥିବା ୪୨ କିଲୋମିଟର ଦୀର୍ଘ ରାସ୍ତା, ଅନେକ କଂକ୍ରିଟ ସେତୁ ଏବଂ ଚାଇନା-ତିବ୍ବତ ବାଣିଜ୍ୟ ପରିଚାଳନା କରୁଥିବା ରସୁୱା ସୀମା ଶୁଳ୍କ ପରିସରରେ ଥିବା ଗାଡ଼ି ଓ ସାମଗ୍ରୀ ଭାସିଯାଇଛି। ନେପାଳ ସ୍ବାଧୀନ ବିଦ୍ୟୁତ୍ ଉତ୍ପାଦକ ସଂଘ ଅନୁଯାୟୀ କାର୍ଯ୍ୟକ୍ଷମ ଥିବା ୮ଟି ପ୍ରକଳ୍ପ ରସୁୱାଗଢ଼ି (୧୧୧ ଏମ୍ଡବ୍ଲ୍ୟୁ), ସାଞ୍ଜେନ ଖୋଲା (୭୮ ଏମ୍ଡବ୍ଲ୍ୟୁ), ଅପର ତ୍ରିଶୂଳୀ ୩-ଏ (୬୦ ଏମ୍ଡବ୍ଲ୍ୟୁ) ଏବଂ ନିର୍ମାଣାଧୀନ ୫ଟି ପ୍ରକଳ୍ପ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ସ୍ୟାଫ୍ରୁବେସି, ବେତ୍ରାବତୀ, ମାଇଲୁଙ୍ଗ, ସାଲ୍ଲେତାର, ଶାନ୍ତିବଜାର, ପାଇରେବେସି, ଖାଲ୍ଟି ବସ୍ତି, ସୋଲେ, ତ୍ରିଶୂଳୀ ଓ ବଟ୍ଟାର ଭଳି ପ୍ରାୟ ଗୋଟିଏ ଡଜନ ଜନବସତି କ୍ଷତିଗ୍ରସ୍ତ ହୋଇଛି।
କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସହାୟତା ଟେଲିଫୋନ ନମ୍ବର ଜାରି କରାଯାଇଛି। ତାହା ହେଲା +୯୭୭ ୯୮୫ ୧୩୧ ୬୮୦୭ ଏବଂ +୯୭୭ ୯୭୦ ୯୧୦ ୭୫୦୦। ସେହିପରି ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ଟୋଲ-ଫ୍ରି ୧୨୩୪, ହଟ୍ଲାଇନ୍ ୧୧୪୪, ଟୁରିଷ୍ଟ ପୋଲିସ ୯୮୫୧୨୮୯୪୪୫ ନମ୍ବର ଜାରି ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରିକାଳୀନ ବୈଠକ ପରେ ନେପାଳ ସେନା ୧୨ ହେଲିକପ୍ଟର (ଏମ୍ଆଇ୧୭ ସମେତ), ୫ଟି ଡ୍ରୋନ୍ ଏବଂ ୩ଟି ସ୍ନିଫର୍ ଡଗ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ତ୍ରିଶୂଳୀ ସେନା ତାଲିମ କେନ୍ଦ୍ରଠାରେ ଏକ ଜରୁରିକାଳୀନ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ବର୍ତ୍ତମାନ ସୁଦ୍ଧା ୯୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୦ ଜଣ କାଠମାଣ୍ଡୁର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଫିଜିସିଆନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

