ଚନ୍ଦ୍ରକୁ ମଣିଷ ପଠାଇବ ନାସା

ଓ୍ବାଶିଂଟନ,୩ା୯: ଆମେରିକୀୟ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ‘ନାସା’ର ସବୁଠାରୁ ଶକ୍ତିଶାଳୀ  ‘ରକେଟ ସ୍ପେଶ ଲଞ୍ଚ ସିଷ୍ଟମ’ ମାଧ୍ୟମରେ ଏହି ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ନାସା’ର ‘ଆର୍ଟିମିସ ମିଶନ’। ‘ଆର୍ଟିମିସ’ ହେଉଛି ୟୁନାନୀ ଦେବତା ଆପୋଲୋର ଯାଆଁଳା ଭଉଣୀ। ତେଣୁ ଏହି ମିଶନର ନାମ ‘ଆର୍ଟିମିସ’ ରଖାଯାଇଛି। ଆମେରିକୀୟମାନେ ଚନ୍ଦ୍ରକୁ ଦେବୀ ବୋଲି ମାନନ୍ତି। ଦୀର୍ଘ ୫୦ ବର୍ଷ ପରେ ‘ନାସା’ ଚନ୍ଦ୍ର ପୃଷ୍ଠକୁ ପୁନଃ ମାନବ ପ୍ରେରଣ କରିବ। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଏହା ଲଞ୍ଚ କରାଯିବ।

ସୋମବାର ନାସା ଏହାକୁ ଫ୍ଲୋରିଡା ଉପକୂଳରେ ଥିବା କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ୍‌ କରିବାକୁ ପ୍ରସ୍ତୁତ ହେଉଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ରକେଟ ଇଞ୍ଜିନ ସମସ୍ୟା, ହାଇଡ୍ରୋଜେନ ଲିକ୍‌ ଏବଂ ଖରାପ ପାଗ ଭଳି ଅନେକ କାରଣରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ରକେଟର ୪ଟି ମୁଖ୍ୟ ଇଞ୍ଜିନ ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ରୂପେ ଥଣ୍ଡା ହେବାରେ ବିଫଳ ହେତୁ ନାସା ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲା। ପରିଚାଳକମାନେ କହିଛନ୍ତି, ସୋମବାରର ସମସ୍ୟା ପରେ ସେମାନେ ବର୍ତ୍ତମାନ ରକେଟକୁ ଇନ୍ଧନ ଦେବା ପ୍ରକ୍ରିୟାରେ ପରିବର୍ତ୍ତନ କରୁଛନ୍ତି।

ନାସା ଦ୍ୱାରା ନିର୍ମିତ ଏହି ରକେଟ୍‌ ୩୨୨ ଫୁଟ ଅର୍ଥାତ୍‌ (୯୮ ମିଟର) ଲମ୍ବ ଅଟେ। ଏହା ସହିତ କ୍ରୁ ବିନା ମହାକାଶଯାନ ଚନ୍ଦ୍ରରେ ଉତ୍‌କ୍ଷେପଣ କରାଯିବ। ଆର୍ଯ୍ୟନ ସ୍ପେଶ୍‌କ୍ରାଫ୍ଟ ପ୍ରାୟ ୪୨ଦିନ ଚନ୍ଦ୍ରରେ ପରୀକ୍ଷା କରବ। ୫୦ ବର୍ଷ ପରେ ନାସା ପୁନର୍ବାର ଚନ୍ଦ୍ରକୁ ମଣିଷ ପଠାଇବା ପାଇଁ ତିନି ପର୍ଯ୍ୟାୟ ‘ଆର୍ଟିମିସ’ ଅଭିଯାନ ଆରମ୍ଭ କରିଛି।

ଅଭିଯାନର ପ୍ରଥମ ପର୍ଯ୍ୟାୟରେ ସୋମବାର ଦିନ ଦୁନିଆର ସବୁଠାରୁ ଶକ୍ତିଶାଳୀ ରକେଟ ଏସ୍‌ଏଲ୍‌ଏସ ଏବଂ ଏହାର ସହଯୋଗୀ କ୍ୟାପସୁଲ ଓରିଅନ ନାମକ ଏକ ଲଞ୍ଚ ହେବାକୁ ଯାଉଛି। ବର୍ତ୍ତମାନ କ୍ୟାପସୁଲରେ ମହାକାଶଚାରୀଙ୍କ ସ୍ଥାନରେ ଏକ ଡମି ପଠାଯିବ। ଯଦି ମିଶନର ପ୍ରଥମ ପର୍ଯ୍ୟାୟ ସଫଳ ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ମହାକାଶଚାରୀଙ୍କୁ ପଠାଯିବ। କିନ୍ତୁ ସେମାନେ ଚନ୍ଦ୍ର ବୁଲାଇବା ପରେ ଫେରିବେ। ଏହା ପରେ ତୃତୀୟ ପର୍ଯ୍ୟାୟରେ ୨୦୨୫ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ପାଇଁ ଯୋଜନା ଅଛି।

Share