ଛତ୍ରପୁର,୫ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ବିପର୍ଯ୍ୟୟ ସମୟରେ ଗଞ୍ଜାମ ଜିଲାବାସୀଙ୍କୁ ବିପଦରୁ ଉଦ୍ଧାର, ଥଇଥାନ ଓ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଦିନରାତି ଏକ କରି କାର୍ଯ୍ୟ କରୁଥିବା ବେଳେ ଜଣେ ବରିଷ୍ଠ ଅଧିକାରୀଙ୍କ ପ୍ରତି ଆସିକା ବିଧାୟକଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ପ୍ରଶାସନିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଆସିକା ଅଞ୍ଚଳର ବନ୍ୟା ପ୍ରଭାବିତ ଓ ଜଳବନ୍ଦୀ ଅଞ୍ଚଳରେ ରହି ଲୋକଙ୍କୁ ରନ୍ଧା ଖାଦ୍ୟ ଓ ରିଲିଫ ସାମଗ୍ରୀ ଯୋଗାଣ କାର୍ଯ୍ୟର ତଦାରଖ କରୁଥିବା ସମୟରେ ଆସିକା ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଜରୁରୀକାଳିନ ପରିସ୍ଥିତିରେ ଜନସେବାରେ ନିୟୋଜିତ ଜଣେ କାର୍ଯ୍ୟରତ ଅଧିକାରୀଙ୍କ ପ୍ରତି ଏଭଳି ଆଚରଣକୁ ନେଇ ଅଧିକାରୀ ଓ କର୍ମଚାରୀ ମହଲରେ ତୀବ୍ର ପ୍ରତିବାଦ ଦେଖାଦେଇଛି।
ଏହାର ପ୍ରତିବାଦରେ ଗୁରୁବାର ଗଞ୍ଜାମ ଜିଲା OAS ସଂଘ ସମେତ ଜିଲା ପରିଷଦ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଜିଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଆସିକା ବିଧାୟକଙ୍କ ବ୍ୟବହାରକୁ ନିନ୍ଦା କରିବା ସହ ତାଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ, ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଦାବି କରାଯାଇଛି।
ଅପରପକ୍ଷରେ ଜିଲାପାଳ ଏହି ଘଟଣାକୁ ନେଇ କହିଛନ୍ତି ଯେ, ଏଭଳି ସଙ୍କଟଜନକ ସମୟରେ ସମସ୍ତଙ୍କୁ ଦୃଢ଼ତାର ସହ ନିଜ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ। ଏହି ଘଟଣା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।

