ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍ ଚାଲିଥିଲେ ମଧ୍ୟ ଏହି ବିରାଟକାୟ ଜାହାଜର କୌଣସି ପତ୍ତା ମିଳିପାରୁନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଜାହାଜଟି ପ୍ରାୟ ଅଢ଼େଇ କିଲୋମିଟର ତଳକୁ ବୁଡ଼ି ଯାଇଛି । ଅର୍ଥାତ ଏହା ପୂରା ସମୁଦ୍ରଶଯ୍ୟାକୁ ଚାଲିଯାଇଛି । ଜାହାଜରେ ପ୍ରାୟ ୭୨ ହଜାର ଟନ୍ ଲୁହାପଥର ଗୁଣ୍ଡ ଲୋଡ୍ ହୋଇଥିବାରୁ, ଏହି ଓଜନ, ଜାହାଜକୁ ସମ୍ପୂର୍ଣ୍ଣ ବୁଡ଼ାଇ ଦେଇଥିବ ବୋଲି କୁହାଯାଉଛି ।
ପାରାଦୀପରୁ ଲୁହାପଥର ଗୁଣ୍ଡ ଧରି ସିଙ୍ଗାପୁର ଯାଉଥିବା MV ଓସେନ ୱିନର ଜାହାଜକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସୁଛି । ବିଶେଷଜ୍ଞମାନେ କହୁଛନ୍ତି, ଏହି ଜାହାଜଟି ବହୁତ ତଳକୁ ଅର୍ଥାତ୍ ପୂରା ସମୁଦ୍ର ତଳକୁ ଚାଲିଯାଇଥାଇପାରେ। କାରଣ ଏଥିରେ ଥିବା ଲୁହାପଥର ଗୁଣ୍ଡ ପାଣିରେ ଭେଦି ଯିବା ପରେ ଏହାର ଓଜନ ଆହୁରି ବଢ଼ିଯାଇଥିବ।
ପାରଦୀପ ଉପକୂଳ ନିକଟରେ ଘଟିଥିବା ବଡ଼ ଜାହାଜ ଦୁର୍ଘଟଣାକୁ ୫ ଦିନ ବିତିଯାଇଥିଲେ ସୁଦ୍ଧା ନିଖୋଜ ୨୨ ଜଣ କ୍ରିଉ ମେମ୍ବର (କର୍ମଚାରୀ) ଙ୍କର କୌଣସି ସନ୍ଧାନ ମିଳିପାରିନାହିଁ। ସମୁଦ୍ର ମଧ୍ୟରେ ସେମାନଙ୍କୁ ଖୋଜିବା ପାଇଁ ଏବେ ସର୍ଚ୍ଚ ଅପରେସନ୍ କୁ ଆହୁରି ବ୍ୟାପକ ଓ ତୀବ୍ର କରାଯାଇଛି।
ଏହି ସମୁଦ୍ରି ଉଦ୍ଧାର ଅଭିଯାନରେ ଭାରତୀୟ ତଟରକ୍ଷୀ ବାହିନୀର ଅତ୍ୟାଧୁନିକ ଜାହାଜ ‘ବିଶ୍ୱସ୍ତ’ ନିୟୋଜିତ ହୋଇଥିବା ବେଳେ ଏବେ ଚୀନ୍ର ୨ଟି ଜାହାଜ ମଧ୍ୟ ଏହି ସର୍ଚ୍ଚ ଅପରେସନ୍ରେ ସାମିଲ ହୋଇଛନ୍ତି। ଘଟଣାର ୫ ଦିନ ପରେ ବି ନିଖୋଜ ନାବିକମାନଙ୍କର କୌଣସି ପତ୍ତା ମିଳିନଥିବାରୁ ଚିନ୍ତା ବୃଦ୍ଧି ପାଇଛି। ସମୁଦ୍ର ମଧ୍ୟରେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଭାରତୀୟ ଜାହାଜ ସହିତ ଚୀନ୍ର ୨ଟି ଜାହାଜ ମିଳିତ ଭାବେ କାମ କରୁଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀର ଅତ୍ୟାଧୁନିକ ଉଦ୍ଧାରକାରୀ ଜାହାଜ ‘ବିଶ୍ୱସ୍ତ’ ସମୁଦ୍ରରେ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରଖିଛି। ତେବେ ସର୍ଚ୍ଚ ଅପରେଶନ ଭିତରେ ଏମଭି ଓସେନ ଓ଼୍ବିନରର ଲାଇଫ୍ ବୋଟ୍ ସମୁଦ୍ର ଭିତରୁ ମିଳିଛି। କିନ୍ତୁ ଲାଇଫ୍ ବୋଟ ଭିତରେ କୌଣସି ଲୋକ ନାହାନ୍ତି।
ପାରାଦୀପ ଉପକୂଳରୁ ପ୍ରାୟ ୪୦୦ କିଲୋମିଟର ଦୂର, ଅକାତ କାତ ପାଣି ଭିତରେ ଏକ ବିରାଟ ଜାହାଜ ବୁଡ଼ିଯିବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣାକୁ ଆହୁରି ରହସ୍ୟମୟ କରିଛି, ଜାହାଜଟିକୁ ଆଦୌ ଠାବ ନ କରାଯାଇ ପାରିବା। ଅନୁମାନ କରନ୍ତୁ, ୭୫୦ ଫୁଟ ଲମ୍ବା ଏବଂ ପ୍ରାୟ ୧୧୦ ଫୁଟ ଚଉଡ଼ାର ବିରାଟ ଜାହାଜ, ଏମିତି ନିଖୋଜ ହୋଇଯାଇଛି, ଯାହାର ପତ୍ତା ବି ମିଳିପାରୁନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ ଜାହାଜଟି ସମୁଦ୍ରର ପୂରା ତଳକୁ ଅର୍ଥାତ ସମୁଦ୍ରଶଯ୍ୟାକୁ ଚାଲିଯାଇ ଥାଇପାରେ, ଅର୍ଥାତ ସମୁଦ୍ର ପୃଷ୍ଠରୁ ପ୍ରାୟ ଅଢ଼େଇ କିଲୋମିଟର ତଳକୁ ଚାଲି ଯାଇଥାଇପାରେ ।
MV ଓସେନ ୱିନର ବୁଡ଼ିବା ପଛରେ ରହିଥାଇପାରେ ବଡ଼ କେଳେଙ୍କାରୀ ଓ ଅବହେଳା। ଏଥିରେ ସାମିଲ ଥାଇପାରନ୍ତି ଏକାଧିକ ସଂସ୍ଥା। ପାରାଦୀପ ବନ୍ଦର ସହ ଜଡ଼ିତ ଏକ ବିଶେଷ ସୂତ୍ରରୁ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଏଥିରୁ ଯାହା ଜଣାପଡ଼ୁଛି,ଏହି ଜାହାଜ ବୁଡ଼ିବା ବ୍ଲାକ୍ ରୋଜ୍ ଘଟଣା ଭଳି ଖୋଲିପାରେ ଅନେକ ସମ୍ବେଦନଶୀଳ ତଥ୍ୟ ।
ଜାହାଜଟି ୨୦ ତାରିଖ ଗୁରୁବାର ରାତିରେ ପାରାଦୀପ ବନ୍ଦର ଛାଡ଼ିଥିଲା । ବନ୍ଦରରେ କାମ କରୁଥିବା କିଛି କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି, ତା ପୂର୍ବରୁ ଏଥିରେ ଲୋଡ୍ କରାଯାଇଥିଲା ଲୁହାପଥର ଗୁଣ୍ଡ । କିନ୍ତୁ ଜାହାଜରେ ଶୁଖିଲା ନୁହେଁ ଓଦା ଲୁହାଗୁଣ୍ଡ ଭରା ଯାଇଥିବା ସନ୍ଦେହ କରାଯାଉଛି। ଏମ୍ଭି ଓସେନ ୱିନର ଲାଗିଥିବା ଜେଟିରେ ମଧ୍ୟ ଏହି ଭଳି ଅର୍ଦ୍ଧତରଳ କାଦୁଆ ଲୁହାଗୁଣ୍ଡ ପଡ଼ିଥିବାର ଭିଡିଓ ଭାଇରାଲ ହେଉଛି । ସେହିଭଳି ଜାହାଜରେ ଥିବା କର୍ମଚାରୀଙ୍କର ଏ ଦିଗରେ ଅଭିଜ୍ଞତା ନଥିବା କୁହାଯାଉଛି । ସେମାନେ ପ୍ରଥମ ଥର ଲାଗି ଲୁହାଗୁଣ୍ଡ ପରିବହନ କରୁଥିଲେ ।