ନୂଆଦିଲ୍ଲୀ, ୨୮ା୮: ଭାରତର ଅଗ୍ରଣୀ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ସେପ୍ଟେମ୍ବର ୫ରେ ବ୍ରସେଲ୍ସରେ ହେବାକୁଥିବା ଡାଇମଣ୍ଡ ଲିଗ୍ ଫାଇନାଲ୍ସରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ସମ୍ମାନଜନକ ଇଭେଣ୍ଟର ମାତ୍ର ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଚୋପ୍ରା ଜୁନ୍ ୧୯ ଏବଂ ଅଗଷ୍ଟ ୨୧ରେ ଯଥାକ୍ରମେ ଉଭୟ ଦୋହା ଓ ଲାଉସାନେ ଡିଏଲ୍ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ହେଁ ଷ୍ଟାଣ୍ଡିଂରେ ୬ଷ୍ଠ ସ୍ଥାନ ସହ ବ୍ରସେଲ୍ସରେ ହେବାକୁଥିବା ଓ୍ବିନର-ଟେକ୍ସ-ଅଲ୍ ଗ୍ରାଣ୍ଡ ଫିନାଲେରେ ଅଂଶଗ୍ରହଣ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଗୁରୁବାର ଜୁରିଚ୍ରେ ସିରିଜର ୧୪ତମ ତଥା ଅନ୍ତିମ ଲେଗ୍ରେ ଷ୍ଟାଣ୍ଡିଂରେ ଅପ୍ଡେଟ୍ କରାଯାଇଥିଲା। ବର୍ଷର ୧୪ ଡାଇମଣ୍ଡ ଲିଗ୍ ମିଟିଙ୍ଗରେ ୫ଟି ପୁରୁଷ ଜାଭେଲିନ ଥ୍ରୋ ପ୍ରତିଯୋଗିତା ସ୍ଥାନ ପାଇଥିଲା। ତନ୍ମଧ୍ୟରେ ଚୋପ୍ରା ମାତ୍ର ଦୁଇଟିରେ ଅଂଶଗ୍ରହଣ କରିଥିଲେ। ଲୋୟର ବ୍ୟାକ୍ ଇଞ୍ଜୁରୀ ଯୋଗୁ ଏହି ୨୮ ବର୍ଷୀୟ ଭାରତୀୟ ଗତବର୍ଷ ସେପ୍ଟେମ୍ବରଠାରୁ ସମସ୍ୟାରେ ଥିଲେ। ଏଥିଯୋଗୁ ଡାଇମଣ୍ଡ ଲିଗ୍କୁ ପ୍ରତ୍ୟାବର୍ତ୍ତନରେ ତାଙ୍କର ବିଳମ୍ବ ଘଟିଥିଲା। ନିକଟରେ ଅନୁଷ୍ଠିତ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଶତ ପ୍ରତିଶତ ଫିଟ୍ ନ ଥିଲେ। କିନ୍ତୁ ସେ ସିଜନର ଶ୍ରେଷ୍ଠ ଥ୍ରୋ ୮୫.୮୩ ମିଟର ସହ ଏକ ରୌପ୍ୟ ପଦକ ଲାଭ କରିଥିଲେ। ସେ ପରେ ଲାଉସାନେ ଡାଇମଣ୍ଡ ଲିଗ୍ରେ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆଣି ୮୮.୦୫ ମିଟର ଥ୍ରୋ କରିଥିଲେ। ବ୍ରସେଲ୍ସରେ ସେପ୍ଟେମ୍ବର ୪ରୁ ୫ ପର୍ଯ୍ୟନ୍ତ ହେବାକୁଥିବା ଜମ୍ପ ଓ ଥ୍ରୋ ଇଭେଣ୍ଟରେ ଷ୍ଟାଣ୍ଡିଂର ଶ୍ରେଷ୍ଠ ୬ ପ୍ରତିଯୋଗୀ ଭାଗ ନେବେ। ନ୍ୟାଶନାଲ କିମ୍ବା ଗ୍ଲୋବାଲ ଓ୍ବାଇଲ୍ଡ କାର୍ଡ ସିଲେକ୍ସନ ଜରିଆରେ ଜଣେ ଅତିରିକ୍ତ ଆଥଲେଟ ଏହି ଇଭେଣ୍ଟରେ ଭାଗ ନେଇପାରିବେ।

