ନରେନ୍ଦ୍ର ମୋଦୀ ଅଜାଣତରେ ରବର୍ଟ ଫ୍ରଷ୍ଟଙ୍କ ଚିନ୍ତାଧାରା ଉପରେ ବିଶ୍ୱାସ କରନ୍ତି: ସେ ଏପରି ଏକ ମାର୍ଗ ବାଛିଛନ୍ତି ଯେଉଁଥିରେ ସାଧାରଣତଃ କେହି ଯାଆନ୍ତି ନାହିଁ ଏବଂ ବୋଧହୁଏ ସେଥିପାଇଁ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି।
ଜବାହରଲାଲ ନେହେରୁ ଏବଂ ନରେନ୍ଦ୍ର ମୋଦୀଙ୍କ ମାଧ୍ୟମରେ ଭାରତର ନେତୃତ୍ୱ ଦୁଇଟି ଭିନ୍ନ ସମୟସୀମାକୁ ସଂଯୋଗ କରିଛି-ଯେଉଁଠି ପ୍ରତ୍ୟେକ ଯୁଗ ନିଜସ୍ବ ପ୍ରତିବନ୍ଧକ, ନିଷ୍ପତ୍ତି ଏବଂ ମହତ୍ତ୍ୱାକାଂକ୍ଷା ଦ୍ୱାରା ପରିଚାଳିତ। ନେହେରୁ ଏକ ଦୁର୍ବଳ, ନୂତନ ଭାବେ ସାର୍ବଭୌମତ୍ୱ ପାଇଥିବା ଦେଶର ଶାସନ ଭାର ସମ୍ଭାଳିଥିଲେ। ଅପରପକ୍ଷରେ ମୋଦୀ ଏକ ବିଶାଳ, ଡିଜିଟାଲ ନେଟ୍ୱର୍କରେ ଯୋଡ଼ିହୋଇଥିବା ଏବଂ ବିଶ୍ୱସ୍ତରୀୟ ଆହ୍ବାନଗୁଡ଼ିକର ସାମ୍ନା କରୁଥିବା ଏକ ଅତ୍ୟଧିକ ପ୍ରତିଯୋଗିତାମୂଳକ ଗଣତନ୍ତ୍ରକୁ ପରିଚାଳିତ କରୁଛନ୍ତି। ସେମାନଙ୍କର ନେତୃତ୍ୱ ଶୈଳୀର ଏହି ପାର୍ଥକ୍ୟ ଭାରତର ଶାସନ ପ୍ରଣାଳୀର ଆବଶ୍ୟକତା କିଭଳି ବୃଦ୍ଧି ପାଇଛି, ତାହା ଦର୍ଶାଏ-ଏବଂ ଏହା ମଧ୍ୟ ସ୍ପଷ୍ଟକରେ ଯେ କାହିଁକି ରାଷ୍ଟ୍ରର ସାମର୍ଥ୍ୟ, ସମସ୍ତଙ୍କର ଅନ୍ତର୍ଭୁକ୍ତୀକରଣ, ଭିତ୍ତିଭୂମି, କୂଟନୀତି ଏବଂ ସେବା ପ୍ରଦାନ କ୍ଷେତ୍ରରେ ମୋଦୀଙ୍କ କାର୍ଯ୍ୟକାଳ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହୋଇଛି।
ନେହେରୁଙ୍କ ଶାସନ ଦର୍ଶନ ମୁଖ୍ୟତଃ ଉପରସ୍ତରରୁ ନିମ୍ନସ୍ତରକୁ ଆନୁଷ୍ଠାନିକ ଗଠନ ଏବଂ ରାଷ୍ଟ୍ର-ନିର୍ଦ୍ଦେଶିତ ଅର୍ଥନୀତି ଉପରେ କେନ୍ଦ୍ରୀଭୂତ ଥିଲା। ବିଭାଜନ ପରେ ନିଜକୁ ଗଢୁଥିବା ଏକ ଦେଶ ପାଇଁ ଏହା ଉପଯୁକ୍ତ ଥିଲା, ତଥାପି ଏହା ଏଭଳି ଏକ କେନ୍ଦ୍ରୀଭୂତ ନିୟନ୍ତ୍ରଣକୁ ମଧ୍ୟ ପ୍ରତିଷ୍ଠାକଲା ଯାହା ନାଗରିକମାନଙ୍କୁ ସହଭାଗୀ କରିବା ପରିବର୍ତ୍ତେ କେବଳ ସୁବିଧା ପାଉଥିବା ହିତାଧିକାରୀରେ ପରିଣତ କଲା।
ମୋଦୀଙ୍କ ଆଭିମୁଖ୍ୟ ଏହି ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ରୂପେ ବଦଳାଇଦେଇଛି: ସମ୍ମାନ ଏବଂ ସେବା ପ୍ରଦାନ ଦ୍ୱାରା ପରିଚାଳିତ ଶାସନ ପ୍ରଣାଳୀକୁ ସେ ଏକ ଜନ ଆନ୍ଦୋଳନରେ ପରିଣତ କରିଛନ୍ତି, ଯାହାର ମୂଳମନ୍ତ୍ର ହେଉଛି ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’। ନିମ୍ନସ୍ତରରୁ ଉପରସ୍ତରକୁ ଏହି ସାମୂହିକ ପ୍ରୟାସ-ଯେପରିକି ବ୍ୟାଙ୍କ ଆକାଉଣ୍ଟ, ଡିବିଟି, ସୁଲଭ ମୂଲ୍ୟରେ ଗ୍ୟାସ୍ ସଂଯୋଗ, ଗୃହ ନିର୍ମାଣ, ଶୌଚାଳୟ, ଦ୍ରୁତ ରାସ୍ତା ନିର୍ମାଣ ଏବଂ ଡିଜିଟାଲ କଲ୍ୟାଣକାରୀ ଯୋଜନା-ସରକାରୀ ସୁବିଧାଗୁଡ଼ିକୁ ପ୍ରତ୍ୟେକ ପରିବାର ସ୍ତରରେ ସ୍ପଷ୍ଟଭାବେ ପହଞ୍ଚାଇପାରିଛି, ଯାହା ସଫଳତା ସହିତ ଜନସାଧାରଣଙ୍କ ବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଛି।
ବିଶାଳତାରେ ବି ଏକ ବଡ଼ ଫରକ ରହିଛି। ନେହେରୁ ଯେତେବେଳେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ଦେଶର ଜନସଂଖ୍ୟା ୩୪ କୋଟି ଥିଲା ଓ ସ୍ବଳ୍ପ ସଂଖ୍ୟକ ରାଜନୈତିକ ଦଳ ଥିବାରୁ ପ୍ରତିଯୋଗିତା ସର୍ବନିମ୍ନ ଥିଲା। କିନ୍ତୁ ମୋଦୀ ଯେତେବେଳେ ପ୍ରଧାନମନ୍ତ୍ରୀ ହେଲେ ଦେଶର ଜନସଂଖ୍ୟା ୧୩୧ କୋଟି ଥିଲା ଓ ଦେଶରେ ହଜାର ହଜାର ରାଜନୈତିକ ଦଳ ଅଛନ୍ତି ଏବଂ ଶହ ଶହ ଦଳ ସାଧାରଣ ନିର୍ବାଚନ ଲଢୁଛନ୍ତି। ଭାରତର ପ୍ରଥମ ସାଧାରଣ ନିର୍ବାଚନରେ ୧୭ କୋଟି ଭୋଟର ଥିବାବେଳେ ୨୦୧୪ ନିର୍ବାଚନରେ ତାହା ୮୩ କୋଟିକୁ ବୃଦ୍ଧି ପାଇଥିଲା ଓ ୨୦୨୪ ସୁଦ୍ଧା ଆହୁରି ବଢ଼ିଥିଲା।
ଆଜିର ଏହି ବିଭାଜିତ ପରିବେଶ ଓ ୨୪ ଘଣ୍ଟିଆ ଡିଜିଟାଲ ଗଣମାଧ୍ୟମର ନଜର ମଧ୍ୟରେ ବି ମୋଦୀ ବାରମ୍ବାର ଜିତିଆସୁଛନ୍ତି। ନେହେରୁଙ୍କ ସମୟର ପରିସ୍ଥିତି ସଂସ୍ଥା କୈନ୍ଦ୍ରିକ ଓ ଖବରକାଗଜ ଆଧାରିତ ଥିଲା। ସବୁବେଳେ ଅନ୍ଲାଇନ ଓ ସୋସିଆଲ ମିଡିଆର ସମାଲୋଚନା ଓ ନିରୀକ୍ଷଣ ମଧ୍ୟରେ ଶାସନ କରିବା ଦ୍ୱାରା ଉତ୍ତରଦାୟିତ୍ୱ ବଢ଼ିଯାଏ ଏବଂ ନିଜର ପକ୍ଷ ରଖିବା ପାଇଁ ଅଧିକ ପ୍ରତିଯୋଗିତା କରିବାକୁ ପଡ଼ିଥାଏ। ଏଭଳି ଏକ ଡିଜିଟାଲ ଯୁଗରେ ମଧ୍ୟ ମୋଦୀ କ୍ରମାଗତ ଭାବେ ତିନୋଟି ଲୋକସଭା ନିର୍ବାଚନରେ ନିଜର କେନ୍ଦ୍ରୀୟ ସ୍ଥାନ ବଜାୟ ରଖିଛନ୍ତି ଏବଂ ଅନେକ ପରିବାରର ତିନି ପିଢ଼ି ପାଇଁ ପ୍ରାସଙ୍ଗିକ ହୋଇ ରହିଛନ୍ତି, ଯାହା ତାଙ୍କର ଏକ ଅସାଧାରଣ ରାଜନୈତିକ ସ୍ଥାୟିତ୍ୱକୁ ଦର୍ଶାଉଛି।
ଅର୍ଥନୈତିକ ଦୃଷ୍ଟିକୋଣରୁ ଦେଖିଲେ, ନେହେରୁଙ୍କ ମଡେଲ ମୌଳିକ ଶିଳ୍ପ ଏବଂ ବୈଜ୍ଞାନିକ ପ୍ରତିଷ୍ଠାନଗୁଡ଼ିକୁ ସମୃଦ୍ଧ କରିଥିଲା, କିନ୍ତୁ ଏହା ପରବର୍ତ୍ତୀ ସମୟରେ ପ୍ରାୟ ୩-୪%ର ‘ହିନ୍ଦୁ ବିକାଶ ହାର’ ମଧ୍ୟରେ ସୀମିତ ହୋଇ ରହିଯାଇଥିଲା। ଅପରପକ୍ଷରେ, ମୋଦୀଙ୍କ ଭାରତ ବିଶ୍ୱ ଅର୍ଥନୀତିର ଏକ ପ୍ରମୁଖ ଚାଳକ ଶକ୍ତି ଭାବେ କାର୍ଯ୍ୟ କରିଛି; କୋଭିଡ୍-୧୯, ମୁଦ୍ରାସ୍ଫୀତି ବୃଦ୍ଧି, ଯୋଗାଣ ଶୃଙ୍ଖଳା ଜନିତ ସମସ୍ୟା ଏବଂ ଭୂ-ରାଜନୈତିକ ସଂଘର୍ଷ ଭଳି ସଙ୍କଟଜନକ ଦଶନ୍ଧି ମଧ୍ୟରେ ମଧ୍ୟ ଦେଶର ହାରାହାରି ବିକାଶ ହାର ୬.୫-୭% ରହିଛି। ଅର୍ଥନୈତିକ କ୍ଷେତ୍ରର ଏହି ଅଭିବୃଦ୍ଧି ଭୌତିକ ସଂଯୋଗୀକରଣରେ ମଧ୍ୟ ପ୍ରତିଫଳିତ ହେଉଛି: ୨୦୧୪ରୁ ୨୦୨୪ ମଧ୍ୟରେ ଜାତୀୟ ରାଜପଥର ପ୍ରାୟ ୫୪,୦୦୦ କିଲୋମିଟରରୁ ଅଧିକ ସମ୍ପ୍ରସାରଣ କରାଯାଇଛି, ଯାହା ପରିବହନ ଓ ଯୋଗାଣ ବ୍ୟବସ୍ଥାକୁ ଏକ ପ୍ରତିବନ୍ଧକ ବଦଳରେ ପ୍ରତିଯୋଗିତାମୂଳକ ଶକ୍ତିରେ ପରିଣତ କରିଛି। ବ୍ୟାପକ ଭିତ୍ତିଭୂମିର ବିକାଶ ଏବଂ ଡିଜିଟାଲ ମାଧ୍ୟମ-ଯେପରିକି ୟୁପିଆଇ ପେମେଣ୍ଟ, ବାୟୋମେଟ୍ରିକ୍ ପରିଚୟ-ଆଧାରିତ ସେବା ପ୍ରଦାନ ଏବଂ ସହଜରେ ଉପଲବ୍ଧ କଲ୍ୟାଣକାରୀ ଯୋଜନାର ମିଳନ, ସରକାରୀ ନୀତି ଘୋଷଣା ଏବଂ ନାଗରିକଙ୍କ ନିକଟରେ ତାହାର ପ୍ରଭାବ ପହଞ୍ଚିବା ମଧ୍ୟରେ ଥିବା ସମୟ ବ୍ୟବଧାନକୁ ହ୍ରାସ କରିପାରିଛି। ଏହା ପୂର୍ବ ଦଶନ୍ଧିଗୁଡ଼ିକରେ ପ୍ରତିବନ୍ଧକ ସାଜିଥିବା ଦୁର୍ନୀତି ଏବଂ ନାଲିଫିତା ଜନିତ ଚାପକୁ ମଧ୍ୟ ଯଥେଷ୍ଟ କମାଇଦେଇଛି।
ଆନୁଷ୍ଠାନିକ ଭାବେ, ନେହେରୁ ଆଇଆଇଟି ଏବଂ ଏମ୍ସ ଭଳି ପ୍ରତିଷ୍ଠାନର ମୂଳଦୁଆ ପକାଇଥିଲେ, ଯାହା ଭାରତର ଜ୍ଞାନଭିତ୍ତିକ ଅର୍ଥନୀତିକୁ ସମୃଦ୍ଧ କରିଥିଲା। ଅପରପକ୍ଷରେ, ମୋଦୀଙ୍କ ଦଶନ୍ଧି ଏହାର ବ୍ୟାପକ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦେଇଛି; ଯେଉଁଥିରେ ଆଇଆଇଟି ସଂଖ୍ୟା ୨୩କୁ, ଆଇଆଇଏମ୍ ସଂଖ୍ୟା ୨୧କୁ ଏବଂ ଏମ୍ସ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି, ଯାହା ଶିକ୍ଷାର ମାନକୁ ବଜାୟ ରଖିବା ସହ ଏହାର ପରିସରକୁ ଅଧିକ ବ୍ୟାପକ କରିପାରିଛି। ଉଚ୍ଚ ମାନସିକତା ଏବଂ ବ୍ୟାପକ ପ୍ରସାରର ଏହି ଦ୍ୱିମୁଖୀ ଆଭିମୁଖ୍ୟ-ଏଭଳି ଏକ ରାଜନୀତିକୁ ପ୍ରତିଫଳିତ କରେ, ଯାହା ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ସରକାରୀ ନୀତିର ମୂଳଦୁଆ ଭାବେ ଗ୍ରହଣ କରିଥାଏ।
ସାମାଜିକ ସ୍ତରରେ ଦେଖିଲେ, ମୋଦୀଙ୍କ ଶାସନ କାଳରେ ମନ୍ତ୍ରିମଣ୍ଡଳ ଗଠନରେ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର ପ୍ରତିନିଧିତ୍ୱକୁ ଅଭୂତପୂର୍ବ ଭାବେ ପ୍ରାଧାନ୍ୟ ଦିଆଯାଇଛି। ସେହିପରି ମହିଳାମାନଙ୍କ ପ୍ରତିନିଧିତ୍ୱ, ଯାହାର ପ୍ରତିଶତ ୧୯୫୦ ଦଶକରେ ଏକ ଅଙ୍କରେ ସୀମିତ ଥିଲା, ତାହା ଏବେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମାଧ୍ୟମରେ ଏକ-ତୃତୀୟାଂଶ ସଂରକ୍ଷଣ ଲାଗି ଆଇନଗତ ପଥ ପ୍ରସ୍ତୁତ କରିଛି। ଏହା ସୂଚାଉଛି ଯେ ମହିଳା ଓ ପଛୁଆ ବର୍ଗଙ୍କୁ କେବଳ ନାମକୁ ମାତ୍ର ସାମିଲ ନ କରି, ଏବେ ସେମାନଙ୍କ ଅଧିକାରକୁ ଏକ ସାମ୍ବିଧାନିକ ଓ ସ୍ଥାୟୀ ରୂପ ଦିଆଯାଉଛି।
ବୈଦେଶିକ ନୀତି କ୍ଷେତ୍ରରେ ମଧ୍ୟ ସେମାନଙ୍କର ଶୈଳୀ ଏବଂ ରଣନୀତି ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ମିଳେ। ନେହେରୁଙ୍କ ‘ଗୋଷ୍ଠୀ ନିରପେକ୍ଷ ନୀତି’ ଆଦର୍ଶଗତ ଥିଲା, କିନ୍ତୁ ଦୁଇ ମହାଶକ୍ତି କେନ୍ଦ୍ରିତ ସେହି ସମୟର ବିଶ୍ୱରେ ଏହା ଅନେକ ସମୟରେ ଭାରତକୁ ଏକାକୀ କରିଦେଇଥିଲା, ଯାହା ବାସ୍ତବ ପ୍ରଭାବ ଅପେକ୍ଷା ଅଧିକ ମାନବିକ ଓ ନୈତିକ ନେତୃତ୍ୱ ଉପରେ ଆଧାରିତ ଥିଲା। ଅପରପକ୍ଷରେ, ମୋଦୀଙ୍କ ‘ବହୁ-ପାକ୍ଷିକ ସଂଯୋଗୀକରଣ’ ହେଉଛି ବ୍ୟାବହାରିକ, ବହୁସ୍ତରୀୟ ଏବଂ ସମ୍ପୂର୍ଣ୍ଣ ରୂପେ ଦେଶର ସ୍ବାର୍ଥ ରକ୍ଷା ଉପରେ ପର୍ଯ୍ୟବସିତ। ଏହା ଅଧୀନରେ ଭାରତ ଏକ ସମୟରେ ଆମେରିକା, ରୁଷିଆ, ୟୁରୋପ, ଗଲ୍ଫ ଦେଶ ଏବଂ ସମଗ୍ର ଗ୍ଲୋବାଲ ସାଉଥ ସହ ସମ୍ପର୍କ ରଖୁଛି; ଏବଂ ଦେଶର ବଜାର, ବୈଷୟିକ ଆବଶ୍ୟକତା ତଥା ପ୍ରବାସୀ ଭାରତୀୟମାନଙ୍କ ପ୍ରଭାବକୁ ନିଜର ଶକ୍ତିରେ ପରିଣତ କରିପାରିଛି।
ବିଦେଶୀ ସଂସଦଗୁଡ଼ିକରେ ମୋଦୀଙ୍କ ବାରମ୍ବାର ସମ୍ବୋଧନ ଏବଂ ତାଙ୍କୁ ମିଳୁଥିବା ଅନେକ ଅନ୍ତର୍ଜାତୀୟ ସମ୍ମାନ ଏକ ବଡ଼ ବାସ୍ତବତାର ସଙ୍କେତ ଦେଉଛି। ତାହା ହେଉଛି ଆଜିର ଭାରତ ବିଶ୍ବର ଏଜେଣ୍ଡା ଉପରେ କେବଳ ପ୍ରତିକ୍ରିୟା ରଖିବା ବଦଳରେ ସେଗୁଡ଼ିକୁ ରୂପ ଦେବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
ସୁରକ୍ଷା ଏବଂ କୂଟନୀତି କ୍ଷେତ୍ରରେ ମଧ୍ୟ ବ୍ୟାପକ ସୁଧାର ଆସିଛି। ନେହେରୁଙ୍କ ଶାସନ କାଳକୁ ପ୍ରାୟତଃ ‘ଶାନ୍ତିପୂର୍ଣ୍ଣ’ ବୋଲି କୁହାଯାଉଥିଲେ ସୁଦ୍ଧା ସେହି ସମୟରେ ପ୍ରଥମ ଭାରତ-ପାକିସ୍ତାନ ଯୁଦ୍ଧଠାରୁ ଆରମ୍ଭକରି ୧୯୬୨ରେ ଚାଇନା ସହିତ ଯୁଦ୍ଧ ଭଳି ଅନେକ ସଂଘର୍ଷ ଦେଖିବାକୁ ମିଳିଥିଲା। ଅପରପକ୍ଷରେ, ମୋଦୀଙ୍କ ନୀତି ହେଉଛି ଶତ୍ରୁକୁ ଜବାବ ଦେବା ସହ ସୀମାର ସୁପରିଚାଳନା କରିବା। ଏହି ରଣନୀତି ଯୋଗୁ ଶତ୍ରୁଭାବାପନ୍ନ ପଡ଼ୋଶୀ ଥିଲେ ମଧ୍ୟ ଦେଶ ଏକ ବଡ଼ ଧରଣର ପାରମ୍ପରିକ ଯୁଦ୍ଧକୁ ଏଡ଼ାଇବାରେ ସଫଳ ହୋଇଛି। ଏହାର ଅର୍ଥ ନୁହେଁ ଯେ ଏବେ କୌଣସି ବିପଦ ନାହିଁ; ବରଂ ଏହା ଦର୍ଶାଉଛି ଯେ ଦେଶରେ ଅଭିବୃଦ୍ଧି ଓ ଆଧୁନିକୀକରଣ ଚାଲିଥିବା ସମୟରେ ସୁରକ୍ଷା ବ୍ୟବସ୍ଥା ଅଧିକ ସ୍ଥିର ରହିଛି।
ଅଭାବରୁ ପ୍ରାଚୁର୍ଯ୍ୟ ଆଡ଼କୁ ଦେଶର ବିକାଶ ଯାତ୍ରା ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସବୁଠାରୁ ସ୍ପଷ୍ଟଭାବେ ଦେଖାଯାଏ। ସ୍ବାଧୀନତାର ପ୍ରାରମ୍ଭିକ ସମୟରେ ଭାରତ ଆମେରିକାର ‘PL-480’ ଯୋଜନା ଅଧୀନରେ ବିଦେଶରୁ ଆସୁଥିବା ଗହମ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲା । କିନ୍ତୁ ଆଜି ସେହି ସ୍ଥିତି ବଦଳିଯାଇଛି; ଏବେ ଦେଶରେ ରେକର୍ଡ ପରିମାଣର ଶସ୍ୟ ସଂଗ୍ରହ କରାଯାଉଛି, ଡିଜିଟାଲ ପିଡିଏସ୍(ପିଡିଏସ୍) ମାଧ୍ୟମରେ ରାଶନ ସାମଗ୍ରୀ ବଣ୍ଟନ ହେଉଛି, ‘ପୋଷଣ’ ଭଳି ପୁଷ୍ଟିସାଧନ ଅଭିଯାନ ଚାଲିଛି ଏବଂ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ ମାଧ୍ୟମରେ ପ୍ରାୟ ୮୦ କୋଟି ହିତାଧିକାରୀଙ୍କୁ ମାଗଣା ଅନ୍ନ ଯୋଗାଇ ଦିଆଯାଉଛି। ଏହା ସହିତ ଭାରତ ଆଜି ବିଶ୍ୱର ଏକ ପ୍ରମୁଖ କୃଷି ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଦେଶ ପାଲଟିଛି। ଏହା କେବଳ ଏକ କଲ୍ୟାଣକାରୀ ଯୋଜନା ନୁହେଁ; ବରଂ ଏହା ଦେଶର ଆର୍ଥିକ ସ୍ଥିରତାକୁ ମଧ୍ୟ ମଜଭୁତ କରୁଛି, ଯାହାଫଳରେ ସାଧାରଣ ପରିବାରଗୁଡ଼ିକ ଖାଦ୍ୟ ଚିନ୍ତାରୁ ମୁକ୍ତହୋଇ ନିଜ ପିଲାଙ୍କ ଶିକ୍ଷା, ଉନ୍ନତି ଏବଂ ରୋଜଗାର ଉପରେ ଅଧିକ ଧ୍ୟାନ ଦେଇପାରୁଛନ୍ତି।
ପରିବେଶ ଓ ସଭ୍ୟତାଗତ ନେତୃତ୍ୱ କ୍ଷେତ୍ରରେ ବି ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଫରକ ସ୍ପଷ୍ଟ ବାରିହୋଇପଡ଼େ। ନେହେରୁଙ୍କ ଯୁଗରେ ସଂରକ୍ଷିତ ଅଞ୍ଚଳ, ବ୍ୟାଘ୍ର ଅଭୟାରଣ୍ୟ, ରାମସାର କ୍ଷେତ୍ରର ସମ୍ପ୍ରସାରଣ ହୋଇଥିଲା ଓ ଚିତା ପୁଣି ଭାରତୀୟ ଜଙ୍ଗଲରେ ବିଚରଣ କରିଥିଲା। ପରିବେଶ ସୁରକ୍ଷା ପରି ସଭ୍ୟତାର ସୁରକ୍ଷା ବି ପ୍ରାଥମିକତା ପାଇଛି । ମନ୍ଦିର ପୁନର୍ନିର୍ମାଣ, ଐତିହ୍ୟ ପ୍ରକଳ୍ପ ଏବଂ ସାଂସ୍କୃତିକ କୂଟନୀତି- ରାଷ୍ଟ୍ରର ପରିଚୟକୁ ଅନ୍ତର୍ଜାତୀୟ ସମ୍ପର୍କ ଓ ଜାତୀୟ ଆତ୍ମବିଶ୍ବାସ କ୍ଷେତ୍ରରେ ଏକ ବିଭବ ଭାବେ ବ୍ୟବହାର କରାଯାଉଛି।
ଏହି ପରିପ୍ରେକ୍ଷୀରେ, ମାନବ ବିକାଶର ମାପଦଣ୍ଡଗୁଡ଼ିକରେ ଏକ ବଡ଼ ପରିବର୍ତ୍ତନ ଆସିଛି। ୧୯୫୦ ଦଶକ ପରଠାରୁ ହାରାହାରି ଆୟୁଷ ପ୍ରାୟ ଦ୍ୱିଗୁଣିତ ହୋଇଛି ଏବଂ ପ୍ରଜନନ ହାର ପ୍ରତିସ୍ଥାପନ ସ୍ତରଠାରୁ କମିଯାଇଛି। ଏହାଦ୍ୱାରା ପ୍ରତି ଶିଶୁ ଏବଂ ପ୍ରତି କର୍ମଚାରୀ ପିଛା ଅଧିକ ପୁଞ୍ଜିନିବେଶ କରିବା ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି ହୋଇଛି।
ଏହି ଜନସଂଖ୍ୟାଗତ ପରିବର୍ତ୍ତନଗୁଡ଼ିକ ଏଭଳି ଏକ ଶାସନ ବ୍ୟବସ୍ଥା ଦାବିକରେ, ଯାହା ସେବାଗୁଡ଼ିକର ଗୁଣବତ୍ତା ବଜାୟ ରଖି ଶୀଘ୍ର ବିସ୍ତାର କରିପାରୁଥିବ । ଡିଜିଟାଲ ଭିତ୍ତିଭୂମି ଏବଂ ପ୍ରାତିଷ୍ଠାନିକ ସମ୍ପ୍ରସାରଣ ମାଧ୍ୟମରେ ମୋଦୀଙ୍କ ଶାସନ ମଡେଲ ଠିକ୍ ଏହି ଦ୍ୱିବିଧ ଆହ୍ବାନର ସାମ୍ନା କରିବାକୁ ଚେଷ୍ଟା କରୁଛି।
କାର୍ଯ୍ୟକାଳର ସମୟ୍ସୀମାକୁ ଯଦି ମାପଦଣ୍ଡ ଭାବେ ଗ୍ରହଣ କରାଯାଏ, ତେବେ ମୋଦୀଙ୍କ ଶାସନକାଳ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ସଦୃଶ: ଏହା ଇନ୍ଦିରା ଗାନ୍ଧୀଙ୍କ ସବୁଠାରୁ ଦୀର୍ଘତମ କ୍ରମାଗତ କାର୍ଯ୍ୟକାଳକୁ ଅତିକ୍ରମ କରିଛି, ନେହେରୁଙ୍କ କ୍ରମାଗତ କାର୍ଯ୍ୟକାଳର ମାଇଲଖୁଣ୍ଟ ସହ ସମାନ ହେବାକୁ ଯାଉଛି ଏବଂ ରାଜ୍ୟ ଓ କେନ୍ଦ୍ର ଉଭୟ ସ୍ତରରେ ଜଣେ ନିର୍ବାଚିତ ଶାସନ ମୁଖ୍ୟ ଭାବରେ ଦେଶର ସବୁଠାରୁ ଦୀର୍ଘତମ ସମଗ୍ର ସମୟସୀମା ହାସଲ କରିସାରିଛି। ତେବେ ଏହାର ବ୍ୟାପକ ଗୁରୁତ୍ୱ କେବଳ ଦିନ ଗଣନାରେ ନୁହେଁ, ବରଂ ଏହାର ସାମଗ୍ରିକ ପ୍ରଭାବରେ ନିହିତ ଥାଏ। ପ୍ରଭାବଟି ହେଉଛି ଏକ ନୂତନ ଭାରତ ଆକାରରେ ବୃହତ୍, ଦ୍ରୁତ ଅଭିବୃଦ୍ଧିଶୀଳ, ଅଧିକ ସଂଯୁକ୍ତ, ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ସତ୍ତ୍ବେ ଅନୁମାନ ତୁଳନାରେ ଅଧିକ ଶାସନଯୋଗ୍ୟ ହୋଇପାରିଛି।
ନେହେରୁଙ୍କ ଐତିହ୍ୟ ହେଉଛି ମୂଳଦୁଆ ଆଧାରିତ: ସାର୍ବଭୌମତ୍ୱ, ସଂସଦୀୟ ସଂସ୍କୃତି, ବୈଜ୍ଞାନିକ ମନୋଭାବ ଏବଂ ପ୍ରତିଷ୍ଠାନ ଭିତ୍ତିଭୂମିର ବିକାଶ। ଅନ୍ୟପଟେ, ମୋଦୀଙ୍କର ବୈଶିଷ୍ଟ୍ୟ ହେଉଛି ଏହାର ବ୍ୟାପକ ସମ୍ପ୍ରସାରଣ। ସେହି ମୂଳଦୁଆକୁ ଏଭଳି ଏକ ବ୍ୟବସ୍ଥାରେ ରୂପାନ୍ତରିତ କରାଯାଇଛି ଯାହା ଦୈନିକ ବହୁ କୋଟି ଜନସାଧାରଣଙ୍କୁ ବାସ୍ତବ ସମୟରେ ମାପଯୋଗ୍ୟ ପରିଣାମ ସହ ସ୍ପର୍ଶ କରୁଛି ଏବଂ ଏହା ସହିତ ଭାରତକୁ ବିଶ୍ୱସ୍ତରରେ ଏକ ପ୍ରଭାବଶାଳୀ ଶକ୍ତି ଭାବରେ ପୁନଃ ଉପସ୍ଥାପିତ କରୁଛି।
ଭିନ୍ନ ଭିନ୍ନ ଯୁଗରେ ଭିନ୍ନ ପ୍ରକାରର ନେତୃତ୍ୱର ଆବଶ୍ୟକତା ଥାଏ। ପ୍ରଥମ ନେତୃତ୍ୱ ଦେଶର ଭିତ୍ତି ତିଆରି କଲେ; ଦ୍ୱିତୀୟ ନେତୃତ୍ୱ ସେହି ଭିତ୍ତିକୁ ଶକ୍ତିଶାଳୀ କଲେ, ରାସ୍ତାଘାଟ ବଢ଼ାଇଲେ, ଡିଜିଟାଲ ବ୍ୟବସ୍ଥା ଗଢ଼ିଲେ ଏବଂ ଦେଶକୁ ବିଶ୍ୱରେ ଅଗ୍ରଣୀ କରାଇଲେ।
”ଅନ୍ତର୍ଭୁକ୍ତୀକରଣ, ସେବା ପ୍ରଦାନ, ଭିତ୍ତିଭୂମି ଏବଂ ପ୍ରଭାବଶାଳୀ ରଣନୀତିର ମାନଦଣ୍ଡରେ ତୁଳନା କଲେ, ମୋଦୀ ଜଣେ ଅଧିକ ପ୍ରଭାବଶାଳୀ ପ୍ରଧାନମନ୍ତ୍ରୀ ଏବଂ ଆଜିର ଅତି ଜଟିଳ ଯୁଗ ପାଇଁ ଜଣେ ବିଶ୍ୱସ୍ତରୀୟ ଜନନାୟକ ସାବ୍ୟସ୍ତ ହୋଇଛନ୍ତି। ଏହି କାରଣରୁ ସେ କାର୍ଯ୍ୟକାଳ ଶେଷ କରିବା ପରେ ମଧ୍ୟ ତାଙ୍କ ନେତୃତ୍ୱର ପ୍ରଭାବ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରହିବ। ବହୁ କୋଟି ଭାରତୀୟଙ୍କ ପାଇଁ ନରେନ୍ଦ୍ର ମୋଦୀ ସେହି ସାମର୍ଥ୍ୟ ପ୍ରଦାନକାରୀ ସାଜିଛନ୍ତି, ଦେଶ ପାଇଁ ଯାହାର ଜରୁରୀ ଆବଶ୍ୟକତା ଥିଲା।“
(ଲେଖକ ଜଣେ ଭାରତୀୟ ବ୍ୟବସାୟୀ ଓ ସ୍ତମ୍ଭକାର। ସେ ପରାମର୍ଶଦାତା ସଂସ୍ଥା ‘କାଉନ୍ସେଲେଜ୍ ଇଣ୍ଡିଆ’ର ପ୍ରତିଷ୍ଠାତା ଓ ପରିଚାଳନା ସହଭାଗୀ।)