ବୋରିଗୁମ୍ମା ବ୍ଳକରେ ବଢୁଛି ନବଜାତ ଶିଶୁ ମୃତ୍ୟୁ

ବୋରିଗୁମା,୧୫ା୧୨(ଡି.ଏନ.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକରେ ନବଜାତ ଶିଶୁ ମୃତ୍ୟୁ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ମାତୃ ଏବଂ ନବଜାତ ଜନ୍ମିତ ଶିଶୁ ଉପଯୁକ୍ତ ସେବା ନ ପାଇ ସେମାନଙ୍କ ମୃତ୍ୟୁ ଘଟୁଥିବା କୁହାଯାଉଛି। ସ୍ବାସ୍ଥ୍ୟ ବିଭାଗର ସଚେତନତା ଅଭାବ ଏବଂ ଖାମଖିଆଲି ମନୋଭାବ ଯୋଗୁ ନବଜାତ ଶିଶୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଗତ ୧୫ ଦିନରେ ୫ ଜଣ ଶିଶୁଙ୍କ ଜୀବନ ଯାଇଥିବା ବେଳେ ବୁଧବାର ପୁଣି ଏକ ୧୪ ଦିନର ଶିଶୁପୁତ୍ରର ମୃତ୍ୟୁ ହୋଇଛି।

ଖବରରୁ ଜଣାପଡିଛି, ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା କୋଟପାଡ଼ -ପାଣ୍ଡସଗୁଡା ପଞ୍ଚାୟତର ରେଙ୍ଗାଲଗୁଡା, ବଳିଗୁଡା ଗ୍ରାମରେ ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଶିଶୁଟି ଗ୍ରାମର ଇନ୍ଦ୍ର ମୁଦୁଲି ଓ ସ୍ତ୍ରୀ ରଇବାରି ମୁଦୁଲିଙ୍କର ବୋଲି ଜଣାପଡିଛି। ଗତ ୧ ତାରିଖରେ ବୋରିଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଦମ୍ପତିଙ୍କ ଶିଶୁପୁତ୍ର ଜନ୍ମ ହୋଇଥିଲା। ଜନ୍ମ ବେଳେ ଶିଶୁପୁତ୍ରର ଓଜନ ୨ କେଜି ୫୦୦ ଗ୍ରାମ ଥିଲା। ତା’ପରଦିନ ୨ ତାରିଖରେ ରଇବାରୀଙ୍କୁ ମେଡ଼ିକାଲରୁ ଡିସଚାର୍ଜ କରାଯାଇଥିଲା। ସେତେବେଳେ ତାଙ୍କ ଜନ୍ମିତ ଶିଶୁପୁତ୍ରର ସ୍ବାସ୍ଥ୍ୟବସ୍ଥା ଠିକ ଥିଲା। ତେବେ ମଙ୍ଗଳବାର ରାତିରେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ମେଡିକାଲ ନେବାକୁ ପରିବାର ଲୋକେ ଗାଡି ଯୋଗାଡ କରୁଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଥିଲା। ପରେ ମାଆବାପା ମୃତଦେହକୁ ନିଜ ଅଗଣାରେ ପୋତି ଦେଇଥିଲେ। ଶିଶୁପୁତ୍ରକୁ ଘରକୁ ଆଣିବା ଦିନଠାରୁ କେହି ସ୍ବାସ୍ଥ୍ୟ କର୍ମଚାରୀ ବୁଝିବାକୁ ଆସି ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ବ୍ଲକରେ ୧୫ ଦିନ ମଧ୍ୟରେ ୬ ଜଣ ନବଜାତ ଶିଶୁଙ୍କ ଜୀବନହାନି ଘଟିବା ବ୍ଲକର ସ୍ବାସ୍ଥ୍ୟସେବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗ ପକ୍ଷରୁ ଏକ ଟିମ୍‌ ଗଠିତ ହୋଇ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଏପଯ୍ୟନ୍ତ ଠିକ କାରଣ ଜଣାପଡିନାହିଁ। ଏହା ପୂର୍ବରୁ ନୂଆଗୁଡା ଗ୍ରାମର ୩ ଜଣ, ନାରୀଗାଁର ଜଣେ, ବୋରିଗୁମାର ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି। କୌଣସି ଶିଶୁଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ଜଣାପଡିନି। ବିଭାଗ ମଧ୍ୟ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନି। ଗ୍ରାମାଞ୍ଚଳରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀମାନେ ମଧ୍ୟ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।