ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା ବିବାଦ ଏବଂ ବଦଳୁଥିବା ବୈଶ୍ୱିକ ଶକ୍ତି ସନ୍ତୁଳନ ଭାରତର ଜାତୀୟ ସୁରକ୍ଷାକୁ ଅତ୍ୟନ୍ତ ଜଟିଳ କରିଛି। ଏସବୁ ସତ୍ତ୍ୱେ ଆନ୍ତର୍ଜାତିକ ରାଜନୀତି ଓ କୂଟନୀତିର ପଶାପାଲିରେ ଆମ ଦେଶର ପରିବର୍ତ୍ତିତ ‘ବୈଦେଶିକ ନୀତି’ ଏବଂ ‘ଜାତୀୟ ସୁରକ୍ଷା’ର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଜାତୀୟ ସୁରକ୍ଷାର ଅର୍ଥ କେବଳ ସୀମାରେ ଟ୍ୟାଙ୍କ କିମ୍ବା ରାସ୍ତାରେ ପୋଲିସ ମୁତୟନ ଦ୍ୱାରା ଦେଶ ଭିତରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନୁହେଁ। ଦେଶ ମଧ୍ୟରେ ଅରାଜକତା ବ୍ୟାପକ ମାତ୍ରାରେ ସୃଷ୍ଟିକରିବା ଉଦ୍ଦେଶ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାଠାରୁ ଆରମ୍ଭକରି ଚାଷୀମାନଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟିକରି ହେଉ କିମ୍ବା ବାଣିଜ୍ୟ ଯୁଦ୍ଧ ଓ ଆତଙ୍କବାଦ ମାଧ୍ୟମରେ ହେଉ, ଦେଶ ମଧ୍ୟରେ ସୃଷ୍ଟିହେଉଥିବା ଛାୟାଯୁଦ୍ଧ ଜାତୀୟ ସଙ୍କଟରେ ପ୍ରମୁଖ ଭୂମିକା ଗ୍ରହଣକରେ। ଏସବୁ ସଙ୍କଟର ମୁକାବିଲା କରିବା ପାଇଁ ଦେଶରେ ଏକ ଦୃଢ଼ ନେତୃତ୍ୱାଧୀନ ସରକାର ଅପରିହାର୍ଯ୍ୟ।
ଜାତୀୟ ସୁରକ୍ଷା କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଦାୟିତ୍ୱ ନୁହେଁ ବରଂ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏହା ଭାରତର ସଚେତନ ନାଗରିକମାନଙ୍କର ଗୁରୁଦାୟିତ୍ୱ। ସମୟକ୍ରମେ ସରକାର ବଦଳିପାରେ, କିନ୍ତୁ ଜାତୀୟ ସ୍ବାର୍ଥ ଓ ସୁରକ୍ଷା ନୀତିରେ ଦୀର୍ଘମିଆଦୀ ଦୃଷ୍ଟିଭଙ୍ଗୀ ଓ ସର୍ବଦଳୀୟ ସହଯୋଗ ଆବଶ୍ୟକ। ଅନ୍ୟପକ୍ଷରେ କହିବାକୁ ଗଲେ, ଭାରତର ସୁରକ୍ଷା ଏହାର ସଚେତନ ନାଗରିକ, ଶୃଙ୍ଖଳିତ ସମାଜ ଓ ଦାୟିତ୍ୱବାନ୍‌ ସରକାର ଉପରେ ନିର୍ଭରକରେ। ଆଜି ଜାତୀୟ ସୁରକ୍ଷା କେବଳ ସୀମା ସୁରକ୍ଷା କିମ୍ବା ସାମରିକ ଶକ୍ତିରେ ସୀମିତ ନୁହେଁ ।
ଏଥିରେ ଆଭ୍ୟନ୍ତରୀଣ ସୁରକ୍ଷା, ସାମୁଦ୍ରିକ ସୁରକ୍ଷା, ଖାଦ୍ୟ ସୁରକ୍ଷା ସହ ସାଇବର ଆକ୍ରମଣରୁ ସୁରକ୍ଷା,ଜଳ ଓ ଶକ୍ତିର ସୁରକ୍ଷା, ଆତଙ୍କବାଦ ନିରାକରଣ ଏବଂ ଦେଶର କୂଟନୈତିକ ସକ୍ରିୟତା ମଧ୍ୟ ସମାନ ଗୁରୁତ୍ୱ ବହନକରେ। ଜାତୀୟ ସୁରକ୍ଷା ଏକ ଚିରନ୍ତନ ପ୍ରକ୍ରିୟା। ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ସରକାରଙ୍କୁ ଏକ ଦୃଢ଼ ନେତୃତ୍ୱ, ଆଧୁନିକ ପ୍ରଯୁକ୍ତି ଓ ଜାତୀୟ ଏକତାର ସମନ୍ବୟ ସହ ଅଗ୍ରସର ହେବାକୁ ହେବ।
ଜାତୀୟ ସୁରକ୍ଷାର ଅର୍ଥ କେବଳ ଯୁଦ୍ଧ ଜିତିବା ନୁହେଁ ବରଂ ଏପରି ଏକ ପରିବେଶ ସୃଷ୍ଟିକରିବା ଆବଶ୍ୟକ ଯେଉଁଠାରେ ଦେଶର ନାଗରିକ ନିରାପଦରେ ବାସ କରିପାରିବେ। ଦେଶର ସାର୍ବଭୌମତ୍ୱ ଅକ୍ଷୁଣ୍ଣ ରହିବ। ଆର୍ଥିକ ବିକାଶ ବାଧାପ୍ରାପ୍ତ ହେବ ନାହିଁ ଏବଂ ବିଶ୍ବ ସମୁଦାୟ ନିକଟରେ ଭାରତର ପ୍ରଭାବ ବୃଦ୍ଧିପାଇବ।
ଏସବୁ ଦୃଷ୍ଟିକୋଣରୁ ବିଚାରକଲେ ସରକାରଙ୍କ ପ୍ରତ୍ୟେକ ନୀତିର ଦୀର୍ଘମିଆଦୀ ପ୍ରଭାବ ଗଠନମୂଳକ ହେବା ଉଚିତ। ବର୍ତ୍ତମାନ ବିଶ୍ୱରେ ଦେଶ ଦେଶ ମଧ୍ୟରେ ପାରମ୍ପରିକ ଯୁଦ୍ଧ ସହ ସାଇବର ଆକ୍ରମଣ, ଡ୍ରୋନ୍‌ ଅନୁପ୍ରବେଶ,ଦେଶ ବିରୋଧୀ ଶକ୍ତି ଦ୍ୱାରା ଭୁଲ୍‌ ସୂଚନାର ପ୍ରଚାର ଓ ପ୍ରସାର, ଆର୍ଥିକ ଚାପ ଏବଂ ପ୍ରଯୁକ୍ତି ଆଧିପତ୍ୟ ମଧ୍ୟ ଲାଗି ରହିଛି। ବର୍ତ୍ତମାନ ସରକାର ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକୀକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ସାମରିକ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷାକରିବା ପାଇଁ ନୂତନ ଭାବରେ ପ୍ରତିରକ୍ଷା ମୁଖ୍ୟ ପଦ ସୃଷ୍ଟି କରାଯାଇଛି। ରାଫାଲ ଯୁଦ୍ଧବିମାନ, ଏସ୍‌-୪୦୦ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ସ୍ବଦେଶୀ ତେଜସ୍‌ ବିମାନ, ଅତ୍ୟାଧୁନିକ କ୍ଷେପଣାସ୍ତ୍ର ଓ ନୌସେନାର କ୍ଷମତା ବୃଦ୍ଧି ଭାରତର ପ୍ରତିରକ୍ଷା ପ୍ରସ୍ତୁତିକୁ ନୂତନ ଦିଗ ଦେଇଛି।
ଭାରତ-ରୁଷିଆ ମଧ୍ୟରେ ବହୁ ପ୍ରତୀକ୍ଷିତ ପ୍ରତିରକ୍ଷା ଚୁକ୍ତି ହେବା ପୂର୍ବରୁ ଉଭୟ ଦେଶ ପରସ୍ପରର ଏୟାର ବେସ୍‌ ଓ ବନ୍ଦରଗୁଡ଼ିକୁ ବ୍ୟବହାର କରିବା ସହ ୩ ହଜାର ପର୍ଯ୍ୟନ୍ତ ସୈନ୍ୟ ଅଦଳବଦଳ କରିପାରିବେ। ଏହା ବ୍ୟାପକ ଭାବରେ ପରସ୍ପରକୁ ବୈଷୟିକ ସହାୟତା ପ୍ରଦାନ କରିବ। କୂଟନୈତିକ କ୍ଷେତ୍ରରେ ଭାରତ କ୍ୱାଡ୍‌ , ଇଣ୍ଡୋପ୍ୟାସିଫିକ୍‌ ସହଯୋଗ, ପଶ୍ଚିମ ଏସିଆ ସହ ସମ୍ପର୍କ ବଜାୟ ରଖିବା ସହିତ ଆମେରିକା, ଇସ୍ରାଏଲ, ଫ୍ରାନ୍ସ, ଜାପାନ ଏବଂ ଅନ୍ୟାନ୍ୟ ସହଭାଗୀ ଦେଶ ଗୁଡ଼ିକ ସହ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିଛି । ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଚାଇନା ସହ ସୀମାରେଖାକୁ ନେଇ ଉତ୍ତେଜନା ପରେ ସୀମାଞ୍ଚଳରେ ସୈନ୍ୟ ମୁତୟନ ଓ ପରିବହନ କ୍ଷମତା ବୃଦ୍ଧି ଅପରିହାର୍ଯ୍ୟ ମନେକରାଯାଏ। ଏହାସହ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅଧୀନରେ ପ୍ରତିରକ୍ଷା ଉତ୍ପାଦନରେ ସ୍ବଦେଶୀକରଣକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଏହା କେବଳ ସାମରିକ ଦୃଷ୍ଟିରୁ ନୁହେଁ, ଆର୍ଥିକ ଓ ପ୍ରଯୁକ୍ତିଗତ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭବିଷ୍ୟତରେ ଏହା ଭାରତକୁ ପ୍ରତିରକ୍ଷା ରପ୍ତାନିକାରୀ ଦେଶ ଭାବରେ ଗଢ଼ି ତୋଳିବା ସମ୍ଭାବନା ସୃଷ୍ଟିକରେ।
ସମ୍ବଲପୁର
ମୋ: ୯୪୩୭୪୨୦୫୪୬

Odisha’s No.1 Odia Daily