ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ ଗତି। ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପଦାର୍ପଣ କରିଥିବା ଭାରତ ବିଶ୍ୱ ଦରବାରରେ ନିଜର ଆର୍ଥିକ, ପ୍ରାଯୁକ୍ତିକ ଓ ସାମରିକ ସାମର୍ଥ୍ୟର ଜୟଯାତ୍ରା କରୁଛି। ଡିଜିଟାଲ୍ କ୍ରାନ୍ତି, ମହାକାଶ ବିଜ୍ଞାନରେ ସଫଳତା ଏବଂ ଭବ୍ୟ ଭିତ୍ତିଭୂମି ନିର୍ମାଣକୁ ଦେଖାଇ ଗର୍ବର ସହ କହୁଛୁ-‘ମୋ ଭାରତ ବଦଳୁଛି’। ମାତ୍ର ଏହି ଚମକପ୍ରଦ ବାହ୍ୟ ପରିବର୍ତ୍ତନ ପଛରେ ଓ ପ୍ରଗତିର ଚମକ ଆଢ଼ୁଆଳରେ ଗଣତନ୍ତ୍ର ଓ ନୈତିକତାର ବିକଳ ଚିତ୍ର ଦେଖିବାକୁ ମିଳୁଛି । ଦେଶର ଆତ୍ମା କୁହାଯାଉଥିବା ଗଣତାନ୍ତ୍ରିକ ମୂଲ୍ୟବୋଧ, ସାମାଜିକ ସଦ୍ଭାବ ଏବଂ ମାନବୀୟ ନୈତିକତାରେ ଅବକ୍ଷୟ ଘଟିବାରେ ଲାଗିଛି। ଯେଉଁ ଦେଶ ସଦାଚାର, ଅହିଂସା, ସହିଷ୍ଣୁତା ଓ ସତ୍ୟ ଉପରେ ପ୍ରତିଷ୍ଠିତ ଥିଲା, ଆଜି ସେଠାରେ ସ୍ବାର୍ଥପରତା, ରାଜନୈତିକ ଓ ଧାର୍ମିକ ଅସହିଷ୍ଣୁତା, ଗଣତାନ୍ତ୍ରିକ ଅବ୍ୟବସ୍ଥା ଏବଂ ନୈତିକ ସ୍ଖଳନର କଳା ବାଦଲ ଘୋଟି ଯାଇଛି। ବଦଳୁଥିବା ଭାରତର ଏହି ଅନ୍ଧକାରମୟ ଦିଗଟି ସାମ୍ପ୍ରତିକ ସମାଜ ଓ ଭବିଷ୍ୟତ ପାଇଁ ଏକ ଚେତାବନୀ।
ଆଧୁନିକତାର ଜାଲରେ ଭାରତ ବସ୍ତୁବାଦୀ ସଂସ୍କୃତି ଆଡ଼କୁ ଆକର୍ଷିତ ହେଉଛି। ‘ତ୍ୟାଗ’ର ଭୂମିରେ ଆଜି ‘ଭୋଗ’ ଏବଂ ଚରମ ସ୍ବାର୍ଥପରତା ପ୍ରଧାନ ଗୁଣ ସାଜିଛି। ସାମୂହିକ ବିକାଶ ବଦଳରେ କେବଳ ‘ମୁଁ ଏବଂ ମୋର’ ଚିନ୍ତାଧାରା ପ୍ରତିଟି ମଣିଷକୁ ଗ୍ରାସ କରିଛି। ପୂର୍ବରୁ ସମାଜରେ ପରୋପକାର, ସହାନୁଭୂତି ଓ ଯୌଥ ପରିବାରର ଯେଉଁ ମୂଲ୍ୟବୋଧ ଥିଲା, ତାହା ଆଜି ସହରୀକରଣ ଓ ପୁଞ୍ଜିବାଦର ଚାପରେ ଭାଙ୍ଗିରୁଜି ଯାଇଛି। ନୈତିକତାର ଏହି ଅବକ୍ଷୟ କେବଳ ବ୍ୟକ୍ତିଗତ ଜୀବନରେ ସୀମିତ ନାହିଁ, ବରଂ ଏହା ବ୍ୟବସାୟ, ଶିକ୍ଷା, ସ୍ବାସ୍ଥ୍ୟ ତଥା ଆଧ୍ୟାତ୍ମିକ କ୍ଷେତ୍ରକୁ କଳୁଷିତ କରିଛି। ମଣିଷ ନିଜର ବିବେକକୁ ବିକ୍ରି କରିଦେଉଛି। ଖାଦ୍ୟରେ ଭେଜାଲ୍, ଔଷଧର କଳାବଜାରୀ, ଶିକ୍ଷା ଓ ସ୍ବାସ୍ଥ୍ୟର ବ୍ୟବସାୟୀକରଣ, ଶିକ୍ଷା ଓ ନିଯୁକ୍ତି ପ୍ରବେଶିକା ପ୍ରଶ୍ନପତ୍ର ଲିକ୍, ସମ୍ପର୍କରେ କପଟାଚାର ତଥା ଧର୍ମୀୟ ସ୍ଥଳରୁ ଚୋରି ଏହାର ଜ୍ୱଳନ୍ତ ଉଦାହରଣ। ବଦଳୁଥିବା ଭାରତରେ ଆର୍ଥିକ ସମୃଦ୍ଧି ତ ଆସୁଛି, ମାତ୍ର ମାନବୀୟ ସମ୍ବେଦନଶୀଳତା ଓ ନୈତିକ ଚରିତ୍ର ହ୍ରାସ ପାଉଛି। ଧନୀ ଓ ଗରିବ ମଧ୍ୟରେ ଦୂରତା ବଢ଼ି ଚାଲିଛି। ଯେତେବେଳେ ଭାରତର ଶୀର୍ଷ ଏକ ପ୍ରତିଶତ ଲୋକଙ୍କ ପାଖରେ ମୋଟ ସମ୍ପତ୍ତିର ପ୍ରାୟ ୪୦ ପ୍ରତିଶତ ଅଛି ଏବଂ ସବୁଠାରୁ ଧନୀ ୧୦ ପ୍ରତିଶତ ଲୋକଙ୍କ ପାଖରେ ୬୦ ପ୍ରତିଶତରୁ ଅଧିକ ସମ୍ପତ୍ତି ଅଛି, ସେତେବେଳେ ଏକ ବୃହତ୍ ନିମ୍ନ ଆୟକାରୀ ପରିବାର ସେମାନଙ୍କ ମୌଳିକ ଖର୍ଚ୍ଚ ସହିତ ସଂଘର୍ଷ କରୁଛନ୍ତି। ଭାରତର ସବୁଠାରୁ ବଡ଼ ସାର୍ବଭୌମତ୍ୱ ଓ ଶକ୍ତି ହେଉଛି ତା’ର ‘ବିବିଧତା ମଧ୍ୟରେ ଏକତା’। ଏଠାରେ ବିଭିନ୍ନ ଧର୍ମ, ଭାଷା ଓ ଚିନ୍ତାଧାରାର ଲୋକେ ମିଳିମିଶି ରହିଆସିଛନ୍ତି। ମାତ୍ର ସାମ୍ପ୍ରତିକ ଭାରତରେ ଧାର୍ମିକ ଅସହିଷ୍ଣୁତା ଭାରତର ଆତ୍ମାକୁ ଖଣ୍ଡ ବିଖଣ୍ଡିତ କରୁଛି। ଧର୍ମକୁ ଭୋଟ୍ ବ୍ୟାଙ୍କ ରାଜନୀତିର ଏକ ପ୍ରମୁଖ ହତିଆର କରାଯାଉଛି। ଧାର୍ମିକ କ୍ରୋଧ ଯୋଗୁ ସାମାନ୍ୟ ଗୁଜବ ବା ଭିନ୍ନ ମତ ପାଇଁ ଲୋକେ ହିଂସାକାଣ୍ଡ ଘଟାଇବାକୁ ପଛାଉ ନାହାନ୍ତି। ଧାର୍ମିକ ଅସହିଷ୍ଣୁତା ସହିତ ତାଳ ଦେଇ ବଢ଼ିଚାଲିଛି ରାଜନୈତିକ ଅସହିଷ୍ଣୁତା। ଗଣତନ୍ତ୍ରରେ ଭିନ୍ନ ଚିନ୍ତାଧାରାକୁ ସମ୍ମାନ ଦେବାର ପରମ୍ପରା ରହିଛି। ମାତ୍ର ଆଜିର ବଦଳୁଥିବା ରାଜନୀତିରେ ଏ ସବୁ କ୍ରମଶଃ ଗୌଣ ହୋଇଯାଉଛି। ବାଦ-ବିବାଦ ଏବଂ ସୁସ୍ଥ ଆଲୋଚନାର ସ୍ଥାନ ଏବେ କ୍ରୋଧ, ଗାଳିଗୁଲଜ ଏବଂ ପ୍ରତିଶୋଧପରାୟଣ ରାଜନୀତି ନେଇଛି।
ଆମେ ଦାବି କରୁଛୁ ଯେ ଦେଶରୁ ଦୁର୍ନୀତି କମିଛି, ମାତ୍ର ବାସ୍ତବତା ହେଉଛି ଦୁର୍ନୀତି ନିଜର ସ୍ବରୂପ ବଦଳାଇ ଆହୁରି ସଂଗଠିତ ଓ ପ୍ରଭାବଶାଳୀ ହୋଇଛି। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସ୍ବାଧୀନତା ଓ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ବ୍ୟବହାର କରାଯାଉଥିବାର ଅଭିଯୋଗ ସାମ୍ନାକୁ ଆସୁଛି। ନିର୍ବାଚନ ପ୍ରକ୍ରିୟା ଏତେ ବ୍ୟୟବହୁଳ ହୋଇଯାଇଛି ଯେ, ଜଣେ ସାଧାରଣ ସଚ୍ଚୋଟ ନାଗରିକ ନିର୍ବାଚନ ଲଢ଼ିବା ବିଷୟ ସ୍ବପ୍ନରେ ସୁଦ୍ଧା ଭାବିପାରିବ ନାହିଁ। ଗଣତନ୍ତ୍ରର ଅର୍ଥ କେବଳ ପାଞ୍ଚ ବର୍ଷରେ ଥରେ ଭୋଟ୍ ଦେବାରେ ସୀମିତ ହୋଇ ରହିଯାଇଛି, ଯାହା ଏକ ପ୍ରକାର ଗଣତାନ୍ତ୍ରିକ ଅବ୍ୟବସ୍ଥାକୁ ଦର୍ଶାଉଛି।
କଳ -ବଳ – କୌଶଳରେ କ୍ଷମତା ଆହରଣ କରିବା ରାଜନୀତିକ ଦଳର ମୁଖ୍ୟ ଏଜେଣ୍ଡା ହୋଇଛି। ବିଭିନ୍ନ ପ୍ରଲୋଭନର ଶିକାର ହେଉଛନ୍ତି ସାଧାରଣ ଭୋଟର। ଆଧୁନିକ ଭାରତୀୟ ରାଜନୀତିରେ ଶଠତା ଓ ସୁବିଧାବାଦ ଚରମ ସୀମାରେ। କ୍ଷମତା ପାଇଁ ନେତାମାନେ ରାତାରାତି ଦଳ ବଦଳାଉଛନ୍ତି। ଯେଉଁ ଆଦର୍ଶକୁ ଦିନେ ଗାଳି ଦେଉଥିଲେ, ସମାଲୋଚନା କରୁଥିଲେ, ପରଦିନ ସେହି ଆଦର୍ଶର ଗୁଣଗାନ କରୁଛନ୍ତି।
ଗଣତନ୍ତ୍ରର ସଫଳତା ସଚେତନ ଓ ସମାଲୋଚନାତ୍ମକ ନାଗରିକଙ୍କ ଉପରେ ନିର୍ଭର କରେ। ସରକାରଙ୍କର ତ୍ରୁଟିବିଚ୍ୟୁତି କିମ୍ବା ନୀତିଗତ ଭୁଲ୍ ସତ୍ତ୍ୱେ କିଛି ଲୋକ ବିନା କୌଣସି ପ୍ରଶ୍ନରେ କେବଳ ପ୍ରଶଂସା ଗାନ କରୁଛନ୍ତି ତ କିଛି ଲୋକ ସରକାରଙ୍କ ଭଲ କାମକୁ ନ ବୁଝି କେବଳ ଅନ୍ଧ ବିରୋଧ କରୁଛନ୍ତି। ନେତାପୂଜାର ସଂସ୍କୃତି ଗଣତନ୍ତ୍ର ପାଇଁ ବଡ଼ ବିପଦ, କାରଣ ଏହା ଶାସକକୁ ସ୍ବେଚ୍ଛାଚାରୀ ହେବାକୁ ସୁଯୋଗ ଦେଇଥାଏ। ବିଜ୍ଞାନ ଆମକୁ ସୋସିଆଲ ମିଡିଆ (ଫେସବୁକ, ଏକ୍ସ, ହ୍ବାଟ୍ସଆପ୍, ଇନଷ୍ଟାଗ୍ରାମ) ଭଳି ଏକ ଶକ୍ତିଶାଳୀ ମାଧ୍ୟମ ଦେଲା, ଯାହା ଦ୍ୱାରା ଲୋକେ ନିଜର ମତ ସହଜରେ ରଖିପାରିବେ। ମାତ୍ର ବଦଳୁଥିବା ଭାରତରେ ଏହାର ଅପବ୍ୟବହାର ଚରମ ସୀମାରେ ପହଞ୍ଚିଛି। ସୋସିଆଲ ମିଡିଆ ଆଜି ସୁସ୍ଥ ବିଚାରଧାରାର ଆଦାନପ୍ରଦାନ ସ୍ଥାନ ହେବା ବଦଳରେ ଅରୁଚିକର, ଅଶ୍ଳୀଳ ଏବଂ ଆକ୍ରମଣାତ୍ମକ ମନ୍ତବ୍ୟ ପ୍ରଦାନର ଏକ କଦର୍ଯ୍ୟ କ୍ଷେତ୍ର ପାଲଟିଛି। ଲୋକେ କୌଣସି ଘଟଣାର ସତ୍ୟାସତ୍ୟ ଜାଣିବା ପୂର୍ବରୁ ହିଁ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ରାଜନୈତିକ ଦଳଗୁଡ଼ିକ ଦ୍ୱାରା ପରିଚାଳିତ ଆଇଟି ସେଲ୍ ମଧ୍ୟ ଏହି ଦୌଡରେ ସାମିଲ ହୋଇଯାଉଛନ୍ତି।
ନିଜର ପରିଚୟ ଲୁଚାଇ ଫେକ୍ ଆକାଉଣ୍ଟ ମାଧ୍ୟମରେ ଲୋକେ ଯେଉଁଭଳି ଭାବେ ସମାଜରେ ବିଷ ବୁଣୁଛନ୍ତି, ତାହା ବଦଳୁଥିବା ଭାରତୀୟ ସମାଜର ମାନସିକ ବିକୃତିକୁ ପ୍ରମାଣିତ କରୁଛି। ଫେକ୍ ନ୍ୟୁଜ୍ ବା ମିଥ୍ୟା ଖବର ପ୍ରସାରଣ କରି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ସହଜ ହୋଇଯାଇଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ ଏବଂ ଏହା ସରକାର ଓ ନାଗରିକଙ୍କ ମଧ୍ୟରେ ଯୋଗାଯୋଗର ସେତୁ ଭାବେ କାର୍ଯ୍ୟ କରେ। ହେଲେ ଏହା ବଦଳୁଥିବା ଭାରତରେ ହ୍ରାସ ପାଇ ଚାଲିଛି। ଜନତାଙ୍କ ସ୍ବର ବଦଳରେ ସରକାରଙ୍କ ସ୍ବରକୁ ପ୍ରାଥମିକତା ଦିଆଯାଉଛି। ସରକାରୀ ନୀତିର ସମାଲୋଚନା କରିବା ଏକ ସୁସ୍ଥ ଗଣତନ୍ତ୍ରର ଲକ୍ଷଣ। ସମାଲୋଚନା କରୁଥିବା ଲୋକଙ୍କ ସ୍ବରକୁ ଚାପି ଦେବା ପାଇଁ କଠୋର ଆଇନର ବ୍ୟବହାର କରାଯାଉଥିବା ଅଭିଯୋଗ ଆସୁଛି। ଯେଉଁ ଦେଶରେ ପ୍ରଶ୍ନ କରିବାର ସ୍ବାଧୀନତା ଉପରେ ଭୟର ପରଦା ଢାଙ୍କି ହୋଇଯାଏ, ସେଠାରେ ଗଣତନ୍ତ୍ର ଧୀରେ ଧୀରେ ଏକଚ୍ଛତ୍ରବାଦ ଆଡ଼କୁ ଗତି କରେ। କେବଳ ଉଚ୍ଚ ଅଟ୍ଟାଳିକା, ଦ୍ରୁତଗାମୀ ଟ୍ରେନ୍, ପ୍ରାକୃତିକ ସମ୍ପଦ କିମ୍ବା ଡିଜିଟାଲ୍ କାରବାର ଦ୍ୱାରା ଏକ ଦେଶ ମହାନ୍ ହୋଇପାରେନାହିଁ। ଦେଶ ସେତେବେଳେ ମହାନ୍ ହୁଏ, ଯେତେବେଳେ ତା’ର ନାଗରିକଙ୍କ ମଧ୍ୟରେ ଭ୍ରାତୃଭାବ, ସହିଷ୍ଣୁତା, ନୈତିକତା, ମାତୃଭୂମି ପ୍ରତି ଦାୟିତ୍ୱବୋଧ, ଗଣତାନ୍ତ୍ରିକ ସଚେତନତା ଏବଂ ମୁକ୍ତ ଭାବେ ବଞ୍ଚିବାର ସ୍ବାଧୀନତା ଥାଏ। ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭାଷାରେ ସରକାର ଆସିବ ଏବଂ ଚାଲିଯିବ। ଦଳଗୁଡ଼ିକ କ୍ଷମତାକୁ ଆସିବେ ଓ ଯିବେ। କିନ୍ତୁ ଏହି ଦେଶ ଏବଂ ଏହାର ଗଣତନ୍ତ୍ର ଚିରକାଳ ପାଇଁ ବିକଶିତ ହେବା ଉଚିତ। ଆମକୁ ଅନ୍ଧ ସମର୍ଥନ ଏବଂ ଅନ୍ଧବିରୋଧରୁ ଊର୍ଦ୍ଧ୍ୱକୁ ଉଠି ସତ୍ୟ ଓ ନ୍ୟାୟ ସପକ୍ଷରେ ଠିଆ ହେବାକୁ ହେବ। ଯେତେବେଳେ ପ୍ରତିଟି ଭାରତୀୟ ନିଜର ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହେବେ, ସେତେବେଳେ ଯାଇ ଭାରତ ପ୍ରକୃତ ଅର୍ଥରେ ଏକ ଶକ୍ତିଶାଳୀ, ସୁସ୍ଥ ଓ ବିକଶିତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ବଦଳିପାରିବ।
ପ୍ରକାଶ ତ୍ରିପାଠୀ
ମୋ: ୬୩୭୦୫୩୭୩୭୯