Categories: ଖେଳ

ବରୁଣ ଅନ୍‌ଫିଟ୍‌, ଏନ୍‌ସିଏରେ ନଟରାଜନ

ଅହମଦାବାଦ,୧୧।୩(ପି.ଟି.): ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବାକୁ ଯାଉଥିବାବେଳେ ଲେଗ୍‌ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୁଣି ଥରେ ଫିଟ୍‌ନେସ ଟେଷ୍ଟରେ ବିଫଳ ହୋଇଛନ୍ତି। ଅନ୍ୟପଟେ ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ସୋଲ୍ଡର ନିଗଲ ଅର୍ଥାତ୍‌ କାନ୍ଧରେ ଦେଖାଦେଇଥିବା ଆଘାତ ସମସ୍ୟା ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଚିକିତ୍ସିତ ହେଉଛନ୍ତି। ଫଳରେ ଏହି ଦୁଇ ଖେଳାଳି ସିରିଜର ପ୍ରଥମ କେତୋଟି ମ୍ୟାଚ୍‌ରୁ ବାଦ୍‌ ପଡିବା ନିଶ୍ଚିତ ହୋଇଛି।
ଏନ୍‌ସିଏରେ ଚକ୍ରବର୍ତ୍ତୀ ବାରମ୍ବାର ଫିଟ୍‌ନେସ ଟେଷ୍ଟରେ ବିଫଳ ହୋଇଆସୁଛନ୍ତି। ସେହିପରି ନଟରାଜନ ମଧ୍ୟ ଦଳରେ ଯୋଗଦେଇପାରି ନାହାନ୍ତି। ସୋଲ୍ଡର ଇଞ୍ଜୁରି କାରଣରୁ ବରୁଣ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ୍‌ ପଡିଥିଲେ। ତେବେ ଇଞ୍ଜୁରିରୁ ମୁକୁଳିବା ପରେ ସେ ଦଳରେ ସାମିଲ ହୋଇଥିଲେ। ଏନ୍‌ସିଏରେ ସେ ତାଙ୍କର ରିହାବ ପ୍ରକ୍ରିୟା ଚାଲୁ ରଖିଥିଲେ ଓ ଥ୍ରୋ କରୁଥିଲେ। ତେବେ ସେ ୟୋ ୟୋ ଟେଷ୍ଟରେ ବିଫଳ ହୋଇଥିଲେ। ଅତିକମ୍‌ରେ ସେ ଦୁଇଥର ୨ କି.ମି. ଦୌଡ଼ିବାରେ ବିଫଳ ହୋଇଥିଲେ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ।
ଏପରିସ୍ଥଳେ ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି କିପରି ବରୁଣଙ୍କୁ ଦଳରେ ଚୟନ କଲେ ସେ ନେଇ ପ୍ରଶ୍ନ ଉଠିଛି। ଅକ୍ଟୋବର ପରେ ସେ ନିଜ ରାଜ୍ୟ ତାମିଲନାଡୁ ପାଇଁ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳିନାହାନ୍ତି। ସେ ମଧ୍ୟ ଗୋଟିଏ ହେଲେ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ ଖେଳିନାହାନ୍ତି। ତେଣୁ ୫ ମାସ ପୂର୍ବରୁ ଖେଳିଥିବା ଏକ ମ୍ୟାଚ୍‌କୁ ଆଧାର କରି ତାଙ୍କ ଫିଟ୍‌ନେସ୍‌ କିପର ଆକଳନ କରାଯାଇପାରିବ ବୋଲି ପ୍ରଶ୍ନ ଉଠୁଛି। ତେଣୁ ବରୁଣଙ୍କର ଏହି ଘଟଣାରୁ ଚୟନକର୍ତ୍ତାମାନେ ନିଶ୍ଚିତ ଭାବେ ଶିକ୍ଷା ପାଇଥିବେ ବୋଲି କୁହାଯାଇଛି। ଭାରତୀୟ ଦଳ ପାଇଁ ନିର୍ଦ୍ଧାରିତ ହୋଇଥିବା ମାନଦଣ୍ଡକୁ ଜଣେ ଖେଳାଳି ପୂରା କରିପାରୁ ନାହିଁ। କେବଳ ବୋଲିଂକୁ ଦୃଷ୍ଟିରେ ରଖି ତାଙ୍କୁ ଦଳରେ ସାମିଲ କିପରି କରାଯାଇପାରିବ ବୋଲି ପ୍ରଶ୍ନ ଉଠିଛି।
ରାହୁଲ ଚହରଙ୍କୁ ଦଳରେ ସାମିଲ କରାଯାଇଛି ବୋଲି ଜଣାଯାଇଛି। ଗତ ଟେଷ୍ଟ ସିରିଜ ଆରମ୍ଭରୁ ସେ ବାୟୋ-ବବଲରେ ରହିଛନ୍ତି। ଅନ୍ୟପଟେ ନଟରାଜନଙ୍କୁ ଫିଟ୍‌ କରିବା ପାଇଁ ଏନସିଏରେ ମେଡିକାଲ ଷ୍ଟାଫ୍‌ ପ୍ରୟାସ ଜାରି ରଖିଛନ୍ତି। ଅତିକମ୍‌ରେ ସେ ସିରିଜରେ ଅନ୍ତିମ ଭାଗରେ ସାମିଲ ହେବାର ସମ୍ଭାବନା ରହିଛି। ସେହିପରି ରାହୁଲ ଟଓ୍ବୋଟିଆ ଅହମଦାବାଦରେ ଭାରତୀୟ ଦଳ ସହ ଟ୍ରେନିଂ ନେଉଛନ୍ତି। ସେ ତାଙ୍କ ଦ୍ୱିତୀୟ ଫିଟ୍‌ନେସ ଟେଷ୍ଟ ଦେବାକୁ ଅପେକ୍ଷା କରିଛନ୍ତି। ଟି୨୦ ସିରିଜ ପରେ ଭାରତ ଓ ଇଂଲଣ୍ଡ ଏକ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବେ। ୧୨ ତାରିଖ ଶୁକ୍ରବାର ଅହମଦାବାଦରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ।

Share