୨୦୨୧ରେ ହୋଇପାରେ ନାଗାର୍ଜୁନ ବେଶ

ପୁରୀ ଅଫିସ,୪ା୧୧: ଚଳିତବର୍ଷ ଭଳି ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇପାରେ। ୨୦୨୧ ମସିହାର କ୍ୟାଲେଣ୍ଡର ବଜାରକୁ ଆସିବା ପରେ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଆସନ୍ତା ବର୍ଷ ନଭେମ୍ବର ୧୫ରେ ନାଗାର୍ଜୁନ ବେଶ ପଡୁଥିବା ନିର୍ଦ୍ଦିଷ୍ଟ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ତେବେ ଏହା ଜଣାପଡ଼ିିବା ପରେ ଚଳିତବର୍ଷ କରୋନା କଟକଣା ପାଇଁ ଦାରୁଦିଅଁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚତ୍ତ ଭକ୍ତ ଭାବବିହ୍ବଳ ହୋଇପଡ଼ିଛନ୍ତି। ଏଥର ନ ହେଲା ନାହିଁ ୨୦୨୧ରେ ମହାପ୍ରଭୁଙ୍କ ଏହି ବୀର ବେଶ ଦର୍ଶନ କରିବା ନେଇ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। ଆସନ୍ତା ବର୍ଷ ଦୋଳ ପୂର୍ଣ୍ଣିମା ପରେ ନୂଆ ପାଞ୍ଜି ପ୍ରଚଳନ ହେଲେ ସ୍ପଷ୍ଟ ଜଣାପଡ଼ିବ ବୋଲି କୁହାଯାଇଛି।
ଯେଉଁବର୍ଷ କାର୍ତ୍ତିକ ମାସରେ ପାଞ୍ଚଦିନ ପରିବର୍ତ୍ତେ ପଞ୍ଚକ ୬ଦିନ ପଡ଼େ ସେହିବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ପଞ୍ଚୁକ ୬ ଦିନ ପଡୁଥିବାରୁ ଆସନ୍ତା ୨୭ତାରିଖରେ ନାଗାର୍ଜୁନ ବେଶ ହେବ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ସହ କାମ ଆଗେଇ ଚାଲିଛି। କିନ୍ତୁ କରୋନା କଟକଣା ପାଇଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚତ୍ତ ହେବେ। ମାତ୍ର ଆସନ୍ତା ବର୍ଷ ପୁଣି ନାଗାର୍ଜୁନ ବେଶ ପଡୁଥିବା ପାଞ୍ଜି ଗଣନାକାରଙ୍କ ସଙ୍କେତ ଏବେ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଆଣିଛି। ଭକ୍ତଙ୍କ ମନ ଓ ନୟନ ଉତ୍କଣ୍ଠିତ ହେଲାଣି। ସେବାୟତ ବି କହିଲେଣି ଲଗାତର ଦୁଇବର୍ଷ ନାଗାର୍ଜୁନ ବେଶ ପଡ଼ିବା କିଛି ନୂଆ କଥା ନୁହେଁ। ୧୯୯୩ ଓ ୧୯୯୪ ମସିହାରେ ଲଗାତର ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତା ଦୋଳପୂର୍ଣ୍ଣିମା ପରେ ନୂଆ ପାଞ୍ଜି ପ୍ରଚଳନ ହେବ। ତେଣୁ ଏତେ ଆଗରୁ କିଛି କହି ହେବ ନାହିଁ। ଆମକୁ ନୂଆ ପାଞ୍ଜିକୁ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ଯେ ପର୍ଯ୍ୟନ୍ତ ନୂଆ ପାଞ୍ଜି ବାହାରି ନାହିଁ ଏବଂ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଓ ମୁକ୍ତିମଣ୍ଡପ ପାଞ୍ଜିକୁ ଅନୁମୋଦନ କରିନାହାନ୍ତି ସେ ପର୍ଯ୍ୟନ୍ତ ଆସନ୍ତାବର୍ଷ ନାଗାର୍ଜୁନ ବେଶ ପଡ଼ିିବ ବୋଲି ଆମେ ଦୃଢତାର ସହ କହିପାରିବା ନାହିଁ। ଯଦି ହେବ ତାହା ଅତ୍ୟନ୍ତ ସୌଭାଗ୍ୟର କଥା, ନ ହେଲେ ଏହା ମହାପ୍ରଭୁଙ୍କ ଇଚ୍ଛା ବୋଲି ସେ ପ୍ରକାଶ କରିଛନ୍ତି।