
ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଦେଶରେ କୋଚିଂ ସେଣ୍ଟରର ହବ୍ ପାଲଟିଥିବା ରାଜସ୍ଥାନର କୋଟା ଏବେ ଛାତ୍ର ଆତ୍ମହତ୍ୟାର ସହର ଭାବେ ପରିଗଣିତ ହେଲାଣି। ପରିସଂଖ୍ୟାନ ଦେଖିଲେ ୨୦୨୩ରେ ମେଡିକାଲ ସିଟ୍ ଆଶାୟୀ ୨୯ ଜଣ ବିଦ୍ୟାର୍ଥୀ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ରେ ୧୯ ଜଣ ଏବଂ ୨୦୨୫ ଏବେସୁଦ୍ଧା ୧୬ ଜଣ ପ୍ରାଣ ହରାଇସାରିଲେଣି। ଏସବୁ ଆତ୍ମହତ୍ୟା ପଛର କାହାଣୀ ବୁଝିଲା ବେଳକୁ ଜଣାପଡ଼ିଛି ଯେ, ପିଲାମାନେ ପଢ଼ା ଚାପରେ ଡିପ୍ରେସନ ବା ଅବସାଦ ସ୍ତରକୁ ଯାଇ ଚରମ ନିଷ୍ପତ୍ତି ନେଇଯାଉଛନ୍ତି। କେତେକ କ୍ଷେତ୍ରରେ ପୋଲିସ ପାଇଥିବା ସୁଇସାଇଡ୍ ନୋଟ୍ରୁ ଜଣାପଡ଼ୁଛି ମେଡିକାଲ ପାଇବାରେ ବିଫଳ ହେବା କିମ୍ବା ନ ପାଇବାର ଭୟ ସେମାନଙ୍କୁ ବଡ଼ ଆକାରରେ ଘାରୁଛି। ପର୍ଯ୍ୟାପ୍ତ ଅର୍ଥ ଖଟାଉଥିବା ମାତାପିତା ପିଲାଙ୍କୁ ନେଇ ଅତ୍ୟଧିକ ସ୍ବପ୍ନ ଦେଖିଦେଉଥିବା ବେଳେ ନିଜେ ଚାପଗ୍ରସ୍ତରେ ରହିଯାଉଛନ୍ତି। ଏହି ସ୍ବପ୍ନକୁ ପୂରଣ କରିବା ସକାଶେ ମାତାପିତା ଭୁଲ୍ ବାଟ ଅପଣାଇବାକୁ ମଧ୍ୟ ପଛାଉନାହାନ୍ତି। ଉଦାହରଣ ସ୍ବରୂପ, ନିଜ ପିଲାଙ୍କ ପାଇଁ ଡମି ବା ନକଲି ପ୍ରାର୍ଥୀଙ୍କ ଦ୍ୱାରା ପରୀକ୍ଷା କରାଇବାର ଅନେକ ଉଦାହରଣ ଦେଖିବାକୁ ମିଳୁଛି। ଯେଉଁ ମାତାପିତା ଜୀବନରେ ଡାକ୍ତର କିମ୍ବା ଅନ୍ୟ ବଡ଼ ଚାକିରି କରିବାରେ ଅସଫଳ ହୋଇଥାଆନ୍ତି, ସେମାନଙ୍କ ଭିତରେ ଗୋଟେ ତୀବ୍ର ଅଭାବବୋଧ ରହିଯାଇଥାଏ। ପରବର୍ତ୍ତୀ ସମୟରେ ସେମାନଙ୍କ ଇପ୍ସିତ ଲକ୍ଷ୍ୟକୁ ପିଲାଙ୍କ ମୁଣ୍ଡ ଉପରେ ଥୋପେଇ ଦେଇଥାଆନ୍ତି। ଯେଉଁ ପିଲା ମେଧା ଅନୁସାରେ ବୋଝ ବୋହି ପାରୁଛି ସିଏ ତିଷ୍ଠୁଛି, ନ ହେଲେ ଅନ୍ୟମାନଙ୍କଠାରେ ଚାପର ପ୍ରତିଫଳନ ହେଉଥିବା ଦେଖାଯାଉଛି। ଏଥିସହିତ ଭାରତରେ ଡାକ୍ତର ବା ଇଞ୍ଜିନିୟରଙ୍କୁ ସଫଳତାର ଶୀର୍ଷ ମାନିବା ସାମାଜିକ ସ୍ତରରେ ବୁଡ଼ି ରହିଛି। ନିଜ ବନ୍ଧୁବାନ୍ଧବ, ସାହିପଡ଼ିଶାକୁ ପିଲା ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍) କିମ୍ବା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇ)ରେ ଭଲ ନମ୍ବର ରଖି ସିଟ୍ ଖଣ୍ଡେ ପାଇଲା ବୋଲି ଡିଣ୍ଡିମ ପିଟିବା ସଫଳତାର ଏକ ବଡ଼ ପାହାଚ ଭାବେ ଧରାଗଲାଣି। ଏଥିରେ ପିଲା ବାଟିପେଷି ହୋଇଗଲେ କାହାରିକୁ ବେଶି ଫରକ ପଡ଼ୁନାହିଁ।
ସଦ୍ୟ ଘଟଣାକୁ ଦେଖିଲେ ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ନିଟ୍ ପାଇଁ ତାଙ୍କ ଝିଅକୁ ପ୍ରସ୍ତୁତ କରାଉଥିଲେ। କିନ୍ତୁ ମକ୍ ଟେଷ୍ଟରେ ସେ କମ୍ ନମ୍ବର ଆଣିବାରୁ ପିତା କ୍ରୋଧରେ ତାଙ୍କୁ ପିଟି ମାରି ଦେଇଛନ୍ତି। ଚୂଡ଼ାନ୍ତ ପରୀକ୍ଷା ଦେବା ପୂର୍ବରୁ ଅନେକ ମକ୍ ଟେଷ୍ଟ କରାଯାଇଥାଏ। ବହୁ ସମୟରେ ମକ୍ ଟେଷ୍ଟରେ କମ୍ ନମ୍ବର ରଖିଲେ ମଧ୍ୟ ଜଣେ ବିଦ୍ୟାର୍ଥୀ ଚୂଡ଼ାନ୍ତ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥାଆନ୍ତି। ସୂଚନା ଦିଆଯାଇପାରେ ଯେ, ସମ୍ପୃକ୍ତ ଛାତ୍ରୀ ଦଶମ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିଥିଲେ। ହୁଏତ ସେ ପରବର୍ତ୍ତୀ ସମୟରେ ସେହି ନିଟ୍ରେ ଊତ୍ତୀର୍ଣ୍ଣ ହୋଇ ଭଲ ଡାକ୍ତର ବା ଅନ୍ୟ କୌଣସି କ୍ଷେତ୍ରରେ ବଡ଼ ସଫଳତା ପାଇପାରିଥାଆନ୍ତେ। କିନ୍ତୁ ଝିଅଠାରୁ ପିତାଙ୍କ ଆଶା ଢେର ବଢ଼ିଯାଇଥିବାରୁ ଆଗାମୀ ଫଳାଫଳକୁ ଅପେକ୍ଷା କରିବାର ଧୈର୍ଯ୍ୟ ଓ ହିତାହିତ ଜ୍ଞାନ ହରାଇବସିଲେ। ଏଭଳି ପଦକ୍ଷେପ ନେବା ପରେ ପିତା ଏବେ ଜେଲରେ। ଝିଅ ପାଇଁ ଯେଉଁ ଗର୍ବ କରିବାର ଆଶା ରଖିଥିଲେ ତାହାକୁ ସେ ନିଜେ ଧ୍ୱଂସ କରି ସମାଜରେ ନିନ୍ଦିତ ହୋଇଛନ୍ତି।
କୁହାଯାଇପାରେ ଯେ, ଏଭଳି ମାନସିକତା ଏଇ ଜଣେ ପିତାଙ୍କ କ୍ଷେତ୍ରରେ ସୀମିତ ନାହିଁ। ସାଙ୍ଗଲି ଘଟଣାରେ ପିତାଙ୍କ ନଜସ୍ବ ଚାପ ପ୍ରତ୍ୟକ୍ଷ ଭାବେ ପ୍ରତିଫଳିତ ହୋଇଛି। ଏମିତି ଅନେକ ମାତାପିତା ଅଛନ୍ତି, ସେମାନେ ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷ ଭାବେ ପିଲାଙ୍କ ଉପରେ କ୍ରମାଗତ ଚାପ ପକାଇ ଚାଲିଛନ୍ତି। ଏହାର ପରିଣତି ହତ୍ୟା ବା ଆତ୍ମହତ୍ୟା ଆଡ଼କୁ ଗତିକରୁଛି। କୌଣସି ବ୍ୟବସ୍ଥା ଏପରି ମାନସିକତାକୁ ରୋକିପାରିବ ନାହିଁ। ସାମାଜିକ ଓ ପାରିବାରିକ ସଂସ୍କାର ସହ ଚିନ୍ତନର ଅଭାବ ରହୁଥିବାରୁ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ଭଳି ପଢ଼ାକୁ ପିଲାଙ୍କ ଜୀବନର ଶେଷ ଲକ୍ଷ୍ୟ ବୋଲି ଧରି ନେଉଛନ୍ତି। ଭାରତରେ ବିଶେଷକରି ଓଡ଼ିଶା ଭଳି ରାଜ୍ୟରେ ଔଦ୍ୟୋଗିକ ଚିନ୍ତାଧାରା ବଢ଼ୁନାହିଁ ବୋଲି କେବଳ ଗୋଟିଏ ଦୁଇଟି ବୃତ୍ତିକୁ ନେଇ ଆମେ ଅଟକି ଯାଉଛୁ। ଏବେ ଇଣ୍ଟରନେଟ ଯୁଗରେ ସୃଜନଶୀଳ ବୃତ୍ତିର ପରିସର ବ୍ୟାପକ ହେବା ସହ ବିପୁଳ ଅର୍ଥ ଅର୍ଜନର ସୁଯୋଗ ଖୋଲିଯାଇଛି। ଏଥିସହିତ ସଫଳ ଉଦ୍ୟୋଗୀ ହସ୍ପିଟାଲ ଖୋଲି ଅନେକ ଡାକ୍ତରଙ୍କୁ ଚାକିରି ଦେବା ସହ କମ୍ପାନୀ ଖୋଲି ବଡ଼ ଇଞ୍ଜିନିୟରଙ୍କୁ ମଧ୍ୟ ନିଯୁକ୍ତି ଦେଇପାରୁଛନ୍ତି। ଏସବୁକୁ ସମ୍ପୂର୍ଣ୍ଣ ଅଣଦେଖା କରି କିଛି ପ୍ରାନ୍ତରେ ମାତାପିତା ଓ ସମାଜ ସେହି ପୁରୁଣା ମାନସିକତାରେ ରହିଛନ୍ତି। ଦେଶରେ ଅଧିକ କ୍ରୀଡ଼ାବିତ୍, ସଫଳ ଉଦ୍ୟୋଗୀ, କଳାକାର କାହିଁକି ବାହାରୁ ନାହାନ୍ତି ତାହା ଉପରଠାଉରିଆ ଭାବେ ପ୍ରଶ୍ନ କଲା ବେଳକୁ ଭିତରେ କାରଣ ଖୋଜିଲେ ଆମେ ଜାଣିଛୁ।