Categories: ଖେଳ

ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମ ଟି-୨୦ ମ୍ୟାଚ୍‌: ଟସ୍‌ ଜିତିଲା କଙ୍ଗାରୁ ଦଳ

କାନବେରା, ୪।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ କାନବେରାରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ଦଳରେ ଟି-ନଟରାଜନଙ୍କୁ ସାମିଲ କରାଯାଇଛି। ଏକଦିବସୀୟ ପରେ ଏବେ ଟି-୨୦ରେ ସେ ଡେବ୍ୟୁ କରୁଛନ୍ତି। ଦିନିକିଆ ସିରିଜ ଭଳି ଟି-୨୦ରେ ମଧ୍ୟ ଭାରତ ପାଖରେ ରୋହିତ ଶର୍ମା ନାହାନ୍ତି। ତେଣୁ ତାଙ୍କ ଅନୁପସ୍ଥିତିରେ ଆସନ୍ତକାଲିର ମ୍ୟାଚରେ ଶିଖର ଧୱନଙ୍କ ସହ କେଏଲ ରାହୁଲ ଇନିଂସ ଆରମ୍ଭ କରିବେ। ରାହୁଲ ଓ ଧୱନଙ୍କ ପରେ ମଧ୍ୟକ୍ରମର ଦାୟିତ୍ୱ ବିରାଟ କୋହଲି, ଶ୍ରେୟସ ଆୟର ଓ ମନୀଷ ପାଣ୍ଡେଙ୍କ ଉପରେ ରହିବ। ତୃତୀୟ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା ଯଥାକ୍ରମେ ୬ନଂ ଓ ୭ନଂ ସ୍ଥାନରେ ଖେଳିବେ। ସୂଚନାଯୋଗ୍ୟ,ପୂର୍ବରୁ ଭାରତ ଏକଦିସବୀୟ ସିରିଜ୍‌ ହାରିଯାଇଥିବାବେଳେ ଟି-୨୦ ସିରିଜ୍‌ ଜିତିବାକୁ ଚେଷ୍ଟା କରିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ଟି-୨୦ ଟକ୍କରକୁ ବିଚାରକୁ ନେଲେ ଟିମ ଇଣ୍ଡିଆର ପଲ୍ଲା ଭାରି ରହିଛି। ଟିମ ଇଣ୍ଡିଆ ୧୧ଟି ମ୍ୟାଚ ଜିତିଥିବା ବେଳେ କଙ୍ଗାରୁ ଟିମ ୮ଟିରେ ବାଜିମାତ କରିଛି। ୨୦୧୮ରେ ଭାରତ ୨ଟି ଟି-୨୦ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ମ୍ୟାଚ ଜିତିଥିବା ବେଳେ ୨୦୧୬ରେ ଦଳ ୩-୦ରେ କ୍ଲିନସୁଇପ କରିଥିଲା। ତେଣୁ ଭାରତ ଏହି ଧାରାକୁ ବଜାୟୀ ରଖିବାକୁ ଚେଷ୍ଟା କରିବ।

 

 

 

 

Share