ଭଦ୍ରକ, ୯।୬(ସନାତନ ରାଉତ): ବହୁ ପ୍ରତିଭାର ଅଧିକାରୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହ ମାନବୀ ନନ୍ଦିନୀ ଶତପଥୀ । ଜମି ଜମା କ୍ଷେତ୍ରରେ ଭୁସଂସ୍କାର ଆଇନ ପ୍ରଣୟନ ଠାରୁ ଆରମ୍ଭ କରି ଓଡ଼ିଶାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଇଥିଲେ ବୋଲି ତାଙ୍କ ଜନ୍ମ ଜୟନ୍ତୀ ଅବସରରେ ବକ୍ତାମାନେ ପ୍ରକାଶ କରିଛନ୍ତି। ଏକାଧାରରେ ଜଣେ ସାହିତ୍ୟିକା, ରାଜନେତା, ସାମ୍ବାଦିକା ସହ ବହୁ ପ୍ରତିଭାର ଅଧିକାରୀ ଥିଲେ ନନ୍ଦିନୀ ଦେବୀ। ତ୍ୟାଗଭୂମି ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଭଦ୍ରକ ମହତାବ ନଗରରେ ଥିବା ଜିଲା ଧରିତ୍ରୀ କାର୍ଯ୍ୟାଳୟ ନିକଟସ୍ଥ ମଙ୍ଗଳା ମନ୍ଦିରରେ ଆୟୋଜିତ ଜୟନ୍ତୀ ଉତ୍ସବରେ କଥାକାର ପବିତ୍ର ପାଣିଗ୍ରାହୀ, ବରିଷ୍ଠ ନାଗରିକ ସଙ୍ଘ ସଭାପତି ଲଲାଟେନ୍ଦୁ ମହାନ୍ତି,ଅବସର ପ୍ରାପ୍ତ ପ୍ରଫେସର କମଳାକାନ୍ତ ସ୍ବାଇଁ, ସ୍ତମ୍ଭକାର ପ୍ରଫୁଲ୍ଲ ସାହୁ, ଆଇନଜୀବୀ ଗଦାଧର ବଳ, ଗୌରାଙ୍ଗ ବାରିକ, ରୂପକ ବିହାରୀ ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ପାଢ଼ୀ, ମନ୍ଦରଧର ଦୀକ୍ଷିତ, ଅମର ପାଣିଗ୍ରାହୀ, ଦେବସ୍ମିତା ସାହୁ, ସୁର ମାଧବ ପାଣିଙ୍କ ସମେତ ବହୁ ବ୍ୟକ୍ତି ନନ୍ଦିନୀ ଦେବୀଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଜିଲା ପ୍ରତିନିଧି ସନାତନ ରାଉତ ସ୍ବାଗତ ଭାଷଣ ଦେଇଥିବାବେଳେ କାଳୀପଦ ରାୟ ଧନ୍ୟବାଦ ଦେଇଥିଲେ ।

