ନାମ, ସୁନାମ ଓ ବଦନାମ

ଡ. ମୌସୁମୀ ପରିଡ଼ା

ନାମ ତ ସମସ୍ତଙ୍କର ଅଛି। ପରିଚୟ ପାଇଁ ଦୋକାନ, ବଜାର, ରାସ୍ତାଘାଟ, ବିଭିନ୍ନ ପ୍ରକାରର ଅନୁଷ୍ଠାନ, ଅଞ୍ଚଳ, ନଦୀ, ସମୁଦ୍ର, ପାହାଡ଼ ପର୍ବତ ସବୁର ନାମ ଦିଆଯାଇଛି। ଅନେକ ସମୟରେ ନାମକୁ ନେଇ ନାନା ତର୍କବିତର୍କ, ଆଲୋଚନା ପର୍ଯ୍ୟାଲୋଚନା। କେବେକେବେ କୌଣସି ସ୍ଥାନର ନାମକୁ ବଦଳାଇ ନୂତନ ଭାବେ ନାମକରଣ କରାଯାଇଛି। ଲୋକେ ତ ଗୃହପାଳିତ ପଶୁପକ୍ଷୀଙ୍କର ବି ନାମକରଣ କରନ୍ତି। ନାମ ଅନୁସାରେ ଭାଗ ଭାଗ ହୋଇଛି ପୃଥିବୀ। ଏମିତିକି ଆକାଶକୁ ମଧ୍ୟ ଭାଗ କରିଦିଆଯାଇଛି। ଯୁଦ୍ଧ ବିମାନ କାହା ଦେଶର ପରିସରକୁ ପଶିଆସିଥିଲେ ତାକୁ ଗୁଳିଗୋଳା ଦ୍ୱାରା ତଳକୁ ଖସାଇ ଦିଆଯାଇଛି। ଗୋଟେ ଜାଗାରୁ ବହିଆସୁଥିବା ନଦୀକୁ ମଧ୍ୟ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ନାମିତ କରାଯାଇଛି। ନାମକୁ ନେଇ କେତେପ୍ରକାରର କାରନାମା!
ମଣିଷକୁ ମନେରଖାଯାଏ ସ୍ବଅର୍ଜିତ ସତ୍‌କର୍ମ ବା ଦୁଷ୍କର୍ମ ଦ୍ୱାରା। ଗୁରୁଜନପ୍ରଦତ୍ତ ନାମ ଦ୍ୱାରା ବ୍ୟକ୍ତିଟିଏ ପରିଚିତି ହାସଲ କରେ ସିନା, ପ୍ରକୃତରେ ସ୍ବକର୍ମ ଅନୁଯାୟୀ ତା’ର ସୁନାମ ବା ଦୁର୍ନାମ ହୁଏ। ସମାଜ ବା ପରିବାରରେ ସେ ମନେରହେ। ବ୍ୟକ୍ତି ଯଦି ଜୀବନକାଳ ଭିତରେ ସମାଜ ମନେରଖିବା ପରି କିଛି କରିନଥାଏ, ତେବେ ତା’ ଅବର୍ତ୍ତମାନରେ ସେ କେବଳ ନାମଟିଏ ହୋଇ ରହିଯାଏ। ତାହା ବି ନିଜ ଜ୍ଞାତିକୁଟୁମ୍ବଙ୍କ ପରିସରରେ। କେବେକେବେ ସୁନାମ ଅର୍ଜିବାକୁ ସାରା ଜୀବନ ଲାଗିଯାଏ ତ ଆଉ କେବେ ମାତ୍ର କିଛି ବର୍ଷ! କାହାର ଜୀବନ ସଂଘର୍ଷ ଲମ୍ବା ତ କାହାର କମ୍‌। କାହାର ପ୍ରସିଦ୍ଧି ହାସଲ ସହଜ ତ କାହା ପାଇଁ ଦୁଷ୍କର। କିନ୍ତୁ ପ୍ରଚେଷ୍ଟା ଜାରି ରଖିବାର ଧୈର୍ଯ୍ୟ ରଖିବା ଦରକାର।
କେହି କେହି ଅଳ୍ପ ପରିଶ୍ରମରେ ବହୁତ କିଛି ହାସଲ କରୁଥିବାବେଳେ ଆଉ କେହି ରିକ୍ତ ହସ୍ତରେ ଭାଗ୍ୟକୁ ଦୋଷ ଦେଇ ମନମାରି ରହନ୍ତି। କେହି ୟାକୁ କର୍ମଫଳର ନାମ ଦିଅନ୍ତି ତ କେହି ପ୍ରାରବ୍ଧ। କେହି ସମାଜର ବିଧି ବ୍ୟବସ୍ଥାକୁ ଦାୟୀ କରନ୍ତି ତ କେହି ପରିବାର ବା ଆଖପାଖର ପରିବେଶକୁ। ସମସ୍ତଙ୍କ ଜୀବନ କାହାଣୀ ପୃଥକ୍‌। ସେମାନଙ୍କ ଜୀବନଶୈଳୀ ବି ସମାନ ନୁହେଁ। ତେବେ ବି ମଣିଷ ସ୍ବପ୍ନ ଦେଖେ, ସେସବୁକୁ ସାକାର କରିବାକୁ ଏଣେତେଣେ ଧାଏଁ, ଅସଫଳ ହେଲେ ଥକିପଡ଼େ। ପୁଣି ନୂଆ ସ୍ବପ୍ନ ଦେଖେ, ଆଉ ଥରେ ନିଜ ଭଙ୍ଗା ମନକୁ ସଜାଡ଼ି ଧାଁ ଦୌଡ଼ କରେ ଲକ୍ଷ୍ୟ ହାସଲ କରିବାକୁ। ତା’ର ସ୍ବଭାବ ଅନୁଯାୟୀ ସେ ସଫଳତାର ପିଛା କରେ। ପୁରୁଣା ଭୁଲ୍‌ରୁ ହାସଲ କରିଥିବା ନୂଆ ଶିକ୍ଷାକୁ କାମରେ ଲଗାଏ। କେବେ ଜିତୁ ଜିତୁ ହାରେ ତ କେବେ ହାରୁ ହାରୁ ଜିତେ। ନହେଲେ ଅସଫଳ ହୁଏ।
ଅର୍ଥ ବିନିମୟରେ ସେବା ଯୋଗାଇ ଦେଉଥିବା ଏହି ବ୍ୟକ୍ତିବିଶେଷ ବା ଅନୁଷ୍ଠାନଗୁଡ଼ିକ ସେମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ମାଧ୍ୟମରେ ସୁନାମ ଅର୍ଜନ କରନ୍ତି। ସେବା ପାଇଁ ମଦର ଟେରେସା, ସ୍ବାଧିକାରର ଲଢ଼େଇରେ ମହାମତ୍ା ଗାନ୍ଧୀ ଓ ନେଲସନ୍‌ ମଣ୍ଡେଲା ନିଜ ନିଃସ୍ବାର୍ଥପର ସେବା ପାଇଁ ଅମର ହୋଇ ରହିଗଲେ। ଅଧ୍ୟାମତ୍ ସ୍ତରରେ ସ୍ବାମୀ ବିବେକାନନ୍ଦ ତ ମାତ୍ର ଅଣଚାଳିଶ ବର୍ଷ ବୟସ ଓ କିଛି ମାସ ଭିତରେ ନିଜକୁ ଅବିସ୍ମରଣୀୟ କରିଗଲେ। ସେମାନଙ୍କ ସତ୍‌କର୍ମ ପାଇଁ ଯୁଗ ବି ମନେରଖିଛି ସେମାନଙ୍କୁ।
ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବହୁ ପ୍ରକାରର ଝଡ଼ଝଞ୍ଜାକୁ ଅତିକ୍ରମ କରି ବ୍ୟବସାୟୀମାନେ ନିଜକୁ ପ୍ରମାଣିତ କରିଛନ୍ତି। ଅର୍ଥ ଜରିଆରେ ପ୍ରତିଷ୍ଠିତ ହେବା ମଧ୍ୟ କମ୍‌ କଥା ନୁହେଁ। ବିଲ୍‌ ଗେଟ୍ସଙ୍କ ମତରେ- ଯଦି ତୁମେ ଦରିଦ୍ର ହୋଇ ଜନ୍ମ ନିଅ, ତେବେ ସେଥିରେ ତୁମର ଭୁଲ୍‌ ନାହିଁ, କିନ୍ତୁ ଯଦି ତୁମେ ଦରିଦ୍ର ହୋଇ ମୃତ୍ୟୁବରଣ କର, ତେବେ ତୁମର ଭୁଲ୍‌। ଧୀରୁଭାଇ ଅମ୍ବାନୀ ଦାରିଦ୍ର୍ୟ ଭିତରେ ଜନ୍ମ ନେଇ ସମସ୍ୟା ସହିତ ଲଢ଼େଇ କରି ବ୍ୟବସାୟ କ୍ଷେତ୍ରରେ ପ୍ରମାଣ ସୃଷ୍ଟି କରି ଚାଲିଗଲେ। କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଆସିବା ନୂଆ ନୁହେଁ। ନିଷ୍ଠାପର ବ୍ୟକ୍ତି ବିଚଳିତ ହୁଏନା, କାରଣ ପ୍ରକୃତି ନିଜେ ତ ବାଧାବିଘ୍ନ ଖଞ୍ଜିଛି। ଥରେ ଧୀରୁଭାଇ ଅମ୍ବାନୀ କାର୍‌ରେ କୌଣସି ଏକ ଜାଗାକୁ ଯାଉଥିଲେ। କିଛି ମିନିଟ୍‌ ପରେ ଖୁବ୍‌ ଜୋର୍‌ରେ ପବନ ବହିବା ଆରମ୍ଭ ହେଲା, ଯାହା କ୍ରମଶଃ ବତାସର ରୂପ ନେଲା। ଡ୍ରାଇଭର ଫେରିଯିବା ପାଇଁ କହିବାରୁ ଧୀରୁଭାଇ କହିଲେ- ପଛକୁ ଫେରିବା ପରିବର୍ତ୍ତେ ଆଗକୁ ଗାଡ଼ି ଚଲାଅ। ଝଡ଼ବର୍ଷାର ପ୍ରକୋପ ବଢ଼ୁଥିବାବେଳେ ସାମ୍ନା ରାସ୍ତାକୁ ସ୍ପଷ୍ଟଭାବେ ଦେଖି ନ ପାରି ଡ୍ରାଇଭର ପୁଣି ସତର୍କ କଲା, ସୁବିଧା ଜାଗା ଦେଖି ଅଟକିଯିବାକୁ। ଧୀରୁଭାଇ ନିଜ କଥା ଦୋହରାଇଲେ- ନା ଗାଡ଼ି ଚଲାଅ। କିଛି ବାଟ ଯିବା ପରେ ପାଗ ବଦଳି ଯାଇଥିଲା। ସୂର୍ଯ୍ୟ ଦିଶୁଥିଲେ ଆକାଶରେ। ସେତେବେଳେ ଧୀରୁଭାଇ ଅମ୍ବାନୀ କହିଲେ- ଏଥର ଗାଡ଼ି ରଖ। ଅର୍ଥାତ୍‌ ଝଡ଼ବାତ୍ୟାର ମୁକାବିଲା କରି ନ ପାରି ଯଦି ଗାଡ଼ି ଫେରିଯାଇଥାନ୍ତା, ତେବେ ସେଦିନର କାମ ହୋଇ ପାରିନଥାନ୍ତା। ଯଦି ବାଟରେ ଅଟକି ଯାଇଥାନ୍ତା, ତେବେ ଝଡ଼ବତାସ ଭିତରେ ସେମାନେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଫସିରହିଥାନ୍ତେ। କୌଣସି ସ୍ଥିତି ଚିରକାଳ ପାଇଁ ନୁହେଁ। ମାଇକେଲ୍‌ ଜ୍ୟାକ୍‌ସନ୍‌ ମୃତ୍ୟୁକୁ ଏଡ଼େଇବା ପାଇଁ ଚାରିପଟେ ଡାକ୍ତରମାନଙ୍କୁ ଖଞ୍ଜିଥିଲେ। ହେଲେ ମୃତ୍ୟୁ କ’ଣ ଅଟକିଲା? ଦୁଃସ୍ଥିତି କିଛି ସମୟ ପରେ ଟଳିଯାଏ। ତେଣୁ ଧୈର୍ଯ୍ୟ ହାରିବା ଅନୁଚିତ୍‌।
ଏଭଳି ଅସଂଖ୍ୟ ଉଦାହରଣ। ଏମିତି ଉଦାହରଣ ମଧ୍ୟ ଅଛି, ଯେଉଁଥିରେ ଲୋକଟେ ଦୁଷ୍କର୍ମ କରି ଜେଲ୍‌ଦଣ୍ଡ ଭୋଗେ, ହତ୍ୟା ଲୁଟ୍‌ପାଟ ଦ୍ୱାରା ସମାଜକୁ ନଷ୍ଟ କରେ। ମନେରଖିବାକୁ ହେବ, ଚୁମ୍ବକ ନିଜ ସମଧର୍ମୀ ଲୁହାକୁ ହିଁ ଆକର୍ଷିତ କରେ, ପ୍ଲାଷ୍ଟିକ୍‌ କିମ୍ବା ରସକୁ ନୁହେଁ। ମଣିଷର ବ୍ୟକ୍ତିତ୍ୱ ଉପରେ ନିର୍ଭର କରେ ସେ କ’ଣ ଗ୍ରହଣ କରିବ! ତା’ ଭିତରେ ଯଦି ସଂସ୍କାର ଓ ମାନବିକତା ଅଛି, ତେବେ ମହାମନା ଲୋକଙ୍କ ଜୀବନଶୈଳୀ ତାକୁ ଆକର୍ଷିତ କରିବ। ଯଦି ସେସବୁ ନାହିଁ, ତେବେ ଅମଣିଷମାନଙ୍କ ଦ୍ୱାରା ସମାଜ ପାଇଁ ବିପଦ ସୃଷ୍ଟି କରି ବଦନାମ ହେବ।
ମଣିଷ କେବଳ ନାମରେ ନୁହେଁ, କର୍ମ ଅନୁସାରେ ପରିଚିତ ହୁଏ। ପ୍ରସିଦ୍ଧି ହାସଲ କରି ପ୍ରତିଷ୍ଠିତ ହୁଏ ବା ବଦନାମ ହୁଏ। କଥାଟି ବେଶ୍‌ ସରଳ। ବାଟ ଦୁଇଟି। କିନ୍ତୁ ଚୟନ କରିବା କାର୍ଯ୍ୟଟି ବ୍ୟକ୍ତିବିଶେଷର। ମଣିଷ ନିଜ ପ୍ରକୃତି ଅନୁଯାୟୀ ବାଟ ଚୟନ କରିବ କିମ୍ବା ଅଭ୍ୟାସ କରି ନିଜର ଖରାପ ପ୍ରକୃତିକୁ ବଦଳାଇପାରିବ, ଏସବୁ ନିର୍ଭର କରେ ମଣିଷର ମାନସିକତା ଉପରେ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri