ନନ୍ଦନକାନନ: ଦଫା ୩୦୭

ଓଡ଼ିଶା ସରକାର କହୁଛନ୍ତି ଯେ, ଆମ ରାଜ୍ୟ ହେଉଛି ଭାରତବର୍ଷର ସବୁଠାରୁ ଅନାବିଷ୍କୃତ ସୌନ୍ଦର୍ଯ୍ୟ ବା ବେଷ୍ଟ କେପ୍ଟ ସିକ୍ରେଟ୍‌। ସେହି ଗୋପନୀୟତାକୁ ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗ ମାଧ୍ୟମରେ ଅନେକ ଅର୍ଥ ଖର୍ଚ୍ଚ କରି ଦେଶବ୍ୟାପୀ ପ୍ରଚାର ଚଳାଇଛନ୍ତି। ଖୁସିଲାଗେ ଯେତେବେଳେ ଦିଲ୍ଲୀ ବିମାନବନ୍ଦରରେ ଥିବା ଅନେକ ଟେଲିଭିଜନ ଡିସ୍‌ପ୍ଲେରେ ଓଡ଼ିଶା ପର୍ଯ୍ୟଟନର ବିଜ୍ଞାପନ ଦେଖିବାକୁ ମିଳେ। କିନ୍ତୁ ପର୍ଯ୍ୟଟନ କେବଳ ଝରଣା, ଜଳପ୍ରପାତ, ବାଘ କିମ୍ବା ମନ୍ଦିର ଭିତରେ ସୀମିତ ରହେନାହିଁ। ବାସ୍ତବ ପର୍ଯ୍ୟଟନ ସେତିକିବେଳେ ସଫଳ ହୋଇଥାଏ, ଯେତେବେଳେ ସ୍ଥାନୀୟ ଲୋକଙ୍କଠାରୁ ପର୍ଯ୍ୟଟକମାନେ ଉଚିତ ଆତିଥ୍ୟ ପାଇଥାନ୍ତି। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ପ୍ରତି ଦର୍ଶାଯାଉଥିବା ଅନାଦାର ଗତ ୨୨ ମେ’ ୨୦୨୨ରେ ନନ୍ଦନକାନନ ଚିଡ଼ିଆଖାନାରେ ଦେଖିବାକୁ ମିଳିଲା।
ଘଟଣାକୁ ଦେଖିଲେ ଛତିଶଗଡ଼ର ରାୟପୁରରୁ ୨୬ ଜଣ ପର୍ଯ୍ୟଟକ ନନ୍ଦନକାନନ ଆସି ସଫାରିରେ ବୁଲିବା ପାଇଁ ସଫାରି କାଉଣ୍ଟରରେ ପହଞ୍ଚିଥିଲେ। ଟିକେଟ କିଣି ସଫାରି ବସ୍‌ରେ ବସିବାକୁ ସେମାନଙ୍କର ପାଳିଯାଏ ଅପେକ୍ଷା କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ସଫାରି ବସ୍‌ରେ ବୁଲିବାର ସୁଯୋଗ ମିଳି ନ ଥିଲା। ଏହାକୁ ନେଇ ଡେରି ହେଉଥିବା ଦର୍ଶାଇ ସେମାନେ କାଉଣ୍ଟର କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ଠେଲାପେଲା କରିଥିଲେ। କଥା ସେଇଠି ଅଟକି ନ ଥିଲା। ସମ୍ପୃକ୍ତ କର୍ମଚାରୀମାନେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିବା ଉଦ୍ଦେଶ୍ୟ ରଖି ସ୍ଥାନୀୟ ଅଞ୍ଚଳର ୫୦ ଜଣ ଲୋକଙ୍କୁ ଏକାଠି କରାଇ ହତିଆର ଧରି ପର୍ଯ୍ୟଟକ ଗୋଷ୍ଠୀଙ୍କୁ ମାଡ଼ ମାରିଥିଲେ। ଆକ୍ରମଣରୁ ବର୍ତ୍ତିବା ପାଇଁ ପର୍ଯ୍ୟଟକମାନେ ମୁଖ୍ୟ ଫାଟକ ଆଡ଼କୁ ଧାଉଁଥିବା ଦେଖିବାକୁ ମିଳିଥିଲା।
ପ୍ରଥମ କଥା ହେଉଛି ଜଣେ ଟିକେଟ କାଟିଲା ପରେ ତାଙ୍କୁ ଦୀର୍ଘ ସମୟ କାହିଁକି ଅପେକ୍ଷା କରିବାକୁ ପଡ଼ିଲା। ସେଥିରୁ ବୁଝାଯାଇପାରେ ଯେ ନନ୍ଦନକାନନରେ କର୍ମଚାରୀମାନଙ୍କ ଏହି ନିମ୍ନ ସ୍ତରରେ ମଧ୍ୟ ଅପାରଗତା ଯୋଗୁ ଅଯଥା ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ଟିକଟରେ ଯଦି ସଂଖ୍ୟା ପଡୁଛି, ତେବେ ଜଣକ ପରେ ଜଣେ ବସ୍‌ରେ ସୁଯୋଗ ପାଇବା କଥା। ତେଣୁ ଏହା କେଉଁ କାରଣରୁ କରାଗଲା ନାହିଁ ସେ ବିଷୟରେ ତଦନ୍ତ ହେବା ଉଚିତ। ଧରିନିଆଯାଉ ପର୍ଯ୍ୟଟକମାନେ ଖରାକୁ ସହି ନ ପାରି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ। ଯଦି ସେଭଳି ପରିସ୍ଥିତି ସୃଷ୍ଟି ହେଲା ତେବେ ଚିଡ଼ିଆଖାନା କର୍ତ୍ତୃପକ୍ଷ ପୋଲିସକୁ କାହିଁକି ଡକାଇଲେ ନାହିଁ।
ଓଡ଼ିଶାରେ ଏହିଭଳି ହିଂସାତ୍ମକ ଘଟଣାକୁ ଦେଖିଲେ ସବୁବେଳେ ସ୍ଥାନୀୟ ଲୋକଙ୍କୁ ଏକାଠି କରି ଯେଉଁଭଳି ସଂଖ୍ୟାଗରିଷ୍ଠ ଗୋଷ୍ଠୀ ହିଂସା ଘଟାନ୍ତି, ତାହା ବିକୃତ ମାନସିକତା ପ୍ରଦର୍ଶନ କରିଥାଏ। ଓଡ଼ିଆଙ୍କୁ ସବୁବେଳେ ଭିଡ଼ ଭିତରେ ଆକ୍ରମଣ କରିବାକୁ ଆନନ୍ଦ ଲାଗେ। ହୁଏତ ସେଥିପାଇଁ ନିଜ ସ୍ଥାନ ଛାଡ଼ି ବାହାରକୁ ଗଲେ ନିଜକୁ ଓଡ଼ିଆ ଭାବେ ପରିଚିତ କରାଇବା ଲାଗି ଡରିଥାନ୍ତି।
ପର୍ଯ୍ୟଟନ ଏକ ଜଟିଳ ବ୍ୟବସାୟ। ସେଥିରେ ସଫଳତା ପାଇବାକୁ ହେଲେ ମଣିଷର ମନ ଜିଣିବାକୁ ପଡ଼େ। ପର୍ଯ୍ୟଟକଙ୍କ ଚାରିପାର୍ଶ୍ୱରେ ଯେତେଜଣ ଉପସ୍ଥିତ ଥିବେ ସମସ୍ତେ ସେଥିରେ ସମ୍ପୃକ୍ତ ବୋଲି ଧରିନେବା କଥା। ପର୍ଯ୍ୟଟନସ୍ଥଳୀ ସମୁଦ୍ରରେ ଏକ ଟାପୁ ଭାବେ ବଞ୍ଚିପାରିବ ନାହିଁ। ଉଦାହରଣସ୍ବରୂପ ନନ୍ଦନକାନନର ମୁଖ୍ୟ ଫାଟକ ସମ୍ମୁଖରେ ଅନେକ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଦୋକାନ ଖୋଲିଛି। ସେମାନଙ୍କର ଅର୍ଥ ଅର୍ଜନ କେବଳ ପର୍ଯ୍ୟଟକଙ୍କ ଉପରେ ନିର୍ଭର କରୁଛି। ସେଥିପାଇଁ ଯଦି ସରକାର ଚାହୁଁଛନ୍ତି ଯେ, ନନ୍ଦନକାନନକୁ ଏକ ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳୀରେ ସୃଷ୍ଟି କରିବା ପାଇଁ ତେବେ ପ୍ରାଣୀ ଉଦ୍ୟାନରେ ସବୁ କର୍ମଚାରୀଙ୍କ ସମେତ ବାହାରେ ବେପାର କରୁଥିବା ମାଲିକ ଓ କର୍ମଚାରୀଙ୍କୁ ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣ ଶିବିରରେ ସାମିଲ କରାଯିବା ଦରକାର। ପର୍ଯ୍ୟଟନ ବିଶେଷଜ୍ଞମାନଙ୍କୁ ଡାକି ସେହି ଅଞ୍ଚଳରେ ବାରମ୍ବାର ଗୋପନୀୟ ପରୀକ୍ଷା କରାଯିବା ଉଚିତ, ଯେଉଁଥିରେ ଭଦ୍ର ବ୍ୟବହାର ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା କେଉଁ ସ୍ତରରେ ଅଛି ମପାଯିବା ଆବଶ୍ୟକ। କେବଳ ରାସ୍ତା ଚଉଡ଼ା କଲେ କିମ୍ବା ହୋଟେଲ ତିଆରି କଲେ ପର୍ଯ୍ୟଟକଙ୍କ ଭିଡ଼ ହୁଏ ନାହିଁ। ସ୍ଥାନୀୟ ଲୋକଙ୍କ ବ୍ୟବହାର ସବୁଠୁ ଅଧିକ ଗୁରୁତ୍ୱ ବହନ କରିଥାଏ।
ନନ୍ଦନକାନନ ଘଟଣା ପ୍ରମାଣ କରୁଛି ଯେ, ଓଡ଼ିଶାର ରାଜଧାନୀରେ ପର୍ଯ୍ୟଟକ ସୁରକ୍ଷିତ ନୁହନ୍ତି। ଏଥିରୁ ବୁଝିବାକୁ ହେବ ଯେ, ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ମଧ୍ୟ ପର୍ଯ୍ୟଟକ ସୁରକ୍ଷିତ ରହୁ ନ ଥିବେ। ତେଣୁ ନନ୍ଦନକାନନ ଘଟଣାକୁ ଏକ ଉଦାହରଣ ଭାବେ ନିଆଯାଇ ହିଂସା ଘଟାଇଥିବା କର୍ମଚାରୀ ଓ ସହଯୋଗୀମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୦୭ ଦଫାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯିବା ଦରକାର। ଏଥିସହିତ ମାଡ଼ ଖାଇଥିବା ପର୍ଯ୍ୟଟକଙ୍କୁ ବାରମ୍ବାର ସାକ୍ଷୀ ଭାବେ ଡକାଇ ଅଦାଲତରେ ହଇରାଣ କରିବା ପରିବର୍ତ୍ତେ ଗୋଟିଏ ଥରରେ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବୟାନ ରେକର୍ଡ କରାଇ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାର ବ୍ୟବସ୍ଥା କରାଯିବା ଉଚିତ। ସରକାର ଯଦି ଏହି ଘଟଣାକୁ ଠିକ୍‌ ଭାବେ ପରିଚାଳନା କରି ଏକ ସୁସ୍ଥ ବାର୍ତ୍ତା ଦେଇପାରନ୍ତେ, ତେବେ ପୁନର୍ବାର ଓଡ଼ିଶା ଆସିବାକୁ ପର୍ଯ୍ୟଟକ ଆକୃଷ୍ଟ ହୁଅନ୍ତେ। ନଚେତ୍‌ ଓଡ଼ିଶା ପୁନଶ୍ଚ ସେହି ଗୋପନୀୟତା (ବେଷ୍ଟ କେପ୍ଟ ସିକ୍ରେଟ୍‌)ର ଅନ୍ଧକାରକୁ ଫେରିଯିବ।

ନନ୍ଦନକାନନ ଘଟଣାକୁ ଏକ ଉଦାହରଣ ଭାବେ ନିଆଯାଇ ହିଂସା ଘଟାଇଥିବା କର୍ମଚାରୀ ଓ ସହଯୋଗୀମାନଙ୍କ ନାମରେ ଭାରତୀୟ ପିଙ୍ଗଳ କୋଡ୍‌ର ୩୦୭ ଦଫାରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri