ନାରାୟଣପାଟଣାରୁ ପ୍ରାର୍ଥିପତ୍ର ଦାଖଲ କଲେ ନାଚିକା ଲିଙ୍ଗା, ପୁଅ ରବିନାଚିକା

କୋରାପୁଟ,୨୦।୧(ସ୍ବ.ପ୍ର.)  ନାମାଙ୍କନପତ୍ର ଦାଖଲର ତୃତୀୟ ଦିନରେ କୋରାପୁଟ ଜିଲାରେ ମୋଟ ୧୫୪୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଜଣ , ସମିତିସଭ୍ୟ ପାଇଁ ୨୨୫ ଜଣ, ସରପଞ୍ଚ ପାଇଁ ୩୦୪ ଜଣ ଏବଂ ୱାଡସଭ୍ୟ ପାଇଁ ୭୨୧ ଜଣ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜିଲା ପଞ୍ଚାୟତ ଅଧିକାରୀ ଏସ୍‌ସି ବାସ୍କୋ କହିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଜିଲାର ବୈପାରିଗୁଡା ବ୍ଲକ ଅଞ୍ଚଳରୁ ଜିଲା ପରିଷଦ ଜୋନ ଲାଗି ୨ ଜଣ, ସମିତିସଭ୍ୟ ଲାଗି ୨୦ ଜଣ, ସରପଞ୍ଚ ପାଇଁ ୨୪ ଜଣ ଏବଂ ଓ୍ବାର୍ଡସଭ୍ୟ ପାଇଁ ୮୬ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି କୁନ୍ଦୁରା ବ୍ଲକରେ ୧୬ ଜଣ ସମିତିସଭ୍ୟ, ୧୪ ଜଣ ସରପଞ୍ଚ, ୪୨ ଜଣ ୱାର୍ଡସଭ୍ୟ ପାଇଁ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। କୋଟପାଡ ବ୍ଲକ ଅଞ୍ଚଳରେ ଜିଲା ପରିଷଦ ଜୋନ ପାଇଁ ଜଣେ, ସମିତି ସଭ୍ୟ ପାଇଁ ୨୫ ଜଣ, ସରପଞ୍ଚ ପାଇଁ ୨୧ ଜଣ ଏବଂ ୱାର୍ଡସଭ୍ୟ ପାଇଁ ୫୩ ଜଣ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି। ବୋରିଗୁମ୍ମା ବ୍ଲକରେ ଜିଲା ପରିଷଦ ଜୋନ ପାଇଁ ୩ ଜଣ, ସମିତିସଭ୍ୟ ପାଇଁ ୨୦ ଜଣ, ସରପଞ୍ଚ ପାଇଁ ୩୨ ଜଣ, ୱାର୍ଡସଭ୍ୟ ପାଇଁ ୬୬ ଜଣ ନାମାଙ୍କନପତ୍ର ଦାଖଲ ହୋଇଛି। ସେହିପରି କୋରାପୁଟ ବ୍ଲକ ଅଞ୍ଚଳରେ ଜିଲା ପରିଷଦ ଜୋନ ପାଇଁ ୨ ଜଣ, ସମିତିସଭ୍ୟ ପାଇଁ ୬ ଜଣ, ସରପଞ୍ଚ ପାଇଁ ୮ ଜଣ ଓ ୱାର୍ଡମେମ୍ବର ନିମନ୍ତେ ୨୮ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବୁଧବାର ଜିଲାରେ ଜିଲା ପରିଷଦ ଜୋନ ପାଇଁ ୧୫ ଟି ନାମାଙ୍କନପତ୍ର ଦାଖଲ ହୋଇଛି। ନାରାୟଣପାଟଣା ବ୍ଲକର ଗୋଟିଏ ମାତ୍ର ଜିଲା ପରିଷଦ ଜୋନ ପାଇଁ ଚାଷୀମୁଲିଆ ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ରବି ନାଚିକା କୋରାପୁଟ ଉପଜିଲାପାଳ ଲିଳିତ କୁମାର କହଁରଙ୍କ ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାଚିକାଙ୍କ ପୁତ୍ରବଧୂ ପୋଡାପଦର ପଞ୍ଚାୟତର ସରପଞ୍ଚ ପଦରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଲମତାପୁଟ ଜିଲା ପରିଷଦ ଜୋନ ନିମନ୍ତେ ୪ ଜଣ, ଦଶମନ୍ତପୁର ବ୍ଲକ ଜିଲା ପରିଷଦ ଜୋନ ପାଇଁ ଜଣେ ପ୍ରାର୍ଥୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡିଛି।