କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାସ୍ତାଘାଟରେ ପାଣି ଜମି ରହିଥିବା ବେଳେ ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି।
ସିରଜାପାଲି ପଞ୍ଚାୟତର ଦିଗଶିରା, ବାଦିପଡା ଓ ସିରଜାପାଲି ଗ୍ରାମର ପ୍ରାୟ ୯୦ ପ୍ରତିଶତ ଚାଷଜମି ପାଣିରେ ବୁଡ଼ି ରହିଛି। ସେହିପରି ବେଲଖଣ୍ଡି ପଞ୍ଚାୟତର ପ୍ରାୟ ୯୦ ପ୍ରତିଶତ ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି। ହାତୀଖୋଜ ପଞ୍ଚାୟତର ଅଧିକାଂଶ ଚାଷଜମି ମଧ୍ୟ ବନ୍ୟାଜଳରେ ବୁଡ଼ି ରହିଥିବା ଜଣାପଡ଼ିଛି।
ପରିସ୍ଥିତିର ଅନୁଧ୍ୟାନ ପାଇଁ ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ବେଲଖଣ୍ଡି ସମେତ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ବିଧାୟିକା ଆଣ୍ଠୁଏ ପାଣିରେ ପଶି ଚାଷୀମାନଙ୍କ ଜଳମଗ୍ନ ଚାଷଜମି ନିଜେ ବୁଲି ଦେଖିଥିଲେ।
ଏହାପରେ ବେଲଖଣ୍ଡି ପଞ୍ଚାୟତର ପ୍ରାୟ ୩୦୦ ପରିବାରଙ୍କୁ ବିଧାୟିକା ନିଜସ୍ୱ ପାଣ୍ଠିରୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ। ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ମଧ୍ୟ ଏହି ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।
ଏହି ଅବସରରେ ଓଡ଼ିଶା ସରପଞ୍ଚ ସଂଘର ସଭାପତି ରାଷ୍ଟ୍ର ସାହୁ, କରଲାମୁଣ୍ଡା ବ୍ଲକ ବିଜେଡି ସଭାପତି ଯଶୋବନ୍ତ ସାହୁ, ଭବାନୀ ସାହୁ, ଗୋବିନ୍ଦ ତାଣ୍ଡି, ବେଲଖଣ୍ଡି ସରପଞ୍ଚ ସୁଶାନ୍ତ ବାଗ, ପଞ୍ଚାୟତ ବିଜେଡି ସଭାପତି ଚକାମନ ନାଏକ, ଯୁବ ସଂଗଠକ ରୋହିତ କୁମାର ସାହୁ, ବ୍ଲକ ଛାତ୍ର ସଭାପତି ଶୁଭେନ୍ଦୁ ସାହୁ, ଜିଲା ଯୁବ ସମ୍ପାଦକ ଦିଲୀପ କୁମାର ସାହୁ, ଜଗଦୀଶ ଦୀପ, ବିକ୍ରମ ସାହୁଙ୍କ ସମେତ ଶତାଧିକ ବିଜେଡି କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ।
ବିଧାୟିକାଙ୍କ ଏଭଳି ତ୍ୱରିତ ସହାୟତାକୁ ସ୍ଥାନୀୟ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥିବା ବେଳେ, ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ଫସଲ କ୍ଷତିପୂରଣ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉଠାଇବେ ବୋଲି ବିଧାୟିକା ପ୍ରକାଶ କରିଛନ୍ତି।