‘ଝିଅ ସହ ଦେଖି ସହିପାରିଲିନି, ରଡ୍‌ ଭୁସି ମାରିଦେଲି’

ଉଦଳା, ୪।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଜୟପୁର ଗ୍ରାମର ଛାତ୍ର ଶୁଭାଶିଷ ବାରିକଙ୍କ ହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ଶୁଭାଶିଷଙ୍କ ଗୁପ୍ତାଙ୍ଗ ତଳେ ରଡ୍‌ ଭୁସି ହତ୍ୟା କରାଯାଇଛି। ତାଙ୍କ ପ୍ରେମିକାଙ୍କ ବାପା ହିଁ ହତ୍ୟାକାରୀ ବୋଲି ପୋଲିସ ସ୍ପଷ୍ଟ କରିଛି। ଶୁଭାଶିଷ ଓ ଝିଅକୁ ଅସଂଯତ ଅବସ୍ଥାରେ ଦେଖି ସହି ପାରିଲିନି, ରଡ୍‌ ଭୁସି ମାରିଦେଲି ବୋଲି ଅଭିଯୁକ୍ତ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏନେଇ ଉଦଳା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କପ୍ତିପଦା ଏସ୍‌ଡିପିଓ ସାର୍ଥକ ରାଏ ଓ ଆଇଆଇସି ନିରୋଜ କୁମାର ସାମଲ ସୂଚନା ଦେଇଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ସମ୍ପୃକ୍ତ ଝିଅ ସହ ଶୁଭାଶିଷଙ୍କର ପୂର୍ବରୁ ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଝିଅ ଘର ପକ୍ଷରୁ ଅନେକ ବାର ଶୁଭାଶିଷଙ୍କୁ ତାଗିଦ୍‌ କରାଯାଇଥିଲା। ହେଲେ ଗତ ୩୦ତାରିଖ ରାତିରେ ଝିଅ ସହ ଶୁଭାଶିଷଙ୍କୁ ହଠାତ୍‌ ଦେଖି ଅଭିଯୁକ୍ତ ହିତାହିତ ଜ୍ଞାନ ଭୁଲିଯାଇଥିଲେ। ପୂର୍ବରୁ ଶୁଭାଶିଷଙ୍କ ଉପରେ ଥିବା ରାଗ ତାଙ୍କୁ ହିଂସ୍ର କରିଦେଇଥିଲା। ସେ ତାଙ୍କୁ ମାରିବାକୁ ଉଦ୍ୟମ କରି ଗୋଡ଼ାଇଥିଲେ। ଶେଷରେ ତାଙ୍କ ଗୁପ୍ତାଙ୍ଗ ତଳେ ଏକ ରଡ୍‌ ଭୁସି ଦେଇଥିଲେ। ଶୁଭାଶିଷ ଜୀବନ ବିକଳରେ ଘର ପଛପଟ ଦେଇ ପଳାଇ ଯାଉଥିବା ବେଳେ ବିଲ ମଝିରେ ପଡ଼ିଯାଇଥିଲେ। ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ହତ୍ୟାକାଣ୍ଡରେ ବ୍ୟବହୃତ ରଡ୍‌କୁ ଅଭିଯୁକ୍ତ ନିଜ ଘରେ ଲୁଚାଇ ରବିବାର ସକାଳୁ ଶରତ ଅଞ୍ଚଳକୁ ଚାଲିଯାଇଥିଲେ। ଅନ୍ୟପଟେ ପୋଲିସ ଝିଅ, ତାଙ୍କ ମା’ ଓ ୪ ଜଣ ସମ୍ପର୍କୀୟଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ପରେ ମୁଖ୍ୟ ଅଭିଯୁକ୍ତ ଝିଅର ବାପାଙ୍କୁ ପୋଲିସ ଶରତ ଅଞ୍ଚଳରୁ ଗିରଫ କରିଛି। ପୋଲିସ୍‌ ପୂରା ଘଟଣାର ଖିଅ ଖୋଜି ବାହାର କରିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ରଡ୍‌କୁ ଜବତ କରିଛି ା ହତ୍ୟା ସମୟରେ ଅଭିଯୁକ୍ତ ପିନ୍ଧିଥିବା କପଡ଼ାକୁ ମଧ୍ୟ ପୋଲିସ ଜବତ କରିଛି। ଏନେଇ ମାମଲା (ନଂ.୧୩୫/୨୨) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।