ନୂଆଦିଲ୍ଲୀ,୫ା୧୧: ନବମ ଶ୍ରେଣୀର ପାଠ୍ୟପୁସ୍ତକରେ ବଡ଼ ପରିବର୍ତ୍ତନ କରିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (NCERT)। ସାମାଜିକ ବିଜ୍ଞାନର ନୂଆ ପୁସ୍ତକର ଦ୍ୱିତୀୟ ଭାଗର ଅର୍ଥନୀତି ବିଭାଗରେ ଦୁଇଟି ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଏଣିକି ଛାତ୍ରୀଛାତ୍ର କେବଳ ପାରମ୍ପରିକ ଅର୍ଥନୈତିକ ସିଦ୍ଧାନ୍ତ ନୁହେଁ, ବରଂ ବ୍ୟକ୍ତିଗତ ଆର୍ଥିକ ପରିଚାଳନା (Personal Finance) ଓ ଉଦ୍ୟୋଗୀ ହେବାର କଳା (Entrepreneurship) ବିଷୟରେ ମଧ୍ୟ ଶିକ୍ଷା ଲାଭ କରିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ତଥା ଅର୍ଥନୀତିଜ୍ଞ ସଞ୍ଜୀବ ସାନ୍ୟାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଏହି ପରିବର୍ତ୍ତନ ବିଷୟରେ ସୂଚନା ଦେଇଛନ୍ତି । ନୂଆ ପାଠ୍ୟପୁସ୍ତକରେ ବିପଦକୁ ସାମ୍ନା କରିବା, ନୂତନ ଉଦ୍ଭାବନ ଓ ବ୍ୟବସାୟିକ କାର୍ଯ୍ୟକଳାପକୁ ସକାରାତ୍ମକ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି।
ପର୍ସନାଲ ଫାଇନାନ୍ସ ଉପରେ ଥିବା ନୂଆ ଅଧ୍ୟାୟରେ ପିଲାମାନଙ୍କୁ କମ୍ ବୟସରୁ ଟଙ୍କାର ସଠିକ୍ ପରିଚାଳନା ଓ ଆର୍ଥିକ ନିଷ୍ପତ୍ତି ନେବା ବିଷୟରେ ଶିକ୍ଷା ଦିଆଯିବ। ଏଥିରେ ଫିକ୍ସଡ୍ ଡିପୋଜିଟ୍ (FD), ସରକାରୀ ସଞ୍ଚୟ ଯୋଜନା, ମ୍ୟୁଚୁଆଲ ଫଣ୍ଡ୍, ବଣ୍ଡ୍ ଓ ସେୟାର ବିଷୟରେ ପଢ଼ିବେ ଛାତ୍ରଛାତ୍ରୀ। ଏହା ସହିତ କମ୍ ବିପଦ ଥିବା ନିବେଶରେ ସାଧାରଣତଃ ରିଟର୍ଣ୍ଣ କମ୍ ରହିଥାଏ ଏବଂ ଅଧିକ ବିପଦ ଥିବା ନିବେଶରେ ଅଧିକ ରିଟର୍ଣ୍ଣର ସମ୍ଭାବନା ଥାଏ ବୋଲି ବୁଝାଯିବ। ମୁଦ୍ରାସ୍ଫୀତି (Inflation) ଓ ଚକ୍ରବୃଦ୍ଧି ସୁଧ (Compounding)ର ପ୍ରଭାବ ବିଷୟରେ ମଧ୍ୟ ପିଲାମାନେ ଜାଣିପାରିବେ।
ନୂଆ ଅଧ୍ୟାୟରେ ଋଣ ପରିଶୋଧ ପାଇଁ ବ୍ୟବହୃତ ଇଏମ୍ଆଇ (EMI) ଏବଂ କ୍ରେଡିଟ୍ କାର୍ଡ ବ୍ୟବସ୍ଥା ବିଷୟରେ ମଧ୍ୟ ଶିକ୍ଷା ଦିଆଯିବ। ଏହା ସହିତ ପ୍ରତ୍ୟକ୍ଷ ଟିକସ (Direct Tax) ଓ ପରୋକ୍ଷ ଟିକସ (Indirect Tax) ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଯିବ। ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ବ୍ୟକ୍ତିଗତ ଆୟକର ସ୍ଲାବ୍ ଓ ଟିକସ ଦେୟ ହିସାବ କରିବାର ସହଜ ଉଦାହରଣ ମଧ୍ୟ ପୁସ୍ତକରେ ସ୍ଥାନ ପାଇଛି।
ଉଦ୍ୟୋଗୀ ହେବା ଉପରେ ଥିବା ଅନ୍ୟ ଏକ ଅଧ୍ୟାୟରେ ନୂଆ ବ୍ୟବସାୟିକ ଚିନ୍ତାଧାରା କିପରି ସୃଷ୍ଟି ହୁଏ ଏବଂ ଷ୍ଟାର୍ଟଅପ୍ କିପରି କାମ କରେ, ସେ ବିଷୟରେ ଛାତ୍ରୀଛାତ୍ରଙ୍କୁ ବୁଝାଯିବ।

