Categories: ଖେଳ

ଜାପାନରୁ ଫେରିଲେନି ମ୍ୟାନ୍‌ମାର ଫୁଟ୍‌ବଲର

ଟୋକିଓ, ୧୮ା୬ (ଏପି)- ଜାପାନରେ ୨୦୨୨ ବିଶ୍ୱକପ୍‌ କ୍ୱାଲିଫାୟର୍ସ ଖେଳିବା ଲାଗି ଆସିଥିବା ମ୍ୟାନ୍‌ମାର ଜାତୀୟ ଫୁଟ୍‌ବଲ ଦଳର ଜଣେ ଖେଳାଳି ସ୍ବଦେଶ ଫେରିବା ଲାଗି ରାଜି ହେଉନାହାନ୍ତି। ମ୍ୟାନ୍‌ମାରରେ ଏକ ସାମରିକ ବିଦ୍ରୋହ ପରେ ସେଠାରେ ଅରାଜକତା ଦେଖା ଦେଇଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସେ ଜାପାନରେ ଆଶ୍ରୟ ନେବାକୁ ଚାହୁଛନ୍ତି। ଏଥିଲାଗି ଅନୁମତି ଦେବା ଲାଗି ସ୍ଥାନୀୟ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି। ପ୍ୟାଇ ଲ୍ୟାନ ଅଙ୍ଗ୍‌ ହେଉଛନ୍ତି ଜଣେ ସବ୍‌ଷ୍ଟିଚ୍ୟୁଟ୍‌ ଖେଳାଳି। ବୁଧବାର ତାଙ୍କର କାନସାଇ ଇଣ୍ଟରନ୍ୟାଶନାଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନିଜ ଦେଶକୁ ଫେରିବାର ଥିଲା। କିନ୍ତୁ ସେ ଅବଶିଷ୍ଟ ଦଳ ସହ ଯୋଗ ଦେବାରେ ବିଫଳ ହୋଇଥିଲେ। ସେ ଜାପାନରେ ଶରଣ ନେବାକୁ ଇଚ୍ଛାପ୍ରକାଶ କରିଛନ୍ତି। ଦେଶକୁ ଫେରିଲେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ସେ ପ୍ରକାଶ କରିଛନ୍ତି। ମେ’ ୨୮ରେ ଜାପାନ ବିପକ୍ଷ ମ୍ୟାଚ ବେଳେ ମ୍ୟାନ୍‌ମାରରେ ସାମରିକ ଶାସନ ବିରୋଧୀ ଆନ୍ଦୋଳନର ପ୍ରତୀକ ସ୍ବରୂପ ୩ ଆଙ୍ଗୁଳି ସାଲ୍ୟୁଟ୍‌ କରିଥିଲେ। ‘ଆମକୁ ନ୍ୟାୟ ଦିଅ’ ଶୀର୍ଷକ ବାର୍ତ୍ତା ଏଥିରୁ ସୂଚିତ ହେଉଥିଲା। ଏହି ଫୁଟେଜ୍‌ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଚିଫ୍‌ କ୍ୟାବିନେଟ୍‌ ସେକ୍ରେଟାରି କାତସୁନୋବୁ କାତୋ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ନିଜ ଦେଶରେ ଖେଳାଳି ଜଣକ ଯଦି ଦଣ୍ଡିତ ହେବାର ଆଶଙ୍କା କରୁଛନ୍ତି ତେବେ ତାଙ୍କ ଆବେଦନପତ୍ରର ବିଚାର କରାଯାଇପାରେ। ସରକାର ଠିକଣା ସମୟରେ ଉଚିତ ପଦକ୍ଷେପ ନେବେ।

Share