ମାତୃଭାଷା ପ୍ରତି ଆନ୍ତରିକତା କମୁଛି

ଭୁବନେଶ୍ୱର,୨୪ା୫(ବ୍ୟୁରୋ):ମାତୃଭୂମି ମାତୃଭାଷାର ମମତା ଯା’ ହୃଦେ ଜନମି ନାହିଁ, ତାକୁୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଲିଖିତ କବିତାର ଏହି ପଂକ୍ତି ଓଡ଼ିଆ ଭାଷା ପ୍ରତି ମୁହଁ ମୋଡ଼ୁଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ସତର୍କବାଣୀ। ମାତ୍ର ବିଡ଼ମ୍ବନା ଯେ ବର୍ତ୍ତମାନ ପିଢ଼ିର ଯୁବଗୋଷ୍ଠୀଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ନେଇ ଆଗ୍ରହ ଦେଖାଯାଉ ନାହିଁ। ସରକାରୀ କିମ୍ବା ଘରୋଇ ସ୍ତରରେ ମଧ୍ୟ ଭାଷା ପ୍ରୀତି ଦେଖିବାକୁ ମିଳୁନାହିଁ। ଏପରି କି ଏବର ପିଲାମାନଙ୍କଠାରେ ଓଡ଼ିଆ ଭାଷା ଜ୍ଞାନର ଘୋର ଅଭାବ ଦେଖାଦେଲାଣି। ଅଧିକାଂଶ ମାତାପିତା ନିଜ ପିଲାଙ୍କୁ ଘରୋଇ ସ୍କୁଲରେ ପାଠ ପଢ଼ାଇବାକୁ ପସନ୍ଦ କରୁଛନ୍ତି। ଫଳରେ ଇଂଲିଶ ପ୍ରତି ପିଲାମାନଙ୍କୁ ଅଧିକ ଆକର୍ଷିତ କରାଯାଉଛି। ମାତାପିତା କିମ୍ବା ଅଭିଭାବକମାନଙ୍କର ଏଭଳି ଆଭିମୁଖ୍ୟ ଓଡ଼ିଆ ଭାଷା ପ୍ରତି ପ୍ରତିକୂଳ ମାନସିକତା ସୃଷ୍ଟି କରିଛି। ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ଘରୋଇ ସ୍କୁଲରେ ନବମ ଶ୍ରେଣୀରୁ ଇଚ୍ଛାଧୀନ କରାଯାଇଛି। କିନ୍ତୁ ଘରୋଇ ସ୍କୁଲର ଅଧିକାଂଶ ପିଲା ଓଡ଼ିଆ ବଦଳରେ ହିନ୍ଦୀ କିମ୍ବା ସଂସ୍କୃତକୁ ଇଚ୍ଛାଧୀନ ବିଷୟ ଭାବେ ବାଛୁଛନ୍ତି। ମାତାପିତାଙ୍କ ଆଡୁ ଓଡ଼ିଆ ବିଷୟକୁ ନେଇ ସେତେଟା ରୁଚି ରହୁ ନ ଥିବାରୁ ପିଲାମାନେ ମଧ୍ୟ ମାତୃଭାଷା ପ୍ରତି ବିମୁଖ ହେଉଛନ୍ତି। ଏଥିଯୋଗୁ ଆଗାମୀ ଦିନରେ ମାତୃଭାଷା ଏକ ମହାସଙ୍କଟର ସମ୍ମୁଖୀନ ହୋଇପାରେ ବୋଲି ଭାଷାବିତ୍‌ମାନେ ମତ ଦେଲେଣି।
ଓଡ଼ିଶାରେ ଓଡ଼ିଆ ଭାଷା ପ୍ରତି ଆଗ୍ରହ କମୁଥିବା ଦେଖି ରାଜ୍ୟ ସରକାର ଏହାର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ୨୦୦୬ ଏପ୍ରିିଲ ପହିଲାରେ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ନାମରେ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଖୋଲିଥିଲେ। ଭାଷାକୁ ଚଳଚଞ୍ଚଳ କରିବା ପାଇଁ ପ୍ରତିଷ୍ଠାନରେ ସାଧାରଣ ପରିଷଦ ଓ ଏକ୍‌ଜିକ୍ୟୁଟିଭ କମିଟି ଗଠନ କରାଯାଇଛି। ପରିଷଦରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ଥିବାବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଉପାଧ୍ୟକ୍ଷ ଅଛନ୍ତି। ସେହିପରି ଏକ୍‌ଜିକ୍ୟୁଟିଭ କମିଟିରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅଧ୍ୟକ୍ଷ ଥିବାବେଳେ ମୁଖ୍ୟ ଶାସନ ସଚିବ ଉପାଧ୍ୟକ୍ଷ ରହିଛନ୍ତି। ନିୟମିତ ଭାବେ ଏହି ଦୁଇ ପ୍ରଶାସନିକ ସଂସ୍ଥାର ବୈଠକ ଡାକି ଭାଷାର ଅଗ୍ରଗତି ଓ ପ୍ରସାର ଦିଗରେ ସମୀକ୍ଷା କରି ପଦକ୍ଷେପ ନେବା ବ୍ୟବସ୍ଥା ରହିଛି। ବର୍ଷକୁ ଥରେ ଅଥବା ଆବଶ୍ୟକ ପଡ଼ିଲେ ଏକାଧିକ ଥର ବୈଠକ ବସିପାରିବ। ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟାଳୟ ଓ କର୍ମଚାରୀ ଦିଆଯାଇଛି। ବଜେଟରେ ପ୍ରଶାସନିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ବର୍ଷକୁ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟୟବରାଦ କରାଯାଉଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଭାଷା ପ୍ରତିଷ୍ଠାନ ଗଠନ ହେବାର ୧୬ ବର୍ଷ ବିତିଯିବା ପରେ ମଧ୍ୟ ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ ପୂର୍ଣ୍ଣ ମାତ୍ରାରେ ଲାଗୁ କରାଯାଇ ପାରି ନାହିଁ। ୯ ବର୍ଷ ବିତିଯିବା ପରେ ୨୦୧୫ ଜୁନ୍‌ରେ ଏହାକୁ କେବଳ ସ୍କୁଲ ଓ ଗଣଶିକ୍ଷା ବିଭାଗରୁ ସଂସ୍କୃତି ବିଭାଗ ଅଧୀନକୁ ଆଣିଲେ। ହେଲେ ଦୀର୍ଘ ୬ ବର୍ଷ ଯାଏ ଏହା ଗଣଶିକ୍ଷା ବିଭାଗ ନିୟନ୍ତ୍ରଣରେ ରହିଲା। ଥରୁଟିଏ ବୈଠକ ବସିପାରିଲା ନାହିଁ। ୨୦୨୨ ଏପ୍ରିଲ ୨୫ରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା କାର୍ଯ୍ୟନିର୍ବାହୀ କମିଟିି ବୈଠକରେ ପ୍ରତିଷ୍ଠାନର ସାଧାରଣ ପରିଷଦରେ ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସ୍କୃତି ମନ୍ତ୍ରୀଙ୍କୁ ଅଧ୍ୟକ୍ଷ କରାଯାଇଛି। ଏଥିରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଉପାଧ୍ୟକ୍ଷ ପଦବୀରୁ ବାଦ୍‌ ଦିଆଯାଇଛି। ସେହିପରି ଏକ୍‌ଜିକ୍ୟୁଟିଭ କମିଟିରୁ ମଧ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କୁ ବାଦ୍‌ ଦିଆଯାଇ ସଂସ୍କୃତି ମନ୍ତ୍ରୀଙ୍କୁ ଅଧ୍ୟକ୍ଷ କରାଯାଇଛି।
ପ୍ରକାଶ ଯେ, ଓଡ଼ିଆ ଭାଷାକୁ ସରକାରୀ ସ୍ତରରେ ବାଧ୍ୟତାମୂଳକ କରିବା ପାଇଁ ଓଡ଼ିଆ ସରକାରୀ ଭାଷା ଆଇନ, ୧୯୫୪ କାର୍ଯ୍ୟକାରୀ ହୋଇଥିଲା। ଦୀର୍ଘ ୬୨ ବର୍ଷ ପରେ ଓଡ଼ିଶା ସରକାର ଏହାକୁ ସରକାରୀ ସ୍ତରରେ ଲାଗୁ କରିବାକୁ ଓଡ଼ିଆ ଅଫିସିଆଲ ଲାଙ୍ଗୁଏଜ୍‌ ରୁଲ, ୨୦୧୬ ଆଣି ସେହି ବର୍ଷ ଅଗଷ୍ଟ ୨୦ ତାରିଖରୁ କାର୍ଯ୍ୟକାରୀ କରିଥିଲେ। ସରକାରୀ ଓ ବେସରକାରୀ ସ୍ତରରେ ଭାଷା ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନବଜାରଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟର ନାମଫଳକ ଓଡ଼ିଆରେ ଲେଖାଯିବ। ସରକାରୀ କାର୍ଯ୍ୟ ମଧ୍ୟ ଓଡ଼ିଆରେ କରାଯିବା ନେଇ ୨୦୧୮ରେ ଓଡ଼ିଶା ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନ ଆଇନରେ ସଂଶୋଧନ ଅଣାଯାଇଥିଲା। ସେହିବର୍ଷ ବିଧାନସଭାରେ ଓଡ଼ିଆ ଭାଷା ବିଲ୍‌ ଗୃହୀତ ହୋଇଥିଲା। ଅବଜ୍ଞାକାରୀଙ୍କ ବିରୋଧରେ ୧ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ହୋଇଛି। ମାତ୍ର ଏହା କେବଳ ନିୟମରେ ରହିଗଲା। ପୂର୍ବରୁ ସରକାରୀ ଫାଇଲପତ୍ର ଯେମିତି ଇଂଲିଶ୍‌ରେ ଚାଲୁଥିଲା ଏବେ ମଧ୍ୟ ସେହିଭଳି ଚାଲିଛି। ଭାଷାକୁ ନେଇ ସରକାରୀ ଉଦାସୀନତା ବେଶ୍‌ ବାରି ହୋଇପଡୁଛି। ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ତଥା ଭାଷାବିତ୍‌ ଫଣୀନ୍ଦ୍ର ଭୂଷଣ ନନ୍ଦ କହିଛନ୍ତି, ଆନ୍ତରିକତା ଅଭାବରୁ ଆଜି ଯାଏ ସରକାରୀ ସ୍ତରରେ ଓଡ଼ିଆ ଭାଷାକୁ କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ। କେବଳ ଭାଷା ପ୍ରତିଷ୍ଠାନ ସବୁକିଛି କରିପାରିବ ନାହିଁ। ସରକାରୀ, ବେସରକାରୀ ସ୍ତରରେ ଓ ସାଧାରଣରେ ଭାଷାକୁ ନେଇ ଆନ୍ତରିକତା ରହିବା ଦରକାର। ନଚେତ ସମସ୍ତ ଉଦ୍ୟମ କେବଳ କାଗଜକଲମରେ ସୀମିତ ରହିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri