ଛୋଟ ମୋର ଗାଁଟି

ଗାଁ କହିଲେ, ସାଧାରଣତଃ ଆମ ଆଖି ସାମ୍ନାକୁ ଆସିଯାଏ ଧୂଳି ମାଟିର ରାସ୍ତା ଓ ଅସଂଖ୍ୟ ଗଛଲତାଙ୍କ ଗହଳି ଭିତରେ ଆଶ୍ରମ ପରି ଦିଶୁଥିବା ଧାଡ଼ି ଧାଡ଼ି ନୁଆଁଣିଆ ନଡ଼ା ଛପର ଘର, ଯା’ର ଗୋବର ଲିପା ଝାଟି ମାଟି କାନ୍ଥରେ ଥାଏ ଝୋଟି ଚିତାର ହସ୍ତାକ୍ଷର ଏବଂ ଚାଳ ଉପରେ ଛନ୍ଦାଛନ୍ଦି ଲାଉ କଖାରୁ ଲତାର ଡଙ୍କ। କବି ବିନୋଦ ନାୟକଙ୍କ ଭାଷାରେ ‘ପୋଇ ଶାଗ ଆଉ ପାଣି କଖାରୁର ଲତା, ମାଡ଼ି ମାଡ଼ି ଆସି ଟପିଲାଣି ଘର ମଥା’। ସିନ୍ଦୁରା ଫାଟିଲେ ଉଜ୍ଜ୍ୱଳ ଦିଶେ ଗାଁର ମୁହଁ। ହସିଉଠେ ତୋଟା, ବିଲବଣ, ପୋଖରୀ ତୁଠ ଓ ତା’ ଚାରିପଟେ ବିସ୍ତୃତ ଧାନ କ୍ଷେତର ସବୁଜିମା। ଗାଁର ନିର୍ମଳ ଆକାଶ ଓ ଅବିଚଳିତ ପ୍ରକୃତିର ଅକୃତ୍ରିମ ଅଭିସାର ଯେତିକି ମନୋରମ, ଗାଁ ଦାଣ୍ଡରେ ଅବୋଧ ପିଲାଙ୍କ ଧୂଳିଖେଳ ଓ ବର୍ଷାବେଳେ କାଗଜ ଡଙ୍ଗା ଭସେଇବାର ଦୃଶ୍ୟ ସେତିକି ସ୍ମରଣୀୟ। ଯୋଗୀ କେନ୍ଦରା ବଜାଇ ଗୀତ ଗାଏ-‘ଭଜୁକିନା ରାମ ନାମରେ ରାଜନ…’। ଝିଅ ବିଦା ହେଲାବେଳେ ସବାରିବାଲାର ‘ହୁକୁମ ଭାଇରେ ହୁଁ କୁ’ ସାଙ୍ଗକୁ ଶୁଭେ କନିଆର ବାହୁନା…’ ମୋତେ ପଠାଉଛ ଯମ ପୁରକୁ ଲୋ ବୋଉ…’। ବର୍ଷା ଦିନେ ପିଲାମାନେ ଗାଆନ୍ତି ଜହ୍ନିଫୁଲ ଠୋ ଠା, କାକୁଡି ଫୁଲ ଠୋ ଠା…। ରଜ ଦୋଳିରୁ ଭାସି ଆସେ – ଦୋଳିପଟା କଟ କଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ…। ଗାଁ ମାଟିର ବାସ୍ନାରେ ଝରି ପଡ଼େ ଏମିତି କେତେ କେତେ ଆତ୍ମାର ସଂଗୀତ। ଏ ଲେଖକ ଭଳି ଯେଉଁମାନଙ୍କର ବାଲ୍ୟ କୈଶୋର ଗାଁରେ କଟିଛି, ସେମାନେ କେବେ ଭୁଲି ନ ଥିବେ ଖରାଦିନେ ପୋଖରୀରେ ପହଁରିବା, ମୁଣ୍ଡିଆରୁ କଣ୍ଟେଇ କୋଳି ତୋଳିବା, ବିଲରୁ ମୁଗୁରାରେ ମାଛ ଧରିବା, ମେଘ ପବନ ଥମିଗଲେ ତୋଟାରୁ ଆମ୍ବ ଗୋଟାଇବା ଓ ଖରାବେଳେ ପଡ଼ିଶା ବାଡ଼ିରୁ କାକୁଡ଼ି ଓ ପିଜୁଳି ଚୋରିକରି ଖାଇବାର ରୋମାଞ୍ଚକର ଅନୁଭୂତି। ମାତ୍ର ବିଡ଼ମ୍ବନାର ବିଷୟ ଆମ ଗଭୀର ଚେତନାରେ ଅକ୍ଷତ ଅବସ୍ଥାରେ ଦାନା ବାନ୍ଧିଥିବା ସେ ଗାଁ ଆଉ ନାହିଁ। ବଦଳି ଯାଇଛି ତା’ର ଆଙ୍ଗିକ ରୂପ ଓ ଆତ୍ମିକ ବିଭବ।
ଯୌଥ ପରିବାର ଥିଲା ଗ୍ରାମ୍ୟ ଜୀବନଧାରାର ଏକ ଦୁର୍ଲଭ ଐଶ୍ବର୍ଯ୍ୟ। ଗୋଟିଏ ଛାତ ତଳେ ବାପା, ମାଆ, କକା ଖୁଡ଼ୀ, ବଡ଼ବାପା ବଡ଼ମା’ ଜେଜେ ଜେଜେମା’ ଓ ସାନବଡ଼ ଗୁଡ଼ାଏ ଭାଇ ଭଉଣୀଙ୍କୁ ନେଇ ଫାଟି ପଡୁଥିଲା ହସ ଖୁସିର ଜୁଆର। ହଜାର ଅଭାବ ଅସୁବିଧା ଭିତରେ ବି ପରସ୍ପର ଭିତରେ ଥିବା ସ୍ନେହ, ଶ୍ରଦ୍ଧା, ତ୍ୟାଗ ଓ ଆନ୍ତରିକତା ଯୋଗୁ ବୈକୁଣ୍ଠ ପରି ଲାଗୁଥିଲା ଘର। ଜେଜେ ଥିଲେ ଘରର ମୁରବି। ନୈତିକତାର ପ୍ରହରୀ। କେବେ କାହା ପାଦ ଟିକେ ଖସିଗଲେ ‘ଗଲା ଗଲା ସବୁ ଗଲା’ କହି ଛାଡୁଥିଲେ ରଡ଼ି। ଭୟ ଓ ଭକ୍ତି ନେଇ ସମସ୍ତେ ତାଙ୍କୁ ମାନୁଥିଲେ ଏବଂ ସବୁ କଥାରେ ପଚାରୁଥିଲେ ବୃଦ୍ଧସ୍ୟ ବଚନମ ଗ୍ରାହ୍ୟ ନୀତିରେ। ଗଲା ଆଇଲା ଓ କିଏ ଖାଇଲା ନ ଖାଇଲା ଆଦି ସବୁକଥାକୁ ନିଘା ରଖୁଥିଲା ଜେଜେମା’। ପିଲାଙ୍କର ତ ଜେଜେମା’ ପାଖରେ ବେଶି ରଗଡ଼। ସଞ୍ଜ ହେଲେ ପିଲାମାନେ କେତେବେଳେ ଜେଜେମା’ ପାଖରେ ବସି ବୁଢ଼ୀ ଅସୁରୁଣୀ ଗପ ଶୁଣୁଥିଲେ ତ କେତେବେଳେ ହେସଁ ମସିଣାରେ ଗଡୁ ଗଡୁ ସଞ୍ଜୁଆ ତାରାକୁ ଦେଖି ଗାଉଥିଲେ ‘ଏକ ତାରା ମଣିଷ ମରା…’। ଏବେ ବି ଆମ ସ୍ମୃତି ପଟରେ ସାଇତା ହୋଇ ରହିଛି ଭାଇ ଭଉଣୀ ଓ ଅନ୍ୟମାନଙ୍କ ସହ ଗୋଟିଏ କଂସାରେ ପଖାଳ ଖାଇବାର ଆନନ୍ଦ। ଖାଇ ବସିବା ବେଳେ ମନେ ପଡିଯାଉଛି ବୋଉ ହାତରନ୍ଧା ତିଅଣର ସୁଆଦ। ବୋଉର ତରକାରି ରାନ୍ଧିବା କୌଶଳ ଥିଲା ସ୍ବତନ୍ତ୍ର। ବୋଉ ଚିଙ୍ଗୁଡି ମାଛ ରାନ୍ଧିବା ବେଳେ ବୋତଲ ମୁହଁରେ ଆଙ୍ଗୁଠି ଦେଇ ସୋରିଷ ତେଲ ପକାଉ ଥିଲା ଏତେ ଟିକେ। ମସଲା କହିଲେ ଅଳ୍ପ ଟିକେ ସୋରିଷ, ବାଡ଼ି ପିଆଜ ଓ ରସୁଣରୁ ଦି’ ପାଖୁଡ଼ା, ଆଉ ତା’ ସାଙ୍ଗକୁ ଗୋଟେ ଦି’ଟା କଞ୍ଚା ଲଙ୍କା। ଆଃ କି ମାଛ ତରକାରି ସିଏ! ଏବେ ତ ହଜାର ପ୍ରକାର ମସଲା ପଡୁଛି, ହେଲେ ସେ ବୋଉ ହାତରନ୍ଧା ସୁଆଦ କାହିଁ?
ଆଗେ ଗାଁକୁ ସବୁଦିନିଆ ରାସ୍ତା ନ ଥିଲା। ବର୍ଷା ଦିନେ ପାଣି କାଦୁଅରେ ପଚର ପଚର ହୋଇ ବସ୍‌ଷ୍ଟାଣ୍ଡରୁ ଚାଲି ଚାଲି ଯିବାକୁ ପଡୁଥିଲା ଚପଲକୁ ହାତରେ ଧରି। ବିଜୁଳି ଆଲୁଅ ନ ଥିବାରୁ ଦିନ ଥାଉ ଥାଉ ସଜଡ଼ା ଯାଉଥିଲା ଲଣ୍ଠନ ଓ ଡିବିରି ବତି। କିଆ ଗୋହିରି, ମଶାଣି ଦଣ୍ଡା ଓ ବାଉଁଶ ବୁଦା ପରିବେଷ୍ଟିତ ଗାଁର କୋଣେ କୋଣେ ଭରି ରହିଥିଲା ଦାରିଦ୍ର୍ୟ, ଅଶିକ୍ଷା ଓ ଅନ୍ଧ ବିଶାସ। ହେଲେ ତା’ରି ଭିତରେ ଝଲସି ଉଠୁଥିଲା ପ୍ରାଚୁର୍ଯ୍ୟମୟ ଜୀବନବୋଧର ବାର୍ତ୍ତା। ଗାଁରେ ବାଦ ବିବାଦ ଯେ ନ ଥିଲା ତା’ ନୁହେଁ, ମାତ୍ର ଥାନା ବା କୋର୍ଟ କଚେରି ନୁହେଁ, ସକାଳ କଳି ସଞ୍ଜକୁ ତୁଟି ଯାଉଥିଲା ଗାଁ ପଞ୍ଚାୟତ ବା ଭାଗବତ ଟୁଙ୍ଗିରେ। ଭାଗବତ ଟୁଙ୍ଗି ଥିଲା ଆମ ଆଧ୍ୟାତ୍ମିକ ସଂହତିର ପ୍ରାଣକେନ୍ଦ୍ର। ସଞ୍ଜ ନଇଁଲେ ଏଠି ଗୋସେଇଁଙ୍କ କଣ୍ଠରୁ ଭାସି ଆସୁଥିଲା ‘ନମଇଁ ନୃଂସିହ ଚରଣ, ଅନାଦି ପରମ କାରଣ….’ ଆଦି ପଦ ପଙ୍‌କ୍ତିର ସୁଲଳିତ ଲହରି। ତେଲ ଲୁଣ ସଂସାର ଜଞ୍ଜାଳ ଭିତରୁ ବାହାରି ସେଠାକୁ ଧାଇଁ ଯାଉଥିଲା କର୍ମକ୍ଲାନ୍ତ ମଣିଷ। ଭାଗବତର ପଦ ପଙ୍‌କ୍ତିର ଅମୃତ ପ୍ରଭାବରେ ସେବା ତ୍ୟାଗ ଆଦି ମାନବୀୟ ଜୀବନବୋଧରେ ମହକି ଉଠୁଥିଲା ଗ୍ରାମ୍ୟ ଜୀବନ। ରାତି ଅଧରେ ବିପଦ ପଡ଼ିଲେ ବି ପହଞ୍ଚି ଯାଉଥିଲେ ଗାଁଟା ସାରା ଲୋକ। ପରସ୍ପର ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଓ ଆତିଥେୟତା ଯୋଗୁ ଭାରି ପୂରିଲା ପୂରିଲା ଲାଗୁଥିଲା ଗ୍ରାମ୍ୟ ଜୀବନ। ଗାଁରେ କାହା ପୁଅ ବଡ଼ ଚାକିରି ପାଇଲେ ଗାଁ ସାରା ଲୋକଙ୍କ ମନରେ ଖେଳି ଯାଉଥିଲା ଖୁସିର ଲହରି। ଘଡ଼ିକ ଭିତରେ ଆଖପାଖ ପାଞ୍ଚ ଖଣ୍ଡ ଗାଁରେ ସଞ୍ଚରି ଯାଉଥିଲା ଖବର। ଗ୍ରାମ ଦେବତୀଙ୍କ ପାଖରେ ଜନ୍ତାଳ ଭୋଜି, ବାହାଘର, ବ୍ରତଘର ଓ ପୂନେଇଁ ପରବରେ ପଙ୍‌କ୍ତି ଭୋଜନ ତଥା ଯାନି ଯାତ୍ରାରେ ମିଳିମିଶି ଛାମୁଣ୍ଡିଆ ବାନ୍ଧିବାରେ ଥିଲା ଏକ ନିଆରା ଆନନ୍ଦ।
ଗ୍ରାମ୍ୟ ଅର୍ଥନୀତିର ଆଧାର ଥିଲା କୃଷି ଓ କୁଟୀର ଶିଳ୍ପ। ପଲ୍ଲୀ ମଣିଷ ମୁଣ୍ଡ ଝାଳ ତୁଣ୍ଡରେ ମାରି କ୍ଷେତରେ ଫଳାଉଥିଲା ସୁନା। ବର୍ଷ ତମାମ ବାଡ଼ି ବଗିଚାରେ ଫଳୁଥିଲା ଜହ୍ନି, ଭେଣ୍ଡି, କାକୁଡି, ବାଇଗଣ ଆଦି ଟୋକେଇ ଟୋକେଇ ପରିବା। କମାରଶାଳ, କୁମ୍ଭାରଶାଳ ଓ ବଢ଼େଇଶାଳରେ କାରିଗର ପାଇଁ ବୟସ ଥିଲା ଦକ୍ଷତାର ପରିଚୟ। ହାତଗୋଡ଼ ଚଳୁଥିବା ପର୍ଯ୍ୟନ୍ତ ଉପାର୍ଜନ କରି ପାରୁଥିଲେ ଅଭିଜ୍ଞ ବୟସ୍କମାନେ। ଗାଁ ଲୋକଙ୍କ ଭିତରେ ଆଉ ସେ କର୍ମପ୍ରବଣତା ନାହିଁ। କାରଣ ଏବେ କାର୍ଯ୍ୟକାରୀ ହେଉଥିବା ଭଳି ମାଗଣାଖିଆ ଓ ରିହାତି ଯୋଜନାରେ ପେଷି ହୋଇ ଗାଁ ଲୋକେ ହରେଇ ବସିଲେଣି ପୂର୍ବ କର୍ମ କୁଶଳତା। କେହି କେହି ଭୁଲି ଗଲେଣି ତାଙ୍କ କୌଳିକ ବୃତ୍ତି। ଗାଁରେ ଲୋକଙ୍କୁ ଏବେ ବିବେକହୀନ ଓ ପରାଶ୍ରୟୀ କରି ଦେଲାଣି ବିନା ପରିଶ୍ରମରେ ଅନେକ କିଛି ଭୋଗ କରିବାର ନିଶା। ଭୌତିକ ବିକାଶ ଦୃଷ୍ଟିରୁ ଗାଁ ତ ବହୁତ ଆଗକୁ ଯାଇଛି, ହେଲେ ଆତ୍ମସ୍ବାର୍ଥ ପାଖରେ ବନ୍ଧା ପଡିଯାଇଛି ସହଯୋଗ ମନୋବୃତ୍ତି। ଭୋଟ ରାଜନୀତିକୁ କେନ୍ଦ୍ରକରି ଗାଁରୁ ହଜିଗଲାଣି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ। ବୃକ୍ଷ ଶୂନ୍ୟ ଗାଁ ଏବେ ଫୁଙ୍ଗୁଳା ଦିଶୁଛି ଠିକ୍‌ ଓଢଣି ନ ଥିବା ମା’ର ମଥା ପରି। ଗାଁରେ ଆଉ ଅନୁଭବ କରି ହେଉନି ନୁଆଁଣିଆ ଚାଳଘରର ଶୀତଳତା। ଦେଖିବାକୁ ମିଳୁନି ବୁନିଆଦିର ସଂକେତ ନେଇ ଠିଆ ହୋଇଥବା ପାଞ୍ଚ ସେଣିଆ ଓ ସାତ ସେଣିଆ ଆଟୁଘର, ଯେଉଁ ଘରର ଦାଣ୍ଡପାଖ ଯାଉଁଳି କବାଟରେ ଖୋଦେଇ ହୋଇଥିବା ଆଳଙ୍କାରିକ ଚିତ୍ର ଦେଖି ଦଣ୍ଡେ ଅଟକି ଯାଉଥିଲେ ବାଟଗଲା ଲୋକେ। ଚାଳଘର ସବୁ ଉଚ୍ଚ ଅଟ୍ଟାଳିକାରେ ପରିଣତ ହୋଇଛି ସତ, ହେଲେ ସେ ଘରେ ଆଉ ଆଗପରି ନା ଅଛି ପରସ୍ପର ମଧ୍ୟରେ ସ୍ନେହ ମମତାର ବନ୍ଧନ ନା ପର୍ବପର୍ବାଣି ଅବସରରେ ସାରା ପରିବାର ଏକାଠି ହେବାର ଉତ୍ସୁକତା।
ଦିନେ ଯେଉଁ ଘରେ ମା’ର କାମ ସରୁ ନ ଥିଲା, ଜେଜେଙ୍କ ମୁରବିପଣିଆ ସରୁ ନ ଥିଲା, ବଡବାପାଙ୍କ ବ୍ରହ୍ମଜ୍ଞାନ ସରୁ ନ ଥିଲା, ପିଲାଙ୍କ କୋଳାହଳ ସରୁ ନ ଥିଲା, ସେ ଘରେ ଏବେ ଉତ୍ପୀଡ଼କ ନିଃସଙ୍ଗତା। ପର ଲାଗିବା ମାତ୍ରେ ପିଲାମାନେ ଉଡ଼ିଯାଉଛନ୍ତି ନିଜେ ନିଜ ବାଟରେ। ପରିବର୍ତ୍ତିତ ଗ୍ରାମ୍ୟ ଜୀବନଧାରାରେ ପୁଅ ଉପରେ ଆଉ ରହୁନି ବାପର କର୍ତ୍ତୃତ୍ୱ। ମା’ହାତରୁ ଖସି ଗଲାଣି ଝିଅକୁ ଶୃଙ୍ଖଳା ଓ ସଣ୍ଠଣା ଶିଖାଇବାର ଦାୟିତ୍ୱ। ବଦଳି ଯାଇଛି ଗାଁର ମରହଟ୍ଟୀ ଚେହେରା। ଚୁଲିକି ଗଲାଣି ସଂସ୍କାର ସଂସ୍କୃତି। ଆଗରୁ ଗାଁରେ କିଏ ମଦ ପିଉଛି ବୋଲି ଜଣାପଡ଼ିଲେ ତାକୁ ମଦୁଆ କହି ନିଆଁ ପାଣି ଅଟକ କରୁଥିଲେ ଲୋକେ। ଏପରି କି ମଦ ଖାଉଥିବା ଯୁବକକୁ କେହି ରାଜି ହେଉ ନ ଥିଲେ ଝିଅ ଦେବାପାଇଁ। ଏବେ ମଦ ନ ପିଇଲେ ବରଯାତ୍ରୀ ଯିବାକୁ ରାଜି ହେଉ ନାହାନ୍ତି ଲୋକେ। ଏକା ସାଙ୍ଗରେ ବସି ମଦ ପିଇଲେଣି ବାପ ପୁଅ ଓ ଭାଇ ଭାଇ। ଶବ ଉଠିଲା ବେଳେ ବି ଖୋଜା ଯାଉଛି ମଦ।
ଶାନ୍ତି ଓ ସୌହାର୍ଦ୍ଦ୍ୟର ମୂଳପିଣ୍ଡ ଗାଁ ମାଟିକୁ ବେଶି କଳୁଷିତ ଓ କାଳିମାମୟ କରି ଦେଇଛି ରାଜନୀତିର ପଶା ପାଲିରେ ହାରଜିତ୍‌। ଗାଁରେ ଆଉ ପଢ଼ା ଯାଉନି ଭାଗବତ। ପର୍ବପର୍ବାଣିରେ ଦିଆ ନିଆ ହେଉନି ପିଠାପଣା। ଭୌତିକ ବିକାଶ ଦୃଷ୍ଟିରୁ ଗାଁ ଆଗକୁ ଯାଇଛି ସତ, ହେଲେ ଗାଁରୁ ହଜିଯାଇଛି ଉତ୍ସର୍ଗୀକୃତ ଭାବନା। ସହାବସ୍ଥାନ କୌଶଳ। ସତରେ କୁଆଡ଼େ ଗଲା ସଚ୍ଚି ରାଉତରାୟଙ୍କର ସେ ଛୋଟ ମୋର ଗାଁଟି; ଯାହାକୁ ମାଟିର ସ୍ବର୍ଗ ବୋଲି କହିଥିଲେ କବି।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡା, ମୟୂରଭଞ୍ଜ
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri