ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ ସ୍ୱରୂପ ୧୪ ପ୍ରଜାତିର ମୋଟ ୫୮ଟି ବିଦେଶୀ ପ୍ରାଣୀ ଓ ପକ୍ଷୀ ପ୍ରଦାନ କରାଯାଇଛି। ଏହି ପ୍ରାଣୀ ଓ ପକ୍ଷୀଙ୍କ ମଧ୍ୟରେ ଜେବ୍ରା ୪ଟି (୨ଟି ଅଣ୍ଡିରା, ୨ଟି ମାଈ), କଙ୍ଗାରୁ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), ବେନେଟ୍ସ ୱାଲାବି ୬ଟି (୩ଟି ଅଣ୍ଡିରା, ୩ଟି ମାଈ), ରିଙ୍ଗ୍-ଟେଲ୍ଡ ଲେମୁର୍ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), ଟଫ୍ଟେଡ୍ କ୍ୟାପୁଚିନ୍ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), ସ୍କାର୍ଲେଟ୍ ମ୍ୟାକାଉ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), ବ୍ଲୁ-ଆଣ୍ଡ-ଗୋଲ୍ଡ ମ୍ୟାକାଉ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), ଗ୍ରୀନ୍-ୱିଙ୍ଗଡ୍ ମ୍ୟାକାଉ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), ସଲଫର୍-କ୍ରେଷ୍ଟେଡ୍ କକାଟୁ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), କ୍ରାଉଣ୍ଡ କ୍ରେନ୍ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), ସ୍କାର୍ଲେଟ୍ ଆଇବିସ୍ ୪ଟି (୨ଟି ଅଣ୍ଡିରା, ୨ଟି ମାଈ), ମିରକାଟ୍ ୬ଟି (୩ଟି ଅଣ୍ଡିରା, ୩ଟି ମାଈ), କାସୁୱାରୀ ୨ଟି (୧ଟି ଅଣ୍ଡିରା, ୧ଟି ମାଈ) ଏବଂ ବ୍ଲୁ ୱାଇଲ୍ଡବିଷ୍ଟ୍ ୪ଟି (୨ଟି ଅଣ୍ଡିରା, ୨ଟି ମାଈ) ରହିଛନ୍ତି।
ଆସିଥିବା ଏହି ବିଦେଶୀ ଅତିଥିମାନଙ୍କ ମଧ୍ୟରୁ ୧୦ଟି ପ୍ରଜାତି ନନ୍ଦନକାନନ ପାଇଁ ନୂଆ ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ନନ୍ଦନକାନନରେ ପ୍ରାଣୀ ପ୍ରଜାତି ସଂଖ୍ୟା ବୃଦ୍ଧି ପାଇ ୧୮୮ରେ ପହଞ୍ଚିଛି। ଏନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି।

