Categories: ଖେଳ

ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି: ଗାଭାସ୍କର

ଦୁବାଇ,୨୬।୯ (ପି.ଟି.): ବିରାଟ କୋହଲି ଓ ସ୍ତ୍ରୀ ଅନୁଷ୍କାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ପଡିବା ପରେ ସୁନୀଲ ଗାଭାସ୍କର ଏ ନେଇ ସଫେଇ ଦେଇଛନ୍ତି। କୋହଲି ନିଜ ପ୍ରଦର୍ଶନରେ ଉନ୍ନତି କରିବାକୁ ଚାହାନ୍ତି। ଅଧିକରୁ ଅଧିକ ଅଭ୍ୟାସ କଲେ ଏହା ସମ୍ଭବ ହେବ ବୋଲି ସେ ଜାଣିଛନ୍ତି। ତେବେ ଲକ୍‌ଡାଉନ୍‌ ସମୟରେ କୋହଲି କେବଳ ଅନୁଷ୍କାଙ୍କ ବୋଲିଂକୁ ସାମ୍ନା କରିଥିଲେ। ଏହା କୋହଲିଙ୍କ କାମରେ ଆସିନାହିଁ ବୋଲି ଗାଭାସ୍କର କମେଣ୍ଟ୍ରିରେ ହିନ୍ଦୀରେ ନିଜର ମନ୍ତବ୍ୟ ରଖିଥିଲେ।
ମୋ ମନ୍ତବ୍ୟକୁ କଦର୍ଥ କରାଯାଇଛି ଓ ଏହାକୁ ଭୁଲ୍‌ ଭାବେ ଉପସ୍ଥାପନା କରାଯାଇଛି ବୋଲି ଗାଭାସ୍କର କହିଛନ୍ତି। ନିଜ କମ୍ପାଉଣ୍ଡରେ ଅନୁଷ୍କା କୋହଲିଙ୍କୁ ଟେନିସ୍‌ବଲ୍‌ରେ ବୋଲିଂ କରୁଥିବାର ଭିଡିଓ କ୍ଲିପ୍‌କୁ ନେଇ ମନ୍ତବ୍ୟ ରଖିଥିଲି ବୋଲି ସେ କହିଛନ୍ତି। ଅନୁଷ୍କାଙ୍କୁ ଆଦୌ ଦୋଷ ଦେଇନାହିଁ। ଭିଡିଓରେ ଅନୁଷ୍କା ବୋଲିଂ କରୁଥିବାରୁ ଏପରି ମନ୍ତବ୍ୟ ଦେଇଛି। ଲକ୍‌ଡାଉନ ସମୟରେ କୋହଲି କେବଳ ଅନୁଷ୍କାଙ୍କ ବୋଲିଂକୁ ସାମ୍ନା କରିଥିଲେ ବୋଲି ଗାଭାସ୍କାର କହିଛନ୍ତି। ଲକ୍‌ଡାଉନ୍‌ରେ ଟାଇମ୍‌ ପାସ୍‌ କରିବା ପାଇଁ ଲୋକେ ଏଭଳି ମଜାରେ ଟେନିସ ବଲ କ୍ରିକେଟ ଖେଳିଥାନ୍ତି। ତେଣୁ ଏଥିରେ ଅନୁଷ୍କାଙ୍କୁ କେତେବେଳେ ଦାୟୀ କଲି ବୋଲି ଗାଭାସ୍କର ପ୍ରଶ୍ନ ପଚାରିଛନ୍ତି।
ସୋସିଆଲ ମିଡିଆରେ ମହିଳା ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଗାଭାସ୍କର ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବିଭିନ୍ନ ଗସ୍ତରେ ସ୍ତ୍ରୀଙ୍କୁ କ୍ରିକେଟରମାନେ ସାଥିରେ ନେଇ ଯିବାକୁ ସବୁବେଳେ ସମର୍ଥନ କରିଆସିଛି। କୋହଲିଙ୍କ ପ୍ରଦର୍ଶନ ନେଇ ଅନୁଷ୍କାଙ୍କୁ ଆଦୌ ଦାୟୀ କରିନାହିଁ ବୋଲି ଗାଭାସ୍କର ସ୍ପଷ୍ଟ କରିଛନ୍ତି।

Share